ମୁଁ ଯଦି ପ୍ରଥମ, ଦ୍ୱିତୀୟ ପାଇଁ ଉଦ୍ୟମ କରୁଛି କିଏ?

ମୁଁ ଯଦି ପ୍ରଥମ, ଦ୍ୱିତୀୟ ପାଇଁ ଉଦ୍ୟମ କରୁଛି କିଏ?

Share :

ବୈଷ୍ଣବ ଜେନା ‘ବର୍ଷ ବର୍ଷ ହେଲା ମୁଁ ଶୁଣି ଆସୁଛି ଯେ, ମୁଁ ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ସବୁଆଡେ଼ ଏକଥା କୁହାଯାଉଛି। ରାଜ୍ୟର କୋଣାନୁକୋଣରେ ତଥା ଦେଶର ସବୁଆଡେ଼ କୁହାଯାଉଛି। ଦେଶ କଥା ଛାଡ଼ନ୍ତୁ - ଓଡ଼ିଶାରେ ଏକଥା କେତେଦିନ ଚାଲିବ? ମୁଁ ଯଦି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ତେବେ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ କାହାର ଉଦ୍ୟମ ଅଛି? କିଏ ନିଜକୁ ଯୋଗ୍ୟା କରୁଛି? ମୁଁ କେବଳ ଓଡ଼ିଶାର ପ୍ରଥମ ଓ ଶେଷ (ଅଦ୍ୟାବଧି) ମହିଳା ମୁଖ୍ୟମନ୍ତ୍ରୀ ନୁହଁ - ପ୍ରଥମ ଓ ଶେଷ ଓଡ଼ିଆ ମହିଳା କେନ୍ଦ୍ରମନ୍ତ୍ରୀ ମଧ୍ୟ। ଇତି ମଧ୍ୟରେ ମୋର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାର ୩୦ ବର୍ଷ ଏବଂ କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିବାର ୪୦ ବର୍ଷ ହେଲାଣି। ତଥାପି କେଉଁ ଓଡ଼ିଆ ଝିଅର ଉଦ୍ୟମ କାହିଁକି ନାହିଁ?’ କ୍ଷୋଭ ଏବଂ ଦୁଃଖର ସହିତ ଏହି ପ୍ରଶ୍ନ କରିଥିଲେ ନନ୍ଦିନୀ ଶତପଥୀ। କିଏ ତାଙ୍କୁ ନନ୍ଦିନୀ ଦେବୀ କୁହେ ତ ଆଉ କେହି ମାଟିର ନନ୍ଦିନୀ। ସେ ବି ଲୌହ ମାନବୀ ଓ ବହ୍ନିକନ୍ୟା। ଏଭଳି ପ୍ରଶ୍ନ ସେ କରିଥିଲେ ଏକ ମହିଳା ସଭାରେ। ସ୍ଥାନୀୟ କେଶରୀ ହୋଟେଲଠାରେ ଆୟୋଜିତ ସେହି ସଭାଟି ଏକ ମହିଳା ସଂଗଠନ ଦ୍ୱାରା ଆୟୋଜନ କରାଯାଇଥିଲା। ସମ୍ଭବତଃ ସେହି ସଭାଟି ନନ୍ଦିନୀଙ୍କର ଶେଷ ସଭା ଥିଲା। ତାହାପରେ ସେ ଆଉ କୌଣସି ଜନସମୁଦାୟକୁ ଉଦ୍ବୋଧନ ଦେଇନଥିଲେ। ସେ କହିଥିଲେ ଯେ, ମୁଁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ଏକମାତ୍ର ଓଡ଼ିଆ ମହିଳା ମନ୍ତ୍ରୀ ହୋଇଥିବାରୁ ମୋତେ ବହୁ ସମ୍ମାନ ମିଳିଲାଣି। ଆବଶ୍ୟକତାଠାରୁ ଅଧିକ ମିଳିଲାଣି। ଆଉ ଦରକାର ନାହିଁ। ମୋତେ ଆଉ ତୁମ୍ଭେମାନେ ଟେକାଟେକି କରନାହିଁ। ବରଂ ମୋ ପରି ହେବାକୁ ଉଦ୍ୟମ କର। ଟିକେ ଚେଷ୍ଟା କରି ରହିଯାଅ ନାହିଁ -ଜୋରଦାର ଉଦ୍ୟମ କର। ସଫଳତା ନିଶ୍ଚୟ ଆସିବ। ତୁମ୍ଭମାନଙ୍କ ମଧ୍ୟରୁ ନୂଆ ନନ୍ଦିନୀ ଶତପଥୀ ସୃଷ୍ଟିହେବେ। ନନ୍ଦିନୀ ଦେବୀ ଭାଷଣ ଦେଉଥିବା ବେଳେ ଜଣେ ଯୁବତୀ ଠିଆ ହୋଇ ଗର୍ଜନ କଲେ। ସେ କହିଲେ - ଆଗେ ଚାନ୍ସ ମିଳୁଥିଲା - ଏବେ ଚାନ୍ସ ମିଳୁନାହିଁ। ତେଣୁ ଆମେ କିଛି ହୋଇପାରୁନାହୁଁ। ଏକଥା ଶୁଣି ନନ୍ଦିନୀ ଦେବୀ ବିରକ୍ତି ପ୍ରକାଶ ପୂର୍ବକ କହିଥିଲେ ଯେ, କିଏ କାହାକୁ ଚାନ୍ସ ଦେବା କଥା ମୁଁ ଜାଣିନାହିଁ - ଚାନ୍ସ କେବେ କାହାକୁ ଦିଆଯାଏ ନାହିଁ - ଚାନ୍ସ ନିଆଯାଇଥାଏ - ଏଥିପାଇଁ ଉଦ୍ୟମ ଦରକାର - ସୁଯୋଗର ସଦୁପଯୋଗ ଦରକାର। ମୋତେ କେହି ଚାନ୍ସ ଦେଇ ନଥିଲେ - ମୁଁ ଚାନ୍ସ ନେଇଥିଲି ଏକ ପୁରୁଷ ପ୍ରାଧାନ୍ୟ ସମାଜ ବା ରାଜ୍ୟ ବା ଦେଶରେ ମହିଳାମାନଙ୍କୁ କେହି ଭଲରେ ଚାନ୍ସ ଦିଅନ୍ତି ନାହିଁ। ଏଥିପାଇଁ ମୋତେ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି - ବହୁ ନିର୍ଯ୍ୟାତନା ଓ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଛି। ସେ ଆହୁରି କହିଥିଲେ ଯେ, ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ପିତା ଅବଶ୍ୟ ରାଜନୀତିକୁ ଆଣିଥିଲେ, ମାତ୍ର ଇନ୍ଦିରା ନିଜେ ଚାନ୍ସ ନେଇ ଦେଶର ପ୍ରଥମ ତଥା ଅଦ୍ୟାବଧି ଶେଷ ମହିଳା ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି। ଏହି ପରିପ୍ରେକ୍ଷୀରେ କେତେକ ମହିଳା ଏକ ସ୍ୱରରେ ପାରିବାରିକ ସମସ୍ୟା କଥା ଉଠାଇଥିଲେ। ସେମାନେ କହିଥିଲେ ଯେ, ରାଜନୀତି କରିବାକୁ ସେମାନେ ଗୋଡ଼ କାଢ଼ିଛନ୍ତି - ମାତ୍ର ପାରିବାରିକ ସମସ୍ୟାରୁ / ବନ୍ଧନରୁ ଦୂରେଇ ପାରୁନାହାନ୍ତି। ଏକଥା ଶୁଣି ନନ୍ଦିନୀ ଦେବୀ ପୁନର୍ବାର ବିରକ୍ତି ପ୍ରକାଶ କଲେ। ରାଗିକରି ସେ କହିଲେ, ରାଜନୀତି ପାଇଁ ଯଦି ଗୋଡ଼ କାଢ଼ିଛ - ତେବେ ଭଲ ଭାବରେ କାଢ଼ - କୁନ୍ଥୁକୁନ୍ଥୁ ହୁଅନାହିଁ - କିଛି ପାଇବା ପାଇଁ ବହୁତ ତ୍ୟାଗ କର - ପାରିବାରିକ ସମସ୍ୟା ବା ବନ୍ଧନ ସବୁ ନାରୀଙ୍କର ଅଛି - ମୋର ବି ପାରିବାରିକ ବନ୍ଧନ ଅଛି - ଉଭୟ ବାପଘର ଓ ଶାଶୁଘରର ଭଲ ମନ୍ଦରେ ମୁଁ ଅଛି ବୋଲି ନନ୍ଦିନୀ ଦେବୀ କହିଥିଲେ। ଏହି ପ୍ରସଙ୍ଗରେ ସେ କହିଥିଲେ ଯେ, ପୃଥିବୀର ସବୁଠାରୁ ସଫଳ ନାରୀନେତ୍ରୀ ହେଉଛନ୍ତି ଇଂଲଣ୍ଡର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚର। ସେ ମଧ୍ୟ ପୁରୁଷ ପ୍ରାଧାନ୍ୟ ଇଂଲଣ୍ଡ ଦେଶର ଦୀର୍ଘସ୍ଥାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ। ତାଙ୍କର ବି ପାରିବାରିକ ସମସ୍ୟା ଓ ବନ୍ଧନ ଥିଲା। ସକାଳ ୧୦ଟାରେ ସେ ପାର୍ଲିଆମେଣ୍ଟ ଯିବା ପୂର୍ବରୁ ନିଜ ସ୍ୱାମୀଙ୍କ ପାଇଁ ନିୟମିତ ବ୍ରେକ୍ଫାଷ୍ଟ ବା ପ୍ରାତଃଭୋଜନ ପ୍ରସ୍ତୁତ କରୁଥିଲେ। ଏଥିରେ ସେ ଆନନ୍ଦ ଅନୁଭବ କରୁଥିଲେ ବୋଲି ନନ୍ଦିନୀ ଦେବୀ ସମବେତ ମହିଳାମାନଙ୍କୁ କହିଥିଲେ। ଏହି ମହାନ୍ ନାରୀନେତ୍ରୀ, ସାରସ୍ୱତ ସାଧିକା ତଥା ପାରିବାରିକ ଜୀବନରେ ବିଶ୍ୱାସ ଓ ଆନନ୍ଦ ରଖୁଥିବା ଏବଂ ସବୁ ପାରିବାରିକ ପରିଚୟ ଥିବା ନାରୀଙ୍କ ଅନ୍ୟ ଏକ ମହାନତା ସମ୍ପର୍କରେ ସୂଚନା ଦେଉଛୁ। ତାହା ହେଉଛି ନନ୍ଦିନୀ ଦେବୀଙ୍କର ଦୟା ଓ କ୍ଷମା ପ୍ରଦାନର ମହନୀୟତା। କଥା ହେଉଛି - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳର ଜଣେ ବ୍ୟକ୍ତି ବ୍ରିଟିଶ ଅମଳର ପୋଲିସ୍ ଅଫିସର ଥିଲେ। ୧୯୫୫ରେ ସେ ମାତ୍ର ୧୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଚାକିରି ହରାଇଥିଲେ। ତାହାପରେ ତାଙ୍କ ଜୀବନରେ ଦୁର୍ଦ୍ଦଶା ମାଡ଼ି ଆସିଥିଲା। ନିଜର ପରିବାର ପ୍ରତିପୋଷଣ ପାଇଁ ସେ ଥାନା ଓ ବ୍ଲକ୍ ବାରଣ୍ଡାରେ ବସି ରହୁଥିଲେ। ଲେଖାପଢ଼ା ଜାଣି ନଥିବା ଆଦିବାସୀଙ୍କ ପାଇଁ ସେ ଦରଖାସ୍ତ ଲେଖୁଥିଲେ। ପାରିଶ୍ରମିକ ଥିଲା ମାତ୍ର ଟଙ୍କାଏ କିମ୍ୱା ଆଠଅଣା। ଚାକିରି ଫେରି ପାଇବାପାଇଁ ବହୁ ଉଦ୍ୟମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେଥିରୁ ଓହରିଯାଇ କିପରି ପେନସନ୍ ପାଇବା ପାଇଁ ଆବେଦନ କରିଥିଲେ। ସେଥିରେ ମଧ୍ୟ ସେ ନିରାଶ ହୋଇଥିଲେ। କାରଣ ମାତ୍ର ୧୦ ବର୍ଷର ଚାକିରି ତାଙ୍କର ହୋଇଥିଲା। ୧୯୭୫ ବେଳକୁ ତାଙ୍କର ଜଣେ ଜ୍ୟୋତିଷ ଦେଖାହେଲେ - ସେ ଚାକିରି ଫେରି ପାଇବେ ବୋଲି ଜ୍ୟୋତିଷ ଜଣକ ଦୃଢ଼ କଣ୍ଠରେ କହିଲେ। ତେବେ ରାଜ୍ୟ ମୁଖ୍ୟଙ୍କ ନିକଟରେ ନିର୍ଦ୍ଦିଷ୍ଟ ତାରିଖରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିବା ଦରକାର ବୋଲି ଜ୍ୟୋତିଷ ପରାମର୍ଶ ଦେଇଥିଲେ। ଆଶାବାଦୀ ହୋଇ ସେହି ଚାକିରି ହରାଇଥିବା ବ୍ୟକ୍ତିଜଣକ କୋରାପୁଟ ଜିଲ୍ଲାର ସୁପୁତ୍ର ସ୍ୱର୍ଗତ ରାମନାଥ ପଣ୍ଡାଙ୍କୁ ଭେଟି ଦୁଃଖ ଜଣାଇଥିଲେ। ସ୍ୱର୍ଗତଃ ପଣ୍ଡା ନନ୍ଦିନୀ ଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ଧରିତ୍ରୀ ସମ୍ୱାଦପତ୍ରର ସମ୍ପାଦକ ଥିଲେ। ଲୋକଟିର ଦୁଃଖ ଶୁଣି ରାମନାଥ ବାବୁ ସେହି ଆବେଦନ ପତ୍ରଟିକୁ ଧରି ନନ୍ଦିନୀ ଦେବୀଙ୍କୁ ଭେଟିଲେ। ନନ୍ଦିନୀ ଦେବୀ ସେତେବେଳେ ପ୍ରାତଃଭୋଜନ କରୁଥିଲେ। ଆବେଦନ ପତ୍ରଟିକୁ ପଢ଼ିବା ପରେ ସେ ଭାବବିହ୍ୱଳ ହୋଇଗଲେ। ସେ ତୁରନ୍ତ ତତ୍କାଳୀନ ସ୍ୱରାଷ୍ଟ୍ର ସଚିବ ଏବଂ ପୋଲିସ୍ ଆଇ.ଜି.ଙ୍କୁ (ସେତେବେଳେ ଡି.ଜି. ପଦବୀ ନଥିଲା) ଡକାଇ ପଠାଇଲେ। ମାତ୍ର ୧୦ ଟଙ୍କା ପାଇଁ ବହୁମୂଲ୍ୟ ଚାକିରି ଚାଲିଯିବା ଘଟଣା ଏକ ବିଚାରବିହୀନ ଓ ମାନବତାହୀନ ନିଷ୍ପତ୍ତି ବୋଲି ନନ୍ଦିନୀ ଦେବୀ କହିଲେ। ଚାକିରି ନ ନେଇ ପ୍ରମୋଶନ୍ ବନ୍ଦ କରିଦେଇଥିଲେ କ'ଣ ଭୁଲ ହୋଇଥାଆନ୍ତା ବୋଲି ସେ ପ୍ରଶ୍ନ କଲେ। ଯାହା ହେଉ ସାତଦିନ ମଧ୍ୟରେ ସେହି ବ୍ୟକ୍ତିଙ୍କୁ କୋରାପୁଟ ଏସ୍.ପି.ଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ କୁହାଗଲା। ୧୦ ମାସ ପରେ ତାଙ୍କୁ ଇନିସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ମିଳିଲା ଏବଂ ଦେଢ଼ବର୍ଷ ପରେ ସେ ଅବସର ନେଲେ। ସେହି ମହାମାନବୀଙ୍କର ମାତୃଭୂମି ଏବଂ ମାତୃଭାଷା ପରି ସମ୍ୱାଦପତ୍ର ପ୍ରକାଶନ କରୁଥିବା କଟକର କର ପରିବାର ସହିତ ଘନିଷ୍ଠ ସମ୍ପର୍କ ଥିଲା। ବିଶେଷ କରି ମାତୃଭାଷାର ପ୍ରତିଷ୍ଠାତା ସ୍ୱର୍ଗତଃ ବିକାଶ କରଙ୍କ ମାଆ ଶ୍ରୀମତୀ ରମା କରଙ୍କ ସହିତ ତାଙ୍କର ମିତ୍ରତା ଥିଲା। ଶ୍ରୀମତୀ ରମା କରଙ୍କୁ ଆମ୍ଭେ ମାଆ ବୋଲି ସମ୍ୱୋଧନ କରିଆସୁଛୁ। ସେହି କାରଣରୁ ମାତୃଭାଷାର ସାମ୍ୱାଦିକ ଭାବରେ ନନ୍ଦିନୀ ଦେବୀଙ୍କ ସହିତ ଆମର ପରିଚୟ ଥିଲା। ଏକଦା ଆମ୍ଭେ ତାଙ୍କୁ ମାଡାମ୍ ସମ୍ୱୋଧନ କରିବାରୁ ସେ ବିରକ୍ତି ପ୍ରକାଶ କଲେ। ଆମ୍ଭେ ଟିକେ ଡରିଯାଇ ମାଉସୀ ଡାକିବି କି କହିବାରୁ ସେ ଶ୍ରୀମତୀ ରମା କରଙ୍କୁ ଚାହିଁ ସାମାନ୍ୟ ସ୍ମିତହାସ୍ୟ ଦେଲେ। ସେହି ନନ୍ଦନୀ ମାଉସୀଙ୍କ ପୂଣ୍ୟତିଥିରେ ଆମର ଶତକୋଟି ଭୂମି ପ୍ରଣାମ ଓ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି। ସାମ୍ୱାଦିକ ମୋ : ୯୪୩୭୦୦୭୨୦୦

Share :