୨୨% ସ୍ୱାଭିମାନ!

୨୨% ସ୍ୱାଭିମାନ!

Share :

ନରାଣାଂ ନାପିତ ଧୂର୍ତ୍ତ ପକ୍ଷୀଣାଂ ଚ ବାୟସ । ପଶବେଷୁ ଶୃଗାଳ ଶ୍ଚ କ୍ଷୂଧାର୍ତ୍ତେଷୁ ଧୂର୍ତ୍ତ । ଏ କଥାଟି କେତେ ସତ କେତେ ମିଛ ତାହା ବିଜ୍ଞଲୋକମାନେ ବିଚାର କରିବେ । କିନ୍ତୁ ସଂସ୍କୃତ ସାହିତ୍ୟରେ ଏହା ବହୁ କାଳ ଧରି ପ୍ରଚଳିତ ରହିଛି । ମଣିଷମାନଙ୍କ ମଧ୍ୟରେ ନାପିତମାନେ ଧୂର୍ତ୍ତ । ପକ୍ଷୀମାନଙ୍କ ମଧ୍ୟରେ କୁଆ । ପଶୁମାନଙ୍କ ମଧ୍ୟରେ ଶିଆଳ ଓ କ୍ଷୁଧାର୍ତ୍ତମାନେ ସବୁବେଳେ ଧୂର୍ତ୍ତ । ଧୂର୍ତ୍ତ ଅର୍ଥାତ ଅତି ଚାଲାକ ବା ଅତି ଚତୁର । ଧୂର୍ତ୍ତର ଅନ୍ୟ ଏକ ଅର୍ଥ ହେଲା ଶଠ । କିନ୍ତୁ ବୁଝିହୁଏ ନାହିଁ ନାପିତମାନେ ଯଦି ଚାଲାକ ତେବେ ସେମାନେ ଏତେ ପଛରେ କାହିଁକି? ସେମାନେ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବୋଲି ପଛୁଆ ବର୍ଗରେ ଗଣା ହେଉଛନ୍ତି । କୁଆ ଯଦି ଚାଲାକ ସେ ମଳ କାହିଁକି ଖାଏ? ମରିଥିବା ମଢ଼ ବା ଅନ୍ୟ କାହାର ଉଚ୍ଚିଷ୍ଟ ଭୋଜନ କରିବା କ’ଣ ଶିଆଳର ଚାଲାକି? କ୍ଷୁଧାର୍ତ୍ତ ଯଦି ଧୂର୍ତ୍ତ ସେ କାହିଁକି ଅଇଁଠା ଗୋଟାଏ, ଯା’ ପାର ତାହା ଖାଇଦିଏ? ଓଡ଼ିଆରେ ଗୋଟେ କଥା ଅଛି- ଅତି ଚାଲାକରେ କାଉ ମଳ ଖାଏ । କଥାଟି କାଉଙ୍କ ପାଇଁ ନୁହେଁ, ମଣିଷଙ୍କ ପାଇଁ ପ୍ରଯୁଜ୍ୟ । ଅନେକ ସମୟରେ ଚତୁର ଲୋକମାନେ ବୋକା ପରି କାମ କରିଥାନ୍ତି । ବିଜ୍ଞଲୋକମାନେ ଅଜ୍ଞାନଙ୍କ ପରି କଥା କହିଥାନ୍ତି । ସେହିପରି କାମ କରିଥାନ୍ତି । ଏବେ ଓଡ଼ିଶା ସରକାର ଘୋଷଣା କରିଥିବା ଏକ ଯୋଜନାରୁ ଏହିପରି ଅନେକ ଚତୁର ଓ ବୋକାଙ୍କ ସଂପର୍କରେ ଜାଣିବାକୁ ମିଳୁଛି । ଲୋକଙ୍କର ମଙ୍ଗଳ କରିବା ପାଇଁ ଘୋଷଣା କରାଯାଇଥିବା ଏକ ଯୋଜନା ଲୋକଙ୍କ ହୀନିମାନିଆ ପରିସ୍ଥିତି ସହିତ ସରକାରଙ୍କ ବିଫଳତାକୁ ମଧ୍ୟ ପଦାରେ ପକାଇଦେଇଛି । ବିରୋଧୀମାନେ ଏଇ ଅଭିଯୋଗ କରିଛନ୍ତି । ବିଜ୍ଞଲୋକେ ମଧ୍ୟ ଏଇଆ କହିବେ । ଏବେ ଓଡ଼ିଶା ସରକାର ରାଜ୍ୟର ଆଉ ୩୪.୪୪ ଲକ୍ଷ ଲୋକଙ୍କ ପାଇଁ ନିଜସ୍ୱ ପାଣ୍ଠିରେ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଯୋଜନାଟି ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ କାର୍ଯ୍ୟକାରୀ ହେବ । ଏପରି ଏକ ଯୋଜନା ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କର ଜନ-ଦରଦୀ ଭାବମୂର୍ତ୍ତିର ପରିଚୟ ଦେଇଛନ୍ତି । ସେ ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହିପରି ଅନେକ ଜନ ମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟ ରାଜନୀତିରେ ବହୁ ନେତା ଲୋକମାନଙ୍କୁ ୨ ଟଙ୍କିଆ ଚାଉଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ବି ତାହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର । ୨୦୦୮ ମସିହାରେ ତାଙ୍କ ନେତୃତ୍ୱରେ ରାଜ୍ୟରେ ୨ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ପରିବାର ପିଛା ମାସିକ ୨୫ କିଲୋଗ୍ରାମ ଚାଉଳ ମିଳୁଥିଲା । ପରେ କେନ୍ଦ୍ର ସରକାର ୨୦୧୩ ମସିହାରେ ସମଗ୍ର ଦେଶ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କଲେ । ଏହି ଯୋଜନା ଅଧୀନରେ ମୁଣ୍ଡ ପିଛା ୫ କିଲୋଗ୍ରାମ ଚାଉଳ ଓ ଅଟା ଆଦି ଶସ୍ୟ ମିଳିଲା । ଓଡ଼ିଶାରେ ଏବେ ୮୬.୧୮ ଲକ୍ଷ ପରିବାର ବା ୩.୨୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ଲୋକସଂଖ୍ୟା ୪.୧୯ କୋଟି । ଏହାର ୭୮ ପ୍ରତିଶତ ବା ସର୍ବାଧିକ ୩.୨୬ କୋଟି ଲୋକଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାର ସାରା ଦେଶରେ ଏହି ଯୋଜନା ୨୦୧୩ ମସିହାରେ ଆରମ୍ଭ କରିଥିଲେ ହେଁ ଓଡ଼ିଶା ସରକାର ୨୦୧୫ ଡିସେମ୍ବର ମାସରେ ରାଜ୍ୟରେ ଏହା ଲାଗୁ କଲେ । କିନ୍ତୁ ୨୦୧୭ ମସିହାରୁ ରାଜ୍ୟ ସରକାର ଗୋଟେ ଦାବି କରି ଆସୁଛନ୍ତି ଯେ ୨୦୧୧ ପରେ ରାଜ୍ୟର ଜନସଂଖ୍ୟା ବୃଦ୍ଧି ପାଇଛି । ୨୦୧୧ ଜନଗଣନା ହିସାବରେ ରାଜ୍ୟର ଜନସଂଖ୍ୟା ବୃଦ୍ଧି ହାର ହେଉଛି ୧୪ ପ୍ରତିଶତ । ଏଇ ହିସାବରେ ୨୦୧୮ ସୁଦ୍ଧା ରାଜ୍ୟର ଜନସଂଖ୍ୟା ୧୦.୨୨ ପ୍ରତିଶତ ବୃଦ୍ଧି ପାଇ ୪.୬୨ କୋଟିରେ ପହଞ୍ଚିଛି । କେନ୍ଦ୍ର ସରକାର ରାଜ୍ୟର ୭୮ ପ୍ରତିଶତ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷଧାର୍ଯ୍ୟ କରିଥିବାରୁ ୪.୬୨ କୋଟିର ୭୮ ପ୍ରତିଶତ ହେବ ୩.୬୦ କୋଟି । ଏଣୁ କେନ୍ଦ୍ର ସରକାର ଏହି ବର୍ଦ୍ଧିତ ଜନସଂଖ୍ୟା ପାଇଁ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କଠାରେ ଦାବି କରି ଆସିଛନ୍ତି । ମାତ୍ର କେନ୍ଦ୍ର ସରକାର ଏହି ଦାବି ଗ୍ରହଣ ନକରିବାରୁ ଏବେ ସେ ରାଜ୍ୟର ନିଜସ୍ୱ ପାଣ୍ଠିରେ ଏହି ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି । ଏହା ନିଃସନ୍ଦେହ ଯେ ଏହି ଯୋଜନା ଜରିଆରେ ରାଜ୍ୟର ଅନେକ ଲୋକ ଫାଇଦା ପାଇବେ । କେନ୍ଦ୍ର ସରକାର ୩.୨୬ କୋଟି ଓ ରାଜ୍ୟ ସରକାର ୩୪.୪୪ ଲକ୍ଷ ଲୋକଙ୍କୁ ମୁଣ୍ଡ ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଟଙ୍କିକିଆ ଖାଦ୍ୟଶସ୍ୟ ଯୋଗାଇ ସେମାନଙ୍କର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବେ । ମୋଟ ଉପରେ ଦେଖିଲେ ରାଜ୍ୟର ୩.୬୦ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ । କିନ୍ତୁ ସରକାରଙ୍କର ଏହି ନିଷ୍ପତ୍ତି ଦ୍ୱାରା ଏହା କ’ଣ ସାବିତ୍ ହେଉନାହିଁ ଯେ ଏହି ୩.୬୦ କୋଟି ଲୋକଙ୍କର ଖାଦ୍ୟ ନିରାପତ୍ତା ଏଯାଏଁ ବିପନ୍ନ ରହିଛି ବୋଲି? ସ୍ୱାଧୀନତାର ୭୧ ବର୍ଷ ପରେ ଓଡ଼ିଶାର ୭୮ ପ୍ରତିଶତ ଲୋକଙ୍କର ଖାଦ୍ୟ ନିରାପତ୍ତା ବିପନ୍ନ ରହିବା ସରକାରଙ୍କ ପାଇଁ କ’ଣ ଗୋଟେ ଗର୍ବର କଥା? ଏହା କ’ଣ ଏକ ସଫଳତା? ଏଥିପାଇଁ କେବଳ ନବୀନ ପଟ୍ଟନାୟକଙ୍କ ସରକାର ନୁହନ୍ତି । ଏହା ସବୁ ସରକାରର ବିଫଳତା । ସରକାରମାନେ ଦାବି କରୁଛନ୍ତି ବିକାଶ ହେଉଛି । ସମୃଦ୍ଧି ହେଉଛି । ମୁଣ୍ଡ ପିଛା ଆୟ ବଢ଼ୁଛି । ଚାଷ ଉତ୍ପାଦନ ବଢ଼ୁଛି । ଚାଷୀ ଓ ମୂଲିଆଙ୍କ ଆୟ ବୃଦ୍ଧି ପାଉଛି । ସରକାରଙ୍କୁ କୃଷି କର୍ମଣ ପୁରସ୍କାର ମିଳୁଛି । ରାଜ୍ୟରେ ବ୍ୟବସାୟ ବାଣିଜ୍ୟ ବଢ଼ୁଛି । ଶିଳ୍ପ ପ୍ରଗତି ତ୍ୱରାନ୍ୱିତ ହେଉଛି । ରାଜ୍ୟର ରାଜସ୍ୱ ଆଦାୟ ବହୁଗୁଣିତ ହେଉଛି । ବଜେଟ କଳେବର ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି । ଏହା ସତ୍ତେ୍ୱ ଓଡ଼ିଶାର ୭୮ ପ୍ରତିଶତ ଲୋକ କାହିଁକି ଶସ୍ତା ଚାଉଳ ଉପରେ ନିର୍ଭରଶୀଳ ହେବେ? ସେମାନେ କାହିଁକି ବାକି ୨୨ ପ୍ରତିଶତ ଲୋକଙ୍କ ପରି ନିଜ ରୋଜଗାରରେ ଖୋଲା ବଜାରରୁ ଉନ୍ନତ ମାନର ଚାଉଳ କିଣି ଖାଇବେ ନାହିଁ? ଦାମୀ ଚାଉଳ ଉପରେ କ’ଣ ଏହି ୨୨ ପ୍ରତିଶତଙ୍କର ଅଧିକାର ରହିବ? ଏହା କ’ଣ ସାର୍ବଜନୀନ ସ୍ୱାଭିମାନ ଓ ସମୃଦ୍ଧିର କଥା? ସରକାରଙ୍କ ହାତଟେକାରେ ବଞ୍ଚିବା କେଉଁ ସମ୍ମାନର କଥା? ଏଠି ବୋକା କିଏ? ଚାଲାକ କିଏ? ସରକାର ହୁଏତ ଏକ ଜନମଙ୍ଗଳ ରାଷ୍ଟ୍ରର କର୍ତ୍ତବ୍ୟ ପାଳନ କରିବା ପାଇଁ ଭୋକିଲା ଲୋକଙ୍କ ନିମନ୍ତେ ଏଭଳି ଖାଦ୍ୟ ନିରାପତ୍ତା ଯୋଜନା ପ୍ରଚଳନ କରୁଛନ୍ତି । ଅନେକ ସମୟରେ ଏଭଳି ଜନ ମଙ୍ଗଳ ଯୋଜନା ଜନ ତୋଷଣ ଯୋଜନା ଭାବେ ମଧ୍ୟ ସମାଲୋଚିତ ହୋଇଥାଏ । ବିଭିନ୍ନ ଜନଗୋଷ୍ଠୀର ଭୋଟ ହାସଲ କରିବାକୁ କ୍ଷମତାସୀନ ଦଳଗୁଡ଼ିକ ଏଭଳି ଅନେକ ଯୋଜନା କରିଥାନ୍ତି । ମାତ୍ର, ଜନତା ନିଜର ସ୍ୱାଭିମାନ ହରେଇବାକୁ ଏତେ ଆଗ୍ରହୀ କାହିଁକି? ଐର ଖାରବେଳ, ମଧୁସୂଦନ ଦାସ ଓ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ପାଇଁ ଏଇଭଳି ସ୍ୱାଭିମାନ ଓ ସମୃଦ୍ଧିର ସ୍ୱପ୍ନ ଦେଖିଥିଲେ କି?

Share :