ପାଞ୍ଚ କଥା, ପାଞ୍ଚ ବ୍ୟଥା

ପାଞ୍ଚ କଥା, ପାଞ୍ଚ ବ୍ୟଥା

Share :

ସୂର୍ଯ୍ୟମଣି ମିଶ୍ର ୧. ଜଳବାୟୁ ବିଶେଷଜ୍ଞ ଏବଂ ବାଦଲ ମୌସୁମୀ ଏବଂ ଜଳବାୟୁ ଭବିଷ୍ୟବାଣୀ କରୁଥିବା ପରିଚିତ ବ୍ୟକ୍ତିତ୍ୱ ଡଃ ଦାମବାବୁ ଟିଭିରେ ନିଜ ଚେହେରାକୁ ଦେଖାଇବା ଚକ୍କରରେ ବାଦଲ ଗତି କେଉଁ ଅଞ୍ଚଳରେ ସ୍ୱଳ୍ପ ଅଛି, କେଉଁଠି ମଧ୍ୟମ ଏବଂ ଅନ୍ୟ କେଉଁଠି ପ୍ରବଳ ବର୍ଷା ହେବ ତାହାର ସୂଚନା ଦେଉଥାନ୍ତି। ବାଦଲ ଶୁଣିଲା ଏହି ଭବିଷ୍ୟବାଣୀକୁ ଏବଂ ନିଜ ରାସ୍ତା ବଦଳାଇବାକୁ ନିଷ୍ପତ୍ତି ନେଲା। ଭୋଟ ପୂର୍ବରୁ ଶାସକ ଦଳର ନେତା ବୀର ପ୍ରତାପ ଏବଂ ବିରୋଧୀ ଦଳ ନେତା ଭାନୁପ୍ରତାପ ଯେପରି ରଣନୀତି ବଦଳାଇଥାନ୍ତି। ଭବିଷ୍ୟବାଣୀ ବିଶେଷଜ୍ଞର ଥାଏ ପୂର୍ବ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା, ବାଦଲ ତା’ର ଗତି ବଦଳାଇ ଉତ୍ତର ଓଡ଼ିଶାରେ ବର୍ଷା କରାଇଲା। ବାଦଲର ଏପରି ଜନବିରୋଧୀ ଏବଂ ବିଶେଷଜ୍ଞ ଭବିଷ୍ୟବାଣୀ ବିରୋଧୀ କାର୍ଯ୍ୟ ଦେଖି ଇନ୍ଦ୍ରପୁରରେ ସଭା ଅନୁଷ୍ଠିତ ହେଲା। ଇନ୍ଦ୍ରଙ୍କ ଦୂତ ମର୍ତ୍ତ୍ୟକୁ ଆସିଲେ। କିନ୍ତୁ ବାଦଲ କଣ୍ଟ୍ରୋଲ୍ ହେବା ପାଇଁ ସିଧା ମନାକରିଦେଲା। ପୂର୍ବାନୁମାନକୁ ଭୁଲ ବୋଲି ପ୍ରମାଣିତ କରିବାକୁ ସେ ନେଇଥିବା ନିଷ୍ପତ୍ତି ସଂପର୍କରେ ଇନ୍ଦ୍ର ଦୂତଙ୍କୁ ଜଣାଇଦେଲା। ଇନ୍ଦ୍ରପୁରର ନିଷ୍ପତ୍ତି ଅନୁଯାୟୀ ପବନ ବାଦଲକୁ ଟାଣିବାରୁ ବାଦଲ ନିରୁପାୟ। ମା ସମୁଦ୍ର ପୁତ୍ରର ଏଭଳି ଏଭଳି ଦୁଃଖ ଦେଖି ସହି ପାରିଲା ନାହିଁ। ପୁଅ ପାଇଁ ମୁମ୍ୱାଇରେ ରୁଟି ସେକୁଥିଲା। କିନ୍ତୁ ପବନ ଓଡ଼ିଶା ଆଗକୁ ନେଇ ଯାଇଥିବା ଜାଣି ମା ସମୁଦ୍ର କ୍ରୋଧରେ କୂଳ ଲଙ୍ଘିଲା, ଯେପରି ଜାତି-ଧର୍ମ ନାମରେ ଘଟୁଥିବା ଅତ୍ୟାଚାର ବିରୋଧରେ ବିପକ୍ଷ ନେତା ହୁକୁମଚାନ୍ଦ ଲଢ଼ୁଛନ୍ତି। ମା ସମୁଦ୍ର ଖବର ପାଇଲା ପୁଅ ବାଦଲ ତା’ର ପାହାଡ଼ରେ ବାଜି ପଂକଚର ହୋଇଯାଇଛି। ଏଥିପାଇଁ ସେ ଶାସନ କ୍ଷମତାରେ ଥିବା ଦଳର ନେତାଙ୍କୁ ଦାୟୀ କଲା। ପୁଅ ବାଦଲର ପଂକଚର ହୋଇଥିବାରୁ ସେ ସହର ଆଡ଼କୁ କ୍ରୋଧରେ ଆସି ରାଜଧାନୀରେ ବର୍ଷାପାଣିକୁ ଢାଳିଦେଲା। ରାଜଧାନୀ ବୁଡ଼ିଗଲା। ବିରୋଧୀ ଦଳ ନେତା ଏଥିପାଇଁ ଶାସକ ଦଳ ନେତାଙ୍କୁ ଦାୟୀ କଲେ। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଭୁଲ ହେବା ପଛରେ ବିରୋଧୀ ଦଳର ହାତ ଥିବା ଶାସକ ଦଳ ନେତା କାଉଣ୍ଟର୍ କରି କହିଲେ। ବାଦଲ କହିଲା- ହେ ନେତାମାନେ ତୁମର କି ଇନ୍ଦ୍ରଙ୍କର ନିର୍ଦ୍ଦେଶ ପାଳନ କରିବି ନାହିଁ। ମୋ ମା’ ସମୁଦ୍ର ପରିବେଶକୁ ବିଗାଡ଼ିଛ। ମୋତେ ପବନକୁ କହି ପଂକଚର କରିଛ, ମୋ ଚଲାବାଟରେ ଗଛନାହିଁ। ତାକୁ କାଟି ନେଇଛ। ନେତା ଶାସକ ଦଳର ହୁଅନ୍ତୁ କି ବିରୋଧୀ ଦଳର ସବୁ ଗୋଟିଏ ଭାଡ଼ିର ପାରା। ନିଜ କ୍ଷମତାକୁ ଜାହିର କରିବା ପାଇଁ ଏବଂ ସୁଖରେ ରହିବା ପାଇଁ ମର୍ତ୍ତ୍ୟର ସାମାଜିକ, ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛ। ପରିବେଶକୁ ନଷ୍ଟ କରିଦେଲଣି। ମୁଁ ଚେତିଲି, ଏହାପରେ ପବନ - ତା’ପରେ ମୋ ମାଆ ଯେଉଁଦିନ ତୁମ ଜନବିରୋଧୀ, ପରିବେଶ ବିରୋଧୀ କାର୍ଯ୍ୟକୁ ଜାଣିବେ, ସେହିଦିନ ତୁମ ନେତାପଣରେ ଠୁକୁଲ୍ ପକାଇଦେବି। ବାଦଲର କ୍ରୋଧକୁ ଦେଖିପାରିଲେ ଜଳବାୟୁ ବିଶେଷଜ୍ଞ। କହିଲେ ବାଦଲ ତୁମେ କ୍ରୋଧାନ୍ୱିତ ହୁଅନି। ବାଦଲର ଉତ୍ତର ଥିଲା- ଠିକ୍ ଅଛି, ତୁମ ନେତାଙ୍କୁ କୁହ, ସେ ନୀତି ବଦଳାନ୍ତୁ। ଲୋକ ହିତରେ, ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ। ମୋ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରି ଏକଛତ୍ରବାଦୀର ପରିଚୟ ଦିଅନ୍ତୁ ନାହିଁ। ପାଣିପାଗ ବିଶେଷଜ୍ଞ କହିଲେ ବାଦଲ ଖୁବ୍ ଶୀଘ୍ର ନେତା ପରିବର୍ତ୍ତନ ହେବାକୁ ଯାଉଛି। ତୁମେ କ୍ରୋଧାନ୍ୱିତ ହୁଅନି। ବାଦଲ ପୁଣିଥରେ ଜନସ୍ୱାର୍ଥ ରକ୍ଷା ପାଇଁ ନେତାଙ୍କ ନୀତି ପରିବର୍ତ୍ତନ ପାଇଁ ଆହ୍ୱାନ ଜଣାଇ ରହିଲେ। ୨. ଭିଡ଼ ଓ ସୈତାନ କଥୋପକଥନ ସୈତାନ ଉବାଚ - ମୁଁ ବ୍ୟାଙ୍କରୁ ଲୁଟି ନେଲି। କଳକାରାଖାନାକୁ ମାନ୍ଦା କରିଦେଲି। ଜମିକୁ କଂକ୍ରିଟ୍ କରିଦେଲି। ଶିକ୍ଷାକୁ ନଷ୍ଟ କରିଦେଲେି। କୃଷକଙ୍କୁ ଶ୍ରମିକ କଲି, ତୁମେ ଭିଡ଼ ପକୋଡ଼ା ତିଆରି କର। ଭିଡ଼ ଉବାଚ - ଆମ୍ଭେ ବାୟୁଯାନ ନିର୍ମାଣ କରିପାରୁ। ପରମାଣୁକୁ ସୂକ୍ଷ୍ମରୁ ସୂକ୍ଷ୍ମତର ଗତିରେ ଭେଦ କରିପାରୁ। ମେସିନ୍ ଚଳାଇବାର କୌଶଳ ଜାଣିଛୁ, ମାଟିରୁ ସୁନା ବାହାର କରିବା ଜାଣିଛୁ। ତେବେ ପକୋଡ଼ା ତିଆରି ପାଇଁ ନିର୍ଦ୍ଦେଶ କାହିଁକି? ସୈତାନ ଉବାଚ - ମୋର ମଦ ସହ ପକୋଡ଼ା ଦରକାର। ତୁମେ ବଂଚିବା ପାଇଁ ପକୋଡ଼ା ତିଆରି କର। ଏହି ସମୟରେ ଦେବଦୂତ ପହଞ୍ଚିଲେ। କହିଲେ - ସୈତାନ ଏଭଳି ସମାଜକୁ ନଷ୍ଟ କରିବା ପାଇଁ ଆଗାଅ ନାହିଁ। ନିଜର ଗୃହରୁ ଧର୍ମ ପାଳନ କର। ଏକାକୀ ଜୀବନ ତୁମକୁ ଲମ୍ପଟ ଓ ସୈତାନ କରିଦେଇଛି, ପରିବାର ହିଁ ତୁମକୁ ପବିତ୍ର କରିବ। ଏହା ଶୁଣି ସୈତାନ ଆଖିରୁ ଲୁହ ବୋହିଲା, ସେ ବେହୋସ ହୋଇ ତଳେ ପଡ଼ିଗଲା। ଭିଡ଼ ଏମନ୍ତ ଦୃଶ୍ୟ ଦେଖି ସ୍ଥାନ ଛାଡ଼ି ପଳାଇଲା। ୩. ଧର୍ମଗଡ଼ର ଗଡ଼ବଡ଼ ଖବର ସାରା ଧର୍ମଗଡ଼ ହାଟ-ବାଟ, ସାହି-ବସ୍ତି-ଗାଁ-ସହରର ସବୁଠି ଗଡ଼ବଡ଼ ଖବର ପ୍ରସାରିତ। ଗଡ଼ର ପ୍ରଧାନ ମନ୍ତ୍ରୀ ହେଉ ହେଉ ରାଜା ହେବା ପାଇଁ ମନ ବଳାଇଥିବା ବେଳେ ଗଡ଼ର ପପୁରାଜା ମହାରାଜା ହେବେ। ଗଡ଼ର ପ୍ରଧାନ ମନ୍ତ୍ରୀଙ୍କୁ ରାଜା କରାଇ ଦେବେନି ବୋଲି ଭାଟ୍ଟଙ୍କ ତୁଣ୍ଡ ଜରିଆରେ ପ୍ରଚାର କରିଛନ୍ତି। ଧର୍ମଗଡ଼ର ପ୍ରଧାନ ମନ୍ତ୍ରୀ ରାଜା ହେବା ପାଇଁ ରାଜା ପପୁଙ୍କ ପ୍ରଜା ବିରୋଧୀ କ୍ରିୟାକର୍ମ, ହାବଭାବର ପ୍ରଚାର କରାଇ ଥିଲେ। ପପୁ ରାଜାଙ୍କ ସେନାରୁ ଅନେକଙ୍କୁ ଆମଦାନୀ କରି ସେ ରାଜା ହେବେ। ସେମାନଙ୍କୁ ମନ୍ତ୍ରୀ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରାଜା ପପୁ ସ୍ୱଳ୍ପଭାଷୀ, ମିଷ୍ଟଭାଷୀ, ଅହଂକାରଶୂନ୍ୟ, ପ୍ରଜାବତ୍ସଳ, ପ୍ରଜାଙ୍କ ଦୁଃଖରେ ଆଖିରୁ ଲୁହ ବୁହାନ୍ତି। ନିଜେ କପଟି ନହେଲେ କ’ଣ ହେବ ଡଜନେ କପଟୀଙ୍କୁ ପାଖେ ପାଖେ ରଖିଛନ୍ତି। ଲୋକଭାଷା ନିଜେ ଜାଣିନଥିଲେ ହେଁ ଦୁଇ ଡଜନ ଭାଷା ପଣ୍ଡିତଙ୍କୁ ନିଯୁକ୍ତି ଦେଇଛନ୍ତି। ଜ୍ଞାନି, ମାନୀ, ଧନୀ, ଦାନୀ ନହେଲେ କ’ଣ ବ୍ରହ୍ମାଣ୍ଡର ୨୯ ରାଜାଙ୍କ ମଧ୍ୟରେ ଲୋକପ୍ରିୟତାରେ ନମ୍ୱର ୱାନ୍। ନିଜର ମନ୍ତ୍ରୀ, ଯନ୍ତ୍ରୀ, ତନ୍ତ୍ରୀ, ପଣ୍ଡିତ ସୈନିକ ଲୋକଙ୍କୁ ଧନୀ କରାଇ ଦେବାକୁ କହି କିଛି ଖାଇଛନ୍ତି। କିଛି ପାହାଡ଼, ଜଙ୍ଗଲ, ପାଣି, ଚାଷକ୍ଷେତର ଉତ୍ପାଦିତ ସାମଗ୍ରୀକୁ ଖାଇ ତାଙ୍କୁ ବଦନାମ କରିଛନ୍ତି। ଧର୍ମଗଡ଼ର ପ୍ରଧାନ-ମନ୍ତ୍ରୀ ତାଙ୍କ ଶାସନକୁ କଳଙ୍କିତ- ଲୁଟିଖିଆ, ମାରିଖିଆ, ଶାସନ ବୋଲି ଚିତ୍ର ଦେଖାଇ ଲୋକଙ୍କ ଆଗରେ ଚିତ୍ରଣ କରିଥିଲେ ହେଁ ପପୁ ରାଜା ଲୋକବଶୀକରଣ ମନ୍ତ୍ର ଏବଂ ପ୍ରୟୋଗର ସୂତ୍ର ଜାଣିଛନ୍ତି। ଧର୍ମଗଡ଼ର ପ୍ରଜାକୂଳ ଭୋକରେ-ଦୁଃଖରେ ଥିଲେ ହେଁ ପପୁ ରାଜାଙ୍କ ମୁହଁ ଦେଖିଲାମାତ୍ରେ ସମ୍ମୋହିତ ହୋଇଯାଆନ୍ତି। ସହଜରେ ପପୁ ରାଜାଙ୍କୁ ଜଣା ରାଜା ପଦ ପାଇଁ ଆଶାୟୀଙ୍କୁ କିପରି ଉଚ୍ଚାଟନ କରାଯାଇ ପାରିବ। ଧର୍ମଗଡ଼ର ପ୍ରଧାନ ମନ୍ତ୍ରୀଙ୍କ ପାଖରେ ନା ଅଛି ବଶୀକରଣ-ସମ୍ମୋହନ ମନ୍ତ୍ର ନା ଜାଣିଛନ୍ତି ସୂତ୍ର। ତେଣୁ ସବୁଠି ପପୁରାଜାଙ୍କ ଜୟ ଜୟକାର ଶୁଣୁଛନ୍ତି। ଯାହା ଧର୍ମଗଡ଼ର ପ୍ରଧାନ ମନ୍ତ୍ରୀଙ୍କ ପାଇଁ ଦୃଶ୍ୟକଟୁ-କର୍ଣ୍ଣକଟୁ ହୋଇଛି। ବ୍ରହ୍ମ ବିଗିଡ଼ିଗଲା, ନିଳାଦ୍ରୀବିଜେରୁ ଚାବି ହଜିଗଲା। ମୋଟ ପ୍ରଜାଙ୍କ ମଧ୍ୟରୁ ୮୦ ଭାଗ ପ୍ରଜାଙ୍କ ଅବିକଶିତ ଜୀବନ ସମସ୍ୟାକୁ ନେଇ ରାଜା ପପୁ ଅପାରଗତା ଏବଂ ବିଫଳତାକୁ ଦାୟୀ କରିଥିଲେ ହେଁ ବ୍ରହ୍ମାଣ୍ଡ ମହାରାଜା ଗୋପନରେ ପପୁରାଜାଙ୍କ ସହ ସଂପର୍କ ରଖିଛନ୍ତି। ପପୁରାଜା ଯେ ପ୍ରଜାବତ୍ସଳ, ସେନେଇ ମହାରାଜାଙ୍କ ନିର୍ଦ୍ଦେଶରେ ପପୁରାଜାଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି। ପପୁରାଜା ଜନ୍ମରୁ ମରଣଯାଏ କାହିଁ କେତେ ନାମରେ ପ୍ରଜାଙ୍କୁ ଦାନ ଦେଉଛନ୍ତି ତାହାର ହିସାବ ରଖିପାରୁନାହାନ୍ତି ଧର୍ମଗଡ଼ର ପ୍ରଧାନ ମନ୍ତ୍ରୀ। ପପୁରାଜା ପ୍ରଜାଙ୍କ ହୃଦୟ ଜିତିଛନ୍ତି। କିନ୍ତୁ ପ୍ରଧାନ ମନ୍ତ୍ରୀ ନିଜ ଘର ଲୋକଙ୍କ ହୃଦୟ ଜୟକରି ପାରିନାହାନ୍ତି। ପରିବାର ଲୋକ ଅଜୟ-ବିଜୟ-ପ୍ରତାପ-କୃଷ୍ଣ ନାମଧାରୀ ପ୍ରଧାନ ମନ୍ତ୍ରୀଙ୍କ ପାଖରେ ରାଜା ହେବାର କଳା ନାହିଁ ବୋଲି ବ୍ରହ୍ମାଣ୍ଡ ମହାରଜା ନରଶ୍ରେଷ୍ଠ ନମୋ-ନମୋଙ୍କୁ ଜଣାଇ ଦେଇଥିବା ପଦ୍ମପୁର ବେତାର କେନ୍ଦ୍ରରୁ ଖବର ମିଳିଛି। ପ୍ରଧାନ ମନ୍ତ୍ରୀ ଜାଣି ସାରିଲେଣି ରାଜା ପପୁଙ୍କୁ ଗାଦିରୁ ହଟାଇ ସେ ରାଜା ହୋଇପାରିବେ ନାହିଁ। କାରଣ ପଦ୍ମପୁର ନିଜ ପରିବାରର ଭାଇଭଉଣୀ ସମସ୍ତଙ୍କ ମୁହଁରେ ପପୁରାଜାଙ୍କ ଜୟଜୟକାର। ଆଉ ବାରବାସର ରାତି ପାହିଲେ, ରାଜା ପୁଣି ପ୍ରଜାଙ୍କ ସମର୍ଥନରେ ରାଜାଭିଷେକ ହେବେ। ସେ ଯେଉଁ ପ୍ରଧାନ ମନ୍ତ୍ରୀ ଅଛନ୍ତି - ଏହି ପଦ ରହିବ କି ଯିବ (ବାର ମାସ ପରେ) ସେନେଇ ଚିନ୍ତାରେ ପ୍ରଧାନ ମନ୍ତ୍ରୀ। କାହିଁ ଯେ କେତେ ତେଲିଆ ମୁଣ୍ଡରେ ତେଲ ଦେଲେଣି, କାହିଁ କେତେ ଯେ ବରିଷ୍ଠ-କନିଷ୍ଠଙ୍କ ମଧ୍ୟରେ ଖାଇବା ବେଳେ ପ୍ରଧାନ ମନ୍ତ୍ରୀଙ୍କୁ ରାଜା ହେବେ ବୋଲି ଆଗରେ କହୁଛନ୍ତି। ରାତି ହେଲେ ସମସ୍ତେ ପପୁ ରାଜାଙ୍କ ଜୟଜୟକାର କରୁଛନ୍ତି। ପଦ୍ମପୁର ନିଜ ଘରକୁ ସଜାଡ଼ି ପାରିନାହାନ୍ତି, ଧର୍ମଗଡ଼ ରାଜ୍ୟକୁ ସମ୍ଭାଳିବେ ବା କିପରି? ଘର ବିଗିଡ଼ି ଯାଇଛି। ଅଧିକ ବିଗିଡ଼ାଇ ଦେଇଛନ୍ତି ନିର-ଅଞ୍ଚଳ ନାମଧାରୀ ଅନ୍ୟତମ ରାଜା ଆଶାୟୀ। ଧର୍ମଗଡ଼ ରାଜ୍ୟର ପ୍ରଧାନ ମନ୍ତ୍ରୀଙ୍କର ଏହା ମଧ୍ୟରେ ମୋହଭଙ୍ଗ ହୋଇଥିବା ତାଙ୍କ ନିଜ ବାସଭବନ ପଦ୍ମପୁରରୁ ଖବର ମିଳିଛି। ୪. ଅପପ୍ରଚାର ପାପ ପୁଲିସ୍ବାବୁ ଏବେ ମୋର ଜଣେ ଫେସ୍ବୁକ୍ ଫ୍ରେଣ୍ଡ୍। ଧର୍ମ-ଜାତି ଦଳ ନାମରେ ମିଛ ପ୍ରଚାର କରୁଛି। ଯେତେ ମନାକଲେ ମାନୁନି। ଆପଣ ତାକୁ ଡରାଇଲେ ସେ ଏହି ମିଛ ପ୍ରଚାର ରାସ୍ତାରୁ ଦୂରେଇଯିବ। ପୁଲିସବାବୁ ଜାଣିଛନ୍ତି - ଏହି ସାଙ୍ଗଜଣକ ମିଛ ପ୍ରଚାର ସୋସିଆଲ୍ ମିଡିଆ ଫେସ୍ବୁକ୍ ଏବଂ ହ୍ୱାଟ୍ସ୍ଆପ୍ରେ ଏପରି କରୁଛନ୍ତି ଯେ ଦୁଇ-ତିନିଜଣଙ୍କୁ ଲୋକ ମିଛଟାରେ ପିଟି ପିଟି ମାରିଦେଇଛନ୍ତି। କାହାକୁ ଗୋହତ୍ୟା ନାମରେ ତ ଆଉ କାହାକୁ ପିଲାଚୋରି ନାମରେ। ପୁଲିସ୍ବାବୁ କହିଲେ ହଁ ମୋ ପାଖରେ ଖବର ଅଛି ଏହି ଭିଡ଼ ହିଂସା ବା ମବ୍ ଲିଚିଙ୍ଗ୍ ସଂପର୍କରେ। ଆଚ୍ଛା ପୁଲିସ୍ବାବୁ ମିଛ ପ୍ରଚାର ତ ପାପ, ଏହା ତ ପାଗଳଙ୍କ କାମ। ପୁଲିସ୍ବାବୁ କହିଲେ - ଏହି ପାପ ଅର୍ଜନ ନିମନ୍ତେ ପରିଶ୍ରମ କରିବାକୁ ପଡେ଼ନି। ଆରେ କୁହତ ଏପରି ଜଣେ କିଏ ମଣିଷ ଅଛନ୍ତି, ଯାହାଙ୍କୁ ତୁମେ ଚିହ୍ନଟ କରିଛ-ଯିଏ ପାପ କରିନାହିଁ, ଆଉ ପାପୀ ନୁହେଁ। କିଏ ଲୁଚିଛପି ପାପ କରୁଛି ତ ଆଉ କିଏ ମୁକ୍ତ ଭାବରେ। ଅବାଧରେ, ପାପରୁ ଦୂରରେ ରହିବା ଭାରି କଷ୍ଟ। ପାପ କରିବାରେ ମଜା ଥାଏ। ମନେପକାଅ ଯେଉଁଦିନ ରାଜନୈତିକ ବାବା ଚ ସ୍ୱାମୀଙ୍କୁ ଜେଲକୁ ନିଆଗଲା, ତା’ପରେ ଦେଶସାରା ଗଣେଶ ମୂର୍ତ୍ତି କ୍ଷୀର ପିଉଛନ୍ତି ବୋଲି ପ୍ରଚାର ହେଲା। ମିଡିଆରେ ପ୍ରଚାର ଚାଲିଲା, ମିଛକୁ ସତ ବୋଲି ପ୍ରଚାର। ଏଭଳି ଅପପ୍ରଚାର ଅପବାଦ ଧର୍ମକୁ ଅଧର୍ମରେ, ଅଧର୍ମକୁ ଧର୍ମରେ ପରିଣତ କରିଦିଏ। ଆଜି ଏଭଳି ଅପବାଦ ଓ ଅପପ୍ରଚାର ଅଧିକ ହୋଇଛି। ଏହା ପଛରେ ରାଜନୈତିକ ବାବା ଏବଂ ରାଜନୈତିକ ନେତା ଅଛନ୍ତି ଯାହା ପ୍ରାଥମିକ ଅନୁସଂଧାନରୁ ଜଣାପଡ଼ିଛି। ଆଚ୍ଛା ପୁଲିସ୍ବାବୁ ଆପଣ ଏସବୁ କ’ଣ କହୁଛନ୍ତି, ବାବା ଓ ନେତା ମଧ୍ୟ ଅପବାଦ ଓ ଅପପ୍ରଚାର କରିଥାନ୍ତି? ତାହାହେଲେ ଏହି ମୋ ଫେସ୍ବୁକ୍, ହ୍ୱାଟ୍ସ୍ଆପ୍ ଗ୍ରୁପ୍ ବନ୍ଧୁ କ’ଣ କେଉଁ ରାଜନୈତିକ ବାବା ଓ ନେତାଙ୍କର ଅନୁଗତ? ପୁଲିସ୍ ବାବୁ କହିଲେ, ଏ ସଂପର୍କରେ ଅନୁସଂଧାନ ଚାଲିଛି। ଏହି ଅପବାଦ-ଅପପ୍ରଚାର ପଛରେ କାରଣ କ’ଣ? ପୁଲିସ୍ବାବୁ କହିଲେ - କ୍ଷମତା, ସୁଖ, ସଂଭୋଗ, ପ୍ରତିଷ୍ଠା। ଓଃ ଘୋର କଳିକାଳ, ବାବା ଓ ନେତା କ’ଣ ଏପରି ପାପୀ ହୋଇପାରନ୍ତି? ୫. ଆଖିମାରିବା ଏକ ରୋଗ! ଟୁଙ୍ଗୁରା ପୋଷ୍ଟ ଅଫିସ୍ କାଉଣ୍ଟର ଆଗରେ ଗଙ୍ଗାଜଳ ପାଇବା ପାଇଁ ଧାଡ଼ିରେ ଛିଡ଼ା ହେଇଥାଏ। ଏହି ଧାଡ଼ିରେ ତାର ପଛରେ ଛିଡ଼ା ହୋଇଥାନ୍ତି ଜଣେ ଅଫିସରଙ୍କର ପତ୍ନୀ। ଟୁଙ୍ଗୁରା କାଉଣ୍ଟର ପାଖକୁ ଯାଇ ଗଙ୍ଗାଜଳ ବୋତଲ ଆଣିବାକୁ ହାତ ବଢ଼ାନ୍ତେ ଅଫିସରଙ୍କ ପତ୍ନୀ ଟୁଙ୍ଗୁରା ହାତ ପାଖରେ ହାତ ରଖି ଆଗେ ଗଙ୍ଗାଜଳ ଆଣିବା ପାଇଁ ଉଦ୍ୟମ କଲେ। ଟୁଙ୍ଗୁରା ମ୍ୟାଡାମ୍ଙ୍କ ହାତକୁ ଠେଲିଦେଇ ଆଗେ ଗଙ୍ଗାଜଳ ଆଣିବା ପାଇଁ ଚେଷ୍ଟାକରି ମ୍ୟାଡାମ୍ଙ୍କ ମୁହଁକୁ ଚାହିଁଲେ। ଏହି ସମୟରେ ଟୁଙ୍କୁରାର ଆଖିର ପଲକ ପଡ଼ିଲା। ଅଫିସରଙ୍କ ପତ୍ନୀ ଜଣକ ଟୁଙ୍ଗୁରା ତାଙ୍କୁ ଆଖିମାରିଚନ୍ତି ବୋଲି ଫୋନ୍ରେ ଜଣାଇବାରେ - ଅଫିସର ପୁଲିସ୍ ପଠାଇଲେ। ଏହି ଦେଶର କେହି ବଡ଼ ଲୋକ ଆଖି ମାରିଦେଲେ ଏହାର ନକଲ ମାରିବାକୁ ରିହର୍ସଲ କରିବାକୁ ଲାଗିପଡ଼ୁଛନ୍ତି। ଚ୍ୟାନେଲ୍ବାଲା ପ୍ରାଇମ୍ ଟାଇମ୍ରେ ପ୍ରଚାର କରୁଛନ୍ତି। ଆଖିମରାର ଗୁରୁତ୍ୱ ଏତେ ଯେ କେରଳର ପ୍ରିୟା ପ୍ରକାଶ ନାମକ ଜଣେ ଯୁବତୀ ଥରୁଟିଏ ଆଖି ମାରିଦେଳେ ଯେ ଗୋଟିଏ ମିନିଟ୍ରେ ୩୨ ଲକ୍ଷ ପରୋକ୍ଷରେ ମିଳିଗଲେ ଏଠି ସଂସଦରେ ଜଣେ ଯୁବକ ଆଖି ମରିଲେ ଯେ ୫୦ କୋଟିରୁ ଅଧିକ ଲୋକ ପ୍ରଭାବିତ ହେଲେ, ଚର୍ଚ୍ଚା କଲେ। ଆଜି ଦେଶରେ ଘୃଣା, ଭେଦଭାବ, କଥାକଥାରେ ଅସହମତ ବାତାବରଣ, ସଂସଦରେ ଜଣେ ଆଉ ଜଣଙ୍କ ମଧ୍ୟରେ ଚାଲିଛି ଆରୋପ ଏବଂ ପ୍ରତ୍ୟାରୋପ, କୁ‹ାଇଥିବା ଲୋକଙ୍କୁ ପ୍ରେମରେ ଯୁବକ ଜଣେ ଆଖି ମରିଦେଲେ ଯେ ମିଡିଆର ଅରବ ଟଙ୍କା ରୋଜଗାର ହେଲ। ଚ୍ୟାନେଲ୍ ତ ତୁ ତୁ ମେଁ ମେଁ ପ୍ରସଙ୍ଗକୁ ପ୍ରସାର କରି ଟିଆର୍ପି ବଢ଼ାଉଛି। ଆଖି ମାରିବା ଏକ କଳା। ଆଖି ମାରିବା କଳା ଟୁଙ୍ଗୁରାକୁ ଜନ୍ମଜାତକରୁ ମିଳିଛି। କିନ୍ତୁ ଆଜି ତା କପାଳ ଖରାପ। ତା ଆଖବ ବଳେ ବଳେ ଫରକେ, ପର୍କିଲା ନା ମ୍ୟାଡାମ୍ଙ୍କୁ ଦେଖି। ମ୍ୟାଡାମ୍ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଚପଲରେ ପିଟିଲେ, ଲାଇନ୍ରେ ଥିବା ଲୋକ ସମସ୍ତେ ଯିଏ ଯେତେ ପାରିଲେ ଗୋଇଠା, ବିଧା ସହ ଜୋତାରେ ମାରିଲେ, ଏହାପରେ ପୁଲିସ୍ ମାରିଳେ। ଗଙ୍ଗାଜଳ ନେଇ ପୁଣ୍ୟ ଅର୍ଜନ କରିବାକୁ ଆସିଥିଲା ଯେ ମାଡ଼ ଖାଇଲା। ଟୁଙ୍ଗୁରା କେତେ କାନ୍ଦିକରି କହିଲେ ଯେ ମୁଁ ମ୍ୟାଡାମ୍ଙ୍କୁ ଆଖିମାରିନି, ଏହାର ମୋର ଜନ୍ମଜାତକ କଳା। ଏ ସଂପର୍କରେ ସାମ୍ୱାଦିକମାନେ ସଂବାଦ ପ୍ରକାଶ କରି ଏହି ଆଖିମରା ଅଭିଯୋଗର ତଦନ୍ତ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ। ଡାକ୍ତରଙ୍କ ପରୀକ୍ଷାରୁ ଜଣାପଡ଼ିଲା ଯେ ଟୁଙ୍ଗୁରା ମ୍ୟାଡାମ୍ଙ୍କୁ ଆଖି ମାରିନାହିଁ। ତା’ର ବଳେ ବଳେ ଆଖି ଫରକେ। ଏହା ତା’ର କଳା ନୁହେଁ ଏକ ରୋଗର ଲକ୍ଷଣ। ଅଭିଯୋଗକାରିଣୀ ମ୍ୟାଡାମ୍ ଡାକ୍ତରଙ୍କ ପରୀକ୍ଷା ରିପୋର୍ଟରୁ ଜାଣିବା ପରେ ଟୁଙ୍ଗୁରାକୁ ମାଡ଼ ଏବଂ ଦଣ୍ଡ ଦେଇଥିବା କାରଣରୁ ଦୁଃଖ ପ୍ରକାଶ କଲେ। ଡାକ୍ତର ରିପୋର୍ଟରୁ ଜଣାପଡ଼ିଲା ଯେ ଟୁଙ୍ଗୁରା ପ୍ରତି ମିନିଟ୍ରେ ୫ ଥରରୁ ଅଧିକ ୪୫ ବର୍ଷ ଧରି ଆଖି ମାରିଛନ୍ତି। ସଂସଦର ଯୁବକ ଏବଂ ଯୁବତୀ ପ୍ରିୟାଙ୍କ ଆଖିମରାର ଡାକ୍ତରୀ ପରୀକ୍ଷା ହେବା ଉଚିତ୍ ବୋଲି ସାମ୍ୱାଦିକ କେତେକ ମତ ଦେଲେ। ଏଭଳି ପରୀକ୍ଷା ହେଲେ ଏହା ଏକ କଳା ନା ରୋଗ ତାହା ସ୍ପଷ୍ଟ ହେବା ସହ ମିଡିଆର ଟିଅର୍ପି ବଢ଼ିବା ସହ ପ୍ରିମିୟମ୍ ଟାଇମ୍ରେ ବଡ଼ ପ୍ରସଙ୍ଗ ହୋଇପାରିବ। ସାମ୍ୱାଦିକ, ଫୋନ୍ : ୯୪୩୮୦୦୬୨୧୫

Share :