ଓଡ଼ିଶାରେ ମେଣ୍ଟ କରିବ କଂଗ୍ରେସ

ଓଡ଼ିଶାରେ ମେଣ୍ଟ କରିବ କଂଗ୍ରେସ

Share :

ଦେବେନ୍ଦ୍ର ପୃଷ୍ଟି ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶାର ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ନିର୍ବାଚନୀ ସମୀକରଣ ଧୀରେ ଧୀରେ ସ୍ପଷ୍ଟ ହୋଇଚାଲିଛି । ଏହି ନିର୍ବାଚନରେ ବିଜେଡି ଓ ବିଜେପି କୌଣସି ମେଣ୍ଟ ନକରି ଏକାକୀ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଥିବାବେଳେ କଂଗ୍ରେସ କେତେକ ଧର୍ମନିରପେକ୍ଷ ଦଳ ସହିତ ମେଣ୍ଟ କରିବାର ସମ୍ଭାବନା ରହିଛି । ଏହି ଦୃଷ୍ଟିକୋଣରୁ ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ରାଜ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ପ୍ରାୟତଃ ନିଶ୍ଚିତ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ମେଣ୍ଟ କରିବ କଂଗ୍ରେସ । ଏଇ ଆଭାସ ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । ସୋମବାର ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ବୈଠକ ବସିଥିଲା । ଏହି ବୈଠକ ପରେ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟର ଶାସକ ଦଳ ବିଜେଡି ଏବଂ କେନ୍ଦ୍ରର ଶାସକ ଦଳ ବିଜେପି ସହିତ କଂଗ୍ରେସ ମେଣ୍ଟ କରିବାର ପ୍ରଶ୍ନ ଉଠୁନାହିଁ । ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ କଂଗ୍ରେସ ସହିତ ଆରଜେଡି ଅଛି, ସିପିଆଇ ଅଛି, ସିପିଏମ ଅଛି, ଜେଏମଏମ ଆସିପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତୀୟ ସ୍ତରରେ କଂଗ୍ରେସ ନେତୃତ୍ୱାଧୀନ ଉପାରେ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ଏବେ ବି ଏକ ଅଂଶୀଦାର ରହିଛି । ସେହିପରି ଭାରତ-ଆମେରିକା ଆଣବିକ ଚୁକ୍ତି ନେଇ ଉପା ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିବା ପୂର୍ବରୁ ସିପିଆଇ ଓ ସିପିଏମ ପରି ବାମପନ୍ଥୀ ଦଳ ଏହାର ସହଯୋଗୀ ଥିଲେ । ସେହିପରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ ସହିତ ମଧ୍ୟ କଂଗ୍ରେସର ଅନେକବାର ମେଣ୍ଟ ହୋଇଛି ଓ ଭାଙ୍ଗିଛି । ଏବେ ଜାତୀୟ ସ୍ତରରେ ଉଭୟ ଦଳ ମଧ୍ୟରେ ସଂପର୍କ ଓ ସମନ୍ୱୟ ରହିଛି । ସେହିପରି ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସହିତ ମଧ୍ୟ କଂଗ୍ରେସର ବୁଝାମଣା ରହିଛି । ଓଡ଼ିଶାରେ ଏ ଦୁଇଟି ଦଳର ସ୍ଥିତି ନଗଣ୍ୟ ହେଲେ ମଧ୍ୟ ଉପସ୍ଥିତି ରହିଛି । ପ୍ରଦେଶ କଂଗ୍ରେସ କର୍ତ୍ତୃପକ୍ଷ ଯଦି ରାଜ୍ୟରେ ଏକ ବ୍ୟାପକ ଓ ଶକ୍ତିଶାଳୀ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ମେଣ୍ଟ ଗଠନ କରିବା ସପକ୍ଷରେ ଥାଆନ୍ତି ତେବେ ଏ ଦୁଇ ଦଳ ସହିତ ମଧ୍ୟ କେତେକ ଆସନରେ ବୁଝାମଣା କରିପାରନ୍ତି । ଉପରୋକ୍ତ ସମସ୍ତ ଦଳ ସହିତ କଂଗ୍ରେସ ଯଦି ଆସନ ବୁଝାମଣା କରେ ତେବେ ଏସବୁ ଦଳର ପ୍ରାର୍ଥୀଙ୍କ ପାଇଁ ୨୫-୩୦ ଆସନ ଛାଡ଼ିବାକୁ ପଡ଼ିବ । କଂଗ୍ରେସ ଅନ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଦେଇ ଜୋରଦାର ଲଢ଼େଇ କରିପାରେ । ଅନ୍ୟପକ୍ଷରେ ରାଜ୍ୟର ଶାସକ ବିଜୁ ଜନତା ଦଳ ୨୦୦୯ ମସିହାରୁ ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିଠାରୁ ସମଦ୍ୱରୂତ୍ୱ ରକ୍ଷା କରି ବାଟ ଚାଲୁଥିବା ଦାବି କରି ଆସୁଛି । ବିମୁଦ୍ରାୟନ, ଜିଏସଟି, ରାଷ୍ଟ୍ରପତି ଓ ରାଜ୍ୟସଭା ଉପାଧ୍ୟକ୍ଷ ଆଦି ନିର୍ବାଚନରେ ଦଳ କେନ୍ଦ୍ର ଶାସନ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ କରିଥିଲେ ମଧ୍ୟ ଖୋଲାଖୋଲି ବିଜେପିକୁ ସମର୍ଥନ କରିନାହିଁ । ସେହିପରି ଏନଡିଏ ବିରୋଧରେ ଜାତୀୟ ସ୍ତରରେ ଏକ ମହାମେଣ୍ଟ ଗଠନ ଉଦ୍ୟମରେ ମଧ୍ୟ ବିଜେଡି ସାମିଲ ହୋଇନାହିଁ । ଏପରିକି ଅନେକ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଶରେ ଏକ ସଂଘୀୟ ମେଣ୍ଟର ଆବଶ୍ୟକତା ରହିଥିôବା ସପକ୍ଷରେ ମତବ୍ୟକ୍ତ କରିଥିଲେ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ସେନେଇ ଯେଉଁ ଉଦ୍ୟମ କରିଥିଲେ ସେଥିରେ ମଧ୍ୟ ବିଜେଡି ସାମିଲ ହୋଇନାହିଁ । ତେଣୁ ଆସନ୍ତା ନିର୍ବାଚନରେ ଏହି ଦଳ ଯେ କୌଣସି ଏନଡିଏ ବିରୋଧୀ ମେଣ୍ଟର ଅଂଶୀଦାର ହେବ ତାହାର ସମ୍ଭାବନା କ୍ଷୀଣ । ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ସଫଳତା ଅର୍ଜନ କରିଥିବା ଭାରତୀୟ ଜନତା ପାର୍ଟି ମଧ୍ୟ ପୁଣି ଥରେ ବିଜୁ ଜନତା ଦଳ ସହିତ ମେଣ୍ଟ କରିବାର ସମ୍ଭାବନା ନାହିଁ କହିଲେ ଚଳେ । ଉଭୟ ଦଳ ମଧ୍ୟରେ ୧୯୯୮ ମସିହାରୁ ୨୦୦୯ ମସିହା ଯାଏଁ ମେଣ୍ଟ ଥିଲା । କିନ୍ତୁ ଆସନ ଭାଗବଣ୍ଟାକୁ କେନ୍ଦ୍ର କରି ଉଭୟ ଦଳ ମଧ୍ୟରେ ବୁଝାମଣା ହୋଇନପାରିବାରୁ ମେଣ୍ଟ ଭାଙ୍ଗି ଯାଇଥିଲା । ତା’ପରଠାରୁ ରାଜ୍ୟରେ ଉଭୟ ଦଳ ପରସ୍ପର ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ସାଧାରଣରେ ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ଏଭଳି ଅଭିଯୋଗମାନ କରିଛନ୍ତି ଯେ ଆସନ୍ତା ନିର୍ବାଚନରେ ଏ ଦୁଇ ଦଳ ମଧ୍ୟରେ ସିଧାସଳଖ ବୁଝାମଣା ହେଲେ ଲୋକେ ଦ୍ୱନ୍ଦ୍ୱରେ ପଡ଼ିବେ । ବିଜେପି ମଧ୍ୟ ଏଠାରେ ଅନ୍ୟ କୌଣସି ଦଳ ସହିତ ବୁଝାମଣା ନକରି ଏକାକୀ ନିର୍ବାଚନ ଲଢ଼ିବ ବୋଲି ବହୁବାର ଘୋଷଣା କରିଛି । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ‘ନବୀନବାବୁଙ୍କୁ ଉପାଡ଼ି ବଙ୍ଗୋପସାଗରରେ ପକାଇଦେବାକୁ’ ଦଳୀୟ କର୍ମୀମାନଙ୍କୁ ବାରମ୍ବାର ଆହ୍ୱାନ ଦେଇଛନ୍ତି । ସେଥିପାଇଁ ଦଳ ମିଶନ ୧୨୦ ହାସଲ କରିବାକୁ ଉଦ୍ୟମ ଚଳାଇଛି । ଯେଉଁ ଦଳ ଓଡ଼ିଶାର ୧୪୭ ବିଧାନସଭା ଆସନରୁ ଏକାକୀ ୧୨୦ ଆସନରେ ଜିତିବାକୁ ଲକ୍ଷ୍ୟ ରଖିଛି ସେହି ଦଳ ଯେ ଅନ୍ୟ କୌଣସି ଦଳ ସହିତ ମେଣ୍ଟ କରିବ ତାହାର କୌଣସି ସମ୍ଭାବନା ନାହିଁ । ଏହି ଦୃଷ୍ଟିକୋଣରୁ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେଡି, ବିଜେପି ଓ କଂଗ୍ରେସ ମେଣ୍ଟ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଇପାରେ ।

Share :