ପୃଥିବୀ ହେବ ଉତ୍ତପ୍ତ ଘର!

ପୃଥିବୀ ହେବ ଉତ୍ତପ୍ତ ଘର!

Share :

ପ୍ରାକ୍ ଶିଳ୍ପ ଯୁଗର ତାପମାତ୍ରାଠାରୁ ଯଦି ଆଉ ମାତ୍ର ୨ ଡିଗ୍ରୀ ସେଣ୍ଟିଗ୍ରେଡ଼ ତାପମାନ ବଢ଼ିଯାଏ ତେବେ ତାହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ ପୃଥିବୀ ଉପରେ। ପୃଥିବୀ ପରିଣତ ହୋଇପାରେ ଏକ ଉତ୍ତପ୍ତ ଗୃହରେ। ଆମେରିକାନ ପ୍ରୋସିଡିଂସ ଅପ୍ ଦ ନେସନାଲ ଏକାଡେମୀ ଅଫ ସାଇନ୍ସେସରେ ସୋମବାର ପ୍ରକାଶ ପାଇଥିବା ଟ୍ରାଜେକ୍ଟୋରିଜ ଅଫ ଦ ଆର୍ଥ ସିଷ୍ଟମ ଇନ ଦ ଆନ୍ଥ୍ରୋପୋସେନ୍ ଶୀର୍ଷକ ପ୍ରବନ୍ଧରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି କେତେକ ବୈଜ୍ଞାନିକ। ବୈଜ୍ଞାନିମାନଙ୍କ ଆକଳନ ହେଲା ଉତ୍ତପ୍ତ ପୃଥିବୀର ତାପମାତ୍ରା ପ୍ରାକ୍ ଶିଳ୍ପ ଯୁଗର ତାପମାତ୍ରାଠାରୁ ଅଧିକ ୪ରୁ ୫ ଡିଗ୍ରୀ ସେଣ୍ଟିଗ୍ରେଡ଼ରେ ସ୍ଥିର ରହିପାରେ। ଏହି ପ୍ରବନ୍ଧର ପ୍ରମୁଖ ଲେଖକ ତଥା ଅଷ୍ଟ୍ରେଲିଆନ ନେସନାଲ ୟୁନିଭର୍ସିଟିର ପ୍ରଫେସର ୱିଲ୍ ଷ୍ଟିଫେନ୍ କହନ୍ତି, ‘ମଣିଷ ଛାଡ଼ୁଥିବା ସବୁଜଗୃହ ବାଷ୍ଫ ବା ଗ୍ରୀନ ହାଉସ ଗ୍ୟାସ କେବଳ ପୃଥିବୀର ତାପମାତ୍ରା ବୃଦ୍ଧି ନିର୍ଦ୍ଧାରଣ କରେ ନାହିଁ। ମାନବିକ କାରଣରୁ ବିଶ୍ୱ ତାପାୟନ ମାତ୍ରା ୨ ଡିଗ୍ରୀ ସେଣ୍ଟିଗ୍ରେଡ଼ ବୃଦ୍ଧି ପାଇଲେ ତାହା ପୃଥିବୀର ଅନ୍ୟ ବ୍ୟବସ୍ଥାଗତ ପ୍ରକ୍ରିୟାକୁ ପ୍ରଭାବିତ କରେ। ତାହା ପରୋକ୍ଷରେ ଅଧିକ ତାପମାତ୍ରା ବୃଦ୍ଧିର କାରଣ ହୁଏ। ଆଉ ଆଉ ଗ୍ରୀନହାଉସ ଗ୍ୟାସ ନଛାଡ଼ିଲେ ବି ପୂର୍ବ ପ୍ରକ୍ରିୟାରେ ପୃଥିବୀର ତାପମାତ୍ରା ବୃଦ୍ଧି ପାଏ।’ ତାପମାତ୍ରା ବଢ଼ିଲେ ସମୁଦ୍ରର ଜଳସ୍ତର ୬୦ ମିଟର ବା ୧୯୭ ଫୁଟ ଉଚ୍ଚତା ଯାଏଁ ବୃଦ୍ଧି ପାଇପାରେ। ଏହା ହେଲେ ଉପକୂଳରେ ବସବାସ କରୁଥିବା ଲୋକମାନେ ବହୁଳ ଭାବେ କ୍ଷତିଗ୍ରସ୍ତ ହେବା ସହିତ ଆଭ୍ୟନ୍ତରୀଣ ଅଞ୍ଚଳକୁ ବିସ୍ଥାପିତ ହେବାକୁ ବାଧ୍ୟ। ଏବର୍ଷ ଗ୍ରୀଷ୍ମ ଋତୁରେ ୟୁରୋପ ଓ ଏସିଆରେ ବ୍ୟାପୀଥିବା ବନାଗ୍ନି ଓ ତାପ ପ୍ରବାହରେ ଡଜନ ଡଜନ ଲୋକଙ୍କ ମୃତ୍ୟୁରୁ ଆଗାମୀ ସମୟରେ ପୃଥିବୀର କି ଅବସ୍ଥା ହେବ ତାହା ଅନୁମାନ କରାଯାଇପାରେ। ଏହି ପ୍ରବନ୍ଧ ଅନୁସାରେ ଥରେ ଆମେ ତାପମାତ୍ରାର ଅଫେରା ବିନ୍ଦୁରେ ପହଞ୍ଚିଗଲେ ତେଣିକି ଗତ ୧୨ ଲକ୍ଷ ବର୍ଷ ଭିତରେ ଆସିଥିବା ଯେକୌଣସି ତୁଷାର ଯୁଗ ମଧ୍ୟବର୍ତ୍ତୀ ସମୟର ହାରାହାରି ତାପମାତ୍ରାଠାରୁ ପୃଥିବୀର ତାପମାତ୍ରା ଅଧିକ ହୋଇଯାଇପାରେ। ସେହିପରି ଏହି ତାପମାତ୍ରା ଯୋଗୁଁ ଗତ ୧୨ ହଜାର ବର୍ଷ ତଳେ ଶେଷ ହୋଇଥିବା ତୁଷାର ଯୁଗ ପରଠୁଁ ଗଡ଼ି ଆସିଥିବା ଅଭିନବ ଯୁଗ ବା ହୋଲୋସେନ୍ ସମୟରେ ସମୁଦ୍ର ଜଳସ୍ତର ସର୍ବୋଚ୍ଚ ସ୍ତରକୁ ଉଠିପାରେ। ଅନେକ ବୈଜ୍ଞାନିକ ଯୁକ୍ତି କରନ୍ତି ଯେ ଆମେ ଏକ ନୂଆ ଭୌଗୋଳିକ ଯୁଗ ମଧ୍ୟକୁ ପ୍ରବେଶ କରିସାରିଛୁ। ଏହାକୁ ସେମାନେ ଆନ୍ଥ୍ରୋପୋସେନ୍ ଯୁଗ ବୋଲି କହୁଛନ୍ତି। ଏହି ଯୁଗରେ ପୃଥିବୀ ଉପରେ ମାନବିକ କାର୍ଯ୍ୟକଳାପର ସିଧାସଳଖ ପ୍ରଭାବ ପଡ଼ୁଛି। ଏବେ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍ ଶିଳ୍ପ ଯୁଗର ତାପମାତ୍ରାଠାରୁ ୧ ଡିଗ୍ରୀ ସେଣ୍ଟିଗ୍ରେଡ଼ ଅଧିକ। ପ୍ରତି ଦଶନ୍ଧିରେ ଏହା ୦.୧୭ ଡିଗ୍ରୀ ସେଣ୍ଟିଗ୍ରେଡ଼ ବୃଦ୍ଧି ପାଉଛି। ଏ ସଂପର୍କରେ ୟୁନିଭର୍ସିଟି ଅଫ କୋପେନହାଗେନର ବୈଜ୍ଞାନିକ କାଥେରାଇନ୍ ରିଚାର୍ଡସନ୍ କୁହନ୍ତି, ‘ଆମେ ସବୁବେଳେ ଅନୁଭବ କରିଆସିଛୁ ଯେ ଗୋଟେ କିଛି ଅଫେରା ବିନ୍ଦୁ ରହିଥାଇପାରେ। ଏହାର ଅର୍ଥ ହେଲା ଆମେ ଯଦି ଏହାକୁ ରୋକିପାରିବୁ ନାହିଁ ଆମେ ନିଶ୍ଚୟ ଏକ ଭୟଙ୍କର ନର୍କରେ ପ୍ରବେଶ କରିବୁ। ହାରାହାରି ତାପମାତ୍ରା ୪ରୁ ୫ ଡିଗ୍ରୀ ସେଣ୍ଟିଗ୍ରେଡ଼ ଓ ହାରାହାରି ସମୁଦ୍ର ସ୍ତର ୧୦ରୁ ୬୦ ମିଟର ବୃଦ୍ଧି ପାଇଲେ ଆମ ସମାଜ ଏବେ ଯେମିତି ଅଛି ସେମିତି ଆଉ ରହିବ ନାହିଁ। ସରଳରେ କହିଲେ ଏହା ଆମ ସମାଜ ପାଇଁ ଅସହ୍ୟ ହୋଇଯିବ।’ ଏଭଳି ପାଗ ପରିବର୍ତ୍ତନର ମୁକାବିଲା କରିବା ପାଇଁ ୨୦୧୫ ମସିହାରେ ପ୍ୟାରିସ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ପ୍ରାୟ ୨୦୦ ଦେଶ ଏଥିରେ ସ୍ୱାକ୍ଷର କରିଥିଲେ। କଥା ଥିଲା ପ୍ରାକ୍ ଶିଳ୍ପ ଯୁଗର ତାପମାତ୍ରାଠାରୁ ଯେପରି ଅଧିକ ୨ ଡିଗ୍ରୀ ତାପମାତ୍ର ବୃଦ୍ଧି ନପାଏ ସେ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ। କିନ୍ତୁ ପରେ ଏହି ଚୁକ୍ତିରୁ ଆମେରିକା ଓହରିଯିବା ଫଳରେ ଏହି ଉଦ୍ୟମ ବାଧାପ୍ରାପ୍ତ ହୋଇଛି। ଏହି ପ୍ରବନ୍ଧରେ କାର୍ବନ ସିଙ୍କ ବା ଅଙ୍ଗାରକ ଶୋଷଣ ପ୍ରକ୍ରିୟା ଦୁର୍ବଳ ହେବା, ଜଙ୍ଗଲ ଲୋପ ପାଇବା, ତୁଷାର ତରଳିବା, ଜୀବାଣୁ ଶ୍ୱସନ ବୃଦ୍ଧି ପାଇବା ଆଦି ପାଗ ପରିବର୍ତ୍ତନ ପରିମାପକଗୁଡ଼ିକର ମିଳିତ ପରିଣାମ କ’ଣ ହେବ ତାହା ଉଲ୍ଲେଖ କରାଯାଇଛି। ପ୍ରବନ୍ଧର ଅନ୍ୟତମ ଲେଖକ ତଥା ପୋଟଡାମ ଇନଷ୍ଟିଚ୍ୟୁଟ୍ ଫର୍ କ୍ଲାଇମେଟ୍ ଇମ୍ପାକ୍ଟ ରିସର୍ଚ୍ଚର ସହାଧ୍ୟକ୍ଷ ଜୋହାନ ରକଷ୍ଟ୍ରମ କୁହନ୍ତି, ‘ଏସବୁ ନିର୍ଦ୍ଧାରକ ପାଗ ପରିବର୍ତ୍ତନ ଉପରେ ସୁଦୂର ପ୍ରସାରୀ ପ୍ରଭାବ ପକାଇପାରିବେ। ଗୋଟିଏକୁ ଠେଲିଲେ ତାହା ପୃଥିବୀକୁ ଆଉ ଗୋଟାକ ଆଡ଼କୁ ଠେଲି ଦେବ। ଏବେ ଏହିସବୁ ପ୍ରକ୍ରିୟାର ଶୃଙ୍ଖଳକୁ ବନ୍ଦ କରିବା ଅତ୍ୟନ୍ତ କଷ୍ଟକର ବା ଅସମ୍ଭବ। ତେଣୁ ଉତ୍ତପ୍ତ ପୃଥିବୀ ଘର ଯଦି ବାସ୍ତବତାରେ ପରିଣତ ହୁଏ ତେବେ ପୃଥିବୀର ଅନେକ ଅଞ୍ଚଳ ଆଉ ବାସୋପଯୋଗୀ ହୋଇ ରହିବ ନାହିଁ।’

Share :