ନବୀନ ପଟ୍ଟନାୟକ ମଦ୍ୟପ!

ନବୀନ ପଟ୍ଟନାୟକ ମଦ୍ୟପ!

Share :

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ମଦ୍ୟ ଓ ଧୂମପାନ କରନ୍ତି। ଓଡ଼ିଶା ରାଜନୀତିର ପ୍ରବେଶ କରିବା ପୂର୍ବରୁ ସେ ଦିଲ୍ଲୀରେ ପ୍ରାୟ ସନ୍ଧ୍ୟାରେ ବିଭିନ୍ନ ପାର୍ଟିରେ ଯୋଗଦେଇଥାନ୍ତି। ତାଙ୍କ ପ୍ରିୟ ମଦର ବ୍ରାଣ୍ଡ ହେଉଛି ଫେମସ ଗ୍ରାଉସ ସ୍କଚ ହୁଇସ୍କି ଓ ପ୍ରିୟ ସିଗାରଟ ହେଉଛି ଡନ୍‌ହିଲ୍‌। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ସଂପର୍କରେ ଏପରି କିଛି ତଥ୍ୟ ରହିଛି ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ରଚିତ ‘ନବୀନ ପଟ୍ଟନାୟକ’ ପୁସ୍ତକରେ। ରୁବେନ ଏବେ ପ୍ରସିଦ୍ଧା ପତ୍ରିକା ଆଉଟଲୁକ୍‌ର ସଂପାଦକ। ପୂର୍ବରୁ ସେ ଇଣ୍ଡିଆ ଟୁଡେର ସ୍ବତନ୍ତ୍ର ପ୍ରତିନିଧି ଭାବେ ଓଡ଼ିଶାରେ ଥିଲେ। ଏଠାରେ ଥିଲାବେଳେ ସେ ଓଡ଼ିଶା ରାଜନୀତି ଓ ଗଣମାଧ୍ୟମ ସହିତ ନିବିଡ଼ ଭାବେ ଜଡ଼ିତ ଥିଲେ। ଏପରିକି ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ଥିଲା। ତାଙ୍କର ତତ୍କାଳୀନ ସଂପାଦକ ତଥା ଇଣ୍ଡିଆ ଟୁଡେ ମାଲିକ ଅରୁଣ ପୁରୀ ହେଉଛନ୍ତି ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ବନ୍ଧୁ। ଓଡ଼ିଶା ରହଣୀକାଳ ମଧ୍ୟରେ ଭୁବନେଶ୍ବରରେ ସ୍ଥାୟୀ ଭାବ ବସବାସ କରିବା ଉଦ୍ଦେଶ୍ୟରେ ରୁବେନ ଫ୍ଲାଟ ବି କିଣିଥିଲେ। ଓଡ଼ିଆଙ୍କ ସହିତ ସଂପର୍କ ବଢ଼େଇବା ପାଇଁ ସେ ଓଡ଼ିଆ ଭାଷା ଶିଖିଥିଲେ। ଇତିମଧ୍ୟରେ ସେ ଦୀର୍ଘ ୧୨ ବର୍ଷରୁ ଅଧିକ କାଳ ହେବ ଓଡ଼ିଶା ଓ ଭାରତ ବାହାରେ ରହିଥିଲେ ବି ଓଡ଼ିଆ ଭାଷା ଭୁଲି ନାହାନ୍ତି। ଅଗଷ୍ଟ ୫ ତାରିଖ ‘ନବୀନ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ସେ ଅନେକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଓଡ଼ିଆରେ ଦେଇଛନ୍ତି। ରୁବେନ ତାଙ୍କ ପୁସ୍ତକରେ ନବୀନ ପଟ୍ଟନାୟକଙ୍କୁ ମୋଟାମୋଟି ଭାବେ ଜଣେ ନିର୍ମଳ, ଦକ୍ଷ, ଚତୁର, ସଫଳ ଓ ରହସ୍ୟମୟ ବ୍ୟକ୍ତିତ୍ବ ଭାବେ ଚିତ୍ରିତ କରିବାକୁ ଅନେକ ଚେଷ୍ଟା କରିଛନ୍ତି। ତେବେ ସଇ ଚେଷ୍ଟା ଭିତରେ ମଧ୍ୟ ସେ ତାଙ୍କର ଅନେକ ଦୁର୍ବଳତା ପଦାରେ ପକେଇ ଦେଇଛନ୍ତି। ରୁବେନ କହିଛନ୍ତି, ସେ ନବୀନଙ୍କୁ ନିନ୍ଦା ବା ପ୍ରଶଂସା କରିବା ପାଇଁ ଏହି ବହି ଲେଖି ନାହାନ୍ତି। ବରଂ ନବୀନଙ୍କୁ ସେ ଏକ ବିଷୟବସ୍ତୁ ଭାବେ ଗ୍ରହଣ କରି ନିଷ୍ପକ୍ଷ ଓ ଉଦାସୀନ ଭାବେ ତାଙ୍କ ଚରିତ୍ର ଓ ରାଜନୀତିକ ଯାତ୍ରାର ବର୍ଣ୍ଣନା କରିବାକୁ ଚେଷ୍ଟା କରିଛନ୍ତି। ବହିରେ ରହିଥିବା ବର୍ଣ୍ଣନା ଅନୁଯାୟୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଫଳତା ପାଇଁ ରାଜ୍ୟର ରାଜନୀତିକ ପରିସ୍ଥିତି ଏବଂ ବିରୋଧୀ ଦଳର ବିଫଳତା ଅଧିକ ଦାୟୀ। ରାଜ୍ୟବାସୀ ଏକ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଶାସନ ବ୍ୟବସ୍ଥାରେ ଅତିଷ୍ଠ ହୋଇପଡ଼ିଥିବାବେଳେ ନବୀନ ପଟ୍ଟନାୟକ ଏକ ସତେଜ ପବନ ଭାବେ ରାଜ୍ୟ ରାଜନୀତିରେ ପ୍ରବେଶ କରିଥିଲେ। ମୁଖ୍ୟମନ୍ତ୍ରୀ ହେବାର ପ୍ରଥମ ଦୁଇ ତିନି ବର୍ଷ ଭିତରେ ସେ ଦୁର୍ନୀତି ଅଭିଯୋଗରେ ନିଜର ବରିଷ୍ଠ ସହକର୍ମୀମାନଙ୍କୁ ବହିଷ୍କାର କରି ନିଜର ଏକ ନିର୍ମଳ ଭାବମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ୧୯୯୯ର ମହାବାତ୍ୟା ସମୟରେ ଶାସନ କ୍ଷମତାରେ ଥିବା କଂଗ୍ରେସ ତଳ ଲୋକମାନଙ୍କୁ ସହାୟତା କରିବା ଛାଡ଼ି କ୍ଷମତାକନ୍ଦଳରେ ବ୍ୟସ୍ତ ଥିଲା। ତେଣୁ ଲୋକେ ନବୀନଙ୍କୁ ନିଜର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିଗଲେ। ବିଜୟ ମହାପାତ୍ର ଓ ପ୍ୟାରୀ ମହାପାତ୍ର ପ୍ରମୁଖ ତାଙ୍କର ପ୍ରମୁଖ ସହଯୋଗୀଙ୍କୁ ନିପାତ କରି ସେ ନିଜର ନିଷ୍ଠୁର ହୃଦୟର ପରିଚୟ ଦେଇଛନ୍ତି। କେବଳ ନିଜ ସ୍ବାର୍ଥ ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ନବୀନ ନିଜ କିଛି କରନ୍ତି ନାହିଁ। ଅମଲାମାନଙ୍କ ଜରିଆରେ ସବୁ କିଛି କରାଇଥାନ୍ତି। ନିଜେ କିଛି ବୁଝନ୍ତି ନାହିଁ। ଅମଲାମାନେ ଯାହା ବୁଝିଥାନ୍ତି ସେଇ ଅନୁସାରେ ଓଡ଼ିଶାର ଶାସନ ଚାଲିଛି। ନିଜ ଗାଦି ରକ୍ଷା ବ୍ୟତିତ ନବୀନଙ୍କର ଅନ୍ୟ କୌଣସିଥିରେ ଆଗ୍ରହ ନାହିଁ। ସେ ଜଣେ ବିଳାସପ୍ରିୟ ବ୍ୟକ୍ତି । ଆଳସ୍ୟ ଓ ବିଳାସ ତାଙ୍କର ଜନ୍ମଗତ ପ୍ରବୃତ୍ତି। ଧନୀ ଓ ପୁଂଜିପତିଙ୍କ ଗହଣରେ ତାଙ୍କର ଯୌବନ କଟିଛି। ସଂଜୟ ଗାନ୍ଧୀ ଥିଲେ ତାଙ୍କର ସହପାଠୀ। ହଲିଉଡ଼ ଅଭିନେତା ରବର୍ଟ ଡି ନିରୋ, ରକ୍‌ ଷ୍ଟାର ମିକି ଜାଗର, ଅଭିନେତ୍ରୀ କୁ ଷ୍ଟାର୍କ, ଲେଖକ ବ୍ରୁସ ଚାଟୱିନଙ୍କ ପରି ଅନେକ ସେଲିବ୍ରିଟିଙ୍କ ସହିତ ତାଙ୍କର ସଂପର୍କ ଅଛି। ସେ ଓଡ଼ିଶା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଧନୀ ଓ ସମ୍ଭ୍ରାନ୍ତଙ୍କ ପାର୍ଟିରେ ନିୟମିତ ଯୋଗ ଦେଉଥିଲେ। ନିଜେ ମଧ୍ୟ ବଡ଼ବଡ଼ ପାର୍ଟି ଆୟୋଜନ କରୁଥିଲେ। ସେତେବେଳେ ଅତି ଦାମିକା ବିଦେଶୀ ଡନ୍‌ହିଲ୍‌ ସିଗାରେଟ ଓ ବ୍ଲାକ୍‌ ଗ୍ରାଉସ ହୁଇସ୍କି ତାଙ୍କର ପ୍ରିୟ ଥିଲା। ଏବେ ବି ନବୀନ ସେଇ ଅଭ୍ୟାସ ଛାଡ଼ି ପାରି ନାହାନ୍ତି ବୋଲି ରୁବେନ ଲେଖିଛନ୍ତି। ବହିରେ ନବୀନଙ୍କ ଅସୁସ୍ଥତା କଥା ଲେଖାଯାଇଛି। ଏକଥା ବିଜେଡି ନେତାମାନେ ଜାଣିଛନ୍ତି କିନ୍ତୁ ଲୁଚାଇଛନ୍ତି। ବେଜୟନ୍ତ ପଣ୍ଡା ଏ ବିଷୟ ପଦାରେ ପକାଇଦେବାରୁ ନବୀନ ଭୀଷଣ କ୍ଷୁବ୍ଧ ହୋଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାରଣ ସେ ଲୋକମାନଙ୍କୁ ଜଣେଇବାକୁ ଚାହାନ୍ତି ନାହିଁ ତାଙ୍କର ଅସୁସ୍ଥତା ଯୋଗୁଁ ସେ କିଛି କରିପାରୁ ନାହାନ୍ତି, ବାବୁମାନେ ସବୁ କରୁଛନ୍ତି। ରୁବେନ ଲେଖିଛନ୍ତି ଅମଲାମାନେ ନବୀନଙ୍କ ସରକାରର ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ନବୀନ ସେସବୁ ବୁଝନ୍ତି ନାହିଁ। ବହିଟି ଅମଲାଙ୍କ କ୍ଲବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଭୁବନେଶ୍ବର କ୍ଲବରେ ଉଦଘାଟିତ ହୋଇଯାଇଛି। ଏହି କ୍ଲବରେ ବହୁ ପ୍ରକାର ଦାମୀ ମଦ୍ୟ ଶସ୍ତାରେ ବିକ୍ରି ହେବାର ଖ୍ୟାତି ରହିଛି।

Share :