କବି ଓ ପ୍ରେମିକ ବାଜପେୟୀ!

କବି ଓ ପ୍ରେମିକ ବାଜପେୟୀ!

Share :

ଦେବେନ୍ଦ୍ର ପୃଷ୍ଟି ଠନ୍ ଗୟି! ମୌତ ସେ ଠନ୍ ଗୟି! ଜୁଝନେ କା ମେରା ଇରାଦା ନଥା, ମୋଡ଼ ପର୍ ମିଲେଙ୍ଗେ ଇସକା ୱାଦା ନ ଥା, ରାସ୍ତା ରୋକ୍ କର୍ ୱହ ଖଡ଼ୀ ହୋ ଗଇ, ୟୁଁ ଲଗା ଜିନ୍ଦଗୀ ସେ ବଡ଼ୀ ହୋ ଗଇ! ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ‘ମୌତ୍ ସେ ଠନ୍ ଗୟି!’ କବିତାର ଇଏ ହେଉଛି ପ୍ରଥମ ପଙ୍କ୍ତି । ମୃତ୍ୟୁ ପ୍ରତି ଆଭିମୁଖ୍ୟ ତାଙ୍କର କ’ଣ ଥିଲା ତାହା ଏଥିରୁ ସ୍ପଷ୍ଟ । ଏଇ କବିତାରେ ସେ ଲେଖିଛନ୍ତି, ମୌତ୍ କି ଉମର୍ କ୍ୟା ହେ? ଦୋ ପଲ୍ ଭି ନହିଁ, ଜୀନ୍ଦଗି ସୀଲସୀଲା, ଆଜ୍ କଲ୍ କି ନହିଁ । ଅନ୍ୟ ଏକ କବିତା ‘କ୍ୟା ଖୋୟା କ୍ୟା ପାୟା’ରେ ସେ ଲେଖିଛନ୍ତି, ଜନ୍ମ-ମରଣ ଅବିରତ ଫେରା, ଜୀବନ ବଂଜାରୋଁ କା ଡେରା, ଆଜ୍ ୟହାଁ, କଲ୍ କହାଁ କୁଛ ହେଁ, କୌନ୍ ଜାନତା, କିଧର ସବେରା, ଅନ୍ଧିଆରା ଆକାଶ ଅସୀମିତ, ପ୍ରାଣୋଁ କେ ପଂଖୋଁ କୋ ତୌଲେଁ, ଅପନେ ହୀ ମନ୍ ସେ କୁଛ୍ ବୋଲେଁ ।’ ସେ କେବଳ ଜଣେ ରାଜନେତା ନଥିଲେ । ଥିଲେ ଜଣେ ସୁସାହିତ୍ୟିକ । ସାମ୍ବାଦିକତାରୁ ଆରମ୍ଭ ହୋଇଥିବା ଜୀବନ ରାଷ୍ଟ୍ରନୀତିଜ୍ଞରେ ପୂର୍ଣ୍ଣତା ଲାଭ କରିଥିଲା । ତା’ ମଝିରେ ସେ ଲେଖିଯାଇଛନ୍ତି ଅନେକ କବିତା । ସେସବୁ କବିତା ମାଧ୍ୟମରେ ସେ ଛାଡ଼ି ଯାଇଛନ୍ତି ଏକ ସ୍ୱତନ୍ତ୍ର ଜୀବନ ଦର୍ଶନ । ଜୀବନରେ ହାରିବା ତାଙ୍କୁ ଅଟକାଇ ଦେଇନାହିଁ । ଜିତିବା ତାଙ୍କୁ ଅହଂକାରୀ କରିନାହିଁ । ସୁଖରେ ସେ ବିଭୋର ହୋଇନାହାନ୍ତି । ଦୁଃଖରେ ସେ ଅଧୀର ହୋଇନାହାନ୍ତି । ସେଥିପାଇଁ ସେ ଲେଖିଛନ୍ତି, ଟୁଟେ ହୁଏ ସପନୋଁ କି କୌନ୍ ସୁନେ ସିସକୀ, ଅନ୍ତର କୀ ଚୀର୍ ବ୍ୟଥା ପଲ୍କୋଁ ପର୍ ଠିଠକୀ, ହାର୍ ନହିଁ ମାନୁଙ୍ଗା, ରାର୍ ନହିଁ ଠାନୁଙ୍ଗା, କାଳ୍ କେ କପାଳ ପର୍ ଲିଖତା ମିଟାତା ହୁଁ, ଗୀତ ନୟା ଗାତା ହୁଁ । ଅନେକ ସମୟରେ ତାଙ୍କର ଏକ ପ୍ରିୟ କବିତାକୁ ତାଙ୍କରି ନାଁରେ ଭଣିତା କରାଯାଏ । ତେବେ ସେ କବିତାର କବି ହେଉଛନ୍ତି ଶିବମଙ୍ଗଳ ସିଂହ ସୁମନ । ସେ ଲେଖିଥିଲେ, କ୍ୟା ହାର୍ ମେଁ କ୍ୟା ଜିତ୍ ମେଁ, କିଞ୍ଚିତ ନହିଁ ଭୟଭୀତ ମେଁ, ସଂଘର୍ଷ ପଥ୍ ପର୍ ଯୋ ଭି ମିଲେ, ୱ ଭି ସହି, ୟହ୍ ଭି ସହି । ଏ କବିତାକୁ ବାଜପେୟୀ ଅନେକ ଥର ନିଜର ସହକର୍ମୀମାନଙ୍କୁ କହିଛନ୍ତି । ଏହା ମଧ୍ୟ ତାଙ୍କ ଜୀବନାଦର୍ଶର ଏକ ସଂକେତ । ଭାରତରେ ବଢ଼ି ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ତାଙ୍କୁ ବ୍ୟଥିତ କରିଥିଲା । ବିଶେଷ କରି ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରରେ ସେ ଅତିଷ୍ଠ ଥିଲେ । ତେଣୁ ‘କୌରବ କୌନ୍, ପାଣ୍ଡବ କୌନ୍’ କବିତାରେ ସେ ଲେଖିଥିଲେ, କୌରବ କୌନ୍ କୌନ୍ ପାଣ୍ଡବ, ତେଡ଼ା ସବାଲ୍ ହେ, ଦୋନୋ ଔର୍ ଶକୁନି ଫେଲା କୂଟଜାଲ୍ ହେ, ହର୍ ପଞ୍ଚାୟତ ମେଁ ପାଞ୍ଚାଳି ଅପମାନିତ ହେ, ବିନା କୃଷ୍ଣ କେ ଆଜ ମହାଭାରତ ହୋନା ହେ, କୋଇ ରାଜା ବନେ, ରଙ୍କ୍ କୋ ତୋ ରୋନା ହେ । ଜୀବନରେ ୧୦ ଥର ଲୋକସଭା ସଦସ୍ୟ, ୨ ଥର ରାଜ୍ୟସଭା ସଦସ୍ୟ, ୫ ବର୍ଷ ଭାରତୀୟ ଜନସଂଘର ସଭାପତି, ୬ ବର୍ଷ ଭାରତୀୟ ଜନତା ପାର୍ଟିର ସଭାପତି, ୩ ଥର ପ୍ରଧାନମନ୍ତ୍ରୀ- ଏଭଳି ଅନେକ ଉଚ୍ଚ ପଦପଦବୀ ହାସଲ କରିଛନ୍ତି ବାଜପେୟୀ । ଭାରତୀୟ ରାଜନୀତିରେ ତାଙ୍କର ଶତ୍ରୁ କେହି ନଥିଲେ କହିଲେ ଚଳେ । ସେଥିପାଇଁ ତାଙ୍କ ସଂପର୍କରେ କୁହାଯାଏ, ରାଇଟ୍ ମ୍ୟାନ୍ ଇନ୍ ଦ ରଙ୍ଗ୍ ପାର୍ଟି (ଭୁଲ୍ ଦଳରେ ଠିକ୍ ଲୋକ ।) ରାଜନୀତିକ ଜୀବନର ଏତେ ଉଚ୍ଚକୁ ଉଠିଥିଲେ ବି ତାଙ୍କର ନଜର ଥିଲା ତଳେ । ସେ ସାଧାରଣ ଲୋକଙ୍କ ସହିତ ମିଶିବାକୁ ଭଲ ପାଉଥିଲେ । ଯେଉଁ ତୃଣମୂଳରୁ ସେ ଉପରକୁ ଉଠିଛନ୍ତି ତା’କୁ ଛାଡ଼ିଯିବାକୁ ଚାହୁଁ ନଥିଲେ । ସେଥିପାଇଁ ସେ ଲେଖିଥିଲେ, ଉଁଚ୍ଚେ ପାହାଡ଼ ପର୍ ପେଡ଼୍ ନହିଁ ଲଗତେ, ପୌଧେ ନହିଁ ଉଗତେ, ନ ଘାସ୍ ହି ଜମତୀ ହେ ।....ହେ ପ୍ରଭୁ! ମୁଝେ ଇତନୀ ଉଁଚାଇ କଭୀ ମତ ଦେନା, ଗୈରୋଁ କୋ ଗଲେ ନ ଲଗା ସକୁଁ, ଇତନୀ ରୁଖାଇ ମତ ଦେନା । ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ଥରେ କହିଥିଲେ, ଆଟ୍ ଦ ଟଚ୍ ଅଫ୍ ଲଭ୍ ଏଭ୍ରିୱାନ ବିକମ୍ସ ଏ ପୋଏଟ ଅର୍ଥାତ ପ୍ରେମର ସ୍ପର୍ଶରେ ସମସ୍ତେ କବି ହୋଇଯାଆନ୍ତି । ବାଜପେୟୀଙ୍କର ଏ କବି ପଣ ବୋଧହୁଏ ଆସିଥିଲା ତାଙ୍କ ପ୍ରେମରୁ । ଅନେକେ ଜାଣି ନଥିବେ ତାଙ୍କର ଜଣେ ପ୍ରେମିକା ଥିଲେ । ଦିଲ୍ଲୀର ସମ୍ଭ୍ରାନ୍ତଙ୍କ ମହଲରେ ସେ ଥିଲେ ଶ୍ରୀମତୀ କାଉଲ୍ । ଅନେକଙ୍କ ପାଇଁ କାଉଲ ଆଣ୍ଟି । ସେ ଥିଲେ ବାଜପେୟୀଙ୍କର ଛାତ୍ର ଜୀବନର ବନ୍ଧୁ ରାଜକୁମାରୀ କାଉଲ୍ । ଉଭୟ ବିବାହ କରିବାକୁ ଚାହିଁଥିଲେ । କିନ୍ତୁ କାଉଲ ପରିବାର ବାଜପେୟୀଙ୍କୁ ନୀଚ ବର୍ଗର ବ୍ରାହ୍ମଣ ବୋଲି ଭାବୁଥିଲେ । ପରେ ରାଜକୁମାରୀ କାଉଲ ବିବାହ କରିଥିଲେ ପ୍ରଫେସର ବିଏନ କାଉଲଙ୍କୁ । ସେ ଥିଲେ ଦର୍ଶନର ପ୍ରାଧ୍ୟାପକ । ପ୍ରାଧ୍ୟାପକ କାଉଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନସ୍ତ ରାମଜାସ୍ କଲେଜକୁ ବଦଳି ହେବା ପରେ ସପରିବାରେ ଦିଲ୍ଲୀରେ ରହିଲେ । ସେତେବେଳେ ବାଜପେୟୀ ଜଣେ ପ୍ରତିଷ୍ଠିତ ସାଂସଦ । ବାଜପେୟୀ ଓ କାଉଲ ପରିବାର ମଧ୍ୟରେ ଘନିଷ୍ଠତା ଥିଲା । ଏକଥା ଦିଲ୍ଲୀର ସମ୍ଭ୍ରାନ୍ତ ମହଲରେ ସମସ୍ତେ ଜାଣିଥିଲେ । ତେବେ ଅଟଳ ବିହାରୀ ବାଜପେୟୀ ସାରା ଜୀବନ ଅବିବାହିତ ଥିଲେ ।

Share :