ଆମେରିକାର ଯୁଦ୍ଧଖୋର୍ ଆଭିମୁଖ୍ୟ

ଆମେରିକାର ଯୁଦ୍ଧଖୋର୍ ଆଭିମୁଖ୍ୟ

Share :

ଏହା ନିଶ୍ଚିତ ଭାବେ ଏକ ଯୁଦ୍ଧଖୋର୍ ଆକାଙ୍କ୍ଷା। ନହେଲେ ସାରା ପୃଥିବୀ ଶାନ୍ତି ସନ୍ଧାନରେ ଥିବାବେଳେ ସ୍ପେଶ୍ ଫୋର୍ସ ବା ମହାକାଶ ବାହିନୀ ଗଠନ କରିବାକୁ ଆମେରିକା ସରକାର ଘୋଷଣା କରି ନଥାନ୍ତେ। ପୃଥିବୀର ବିଭିନ୍ନ ଦେଶରେ କୋଟିକୋଟି ଲୋକ ଦୁଇ ଓଳି ଦୁଇ ମୁଠା ପେଟପୂରା ଖାଇବାକୁ ପାଉ ନଥିବାବେଳେ, ପ୍ରାୟ ଅଦ୍ଧେର୍କ ଜନତା ବିଶୁଦ୍ଧ ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାରୁ ଦୂରରେ ଅଛନ୍ତି। ଏଭଳି ଏକ ପୃଥିବୀରେ ସ୍ପେଶ୍ ଆର୍ମି ଗଠନ କରିବା ଦିଗରେ କୋଟି କୋଟି ଡଲାର ଖର୍ଚ୍ଚ କରାଯିବା ନିଷ୍ପତ୍ତି କଦାପି ଶାନ୍ତି ଓ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇ ପାରିବ ନାହିଁ। ଯୁଦ୍ଧ ଓ ସାମରିକ ଶକ୍ତି ଯଦି ପୃଥିବୀରେ ଶାନ୍ତି ପ୍ରତିଷ୍ଠାରେ ସଫଳ ହେଉଥାନ୍ତା ତେବେ ଏତେ ଯୁଦ୍ଧ ସେତ୍ତ୍ୱ ଶାନ୍ତି କାହିଁ? ବିଂଶ ଶତାବ୍ଦୀ ପରି ଏକବିଂଶ ଶତାବ୍ଦୀରେ ମଧ୍ୟ ଆମେରିକା ବିଶ୍ୱରେ ନିଜର ଆଧିପତ୍ୟ ଜାହିର କରିବାକୁ ଜୋରଦାର ଉଦ୍ୟମ ଚଳାଇଛି। ସାମରିକ ଶକ୍ତି ଓ ବିଶ୍ୱ ବାଣିଜ୍ୟ ଜରିଆରେ ବିଂଶ ଶତାବ୍ଦୀକୁ ନିଜ ଅକ୍ତିଆରରେ ରଖିଥିଲା ଆମେରିକା। ଏକବିଂଶ ଶତାବ୍ଦୀରେ ମଧ୍ୟ ସେହି କୌଶଳ ଅବ୍ୟାହତ ରଖିଛି ମାର୍କିନ ପ୍ରଶାସନ। ପରମାଣୁ ବୋମା ପ୍ରସ୍ତୁତି ଓ ପ୍ରୟୋଗରେ ଆଗୁଆ ଥିଲା ଆମେରିକା। କିନ୍ତୁ ଅନ୍ୟ କୌଣସି ରାଷ୍ଟ୍ର ଯେପରି ଏହି ସାମରିକ ଶକ୍ତିର ଅଧିକାରୀ ହୋଇପାରିବେ ନାହିଁ ସେ ଦିଗରେ ପ୍ରଣୀତ ହୋଇଥିବା ଅନ୍ତର୍ଜାତିକ ନିୟମର ପ୍ରାୟୋଜକ ବି ହେଉଛି ଆମେରିକା। ଆଣବିକ ନିରସ୍ତ୍ରୀକରଣ ନାମରେ ପୃଥିବୀର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଆଣବିକ ଶକ୍ତିର ମାଲିକ ହେବାରୁ ବଞ୍ଚିତ କରୁଥିବା ଆମେରିକା କିନ୍ତୁ ନିଜର ପରମାଣୁ ବୋମାଗୁଡ଼ିକୁ ଏଯାଏଁ ନଷ୍ଟ କରିନାହିଁ। କେବଳ ଆମେରିକା କାହିଁକି ରୁଷିଆ, ଫ୍ରାନ୍ସ, ଇଂଲଣ୍ଡ ଓ ଚୀନ ଆଦି ପଞ୍ଚ ମହାଶକ୍ତିର ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ନିଜର ପରମାଣୁ ବୋମାଗୁଡ଼ିକୁ ନଷ୍ଟ ନକରି ଭବିଷ୍ୟତ ବ୍ୟବହାର ନିମନ୍ତେ ସାଇତି ରଖିଛନ୍ତି। ଅଥଚ ଇରାନ ଓ ଉତ୍ତର କୋରିଆ ପରି ଅନ୍ୟ କୌଣସି ରାଷ୍ଟ୍ର ପରମାଣୁ ପରୀକ୍ଷା କଲେ ସେମାନଙ୍କ ବିରୋଧରେ ନାନାଦି ପ୍ରକାର ବାସନ୍ଦ କଟକଣା ଲଗାଯାଉଛି। ଭାରତ ଓ ପାକିସ୍ତାନ ପରମାଣୁ ପରୀକ୍ଷା କରିବା ପରେ ମଧ୍ୟ ଏପରି କଟକଣା ଲଗାଯାଇଥିଲା। ଆମେରିକା ଓ ଅନ୍ୟ ମହାଶକ୍ତିଗୁଡ଼ିକର ଉଦ୍ଦେଶ୍ୟ ହେଉଛି କେବଳ ସେହି ପଞ୍ଚରାଷ୍ଟ୍ର ବିଶ୍ୱରେ ମହାଶକ୍ତି ହୋଇ ରହିଥାନ୍ତୁ, ଆଉ କେହି ସେମାନଙ୍କ ଶକ୍ତିର ସମକକ୍ଷ ନହୁଅନ୍ତୁ। ସାରା ବିଶ୍ୱରେ ସାମରିକ ଏକଛତ୍ରବାଦ ଚଳାଇବା ପାଇଁ ଆମେରିକା ହିଁ ନାନାଦି କୌଶଳ ଅବଲମ୍ୱନ କରିଆସିଛି। ଗଣତନ୍ତ୍ର ପ୍ରତିଷ୍ଠା ନାମରେ ଇରାକ୍, ଇଜିପ୍ଟ, ଲିବ୍ୟା, ଜୋର୍ଡ଼ାନ ଓ ସିରିଆ ଆଦି ଆରବୀୟ ରାଷ୍ଟ୍ରରେ ପ୍ରଥମେ ବିଦ୍ରୋହୀ ସୃଷ୍ଟି କରିବା, ସେମାନଙ୍କୁ ବିଭିନ୍ନ ବାଟରେ ଯୁଦ୍ଧାସ୍ତ୍ର ଯୋଗାଇଦେବା, ସେମାନଙ୍କ ଜରିଆରେ ଏସବୁ ଦେଶରେ ସାମାଜିକ ଓ ରାଜନୀତିକ ଅସ୍ଥିରତା ସହିତ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ପଛରେ ଆମେରିକାର ଭୂମିକା ରହିଥିବା ଆଉ କାହାକୁ ଅଛପା ନୁହେଁ। ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ଯେକୌଣସି ଦେଶର ଶାସନ କଳ ତାହାର ମୁକାବିଲା ପାଇଁ ରାଷ୍ଟ୍ରୀୟ ସାମରିକ ଶକ୍ତିର ପ୍ରୟୋଗ କରିବେ। କିନ୍ତୁ ଆମେରିକା ନିଜର ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଏହାକୁ ସାମରିକ ଏକଛତ୍ରବାଦ ଓ ଗଣତନ୍ତ୍ର ବିରୋଧୀ ବୋଲି ବର୍ଣ୍ଣନା କରି ସେହି ଦେଶ ବିରୋଧରେ ସାମରିକ ଶକ୍ତି ପ୍ରୟୋଗ କରିବ। ଆମେରିକା ଓ ଏହାର ମିତ୍ରରାଷ୍ଟ୍ରଗୁଡ଼ିକର ଆକ୍ରମଣରେ ସଂପୃକ୍ତ ଦେଶ ବରବାଦ ହୋଇଗଲେ ସେଠାରେ ଏକ ବଚସ୍କର ସରକାର ପ୍ରତିଷ୍ଠା କରି ସେ ଦେଶର ସମ୍ପଦ ହାସଲ କରିବା ସହଜ ହୋଇଯାଏ। ଇରାକ ଓ ଲିବ୍ୟା ଆଦି ଆରବ ରାଷ୍ଟ୍ରଗୁଡ଼ିକରେ ଆମେରିକା ଏହି କୌଶଳ ପ୍ରୟୋଗ କରି ସେ ଦେଶଗୁଡ଼ିକୁ ଦୁର୍ବଳ କରିଦେଇଛି। ଏବେ ଇରାନ, ପାକିସ୍ତାନ ଓ ଆଫଗାନିସ୍ତାନ ବିରୋଧରେ ମଧ୍ୟ ଆମେରିକାର ଏହି କୌଶଳ ପ୍ରୟୋଗ କରୁଛୁ। ସାରା ବିଶ୍ୱରେ ସରକାର ବିରୋଧୀ ସନ୍ତ୍ରାସବାଦୀମାନେ ଯେଉଁସବୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ତାହାସବୁ ଆମେରିକାର ଉପିାଦନ। ବାମପନ୍ଥୀ ଉଗ୍ରବାଦୀମାନେ ବ୍ୟବହାର କରୁଥିବା ଅନେକ ଅସ୍ତ୍ର ମଧ୍ୟ ଆମେରିକାରୁ ଆମଦାନୀ ହୋଇଆସିଥାଏ। ଗୋଟେ ପକ୍ଷକୁ ଅସ୍ତ୍ର ଦେଇ ଅନ୍ୟ ପକ୍ଷକୁ ଲଢ଼ିବା ପାଇଁ ଅସ୍ତ୍ର କିଣେଇବାର ଏହି କୌଶଳ ଆମେରିକାକୁ ବିଶ୍ୱରେ ବୃହତ୍ତମ ଶକ୍ତି ଭାବେ ପ୍ରତିଷ୍ଠା କରିସାରିଛି। ଏବେକାର ବିଶ୍ୱରେ ଆମେରିକା ହିଁ ହେଉଛି ସର୍ବ ବୃହତ୍ତ ସାମରିକ ଶକ୍ତି। ଏହା ହେଉଛି ନାଟୋର ନେତା। ଫ୍ରାନ୍ସ, ଇଂଲଣ୍ଡ, ଜର୍ମାନୀ ଆଦି ଅନେକ ଶକ୍ତିଶାଳୀ ରାଷ୍ଟ୍ର ଏହାର ଅନୁଧାବନ କରୁଛନ୍ତି। କେବଳ ରୁଷିଆ ଓ ଚୀନ ଆମେରିକା ପାଲରେ ଏଯାଏଁ ପଡ଼ି ନଥିଲେ ମଧ୍ୟ ତାହାର ସମକକ୍ଷ ହୋଇପାରି ନାହାନ୍ତି। ଏବେ ଆମେରିକା ରୁଷ ଓ ଚୀନକୁ ନିଜର ବିପଦ ମନେ କରି ନିଜର ସାମରିକ ଶକ୍ତି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସମଗ୍ର ବିଶ୍ୱକୁ କବଳିତ କରିବା ଲକ୍ଷ୍ୟରେ ଏକ ନୂଆ ପ୍ରକାର ଯୁଦ୍ଧ କୌଶଳ ଅବଲମ୍ୱନ କରିବାକୁ ଯାଉଛି। ଆମେରିକାର ଅଛି ପାଞ୍ଚ ବାହିନୀ- ଆର୍ମି, ମେରାଇନ କର୍ପସ, ନାଭି ଏବଂ ଏୟାର ଫୋର୍ସ। ଏବେ ଏଥିରେ ଯୋଡ଼ି ହେବାକୁ ଯାଉଛି ମହାକାଶ ବାହିନୀ ବା ସ୍ପେଶ୍ ଫୋର୍ସ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗାନଙ୍କ ସମୟରେ ଆରମ୍ଭ ହୋଇଥିବା ଷ୍ଟାର ୱାର କାର୍ଯ୍ୟକ୍ରମର ଏହା ଏକ ଅତ୍ୟାଧୁନିକ ରୂପ କହିଲେ ଭୁଲ ହେବ ହେବ ନାହିଁ। ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଏହା ଘୋଷଣା କରିଛନ୍ତି। ଏଭଳି ଏକ ପଦକ୍ଷେପ ପୃଥିବୀରେ ପୁଣି ଥରେ ସାମରିକ ପ୍ରତିଯୋଗିତା ବୃଦ୍ଧି କରିବା ନିଶ୍ଚିତ। ଆମେରିକା ଏପରି କଲେ ରୁଷିଆ ଓ ଚୀନ ପରି ଦେଶ ନିଜନିଜର ସ୍ପେଶ୍ ଫୋର୍ସ ବା ଆକାଶ ବାହିନୀ ସଜ କରିବେ। ଏମାନେ ଏପରି କଲେ ଫ୍ରାନ୍ସ ଓ ଭାରତ ମଧ୍ୟ ପ୍ରତିଯୋଗିତାରେ ସାମିଲ ହୋଇପାରନ୍ତି। ଏବେ ଯେପରି ଟ୍ୟାଙ୍କ, ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ବନ୍ଧୁକ ଓ ତୋପ ଆଦି କିଣାବିକାରେ ପ୍ରତିଯୋଗିତା ଚାଲିଛି ସେହିପରି ସ୍ପେଶ୍ ଫୋର୍ସ ପାଇଁ ପ୍ରତିଯୋଗିତା ଚାଲିବ। ରାଷ୍ଟ୍ରୀୟ ନିରାପତ୍ତା ଓ ସାର୍ବଭୌମତ୍ୱର ସୁରକ୍ଷା ନାଁରେ ଏସବୁ କରାଯିବ। ଏବେ ବିଶ୍ୱ ଆଗରେ ସବୁଠୁଁ ବଡ଼ ବିପଦ ହେଉଛି ବିଶ୍ୱ ତାପନ ଜନିତ ପାଗ ପରିବର୍ତ୍ତନ। ଏହାର ମୁକାବିଲା କରିବାକୁ ବିଶ୍ୱ ସ୍ତରରେ ଅନେକ ଆଲୋଚନା ଓ କୂଟନୀତିକ କସରତ ପରେ ୨୦୧୫ ମସିହାରେ ସଂପାଦିତ ହୋଇଥିଲା ପ୍ୟାରିସ ଚୁକ୍ତି। ବିଶ୍ୱର ପ୍ରାୟ ୨୦୦ ଦେଶ ଏଥିରେ ସ୍ୱାକ୍ଷର କରିଥିଲେ। ଆଶା କରାଯାଉଥିଲା ବିଶ୍ୱବାସୀଙ୍କ ମିଳିତ ପ୍ରୟାସରେ ମାନବ ସମାଜ ବିଶ୍ୱ ତାପନର ଭୟଙ୍କର ପରିଣାମରୁ ବର୍ତ୍ତିଯିବ। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଚୁକ୍ତିରୁ ଓହରିଯାଇଛନ୍ତି। ଫଳରେ ପ୍ୟାରିସ ଚୁକ୍ତି ଏବେ ଅକାମୀ ହେବାକୁ ବସିଛି। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମିଳିତ ଜାତିସଂଘ ନାମରେ ପୁନର୍ଗଠିତ ହୋଇଥିବା ଲିଗ୍ ଅଫ୍ ନେସନ୍ସର ମୁଖ୍ୟ ଲକ୍ଷ୍ୟ ବିଶ୍ୱ ଶାନ୍ତି ହୋଇଥିଲେ ମଧ୍ୟ ଖାସ୍ ଆମେରିକାର ସାମରିକ ଅର୍ଥନୀତି ପାଇଁ ବିଶ୍ୱର ବିଭିନ୍ନ କୋଣରେ ଯୁଦ୍ଧ ଓ ଯୁଦ୍ଧ ପ୍ରସ୍ତୁତି ଲାଗି ରହିଛି। ପୁଣି ଜାତିସଂଘକୁ ଦୁର୍ବଳ କରିବା ପାଇଁ ଆମେରିକା ସରକାର ମଧ୍ୟ ଏହାର ବିଭିନ୍ନ ଅଙ୍ଗକୁ ଅନୁଦାନ କମାଇବାରେ ଲାଗିଛନ୍ତି। ବିଶ୍ୱରେ କ୍ଷୁଧା, ବ୍ୟାଧି, ଅଶିକ୍ଷା ଓ ଦାରିଦ୍ର୍ୟ ଆଦି ବିରୋଧରେ ଲଢ଼େଇ କରିବାର ଆବଶ୍ୟକତା ଥିବାବେଳେ ଆମେରିକାର ସାମରିକ ପ୍ରସ୍ତୁତି ଏହି ସଭ୍ୟ ଲଢ଼େଇକୁ ଦୁର୍ବଳ କରିବା ସହିତ ବର୍ବରଙ୍କ ଲଢ଼େଇକୁ ଜୋରଦାର କରୁଛି।

Share :