ସମରେନ୍ଦ୍ର ବଳିଆରସିଂହ ହଁ ବଂଧୁ ସେଇ ଚିରାଚରିତ: ପ୍ରେମ ପାଇଁ ଦିନଟିଏ, ବନ୍ଧୁ ପାଇଁ ଦିନଟିଏ, ମା’ ପାଇଁ ଦିନଟିଏ, ଶିକ୍ଷକଙ୍କ ପାଇଁ ଦିନଟିଏ; ସେଇଭଳି ସ୍ୱାଧୀନତା ପାଇଁ ଦିନଟିଏ। କିହୋ ସ୍ୱାଧୀନତା ପାଇଁ ଦିନଟିଏ କ’ଣ?..ବର୍ଷ ବର୍ଷ ଧରି ପରାଧୀନ ହେଇ ରହିଥିବା ଏ ଜାତି ସ୍ୱାଧୀନତା ପାଇଁ କେବଳ ଦିନଟିଏ ଦଉଛି। ଯୋଉ ସ୍ୱାଧୀନତା ପାଇବା ପାଇଁ ଆମ ପୂର୍ବପୁରୁଷ ସେମାନଙ୍କ ତନ, ମନ, ଧନ ଉତ୍ସର୍ଗ କରିଦେଇଥିଲେ ସେଇ ସ୍ୱାଧୀନତାର ମୂଲ ଆମେ ଦିନକରେ ଦେଇଦଉଛୁ। କେମିତି?...ସକାଳୁ ସକାଳୁ ହାପି ଇଣ୍ଡିପେଣ୍ଡେନ୍ସ ଡେ’ ମେସେଜ୍ ପଠେଇଦେଇ ଭଲ ମଟନ୍ ଆଣି ଚୋସ୍ତ ରୋଷେଇ କରି କିମ୍ୱା ବାହାରେ ଭୋଜି ଫୋଜି କରି, ବୁଲାବୁଲି କରି, ପିକନିକ୍ ଫିକନିକ୍ କରି, ସିନେମା ଫିନେମା ଯାଇ, ପାର୍କ ଫାର୍କ ବୁଲି, ମଉଜ ମସ୍ତି କରି ଆମେ ସ୍ୱାଧୀନତା ପାଇଁ ଦିନଟେ ଦେଇଦଉଛୁ। ଏତେକଥା କରୁଛୁ, ଆଉ କ’ଣ କରିଥାନ୍ତୁ? ନାଇଁ, ଏଇଟା କେତେ ତମ ସ୍ୱାଧୀନତା ଦିବସ ପଚାରିଲେ ଆମକୁ ଆସୁନି। ପତାକା ବି ଠିକ୍ ଢଙ୍ଗରେ ଉତ୍ତୋଳନ କରିଆସୁନି। ସବୁ ବର୍ଷ ସେୟା..ଚିରାଚରିତ। ଆମେ ମିଡିଆବାଲାଏ ଛାପୁଚୁ, ଦେଖଉଚୁ, ଶୁଣଉଚୁ, କଟାକ୍ଷ କରୁଚୁ..ଅମୁକ ଜାଗାରେ ଠିକ୍୍ରେ ପତାକା ଉତ୍ତୋଳନ ହେଇପାରିଲାନି, କୋଉଠି ପତାକା ଛିଡ଼ିପଡ଼ିଲା। ତଥାପି ସବୁବର୍ଷ ସେୟା..ଯଥା ପୂର୍ବମ୍, ତଥା ପରମ୍। ନାଇଁ ସ୍ୱାଧୀନତା ପାଇଁ ଦିନଟିଏ କହିଲେ ଭୁଲ୍ ହବ, ଆଉ ଗୋଟେ ଦିନ ବି ମିଳିଯାଏ..ସାଧାରଣତଂତ୍ର ଦିବସ(ଜାନୁଆରୀ ୨୬)। ତେଣୁ ସ୍ୱାଧୀନତା ପାଇଁ ବର୍ଷକରେ ଆମେ ଦି’ ଦିନ ଦଉଛୁ!..ଯା ହଉ, ବର୍ଷକେ ଥରେ ଦି ଥର, ମଉଜ କରିବାର ମହାର୍ଘ୍ୟ ମୌକା ଆମକୁ ମିଳିଯାଉଚି। କିହୋ ଆମ ପୂର୍ବପୁରୁଷ ଏତେ କଷ୍ଟ କରି..ତନ, ମନ, ଧନ ଦେଇ ଆମକୁ ସ୍ୱାଧୀନତା ଆଣିଦେଇଥିଲେ, ଆମେ ମଉଜ କରିବୁନି ତ ଆଉ କିଏ କରିବ। ‘ସ୍ୱାଧୀନତା ରୂପକ ଯୋଉ ଗଛ’ ୧୯୪୭ରେ ଲାଗିଥିଲା, ସେଇ ଗଛର ଫଳ ଆମେ ଖାଇବୁନି ତ କିଏ ଖାଇବ! ଚାଇନା, ଆମେରିକାବାଲାଏ ଖାଇବେ ନା ଆମେ ‘ଇଣ୍ଡିଆନ୍’ମାନେ ଖାଇବୁ?...ଆମେ ‘ଇଣ୍ଡିଆନ୍’ମାନେ ହିଁ ଖାଇବୁ।...‘ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ’ ମ!...‘ସ୍ୱାଧୀନତା ଗଛ’କୁ ଯେତେବେଳେ ୨ ବର୍ଷ ୬ ମାସ ୧୧ ଦିନ, ସେବେ ଠୁଁ ଆମେ ଆମ ମାତୃଭୂମିକୁ ‘ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ’ ବୋଲି ଚିହ୍ନେଇଦେଲୁ। ଆମେ ସ୍ୱାଧୀନ ହେଲୁ, ମାତ୍ର ବୌଦ୍ଧିକ ଭାବେ ସ୍ୱାଧୀନ ହେଇପାରିନୁ। ନିଜକୁ ପଚାରନ୍ତୁତ, ଆମ ଦେଶ ସ୍ୱାଧୀନତା ପାଇବା ପୂର୍ବରୁ, ପାଇବା ସମୟରେ, ପାଇବାର କିଛିବର୍ଷ ପରେ ଯେଉଁ ଭାବାବେଗ, ମୂଲ୍ୟବୋଧ ଥିଲା, ତାହା କ’ଣ ଆଜି ଅଛି?..ସେତେବେଳେ ଆମ ଦେଶ ସ୍ୱାଧୀନ ହେବା ଥିଲା ରାଜନୈତିକ ସ୍ୱାଧୀନତା। ଟାର୍ଗେଟ୍ ଥିଲା ଗୋଟିଏ..ଇଂରେଜ ସରକାର; ତା’ରି ବିରୋଧରେ ଲଢିବାକୁ ପଡ଼ିବ, ଦେଶକୁ ମୁକୁଳେଇବାକୁ ପଡ଼ିବ। ହିଂସା ହଉ କି ଅଂହିସା, ଯୁଦ୍ଧ କରି ନିଜ ହକ୍/ନ୍ୟାଯ୍ୟ ଦାବି ହାସଲ କରିବାକୁ ପଡ଼ିବ।...ଏହାପରେ ଆସିଲା ଆର୍ଥିକ ସ୍ୱାଧୀନତାର କଥା।...ଆମ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସଂଗଠିତ ହେବାକୁ ପଡ଼ିଲା; ନୀତି, ନିୟମ ତଥା ଆଭିମୁଖ୍ୟରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିଲା।...ଅନେକାଂଶରେ ଆମକୁ ଆର୍ଥିକ ସ୍ୱାଧୀନତା ମିଳିଗଲା, ଯଦିଓ ଏବର ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଛି।..ଏହାପରେ ଆସୁଛି ବୌଦ୍ଧିକ ସ୍ୱାଧୀନତାର କଥା।...ଏହା ହିଁ କଷ୍ଟସାଧ୍ୟ। କାରଣ ଏଥିରେ ନିଜ ସାଂଗେ ନିଜେ ଲଢିବାକୁ ପଡ଼ିବ..ନିଜ ସହ ନିଜର ଲଢେଇ। କୁହାଯାଏ, ଗୋଟିଏ ଗୋଟିଏ ଲକ୍ଷ୍ୟ ହାସଲ ପାଇଁ ବହୁ ଜୀବନକାଳ ବା ଜେନେରେସନ ଲାଗିଯାଏ। ଆମେ ରାଜନୈତିକ ସ୍ୱାଧୀନତା ପାଇବା ବେଳେ ଏୟା ହିଁ ହୋଇଥିଲା। ସେଇ ଅବସ୍ଥା ଏବର ବୌଦ୍ଧିକ ସ୍ୱାଧୀନତା ପାଇଁ। ତେବେ ପରସ୍ପର ବିରୋଧୀ ମତ ବା ମତପାର୍ଥକ୍ୟ ବୌଦ୍ଧିକ ସ୍ୱାଧୀନତା ପ୍ରାପ୍ତି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି। ବିଶେଷ କରି ଆମ ଭାରତବର୍ଷରେ ବୌଦ୍ଧିକ ଚିନ୍ତା ଚେତନାରେ ଏତେ ଭିନ୍ନ ମତ ରହିଛି ଯେ, ସେସବୁ ଭିତରେ ସମତୁଲତା ବା ମତୈକ୍ୟ ଆଣିବା କଷ୍ଟସାଧ୍ୟ। ବଂଧୁ, ଦେଶ ସ୍ୱାଧୀନ ହେବାର ଭାବାବେଗ କ’ଣ ଆମ ସଂଖ୍ୟାଗରିଷ୍ଠ ଭାରତୀୟଙ୍କ ପାଖରେ ଅଛି?/ଅନ୍ୟାୟ, ଅନୀତି, ଦୁନୀର୍ତି ବିରୋଧରେ ଲଢିବାର ସଚ୍ଚା ମାନସିକତା କ’ଣ ଅଛି? ଆମ ଦୈନନ୍ଦିନ ଜୀବନର ପ୍ରତି ପାହାଚରେ ଆମେ ଯେଉଁ ଆହ୍ୱାନର ସମ୍ମୁଖୀନ ହେଉଚେ, ତାକୁ ଜୋରଦାର ମୁକାବିଲା କରିବାର ସାମର୍ଥ୍ୟ କି ସାହସ କ’ଣ ଆମ ପାଖରେ ଅଛି? ଆପେ ବଂଚିଲେ ବାପର ନାଁ, କିଏ ମୁହଁ ଖୋଲୁଚି। ଆମ ସାମାଜିକ ଜୀବନର ପ୍ରତିଟି କ୍ଷେତ୍ରରେ ଆମେ ସାମୁହିକ ଭାବେ ଯଦି ପ୍ରତିବାଦ/ପ୍ରତିରୋଧର ସ୍ୱର ଉଠେଇବା ସଂଭବ ହେଉନାହିଁ। ଏପଟେ ଦୁର୍ନୀତି କରୁଥିବା/ଦୁର୍ନୀତି ପାଇଁ ପ୍ରୋତ୍ସାହନ ଦଉଥିବା ଆଉ ସେପଟେ ଦୁର୍ନୀତି ବିରୋଧରେ ଭାଷଣ ଦଉଥିବା, ଏଭଳି ପରସ୍ପର ବିରୋଧୀ ତତ୍ତ୍ୱରେ ବୌଦ୍ଧିକ ସ୍ୱାଧୀନତା ଆସିବା ଏକରକମ ସ୍ୱପ୍ନ ଆଉ ଅସଂଭବ। ଭାବନ୍ତୁ ତ ବଂଧୁ, ଆମେ କେତେ ସ୍ୱାଧୀନ?...ସ୍ୱାଧୀନତାର ଅର୍ଥ ଆମେ କେତେ ବୁଝିଚେ ଆଉ ଆମ ଉତ୍ତର ପିଢିଙ୍କୁ କେତେ ବୁଝେଇଚେ?...ଆମ ଗଣତନ୍ତ୍ର କେତେ ସୁଦୃଢ ହୋଇଚି?..ଇଂରେଜ ସରକାର ଅମଳରେ ଯୋଉ ଅନ୍ୟାୟ, ଅତ୍ୟାଚାର, ନିର୍ଯ୍ୟାତନା, ଲାଞ୍ଛନା ଭୋଗିବାକୁ ପଡ଼ୁଥିଲା, ଏବେ ସେସବୁ ଆଉ ନାହିଁ କି?...ଏସବୁ ପ୍ରଶ୍ନର କି ଉତ୍ତର ଅଛି ଆମ ପାଖରେ?...ଏବେ ଯଦି ସ୍ୱାଧୀନତା ସମୟର ପରିସ୍ଥିତି ଦେଖାଦିଏ, ସତରେ କ’ଣ ଆମେ ଦେଶ ପାଇଁ ଜୀବନ ଦେଇଦବା; ସ୍ୱତଃସ୍ଫୁର୍ତ୍ତ ଭାବେ ନିଜ ତନ, ମନ, ଧନ ଉତ୍ସର୍ଗ କରିଦବା? -ଅଧ୍ୟକ୍ଷ, ‘ଦୁର୍ନୀତି ସଂଘର୍ଷ ମଂଚ’, ଖୋର୍ଦ୍ଧା