ଭଙ୍ଗା ଘରେ ଚକା ଜହ୍ନ

ଭଙ୍ଗା ଘରେ ଚକା ଜହ୍ନ

Share :

ହେମାଙ୍ଗ ପ୍ରସାଦ ରାଉଳ, ବ୍ରହ୍ମପୁର ବ୍ୟୁରୋ ଚିଫ୍ ଏକଶହ ପଚାଶ ବର୍ଷର ଐତିହ୍ୟ ସଂସ୍କୃତି ସଂପନ୍ନ ସହର ବ୍ରହ୍ମପୁର ଦୁଇ ଦିନ ତଳେ ପାଳନ କରିଛି ସ୍ୱାୟତ୍ତ ଶାସନ ଦିବସ। ଦକ୍ଷିଣ ଓଡ଼ିଶାର ଏକ ସମୃଦ୍ଧଶାଳୀ ନଗର ମହାନଗରର ମାନ୍ୟତା ପାଇଥିଲେ ସୁଦ୍ଧା ଜଗତୀକରଣ ଦୁନିଆର ଚିତ୍ର ଆଗରେ ରେଶମ ନଗରୀର ଦୃଶ୍ୟପଟ ଶିଥିଳ ହୋଇଯାଇଥିବା ପରି ମନେହୁଏ। କେତେଖଣ୍ଡ ଗାଁକୁ ଯୋଡ଼ି ସହର ଏବଂ ମହାନଗରର ପରିଚୟରେ ପରିଚିତ ସହରର ଦୁଃଖ କିନ୍ତୁ ଅନେକ। ସହରବାସୀ ଯେଉଁମାନେ ବିଭିନ୍ନ ସହରର ସଂସ୍କୃତି, ଜୀବନଶୈଳୀକୁ ତା’ର ପରିବେଶକୁ ଦେଖି ବ୍ରହ୍ମପୁରକୁ ତୁଳନା କରନ୍ତି ନିଜକୁ ଲଜ୍ଜିତ ମନେକରନ୍ତି। ଓଡ଼ିଶାରେ ବ୍ରହ୍ମପୁର ଏପରି ଏକ ଅଂଚଳର ପ୍ରାଣପିଣ୍ଡ ଯେଉଁ ଅଂଚଳରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଶାସନର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛନ୍ତି। କିନ୍ତୁ ଦୁର୍ଭାଗ୍ୟ ଏଠାରେ ନେତାମାନେ ଆଗୁଆ କିନ୍ତୁ ବିକାଶ ପଛୁଆ। ସ୍ୱାୟତ୍ତ ଶାସନ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଚକ୍ରବର୍ତ୍ତୀ ସିଂ ରାଠୋର ଯୁବ କମିଶନର ସମ୍ମିଳନୀ କକ୍ଷରେ ଏକ ସାମ୍ୱାଦିକ ବନ୍ଧୁମିଳନ କରି ଯେଉଁ ଚିଠା ଧରାଇ ଦେଇ ସହର ରଂଗୀନ ସ୍ୱପ୍ନ ଦେଖାଇଲେ ତା’ର ବାସ୍ତବତାରେ ଅନେକ ଅନ୍ତର ରହିଛି। ସହରକୁ ବଡ଼ ବଡ଼ ଦୁଇ ଆଇଏଏସ୍ ଅଫିସର କମିଶନର ପଦରେ ରହି ଏମିତି ଅନେକ କଥା ଶୁଣାଇ ଦେଇ ଚାଲନ୍ତି ଏବଂ ଖବର ପୃଷ୍ଠାରେ ସାଇତି ହୋଇ ରହିଯାଏ ଖବର ହୋଇ। କିନ୍ତୁ ସହରବାସୀଙ୍କୁ ସହରର ସୁଖଦ ଅନୁଭବ ଦେବାରେ କିଏ କାହିଁକି ସମର୍ଥ ହେଉନାହାନ୍ତି ତାହା ବିରାଟ ପ୍ରଶ୍ନ। ସଂଖ୍ୟାଧିକ କର୍ପୋରେଟର ଶାସକ ଦଳର। ମୁଖ୍ୟ ମେୟର, ଡେ଼ପୁଟି ମେୟର ପ୍ରମୁଖ ବିଜେଡ଼ି ଦଳରେ ରହି ସିଂହାସନର ମୁରବୀ ସହର ପାଇଁ। କିନ୍ତୁ ସହର ବିକାଶ ସଂପର୍କରେ ୫ ବର୍ଷ ମଧ୍ୟରେ ୮୦ କୋଟି ଖର୍ଚ୍ଚ ହେବା ଏବଂ ନଭେମ୍ୱର ସୁଦ୍ଧା ୭୬ କୋଟି ଟଙ୍କା ସହର ବିକାଶରେ ଖର୍ଚ୍ଚ ହେବା ଖବରକୁ ନେଇ ବେଶ୍ ସଂଦେହ ପ୍ରକାଶ ପାଇବା ସ୍ୱାଭାବିକ। ସହର ବିକାଶ ପରିବେଶରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ରାସ୍ତାଘାଟର ଦୁର୍ବଳ କାର୍ଯ୍ୟ ସହ ଡ୍ରେନ୍ ସଜାଡ଼ିବାରେ କଣ୍ଟ୍ରାକ୍ଟରଙ୍କ ପକେଟକୁ ତଥା ରାଜନୈତିକ ଶକ୍ତି ଦ୍ୱାରା ପରିଚାଳିତ ଯନ୍ତ୍ରୀଙ୍କ ପକେଟ୍କୁ ଅନେକ ଟଙ୍କା ଚାଲିଯାଇଛି। ହଜାର ହଜାର ନୁହଁ ବରଂ ଲକ୍ଷଲକ୍ଷ ଟଙ୍କା ମାରଣ ନୀତିରେ ସରକାର୍ କା ମାଲ୍ ଦରିୟାମେ ଡ଼ାଲ୍‌ ନୀତିରେ ମହାନଗର ଆଜି କେଉଁ ଆଧାରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍ୱାୟତ୍ତ ଶାସନ ଦିବସରେ ବଲିଉଡ଼୍ ତାରକାଙ୍କୁ ଆଣି ରଂଗୀନ କରିବ ସହରରେ କାର୍ଯ୍ୟକ୍ରମ କରି। ଏହା ଆଲୋଚନା ସୃଷ୍ଟି କରିଛି। ସ୍ୱାୟତ୍ତ ଶାସନ ଦିବସ ପୂର୍ବରୁ କମିଶନର ରାଠୋର ପୁରୁଣା ଢ଼ଙ୍ଗରେ କିଛି କହିଦେଇ ଝୋଟି ଚିତା, ପିଠାପଣାର ପ୍ରତିଯୋଗିତା କରିବା ଆଦୌ ଗ୍ରହଣୀୟ ହେଉନାହିଁ। ସହର ଆଜି ଅଳିଆ ଆବର୍ଜନାର ଗଦାରେ ବସିଛି। ପାଣି ନିଷ୍କାସନ ଡେ଼୍ରନ ପାଇଁ ଆସୁଥିବା ଅର୍ଥ ଲୁଟ୍ ଚାଲିଛି। ମାସ ମାସ ଧରି ରାସ୍ତାଘାଟ ଖୋଳିଦେଇ ସାଧାରଣ ଲୋକଙ୍କୁ ଯିବା ଆସିବାକୁ ବିପଦ ବଳୟକୁ ଠେଲି ଦିଆଯାଇଛି। ଏପରି ସମୟ ସ୍ୱାୟତ୍ତ ଶାସନ ଦିବସରେ ଚଳଚ୍ଚିତ୍ର ତାରକା, ହିରୋଇନ୍ ଜରିନ୍ ଖାନ୍ ଆସି ଜରିଗଦାରେ ବସିଥିବା ସହରକୁ କି ମନ୍ତ୍ର ଦେବେ? ସନ୍ଧ୍ୟାରେ ବିନୋଦ ରାଠୋରଙ୍କ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ମଧ୍ୟ ହେବ। ଏହା ଯୁବ ସମାଜକୁ ସଂଗୀତ ନୃତ୍ୟର ଖୋରାକ ଯୋଗାଇବ, କିନ୍ତୁ ସହରବାସୀଙ୍କ ସ୍ୱପ୍ନ ଓ ବାସ୍ତବତାର ଅନ୍ତରକୁ ମିଶାଇବାରେ ସମର୍ଥ ହେବ କି ? ସହର କୋଣାନୁକୋଣରେ ସ୍ୱାସ୍ଥ୍ୟସେବା ନାମରେ ଏନଓମାନଙ୍କ ହାତକୁ ଟେକି ଦିଆଯାଇଛି ଅର୍ବାନ ଚିକିତ୍ସାଳୟ। କିନ୍ତୁ ରୋଗୀ ନାହାନ୍ତି ବରଂ ସେଠାରେ କିଛି ହାତଗଣତି ଲୋକ ବୁଲନ୍ତି। ଡ଼ମ୍ପିୟାର୍ଡ଼ ଅଛି କିନ୍ତୁ ଠିକ ସମୟରେ ସଫା ହେଉନାହିଁ। ଟ୍ରାଫିକ ବ୍ୟବସ୍ଥା ଠିକ ନାହିଁ କି ଗମନାଗମନ ବିପଦ ମୁକ୍ତ ନାହିଁ, ତଥାପି ଶ୍ରେଷ୍ଠ ବ୍ରହ୍ମପୁରକୁ ସ୍ୱାୟତ୍ତ ଶାସନ ଦିବସ ନାମରେ ଗୋଲାପୀ ଚିତ୍ର ଦେଖାଇବାରେ ପ୍ରଶାସନର ତପିରତା ଅଭିନନ୍ଦନୀୟ ନୁହଁ ବରଂ ନିନ୍ଦନୀୟ। ସହରରେ ଇଭେଣ୍ଟ ସଂସ୍ଥା କେବଳ ଗୋଟିଏ ଅଛି। ଯିଏକି କ୍ଷମତାଧାରୀଙ୍କୁ ପକେଟରେ ପୁରାଇ ନିଜର ପକେଟ୍କୁ ଅଧିକ ବୋନସ୍ ନେବାରେ ମାହିର୍ । ଆଖି ଦୃଶିଆ ମଂଚରେ ବିଦେଶୀ ଫୁଲ ରାଜୁତି କରିବ ଏବଂ ଗେଣ୍ଡୁମାଳକୁ ନପଚାରି ଝୁଲାଇ ଦିଆଯାଏ ବହୁ ନାମୀଦାମୀ ଫୁଲ। ତା’ ସାଙ୍ଗକୁ ମୁମ୍ୱାଇର କଳାକାର। ଏସବୁରୁ ଜଣା ପଡ଼ୁଛି ଯେ ସ୍ୱାୟତ୍ତ ଶାସନ ଦିବସ ନାମରେ ଜନତା ଜନାର୍ଦ୍ଦନର ଟଙ୍କାକୁ ହରିଲୁଟ୍ କରି ବାଣ୍ଟି ଦେଇ ଚଳୁ କରିବାର ଏକ ସୁପ୍ରାୟୋଜିତ ପରିକଳ୍ପନା। ସ୍ୱାୟତ୍ତ ଶାସନ ଦିବସରେ ସମୁଦାୟ ଖର୍ଚ୍ଚକୁ ଯଦି ତଦନ୍ତର ପରିସରକୁ ନିଆଯିବ ଏଠାରେ କେମିତି ଇଭେଣ୍ଟ ସଂସ୍ଥାକୁ ଧରି ଅର୍ଥ ଲୁଟାଯାଏ ତା’ର ନଗ୍ନ ନମୁନା ମିଳିବ। ବ୍ରହ୍ମପୁରବାସୀ ଭାରି ସରଳ ନୁହନ୍ତି ବରଂ ଅତି ଉଦାର। କିଏ କ’ଣ କରିଗଲେ କେବଳ ଜଳକା ପରି ଅନାନ୍ତି। କିଛି ସଂଗଠନ ନିଜ ସ୍ୱାର୍ଥ ତଥା ଖବର ପଷ୍ଠା ମଣ୍ଡନ ପାଇଁ ଦାବି ପତ୍ର ଦିଅନ୍ତି କିମ୍ୱା ଗଛଲଗାଇ ସବୁଜ ସହରର ସ୍ୱପ୍ନ ଦେଖନ୍ତି। ଆଜି ସ୍ୱାୟତ୍ତ ଶାସନ ଦିବସକୁ ରଂଗୀନ କରି ଅର୍ଥ ଲୁଟିବାର ବିଚାରକୁ କୌଣସି ସଂଗଠନର ସ୍ୱର ନ ଶୁଭିବା ମଧ୍ୟ ଏକ ବିସ୍ମୟ। କେବଳ ଠାକୁରାଣୀଙ୍କ ଭରଷାରେ ରେଶମ ସହର ବ୍ରହ୍ମପୁର।

Share :