ବାଘ ପିଠିରୁ ଓହ୍ଲେଇଲେ ତ’!

ବାଘ ପିଠିରୁ ଓହ୍ଲେଇଲେ ତ’!

Share :

‘ନବଜୋତ୍, ଆମେ ଶାନ୍ତି ଚାହୁଁ!’ ଶନିବାର, ଅଗଷ୍ଟ ୧୮ ତାରିଖ, ୨୦୧୮ । ଇସଲାମାବାଦସ୍ଥିତ ପାକିସ୍ତାନ ରାଷ୍ଟ୍ରପତି ଭବନରେ ପୂର୍ବତନ କ୍ରିକେଟର ତଥା ଭାରତୀୟ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କୁ ଏ କଥା କହିଛନ୍ତି ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମାର ଜାଭେଦ ବାଜୱା । ଜେନେରାଲ ବାଜୱା ଜଣେ ସେନାପତି । ପୁଣି ପାକିସ୍ତାନ ପରି ସଦା ଉପଦ୍ରୁତ ଓ ଭାରତ ବିରୋଧୀ ଦେଶର ସେନାପତି । ଭାରତ ବିରୋଧରେ ହଜାର ହଜାର ବର୍ଷ ଯୁଦ୍ଧ କରିବାକୁ ସଂକଳ୍ପ ନେଇଥିବା ପାକ୍ ସେନାର ସେନାପତି ଶାନ୍ତିର ବାର୍ତ୍ତା ଦେବେ କେତେ ବିଶ୍ୱାସଯୋଗ୍ୟ? ସେନାଧ୍ୟକ୍ଷ ଯଦି ଶାନ୍ତି ଚାହିଁବେ ତେବେ ସେନାର ଆବଶ୍ୟକତା କାହିଁ? ସେନାଧ୍ୟକ୍ଷଙ୍କ ପଦବୀର ଯଥାର୍ଥତା କେତେ? ଏକଥା କାହାକୁ ଅଛପା ନୁହେଁ ଯେ ପାକିସ୍ତାନର ପ୍ରକୃତ ଶାସକ ହେଉଛି ପାକ୍ ସେନା । ଏହି ସେନା ଯୋଗୁଁ ପାକିସ୍ତାନର କୌଣସି ନିର୍ବାଚିତ ପ୍ରଧାନମନ୍ତ୍ରୀ ଏଯାଏଁ ନିଜର ସମ୍ବିଧାନ ନିର୍ଦ୍ଧାରିତ କାର୍ଯ୍ୟକାଳ ପୂରଣ କରିନାହାନ୍ତି । ସ୍ୱାଧୀନତାର ୭୧ ବର୍ଷ ମଧ୍ୟରୁ ସାମରିକ ଶାସକମାନେ ସର୍ବାଧିକକାଳ ଶାସନ କ୍ଷମତାରେ ରହିଛନ୍ତି । ମେଜର ଜେନେରାଲ ଇସ୍କନ୍ଦର ମିର୍ଜା, ଜେନେରାଲ ଆୟୁବ ଖାଁ, ଜେନେରାଲ ୟାହ୍ୟା ଖାଁ, ଜେନେରାଲ ଜିଆ ଉଲ୍ ହକ୍, ଜେନେରାଲ ପରଭେଜ ମୁଶାରଫଙ୍କ ଭଳି ଶକ୍ତିଶାଳୀ ପାକ୍ ସେନାପତିମାନେ ଦେଶର ଶାସନକୁ ବହୁ ବର୍ଷ ଯାଏଁ ନିୟନ୍ତ୍ରିତ ଓ ପ୍ରଭାବିତ କରିଛନ୍ତି । ସାମରିକ ଶାସନ ପାକିସ୍ତାନ ଗଣତନ୍ତ୍ରକୁ ଗୌଣ କରିଦେଇଛି । ପାକ୍ ସେନାଧ୍ୟକ୍ଷମାନଙ୍କର କ୍ଷମତା ଲାଳସା ପାଇଁ ହିଁ ପାକିସ୍ତାନରେ ଗାଣତନ୍ତ୍ରିକ ଅସ୍ଥିରତା ଲାଗି ରହିଛି । ଏବେକାର ପାକ୍ ସେନାଧ୍ୟକ୍ଷ କମାର ଜାଭେଦ ବାଜୱା ଯେ ସେଥିରୁ ମୁକ୍ତ ତାହାର କୌଣସି ପ୍ରମାଣ ନାହିଁ । ଯଦିଓ ଏଯାଏଁ ସେ ସାମରିକ ବିଦ୍ରୋହତ ଜରିଆରେ କାହାକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିନାହାନ୍ତି ତଥାପି ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ ପାର୍ଟିର ନିର୍ବାଚନୀ ସଫଳତା ପଛରେ ପାକ୍ ସେନାର ଭୂମିକା ରହିଥିବା ସଂପର୍କରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଅନେକ ରିପୋର୍ଟ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ସରକାର ଜେନେରାଲ ବାଜୱାଙ୍କ କ୍ରୀଡ଼ନକ ହେବେ ବୋଲି ମଧ୍ୟ ଅନେକେ ଅନୁଶୀଳନ କରିଛନ୍ତି । ମହମ୍ମଦ ଅଲୀ ଜିନ୍ନା ଓ ପଣ୍ଡିତ ଜବାହରଲାଲ ନେହରୁଙ୍କ ପରି ଅନେକ ନେତାଙ୍କର କ୍ଷମତା ଲାଳସା ଯୋଗୁଁ ବ୍ରିଟିଶ ଶାସନାଧୀନ ଅବିଭକ୍ତ ଭାରତରେ ହିନ୍ଦୁ-ମୁସଲିମ ବିଦ୍ୱେଶ ଶେଷରେ ଦେଶ ବିଭାଜନରେ ପରିଣତ ହୋଇଥିଲା । ବିଭାଜନ ପରେ ପାକିସ୍ତାନର ଅସ୍ତିତ୍ୱ ମୁଖ୍ୟତଃ ଭାରତ ବିରୋଧୀ ଆଭିମୁଖ୍ୟ ଉପରେ ତିଷ୍ଠି ରହିଛି । ସଂପୂର୍ଣ୍ଣ କାଶ୍ମୀରକୁ ଦଖଲ କରିବାର ଅପୂର୍ଣ୍ଣ ଇଚ୍ଛା ଓ ବାଂଲାଦେଶ ସ୍ୱାଧୀନତାର ପ୍ରତିଶୋଧ ଆଳରେ ପାକିସ୍ତାନର ସେନା ଓ ସରକାର ଦେଶର ଜନମତକୁ ନିୟନ୍ତ୍ରଣ କରୁଛନ୍ତି । କେତେବେଳେ ଗଣତାନ୍ତ୍ରିକ ସରକାର ଅନ୍ତର୍ଜାତୀୟ ଚାପ ଓ ଜନମତକୁ ସମ୍ମାନ ଦେଇ ଭାରତ ସହିତ ଶାନ୍ତିପୂର୍ଣ୍ଣ ସଂପର୍କ ସ୍ଥାପନ କରିବାକୁ ଚାହିଁଲେ ବି ସେନା ତାହା କରାଇ ଦେଉ ନାହିଁ । କାରଣ ପାକ୍ ସେନାର କ୍ଷମତା ଓ ଅସ୍ତିତ୍ୱ ମଧ୍ୟ ଭାରତ ବିରୋଧୀ ଆଭିମୁଖ୍ୟ ଉପରେ ନିର୍ଭର କରେ । ଯଦି ଭାରତ ଓ ପାକିସ୍ତାନ କେବେ ବି ପରସ୍ପର ବିରୋଧରେ ଯୁଦ୍ଧ ନକରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ପାକିସ୍ତାନର ଏକ ବିଶାଳ ସାମରିକ ବାହିନୀ ଆବଶ୍ୟକ ହେବ ନାହିଁ । କାରଣ ବଡ଼ ଭାଇ ହିସାବରେ ଭାରତ ହିଁ ପାକିସ୍ତାନକୁ ବାହ୍ୟ ଶକ୍ତି ଆକ୍ରମଣରୁ ସୁରକ୍ଷା ଦେବ । ଏବେ ଭୁଟାନକୁ ଭାରତ ଏହିପରି ସୁରକ୍ଷା ଦେଉଛି । ଭାରତ ବିରୋଧୀ ଲଢ଼େଇ ନିମନ୍ତେ ସେନାକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ବିଭିନ୍ନ ସେନାଧ୍ୟକ୍ଷ ବିପୁଳ ପାଣ୍ଠିର ପରିଚାଳନା କ୍ଷମତା ପାଇଛନ୍ତି । ସେନା ଅଧୀନରେ ଥିବା ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ ବା ଆଇଏସଆଇ ମାଧ୍ୟମରେ ଗଣତାନ୍ତ୍ରିକ ନେତାମାନଙ୍କର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଏହି ଆଇଏସଆଇ ଜରିଆରେ ଅନେକ ଲୋକପ୍ରିୟା ନେତାଙ୍କୁ ନିପାତ କରାଯାଉଛି । ଭାରତ ବିରୋଧରେ ପରୋକ୍ଷ ଯୁଦ୍ଧ ଅବ୍ୟାହତ ରଖିବାକୁ ସନ୍ତ୍ରାସବାଦକୁ ସାମରିକ ନୀତିର ଅବିଚ୍ଛେଦ୍ୟ ଅଂଶ କରିନେଇଛି ପାକିସ୍ତାନ ଓ ଏହାର ସେନା । ସନ୍ତ୍ରାସବାଦୀମାନଙ୍କୁ ସାମରିକ ତାଲିମ, ଆର୍ଥିକ ପ୍ରୋତ୍ସାହନ ଓ ବିପୁଳ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଇ ଭାରତ ସୀମା ଭିତରକୁ ବେଆଇନ ଭାବେ ଅନୁପ୍ରବେଶ କରାଯାଉଛି । ଭାରତର କାଶ୍ମୀର ଓ ଅନ୍ୟାନ୍ୟ ଅଞ୍ଚଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଚଳାଇବାକୁ ଅଲ୍ କାଏଦା, ଲସ୍କାର-ଇ-ଓମାର, ଲସ୍କାର-ଇ-ତଇବା, ଜୈଶ-ଇ-ମହମ୍ମଦ, ସିପାହ୍-ଇ-ସହାବା, ତାଲିବାନ ଆଦି ଅନେକ ସନ୍ତ୍ରାସ-ଶକ୍ତି ସୃଷ୍ଟି କରାଯାଇଛି । ଏବେ ସମଗ୍ର ବିଶ୍ୱରେ ପାକିସ୍ତାନ ହିଁ ହେଉଛି ସନ୍ତ୍ରାସର ସର୍ବବୃହତ୍ ଉତ୍ପତ୍ତିସ୍ଥଳ । ସମଗ୍ର ବିଶ୍ୱରେ ଯେଉଁଠି ବି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଚାଲିଛି ତାହା ପଛରେ ରହିଛି ପାକିସ୍ତାନୀ ଲିଙ୍କ୍ । ଏଭଳି ବେଆଇନ କାର୍ଯ୍ୟ ଜରିଆରେ ପାକିସ୍ତାନର ସେନାଧିକାରୀମାନେ ସହଜରେ ବିପୁଳ ଅର୍ଥ ଓ କ୍ଷମତାର ଅଧିକାରୀ ହୋଇପାରୁଛନ୍ତି । ତେଣୁ ସେମାନେ ସନ୍ତ୍ରାସ-ନୀତିକୁ ଆପଣାର ଶକ୍ତି ଓ ପ୍ରଭାବ ପାଇଁ ଅଧିକ ସକ୍ରିୟା ଓ ଶକ୍ତିଶାଳୀ କରୁଛନ୍ତି । ତା’ଛଡ଼ା ବହୁ ବର୍ଷର ପ୍ରୋତ୍ସାହନ ଓ ତାଲିମ ପରେ ସନ୍ତ୍ରାସବାଦୀମାନେ ଏମିତି ରକ୍ତପିପାସୁ ବାଘ ହୋଇଛନ୍ତି ଯାହା ପିଠିରୁ ପାକ୍ ସେନା ଓ ସରକାର ଓହ୍ଲାଇବାକୁ ଚାହିଁଲେ ମଧ୍ୟ ଓହ୍ଲାଇପାରୁ ନାହାନ୍ତି । କାରଣ ସେମାନଙ୍କର ମଧ୍ୟ ସନ୍ତ୍ରାସବାଦକୁ ଭୟ । ସନ୍ତ୍ରାସବାଦୀମାନେ ପାକ୍ ସେନା ଅଧିକାରୀମାନଙ୍କ ପିଲାମାନେ ପଢ଼ୁଥିବା ସ୍କୁଲ ଉପରେ ଆକ୍ରମଣ କରି ଶହଶହ ପିଲାଙ୍କୁ ହତ୍ୟା କରିବାର ନଜିର ପାକିସ୍ତାନରେ ବିରଳ ନୁହେଁ । ସନ୍ତ୍ରାସବାଦୀଙ୍କ ଯୋଗୁଁ ପାକିସ୍ତାନରେ ମଧ୍ୟ ଶାନ୍ତି ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ପରି ଦେଶର ବହୁ ବଡ଼ବଡ଼ ନେତା ସନ୍ତ୍ରାସବାଦର ଶିକାର ହୋଇଛନ୍ତି । ପାକ୍ ସେନା ଓ ସରକାର ମିଳିତ ଭାବେ ଚେଷ୍ଟା ନକଲେ ସନ୍ତ୍ରାସବାଦକୁ ଦମନ କରିବା ସମ୍ଭବ ନୁହେଁ । ପାକିସ୍ତାନ ମାଟିରୁ ସନ୍ତ୍ରାସବାଦର ମୂଳୋତ୍ପାଟନ କରିବାକୁ ହେଲେ ଅନେକ ନେତା ଓ ସେନାପତିଙ୍କୁ ମଧ୍ୟ ବଳିଦାନ ଦେବାକୁ ହେବ । କାରଣ ସନ୍ତ୍ରାସବାଦ ଏବେ ପାକିସ୍ତାନର ଭସ୍ମାସୁର ହୋଇସାରିଛି । ଏଭଳି ପରିସ୍ଥିତିରେ ଖାଲି ଶାନ୍ତି ଶାନ୍ତି କହିଲେ ଶାନ୍ତି ଆସିବନି । ସେଥିପାଇଁ କାମ କରିବାକୁ ହେବ । ମୁହଁରେ ଓଁ ଶାନ୍ତି ଓଁ ଶାନ୍ତି ଓଁ ଶାନ୍ତି ବୋଲି ବାରମ୍ବାର ଉଚ୍ଚାରଣ କରୁଥିବା ଲୋକ ହାତରେ ଖଣ୍ଡା ଧରି ହତ୍ୟା କରିବା ଅସମ୍ଭବ ନୁହେଁ । ହିନ୍ଦୁ ଧର୍ମର ସାଧୁ ଓ ବାବାମାନେ ଯେମିତି ହତ୍ୟା ଓ ଧର୍ଷଣ କରିପାରନ୍ତି ଇସଲାମ୍ ଧର୍ମର ମୌଲାନା ଓ ମୌଲବୀମାନେ ମଧ୍ୟ ସେମିତି ସନ୍ତ୍ରାସର ତାଲିମ ଦେଇପାରନ୍ତି । ଖୀରସ୍ତାନ ଧର୍ମର ଧର୍ମଯାଜକମାନେ ମଧ୍ୟ ଏହିପରି ଅନେକ ଜଘନ୍ୟ କାର୍ଯ୍ୟରେ ସଂପୃକ୍ତ ଥିବାର ଅଭିଯୋଗ ରହିଛି । ଆଧୁନିକ ସମୟରେ ଧର୍ମଗୁରୁ ଓ ଧର୍ମଯାଜମାନେ ଯେତେବେଳେ ନିଜର ଉଚ୍ଚାରଣ ଓ ଆଚରଣ ମଧ୍ୟରେ ବ୍ୟବଧାନ ସୃଷ୍ଟି କରି ଜନ ସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ହରେଇବାରେ ଲାଗିଛନ୍ତି ସେତେବେଳେ ଯୁଦ୍ଧ ଓ ସନ୍ତ୍ରାସ ପାଇଁ ଗଠିତ ହୋଇଥିବା ଏକ ସେନାର ସେନାପତିଙ୍କର ଶାନ୍ତି ପ୍ରସ୍ତାବକୁ କିଏ ବିଶ୍ୱାସ କରିବ?

Share :