Breaking News
ଦୁର୍ବଳ ହେଲା ଦୁର୍ନୀତି ନିବାରଣ ଆଇନ

ଦୁର୍ବଳ ହେଲା ଦୁର୍ନୀତି ନିବାରଣ ଆଇନ

ସରଳ କୁମାର ଦାସ ଜାତିସଂଘର ଦୁର୍ନୀତି ବିରୋଧୀ ସମ୍ମିଳନୀ (ୟୁଏନସିଏସି)ର ୨୦୦୩ ମସିହାରେ ପ୍ରସ୍ତୁତ ଦୁର୍ନୀତି ବିରୋଧୀ ସନନ୍ଦକୁ ଯେଉଁ ଦେଶଗୁଡିକ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ତଦନୁସାରେ ଭାରତର ଦୁର୍ନୀତି ନିବାରଣ ଆଇନ, ୧୯୮୮କୁ ସଂଶୋଧନ କରି ୟୁଏନସିଏସିର ପ୍ରାବଧାନ ଅନୁରୂପ କରିବା ପାଇଁ ୨୦୧୩ ମସିହାରେ ଏକ ବିଲ ସଂସଦରେ ଆଗତ ହୋଇଥିଲେ ମଧ୍ୟ ତାହା ଗୃହୀତ ହୋଇପାରିନଥିଲା। ନିକଟରେ ସଂସଦର ଉଭୟ ଗୃହରେ ସଂଶୋଧିତ ଦୁର୍ନୀତି ନିବାରଣ ବିଲ ଗୃହୀତ ହୋଇସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ। ତେବେ ଏହି ସଂଶୋଧନ ଦ୍ବାରା ଦୁର୍ନୀତି ନିବାରଣ ପାଇଁ ଥିବା ପୁରୁଣା ଆଇନ ଅପେକ୍ଷା ଏହା ଦୁର୍ବଳ ହୋଇଛି ବୋଲି ସମାଲୋଚକମାନେ ମତ ଦେଉଥିବା ବେଳେ ନୂଆ ଆଇନର ପ୍ରାବଧାନଗୁଡିକ ଦୁର୍ନୀତି ନିବାରଣ କ୍ଷେତ୍ରରେ ଫଳପ୍ରଦ ହେବ କି ବୋଲି ପ୍ରଶ୍ନ ଉଠିଛି। ଲୋକ ସେବକ (ପବ୍ଲିକ ସର୍ଭେଣ୍ଟ) ସଂଜ୍ଞାର ପରିଧି ମଧ୍ୟରେ ସରକାରୀ, ଅର୍ଦ୍ଧ ସରକାରୀ ସଂସ୍ଥାର କର୍ମଚାରୀଙ୍କଠାରୁ ଆରମ୍ଭ କରି ନ୍ୟାୟପାଳିକାରେ କାର୍ଯ୍ୟରତ ନ୍ୟାୟାଧୀଶମାନେ ମଧ୍ୟ ଅନ୍ତର୍ଭୁକ୍ତ। ଏପରିକି ବିଧାୟକ, ସାଂସଦମାନେ ମଧ୍ୟ ପଦ ଧାରଣ କରି ଜନତାଙ୍କ ଦାୟିତ୍ବ ନିର୍ବାହ କରୁଥିବାରୁ ଲୋକ ସେବକ ଭାବେ ପରିଗଣିତ ହୁଅନ୍ତି। ଦୁର୍ନୀତିଗ୍ରସ୍ତ ଲୋକ ସେବକ’ର ସଂଜ୍ଞା ପୁରୁଣା ଆଇନରେ ଅପେକ୍ଷାକୃତ ବ୍ୟାପକ ଥିବାବେଳେ, ନୂଆ ଆଇନରେ ତା’ର ପରିସର ସଂକୁଚିତ ହୋଇଛି। ପୁରୁଣା ଆଇନରେ ଲୋକ ସେବକ ଭାବେ କୌଣସି ପଦବୀରେ ଥାଇ କୌଣସି ବ୍ୟକ୍ତି, ଜନସ୍ବାର୍ଥ ନଥାଇ, ଅନ୍ୟ କୌଣସି ବ୍ୟକ୍ତିକୁ ମୂଲ୍ୟବାନ ପଦାର୍ଥ ବା ଆର୍ଥିକ ଲାଭ ଆହରଣରେ ସାହାଯ୍ୟ କଲେ, ସେହି ବ୍ୟକ୍ତି ଦୁର୍ନୀତିଗ୍ରସ୍ତ ବୋଲି ବିବେଚିତ ହେଉଥିଲେ। କିନ୍ତୁ ନୂତନ ଆଇନର ଅନୁଭାଗ ୭ ଅନୁଯାୟୀ, କୌଣସି ଲୋକ ସେବକ ଅନ୍ୟ କୌଣସି ବ୍ୟକ୍ତିଠାରୁ ଅନୁଚିତ ସୁବିଧା ଆହରଣ ବା ଗ୍ରହଣ କରିବାକୁ ଚେଷ୍ଟାକରି ଅନୁଚିତ ବା ଅସାଧୁ ଢଙ୍ଗରେ ଉଦ୍ଦେଶ୍ୟ ମୂଳକ ଭାବେ ନିଜର ସାର୍ବଜନିକ କର୍ତ୍ତବ୍ୟ ନିର୍ବାହ କରିଥାଏ ବା କରାଇଥାଏ, ତେବେ ସେ ଦୁର୍ନୀତିଗ୍ରସ୍ତ ପଦବାଚ୍ୟ ହେବେ। ଉଦ୍ଦେଶ୍ୟମୂଳକ ଶବ୍ଦ ଯୋଡି ଦେଇ ଦୁର୍ନୀତିଗ୍ରସ୍ତ ହେବାର ସଂଜ୍ଞାକୁ ସଂକୁଚିତ କରାଯିବା ସଙ୍ଗେସଙ୍ଗେ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟକୁ ଜଟିଳ କରି ଦିଆଗଲା। ଉଦାହରଣ ସ୍ବରୂପ, ପୂର୍ବେ କେବଳ ଆୟ ବହିର୍ଭୁତ ସମ୍ପତ୍ତି ବା ସନ୍ଦିଗ୍ଧ କାର୍ଯ୍ୟ ଆଧାରରେ ତଦନ୍ତକୁ ଆଗେଇ ନେଇ ହେଉଥିଲେ ମଧ୍ୟ ଏଣିକି ତଦନ୍ତକାରୀ ସଂସ୍ଥାଙ୍କୁ ଉଦ୍ଦେଶ୍ୟମୂଳକ କଥାଟିକୁ ପ୍ରତିଷ୍ଠା କରିବା ପାଇଁ ଷଡଯନ୍ତ୍ରକୁ ପ୍ରମାଣ କରିବାକୁ ହେବ। ଏହାର ଭିନ୍ନ ଏକ ଦିଗ ହେଉଛି, ଉଦ୍ଦେଶ୍ୟମୂଳକ ଧାରାର ଆଳରେ ହୁଏତ କିଛି ସଚ୍ଚୋଟ କର୍ମଚାରୀଙ୍କୁ ମଧ୍ୟ ହଇରାଣ ହରକତ କରାଯାଇପାରେ। ପୁରୁଣା ଆଇନରେ କେବଳ ଲାଞ୍ଚଗ୍ରହୀତା ଅପରାଧ ପରିସରଭୁକ୍ତ ହେଉଥିବା ବେଳେ ନୂଆ ଆଇନରେ ଉଭୟ ଲାଞ୍ଚଗ୍ରହୀତା ଓ ଲାଞ୍ଚଦାତା ଅପରାଧ ପରିସରଭୁକ୍ତ ହେବେ। ତେବେ ଯଦି କୌଣସି ବ୍ୟକ୍ତିଙ୍କୁ ଲାଞ୍ଚ ଦେବା ପାଇଁ ବାଧ୍ୟ କରାଯାଏ ବା ସେ ଲାଞ୍ଚ ଦେବାକୁ ବାଧ୍ୟ ହୁଅନ୍ତି ତେବେ ସେଭଳି ଲାଞ୍ଚଦାତା ପ୍ରତି ଏହା ଲାଗୁ ହେବନାହିଁ। ତେବେ ଏ ସମ୍ପର୍କରେ ସେ ସାତ ଦିନ ମଧ୍ୟରେ ସୂଚନା ନ ଦେଲେ ତାଙ୍କୁ ନିଷ୍କୃତି ମିଳିବ ନାହିଁ। ଅର୍ଥାତ୍, ସାତ ଦିନ ପରେ ତାହା ଏକ ଅପରାଧ ଭଳି ପରିଗଣିତ ହେବ। ଏହି ନୂଆ ଆଇନର ଫଳ ଏଇୟା ହେବ ଯେ ଏଣିକି ଲାଞ୍ଚଗ୍ରହୀତା ଲା଼ଞ୍ଚଦାତାଙ୍କ କାମ ଶୀଘ୍ର ନକରି ସାତ ଦିନରୁ ଅଧିକ ସମୟ ନେବେ। ଯଦ୍ବାରା ଲାଞ୍ଚଦାତା ଆଉ କୌଣସିଠାରେ ଅଭିଯୋଗ କରିପାରିବେ ନାହିଁ। କାରଣ ଅଭିଯୋଗ କଲେ ସେ ମଧ୍ୟ ଅପରାଧ ପରିସରଭୁକ୍ତ ହେବେ। ଏହା ଦ୍ବାରା ଲାଞ୍ଚ ସମ୍ପର୍କରେ ସୂଚନାଦାତା (ହୁଇସିଲ ବ୍ଲୋୟର)ଙ୍କ ସଂଖ୍ୟା ଯଥେଷ୍ଟ କମିଯାଇ ଦୁର୍ନୀତି ନିବାରଣ ଅଭିଯାନ ପ୍ରତି ଶକ୍ତ ଧକ୍କା ଲାଗିବାର ଆଶଙ୍କା ଦେଖା ଦେଇପାରେ। ସାଧାରଣତଃ ଦୁଇ ପ୍ରକାର ସୂଚନାଦାତା ଥାଆନ୍ତି। ପ୍ରଥମ ଶ୍ରେଣୀର ସୂଚନାଦାତା ପ୍ରଥମରୁ ହିଁ ଲାଞ୍ଚଗ୍ରହୀତାଙ୍କୁ ଧରାଇବା ପାଇଁ ସୁପରିକଳ୍ପିତ ଉଦ୍ୟମ କରିଥାନ୍ତି। ଦ୍ବିତୀୟ ଶ୍ରେଣୀର ସୂଚନାଦାତା ତାଙ୍କ କାମ ନ ହେଲେ ବାଧ୍ୟ ହୋଇ ସୂଚନା ଦେଇଥାନ୍ତି। କାରଣ ଲାଞ୍ଚଗ୍ରହୀତାଙ୍କଠାରୁ ଅନୁଗ୍ରହ ପାଇବା ସେମାନଙ୍କ ମୂଳ ଉଦ୍ଦେଶ୍ୟ ଥାଏ। ସ୍ଥଳ ବିଶେଷରେ ଏଭଳି ଲୋକେ ପୂର୍ବରୁ ଥରେ ଦୁଇଥର ଲାଞ୍ଚ ଦେଇ ଲାଞ୍ଚଗ୍ରହୀତାଙ୍କ ବିଶ୍ବାସଭାଜନ ହୋଇସାରିଥାନ୍ତି ଓ ସେମାନେ ସୂଚନାଦାତା ହେଲେ ଲାଞ୍ଚଗ୍ରହୀତା ପୂର୍ବାନୁମାନ କରି ନପାରି ସହଜରେ ଧରା ପଡିଥାନ୍ତି। ଏଣିକି ଦଣ୍ଡିତ ହେବା ଭୟରେ ଏହି ଭଳି ଲୋକେ ଆଉ କେବେ ବି ସୂଚନାଦାତା ହୋଇପାରିବେ ନାହିଁ। ପରୋକ୍ଷରେ ଏହା ଲାଞ୍ଚଗ୍ରହୀତାଙ୍କ ସ୍ବାର୍ଥ ଅନୁକୂଳ ହେବ। ପୂର୍ବେ ଲାଞ୍ଚଗ୍ରହଣ ଅପରାଧ ପାଇଁ ସର୍ବନିମ୍ନ ଛଅ ମାସରୁ ତିନି ବର୍ଷ ଯାଏଁ ଦଣ୍ଡ ମିଳୁଥିଲା। ନୂଆ ଆଇନରେ ଉଭୟ ଲାଞ୍ଚପ୍ରଦାନ ଓ ଲାଞ୍ଚଗ୍ରହଣ ପାଇଁ ସର୍ବନିମ୍ନ ଜେଲଦଣ୍ଡ ୩ ବର୍ଷ ଯାହାକୁ ୭ ବର୍ଷ ଯାଏଁ ବଢାଇ ହେବ। ଏଥି ସହ ଅର୍ଥ ଦଣ୍ଡ ମଧ୍ୟ ଆଦାୟ ହୋଇପାରିବ। ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଦଣ୍ଡର ସମୟ ସର୍ବନିମ୍ନ ୫ ବର୍ଷରୁ ଆରମ୍ଭ ହୋଇ ୧୦ ବର୍ଷ ଯାଏଁ ବଢାଇ ହେବ। ଲାଞ୍ଚକୁ ଅନୁଚିତ ସୁବିଧା କୁହାଯାଇ ଏହାର ସଂଜ୍ଞା ନ୍ୟାୟସମ୍ମତ ପାରିଶ୍ରମିକ ଭିନ୍ନ ମିଳିଥିବା ସନ୍ତୁଷ୍ଟି (ଗ୍ରାଟିଫିକେସନ) ବୋଲି ଉଲ୍ଲେଖ ହୋଇଛି। ଏହି ଆଇନରେ ଲୋକ ସେବକଙ୍କ ଅବୈଧ ସମ୍ପତ୍ତିକୁ ମନି ଲଣ୍ଡରିଙ୍ଗ ନିରୋଧ ଆଇନର ପ୍ରାବଧାନକୁ ବ୍ୟବହାର କରି ତୁରନ୍ତ କୋରଖ ଓ ବାଜ୍ୟାପ୍ତି କରାଯାଇପାରିବ। ଉଚିତ ସମୟ ମଧ୍ୟରେ ନ୍ୟାୟ ପ୍ରଦାନର ଲକ୍ଷ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ଦୁଇ ବର୍ଷ ମଧ୍ୟରେ ସାରିବାକୁ ଆଇନରେ ପ୍ରାବଧାନ ଥିବା ବେଳେ ସ୍ଥଳ ବିଶେଷରେ ସମୟ ସୀମାକୁ ସର୍ବାଧିକ ଚାରି ବର୍ଷ ଯାଏଁ ବୃଦ୍ଧି କରାଯାଇ ପାରିବ। ଏହି ନୂଆ ଆଇନରେ ତଦନ୍ତକାରୀ ସଂସ୍ଥାଙ୍କ କ୍ଷମତା ସଙ୍କୁଚିତ ହୋଇଛି। ଏ ପର୍ଯ୍ୟନ୍ତ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାମାନେ ଯେ କୌଣସି ଲୋକ ସେବକ (ସରକାରୀ କର୍ମଚାରୀ ଇତ୍ୟାଦି)ଙ୍କ ବିରୁଦ୍ଧରେ ସ୍ବାଧୀନ ଭାବେ ତଦନ୍ତ କରିପାରୁଥିଲେ ଓ ସେବାନିବୃତ୍ତ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ସେମାନଙ୍କୁ ପୂର୍ବରୁ କାହାଠାରୁ କୌଣସି ଅନୁମତି ନେବାକୁ ପଡୁନଥିଲା। ଏଣିକି ଉଭୟ ଚାକିରୀରେ ଥିବା ଓ ସେବାନିବୃତ୍ତ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ହେଲେ ତଦନ୍ତକାରୀ ସଂସ୍ଥାକୁ ପ୍ରଥମେ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ହେବ। ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ସର୍ବାଧିକ ଚାରି ମାସ ମଧ୍ୟରେ ଅନୁମତି ଦେବାକୁ ହେବ। ନିକଟରେ କିଛି ସାର୍ବଜନିକ ବ୍ୟାଙ୍କର ଉଚ୍ଚ ପଦସ୍ଥ ସେବାନିବୃତ୍ତ ଅଧିକାରୀଙ୍କୁ ତଦନ୍ତକାରୀ ସଂସ୍ଥା ଅଟକ ରଖି ପଚରା ଉଚୁରା କରିବା ବେଳେ ଏ ନେଇ ଆଲୋଚନା ହୋଇଥିଲା। ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତିଙ୍କର ନିଷ୍ପତ୍ତି ଠିକ ହୋଇପାରେ ବା ଭୁଲ। ତେବେ ଭୁଲ ହୋଇଥିବା ସମସ୍ତ ନିଷ୍ପତ୍ତି ଯେ କୌଣସି ଲାଭ ପାଇ କାହାକୁ ଅନୁଗ୍ରହ ପ୍ରଦାନ କରିବାକୁ ନିଆଯାଇଥିବ, ତାହା ଧରି ନେବା ମଧ୍ୟ ଭୁଲ ହେବ। ଏଭଳି ପରିସ୍ଥିତିରେ ସେବାନିବୃତ୍ତ କର୍ମଚାରୀଟିଏକୁ, ପୂର୍ବାଗ୍ରହ ନଥାଇ, ସେ ନେଇଥିବା ଯେ କୌଣସି ନିଷ୍ପତ୍ତି ପାଇଁ ବି ସହଜରେ ହଇରାଣ ହରକତ କରି ହେଉଥିଲା। ଏଥି ଯୋଗୁ ଅଧିକାରୀମାନେ ନିଷ୍ପତ୍ତି ନେବାକୁ କୁଣ୍ଠା ପ୍ରକାଶ କଲେ କାର୍ଯ୍ୟରେ ତାର ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା କରି ସରକାର ଆଇନରେ ସଚ୍ଚୋଟ କର୍ମଚାରୀଙ୍କୁ ସୁରକ୍ଷା ଦେଇଛନ୍ତି। ନୂଆ ଆଇନରେ ହୁଏତ କିଛି ସଚ୍ଚୋଟ କର୍ମଚାରୀ ଉପକୃତ ହୋଇପାରନ୍ତି, ତେବେ ସରକାର ସାମୟିକ ଭାବେ ହେଉ ପଛେ, ଅନ୍ୟ କେତେକଙ୍କୁ ଘଣ୍ଟ ଘୋଡାଇବାକୁ ସକ୍ଷମ ହେବେ। ଆଇନରେ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କ ସଂଜ୍ଞା ନିର୍ଦ୍ଧାରିତ ହୋଇନାହିଁ। ତେବେ ଲୋକପାଳ ଓ ଲୋକାୟୁକ୍ତ ଆଇନ, ୨୦୧୩ର ପ୍ରାବଧାନ ଅନୁଯାୟୀ ଏ ଧରଣର ଅନୁମତି ଦେବାର କ୍ଷମତା କେବଳ ଲୋକପାଳଙ୍କଠାରେ ନ୍ୟସ୍ତ। ତେବେ ଏ ପର୍ଯ୍ୟନ୍ତ ଲୋକପାଳ ନିଯୁକ୍ତ ହୋଇ ନଥିବାରୁ ଦେଶରେ ଏହି ଆଇନ ଠିକ ରୂପେ କାର୍ଯ୍ୟକାରୀ ହୋଇନାହିଁ। ସେ ପରିସ୍ଥିତିରେ ଅନୁମତି ପ୍ରଦାନ କ୍ଷମତାକୁ ସରକାର ନିଜେ ହାତେଇବେ ନାହିଁ ତ? ନୂଆ ଆଇନରେ ଜେଲ ଦଣ୍ଡର ସମୟ ସୀମାକୁ ଯଥେଷ୍ଟ ବଢାଯାଇଥିବାରୁ ସରକାରୀ କର୍ମଚାରୀ ଓ ଅନ୍ୟ ଲୋକ ସେବକମାନେ ଲାଞ୍ଚଗ୍ରହଣକୁ ଆଉ ହାଲୁକା ଭାବେ ନେବାରୁ ବିରତ ରହିବା ଉଚିତ। ଅନ୍ୟ ପକ୍ଷରେ ଲାଞ୍ଚ ଦେବା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏଣିକି ଜନସାଧାରଣ ଲାଞ୍ଚ ମାଗୁଥିବା ବ୍ୟକ୍ତିକୁ ରୋକଠୋକ ନା କରି ଶିଖନ୍ତୁ। ତା ସତ୍ତ୍ବେ ଯଦି ଜୋର ଜବରଦସ୍ତ ଲାଞ୍ଚ ଆଦାୟ କରାଯାଇଥାଏ ବା ଲାଞ୍ଚ ଦେବାକୁ ବାଧ୍ୟ ହୋଇଥାନ୍ତି, ତେବେ ସାତ ଦିନ ପୂରିବା ଆଗରୁ ତାହା ନିଶ୍ଚିତ ଭାବେ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣନ୍ତୁ। ନହେଲେ ଅଯଥାରେ ସାତ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ଏ ସବୁ ସତ୍ତ୍ବେ, ଦୁର୍ନୀତି ନିବାରଣ ପାଇଁ କୌଣସି ଆଇନ ଅପେକ୍ଷା ଜନ ସଚେତନତା ଓ ଜନ ପ୍ରତିବାଦ ଅଧିକ ଫଳପ୍ରଦ ହେଉଥିବାରୁ ନାଗରିକ ସମାଜ ସେ ଦିଗରେ ଅହରହ ଉଦ୍ୟମ ଜାରି ରଖିବା ଉଚିତ। ୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ବର - ୭୫୧୦୧୨ ମୋ- ୯୪୩୭୦୩୮୦୧୫

Share :