ସି ପ୍ଲେନ ଖରାପ୍‌ ନୁହେଁ!

ସି ପ୍ଲେନ ଖରାପ୍‌ ନୁହେଁ!

Share :

ସରଳ କୁମାର ଦାସ ଭାରତ ସରକାରଙ୍କ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସମେତ ଦେଶର ପାଞ୍ଚଟି ରାଜ୍ୟରେ ଜଳ ବିମାନଘା଼ଟି ପ୍ରତିଷ୍ଠା କରାଯିବ ବୋଲି ନୀତିଗତ ନିଷ୍ପତ୍ତି ଘୋଷଣା ହୋଇଛି। ପ୍ରଥମ ଦଫାରେ ଓଡିଶାର ଚିଲିକା ଓ ଗୁଜରାଟର ସାବରମତି ରିଭର ଫ୍ରଣ୍ଟ ଓ ନର୍ମଦା ସରୋବର ଡ୍ୟାମରୁ ସି ପ୍ଲେନ ଉଡିବା ସ୍ଥିର ହୋଇଛି। ଚିଲିକା ହ୍ରଦ ସହ ଜୀବନ ଜୀବିକା ଜଡିତ ଲୋକ ଓ ଅନୁଷ୍ଠାନଗୁଡିକୁ ବିଶ୍ବାସକୁ ନ ନେଇ ଏକ ତରଫା ଭାବେ ଚିଲିକାରୁ ସି ପ୍ଲେନ ଚଳାଚଳ ଘୋଷଣା ପରେ ଏହାକୁ ଅନେକେ ବିରୋଧ କରିବା ଆରମ୍ଭ କଲେଣି। କେହି କେହି ଏହାର ପରିବେଶଗତ କୁପ୍ରଭାବ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟ କେହି ଏହାର ପର୍ଯ୍ୟଟନ ଉପରେ ପଡିବାକୁ ଥିବା ପ୍ରତିକୂଳ ପ୍ରଭାବ ଉପରେ ସନ୍ଦେହ ବ୍ୟକ୍ତ କଲେଣି। ସି ପ୍ଲେନ ଅଷ୍ଟ୍ରିଆର ଉଇଲହେମ କ୍ରେସଙ୍କ ଦ୍ବାରା ୧୮୯୮ ମସିହାରେ ଉଦ୍ଭାବନ ହୋଇଥିଲା। କ୍ରମଶଃ ଏହାର ବ୍ୟାବସାୟିକ ଉପଯୋଗ ହେବାକୁ ଲାଗିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପର୍ଯ୍ୟନ୍ତ ଏହା ବହୁଳ ଭାବେ ବ୍ୟବହୃତ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବେଗ ଓ ଅନ୍ୟାନ୍ୟ କାରଣରୁ ଏହାର ଆଦୃତି କମିଲା। ଦୁର୍ଗମ ଓ ସମ୍ବେଦନଶୀଳ ଅଞ୍ଚଳକୁ ଦ୍ରୁତ, ନିରାପଦ ଯାତାୟତର ସୁବିଧା ଯୋଗାଇ ଦେବା ପାଇଁ ସି ପ୍ଲେନଠାରୁ ଭଲ ସାଧନ ଆଉ କିଛି ନାହିଁ। ଅନୁସନ୍ଧାନକାରୀ, ଗବେଷକ, ଉଦ୍ଧାରକାରୀ ଦଳ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଆଦିଙ୍କ ପାଇଁ ଏହା ସୁବିଧାଜନକ। ଏବେ ବି ଆଲାସ୍କା ଓ କାନାଡାର ଦୁର୍ଗମ ଅଞ୍ଚଳ ତଥା କାରିବୀୟ ସାଗରର ବିଭିନ୍ନ ଦ୍ବୀପ ମଧ୍ୟରେ ସି ପ୍ଲେନ ବ୍ୟାବସାୟିକ ଭିତ୍ତିରେ ଚଳାଚଳ କରୁଛି। ମାଳଦ୍ବୀପରେ ଅନେକଗୁଡିଏ ଦ୍ବୀପ ଦୁର୍ଗମ ଅଞ୍ଚଳରେ ଥିବାରୁ ସେଠାରେ ସି ପ୍ଲେନ ଟ୍ୟାକ୍ସି ଭଳି ଚଳାଚଳ ହେବା ଦେଖାଯାଏ। ପରିବେଶ ଉପରେ ସି ପ୍ଲେନ ଚଳାଚଳର କି କୁପ୍ରଭାବ ପଡିଥାଏ ସେ ସମ୍ପର୍କରେ ବେଶି ଅଧ୍ୟୟନ ଓ ମୂଲ୍ୟାୟନ ହୋଇନାହିଁ। ତେବେ ଯେଉଁ କିଛି ନିର୍ଭରଯୋଗ୍ୟ ଅଧ୍ୟୟନ ହୋଇଛି ସେଥିରୁ ୟୁଏସ କୋର ଅଫ ଇଞ୍ଜିନିୟର୍ସ ଦ୍ବାରା କାଲିଫଣ୍ଣିର୍ଆସ୍ଥିତ ସାକ୍ରାମେଣ୍ଟୋ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ଲେକରେ ସି ପ୍ଲେନ ଚଳାଚଳର ପରିବେଶଗତ ଅଧ୍ୟୟନର ସିଦ୍ଧାନ୍ତ ପ୍ରଣିଧାନ ଯୋଗ୍ୟ। ଅଧ୍ୟୟନ ଅନୁଯାୟୀ, ସି ପ୍ଲେନ ଚଳାଚଳ ଯୋଗୁ ବାୟୁ, ଜଳ, ମୃତ୍ତିକା ଆଦିର ଗୁଣବତ୍ତା ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡି ନଥାଏ। ସେହିପରି ବନ୍ୟଜୀବ, ମତ୍ସ୍ୟ ସମ୍ପଦା ଓ ଜଳର ବୈଶିଷ୍ଟ୍ୟ (ହାଇଡ୍ରୋଲୋଜି) ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇ ନଥାଏ। ତେବେ ଏହା କିଛିଟା ଶବ୍ଦ ପ୍ରଦୂଷଣ କରିଥାଏ, ଯାହା ଗୋଟିଏ ବଡ ସ୍ପିଡ ବୋଟ କରୁଥିବା ଶବ୍ଦ ପ୍ରଦୂଷଣ ସହ ସମାନ। ଜଳ ରାଶିରେ ଚଳାଚଳ କରୁଥିବା ବୋଟ ଓ ଅନ୍ୟ ଯନ୍ତ୍ରଚାଳିତ ଯାନ ତୁଳନାରେ ଏହାର ପ୍ରଦୂଷଣ ଯଥେଷ୍ଟ କମ। ବୋଟରୁ ନିର୍ଗତ ହେଉଥିବା ବର୍ଜ୍ୟ ଜଳରେ ଥିବା ତେଲିଆ ଅଂଶକୁ ଜଲରାଶିକୁ ଛାଡି ଦିଆଯାଇଥାଏ। ସି ପ୍ଲେନରୁ ସେମିତି କିଛି ବର୍ଜ୍ୟବସ୍ତୁ ଜଳରାଶିକୁ ଛଡା ଯାଇନଥାଏ। ବୋଟଗୁଡିକର ଜଳ ସଂସ୍ପର୍ଶରେ ଆସୁଥିବା ଅଂଶରେ ବିଷାକ୍ତ ରଙ୍ଗର ପ୍ରଲେପ ଦିଆଯାଉଥିବାରୁ ତାହା ରାସାୟନିକ କ୍ରିୟାରେ ଜଳର କ୍ଷତି ପହଞ୍ଚାଇଥାଏ। ସି ପ୍ଲେନରେ ସେଭଳି ରଙ୍ଗ ବ୍ୟବହାର ହୋଇନଥାଏ। ଅଧିକନ୍ତୁ ସି ପ୍ଲେନର ବର୍ଜ୍ୟବସ୍ତୁ ଜଳ ସ୍ତରର ଯଥେଷ୍ଟ ଉପରେ ବାୟୁମଣ୍ଡଳରେ ନିର୍ଗତ ହେଉଥିବାରୁ ଏହା ଜଳ ସଂସ୍ପର୍ଶରେ ଆସି ନଥାଏ ବା ତାହାର କୌଣସି କ୍ଷତିସାଧନ କରି ନଥାଏ। ମୋଟର ବାହନ ଓ ସାମୁଦ୍ରିକ ଯାନରେ ବ୍ୟବହୃତ ଇନ୍ଧନରେ କ୍ଷତିକାରକ ଏମଟିବିଇ ମିଶାଯାଉଥିବା ବେଳେ ବିମାନ ଇନ୍ଧନରେ ତାହା ମିଶା ଯାଉନଥିବାରୁ ସି ପ୍ଲେନ ଅପେକ୍ଷାକୃତ କମ ପ୍ରଦୂଷଣକାରୀ। ବୋଟର ଘୂର୍ଣ୍ଣିଚକ୍ର (ପ୍ରୋପେଲର) ଜଳରେ ରହୁଥିବା ବେଳେ ସି ପ୍ଲେନର ଘୂର୍ଣ୍ଣିଚକ୍ର ଜଳସ୍ତରର ଯଥେଷ୍ଟ ଉପରେ ଥାଏ। ଫଳରେ ଏହା ସିଧାସଳଖ ଜଳଜୀବମାନଙ୍କୁ ବିଚଳିତ କରି ନଥାଏ। ଏହାଦ୍ବାରା ଅତି ବେଶିରେ ଦୁଇ ତିନି ଇଞ୍ଚ ଉଚ୍ଚତାର ଢେଉ ସୃଷ୍ଟି ହେଉଥିବାରୁ ଏହା କୂଳର ମୃତ୍ତିକା କ୍ଷୟ ବା ବାଲିଜମା (ସେଡିମେଣ୍ଟେସନ) ଆଦିର କାରଣ ହୋଇ ନଥାଏ। ବିମାନଟି ଆକାଶ ମାର୍ଗଗକୁ ଉଠିବା ଯାଏଁ ସି ପ୍ଲେନ ଦ୍ବାରା ସୃଷ୍ଟ ଶବ୍ଦ ପ୍ରଦୂଷଣ 20ରୁ 60 ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ଯେଉଁ ଜଳରାଶିରେ ମୋଟର ବୋଟ ଚାଲିପାରୁଛି, ସେଠାରେ ପରିବେଶଗତ କାରଣରୁ ସି ପ୍ଲେନ ଚାଲିବାରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ। ଏପରିକି ଏମିତି କେତେକ ଜଳପଥ, ଯେଉଁଠାରେ ଯନ୍ତ୍ରଚାଳିତ ବୋଟ ଚାଲିବାରେ ଅସୁବିଧା ରହିଛି, ସେଠାରେ ମଧ୍ୟ ସି ପ୍ଲେନ ଚଳାଚଳ କରିବାରେ ପ୍ରତିବନ୍ଧକ ନଥାଏ। ଉଲ୍ଲେଖନୀୟ, ତଥ୍ୟ ଓ ଜଳ ନମୁନା ସଂଗ୍ରହ କରିବା ପାଇଁ ୱାଶିଂଟନସ୍ଥିତ ଡିପାର୍ଟମେଣ୍ଟ ଅଫ ଇକୋଲୋଜି ସି ପ୍ଲେନର ବ୍ୟବହାର କରିଥାନ୍ତି। ଯେକୌଣସି ଜଳରାଶିକୁ ଜଳ ବିମାନଘାଟି ଭାବେ ବ୍ୟବହାର କରି ହେବ, ଯଦି ତାହା ଏକ ସି ପ୍ଲେନ ଅବତରଣ ପାଇଁ କେତେକ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବାକୁ ସମର୍ଥ ହେଉଥାଏ। ସାଧାରଣତଃ କୃତ୍ରିମ ଜଳ ଭଣ୍ଡାର, ହ୍ରଦ, ନଦୀ, ସମୁଦ୍ର କୂଳ ଆଦି ଏଥିପାଇଁ ପ୍ରକୃଷ୍ଟ। ତେବେ ଅଶାନ୍ତ ସମୁଦ୍ର କୂଳରେ ଜଳ ବିମାନଘାଟୀ ସମ୍ଭବ ନୁହେଁ। ଏହି ଧରଣର ବିମାନଘାଟୀ ପାଇଁ ଜଳରାଶି ବ୍ୟତୀତ ସି ପ୍ଲେନରୁ ଯାତ୍ରୀ ଓ ମାଲ ଓହ୍ଲାଇବା ଓ ଚଢାଇବା ପାଇଁ ଏକ ଜେଟି ଆବଶ୍ୟକ ହୋଇଥାଏ। ଏ ସବୁ ସହଜରେ ଚିଲିକାରେ ହେବାର ସମ୍ଭାବନା ଥିବାରୁ ପ୍ରଥମ ଦଫାରେ ଚିଲିକାକୁ ବାଛିବା କିଛି ଅସ୍ବାଭାବିକ ନୁହେଁ। ଚିଲିକାକୁ କେବଳ ଏକ ସାଧରଣ ଜଳରାଶି ଭାବେ ଗ୍ରହଣ କରି ହେବନାହିଁ। ଏଗାର ଶହ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଚିଲିକା ସମୁଦ୍ରକୂଳରେ ଅବସ୍ଥିତ ଭାରତର ସର୍ବବୃହତ ଓ ବିଶ୍ର ଦ୍ବିତୀୟ ସର୍ବବୃହତ ଲବଣାକ୍ତ ହ୍ରଦ। ଏହା ରାମଜର ସମ୍ମିଳନୀ ଅନୁଯାୟୀ ଭାରତର ପ୍ରଥମ ଆନ୍ତର୍ଜାତିକ ଗୁରୁତ୍ବ ସମ୍ପନ୍ନ ଆର୍ଦ୍ରଭୂମି ଭାବେ ଚିହ୍ନିତ। ଏଠାରେ ଥିବା ବିଶାଳ ମତ୍ସ୍ୟ ସମ୍ପଦର ଭଣ୍ଡାର ଉପରେ ପ୍ରାୟ ଦେଢ ଲକ୍ଷରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ନିର୍ଭର କରିଥାନ୍ତି। ଇରାୱାାଡି ପ୍ରଜାତିର ଡଲଫିନଙ୍କଠାରୁ ଆରମ୍ଭ କରି ୧୬୦ ପ୍ରଜାତିର ଦେଶୀ ଓ ବହିରାଗତ ପକ୍ଷୀଙ୍କୁ ଚିଲିକା ଆତିଥ୍ୟ ପ୍ରଦାନ କରିଥାଏ। ଏ ସବୁକୁ କେନ୍ଦ୍ର କରି ଗଢି ଉଠିଛି ଚିଲିକାର ପର୍ଯ୍ୟଟନ ଶିଳ୍ପ। ତେଣୁ ପ୍ରସ୍ତାବିତ ସି ପ୍ଲେନ ଚଳାଚଳ ଦ୍ବାରା ଚିଲିକାର ପରିବେଶ, ଜୈବ ବିବିଧତା ଓ ପର୍ଯ୍ୟଟନ ଶିଳ୍ପ ଉପରେ କି ପ୍ରଭାବ ପଡିପାରେ ତାହା ଉପରେ ଏକ ବିଶେଷ ଅଧ୍ୟୟନର ଆବଶ୍ୟକତା ରହିଛି, କାରଣ ପୂର୍ବୋକ୍ତ ଅଧ୍ୟୟନ ଏକ ସାଧାରଣ ଜଳରାଶି ଉପରେ କେନ୍ଦ୍ରିତ ଥିଲା। ଚିଲିକାରୁ ସି ପ୍ଲେନ ଚଳାଚଳର ନିଷ୍ପତ୍ତି ଘୋଷଣା କରି ସାରିଥିବାରୁ ଏହି ଅଧ୍ୟୟନ କରିବା ପାଇଁ ହୁଏତ କେନ୍ଦ୍ର ସରକାର ତତ୍ପରତା ଦେଖାଇ ନପାରନ୍ତି। ସେ କ୍ଷେତ୍ରରେ ରାଜ୍ୟ ହିତକୁ ଆଖିରେ ରଖି ରାଜ୍ୟ ସରକାର ତୁରନ୍ତ ଏକ ଅଧ୍ୟୟନ କରାଇବା ପାଇଁ ପଦକ୍ଷେପ ନେବା ବାଞ୍ଛନୀୟ। ଅଧ୍ୟୟନର ନିଷ୍କର୍ଷ ସବୁ ହିତାଧିକାରୀ (ଷ୍ଟେକହୋଲଡର)ଙ୍କ ମଧ୍ୟରେ ବିଚାର ବିମର୍ଶ କରାଇ ସମସ୍ତଙ୍କର ଉତ୍କଣ୍ଠାକୁ ପ୍ରଶମିତ କରିବା ଦିଗରେ ଉଦ୍ୟମ ହେବା ଆବଶ୍ୟକ। ଗତ ଗୁଜରାଟ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିର୍ବାଚନୀ ପ୍ରଚାର ବେଳେ ସି ପ୍ଲେନର ଉପଯୋଗ ଅନେକଙ୍କୁ ଚକିତ କରିଥିବାରୁ ଏହାର ପ୍ରସାରକୁ କେହି କେହି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମନେ କରୁଛନ୍ତି। ତେବେ ସି ପ୍ଲେନ ଚଳାଚଳ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଉ ଥିବାରୁ ଜଳ ବିମାନ ଘାଟି ଓ ସି ପ୍ଲେନ ଚଳାଚଳକୁ ସ୍ବାଗତ କରିବା ପାଇଁ ତତ୍ପରତା ଦେଖାଇବା ଉଚିତ। ପରିବେଶଗତ କାରଣରୁ ଯଦି ଚିଲିକାରୁ ସି ପ୍ଲେନ ଚଳାଚଳରେ ପ୍ରତିବନ୍ଧକ ଥାଏ, ତେବେ କଟକର ଜୋବ୍ରା ବା ନରାଜରୁ ଚଳାଚଳ କରିବା କଥା ଚିନ୍ତା କରାଯାଇପାରେ। ପରବର୍ତ୍ତୀ ସମୟରେ ହୀରାକୁଦ ଜଳଭଣ୍ଡାର, ଭିତରକନିକା ଆଦି ଜଳାଶୟ ଥିବା ବିଭିନ୍ନ ସ୍ଥାନକୁ ମଧ୍ୟ ଏହାର ଚଳାଚଳ କଥା ଚିନ୍ତା କରି ପର୍ଯ୍ୟଟନ ଶିଳ୍ପର ବିକାଶକୁ ଗତି ଦେଇ ହେବ। ସି ପ୍ଲେନ ଯାତ୍ରା ମୋଟର ଯାନ ତୁଳନାରେ ବ୍ୟୟବହୁଳ ହୋଇଥିଲେ ମଧ୍ୟ ହେଲିକପ୍ଟର ତୁଳନାରେ ଶସ୍ତା ହେଇଥିବାରୁ ହୁଏତ ଭବିଷ୍ୟତରେ ଏହାର ଆଦୃତି ବଢିପାରେ। ଗମନାଗମନ କ୍ଷେତ୍ରରେ ଯେ କୌଣସି ବିକାଶ ସ୍ବାଗତଯୋଗ୍ୟ ହୋଇଥିବାରୁ, ଓଡିଶାର ସ୍ବାର୍ଥକୁ ଆଖିରେ ରଖି କେବଳ ରାଜନୈତିକ ଦୃଷ୍ଟିରୁ ବିରୋଧ କରିବା ପାଇଁ ଏହାକୁ ବିରୋଧ କରା ନଯାଉ। ୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ ଭୁବନେଶ୍ବର- ୭୫୧୦୧୨ ମୋ. ୯୪୩୭୦୩୮୦୧୫

Share :