ଗଙ୍ଗାଜଳ ପବିତ୍ର ନୁହେଁ!

ଗଙ୍ଗାଜଳ ପବିତ୍ର ନୁହେଁ!

Share :

ଉତ୍ତର ପ୍ରଦେଶର ହରିଦ୍ୱାର ଓ ଉନ୍ନାଓ ମଧ୍ୟରେ ଗଙ୍ଗା ନଦୀର ଜଳ ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ ହୋଇସାରିଛି । ଏଥିନେଇ ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ସବୁଜ ଅଦାଲତ ବା ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ । ଗଙ୍ଗାନଦୀକୁ ଭାରତୀୟ ଲୋକମାନେ ମା’ ବୋଲି ମାନିଥାନ୍ତି । ଏହାକୁ ପବିତ୍ର ମନେ କରି ସେଥିରେ ଗାଧୋଇଲେ ସମସ୍ତ ପାପ ମୋକ୍ଷ ହୁଏ ବୋଲି ବିଶ୍ୱାସ କରିଥାନ୍ତି । କିନ୍ତୁ ସେମାନେ ଜାଣି ନାହାନ୍ତି ଯେ ଗଙ୍ଗାରେ ଗାଧୋଇଲେ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ । ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ କହିଛନ୍ତି, ସରଳ ଲୋକମାନେ ଶ୍ରଦ୍ଧା ଓ ସମ୍ମାନ ଦୃଷ୍ଟିରୁ ଗଙ୍ଗାରେ ଗାଧୋଇଥାନ୍ତି ଓ ଏହାର ଜଳ ପାନ କରିଥାନ୍ତି । ସେମାନେ ହୁଏତ ଜାଣନ୍ତି ନାହିଁ ଯେ ଏହା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଯଦି ସିଗାରେଟ ପ୍ୟାକେଟ ଉପରେ ଏହା ପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ଅହିତକର ବୋଲି ସତର୍କ ସୂଚନା ଦିଆଯାଉଛି ତେବେ ଗଙ୍ଗା ନଦୀର ଜଳ ନେଇ ଲୋକମାନଙ୍କୁ ସେପରି କାହିଁକି ସୂଚୀତ କରା ନଯିବ ବୋଲି ଏନଜିଟି ପ୍ରଶ୍ନ କରିଛନ୍ତି । ଏନଜିଟି ଅଧ୍ୟକ୍ଷ ଏ. କେ. ଗୋୟେଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି, ଗଙ୍ଗା ନଦୀ ପ୍ରତି ରହିଥିବା ଅମାପ ଶ୍ରଦ୍ଧା ଓ ସମ୍ମାନ ଦୃଷ୍ଟିରୁ ସରଳ ଲୋକମାନେ ଏହି ନଦୀର ଜଳ ପିଇବା ପାଇଁ ଅନୁପଯୁକ୍ତ ବୋଲି ନଜାଣି ଏଥିରେ ଗାଧୋଇ ପାରନ୍ତି ଓ ଏହାର ଜଳ ମଧ୍ୟ ପାନ କରିପାରନ୍ତି । ଲୋକମାନଙ୍କର ଜୀବନ ପ୍ରତି ଅଧିକାର ଦୃଷ୍ଟିରୁ ଏହି ନଦୀର ଜଳ ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ ବୋଲି ନୋଟିସ ବୋର୍ଡ଼ ମାରିବା ଜରୁରୀ ବୋଲି ଆମେ ମତ ପ୍ରଦାନ କରୁଛୁ । ଏହି ଦୃଷ୍ଟିରୁ ଗଙ୍ଗା ନଦୀ କୂଳେ କୂଳେ ପ୍ରତି ୧୦୦ କିଲୋମିଟର ଦୂରତାରେ ‘ଗଙ୍ଗା ଜଳ ଗାଧୋଇବା ଓ ପିଇବା ପାଇଁ ଅନୁପଯୁକ୍ତ’ ବୋଲି ଉଲ୍ଲେଖଥିବା ନୋଟିସ ବୋର୍ଡ଼ ଲଗାଇବାକୁ ଟ୍ରିବ୍ୟୁନାଲ ଜାତୀୟ ନିର୍ମଳ ଗଙ୍ଗା ଅଭିଯାନ ବା ନେସନାଲ ମିଶନ ଫର କ୍ଲିନ୍ ଗଙ୍ଗା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ମିଶନ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୱେବସାଇଟରେ କେଉଁ କେଉଁ ସ୍ଥାନରେ ଗଙ୍ଗାନଦୀର ଜଳ ଗାଧୋଇବା ଓ ପିଇବା ପାଇଁ ଉପଯୁକ୍ତ ସେ ସଂପର୍କୀତ ସ୍ପଷ୍ଟ ନକ୍ସା ଅପ୍ଲୋଡ଼ କରିବାକୁ ମଧ୍ୟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନେସନାଲ ମିଶନ ଫର କ୍ଲିନ ଗଙ୍ଗା ବା ଏନସିଜିଏମ ପାଇଁ ମଂଜୁର ହୋଇଥିବା ୨୦,୬୦୧ କୋଟି ଟଙ୍କାରୁ ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ୪,୨୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ର ଜଳସଂପଦ ମନ୍ତ୍ରୀ ନିତିନ ଗଡ଼କରୀ ୨୦୧୭ ଅକ୍ଟୋବର ମାସରେ ଘୋଷଣା କରିଥିଲେ ଯେ ୨୦୧୯ ସୁଦ୍ଧା ଗଙ୍ଗାର ନିର୍ମଳତା ନେଇ ଆଖିଦୃଶିଆ ପରିବର୍ତ୍ତନ ଆସିବ । କିନ୍ତୁ ସେହି ଲକ୍ଷ୍ୟ ଏଯାଏଁ ହାସଲ ହୋଇନାହିଁ । ଉତ୍ତରାଖଣ୍ଡରୁ ପଶ୍ଚିମ ବଙ୍ଗ ଯାଏଁ ଗଙ୍ଗା ବହିଥିବା ୧୧ଟି ରାଜ୍ୟରେ ପ୍ରତିଦିନ ହଜାର ହଜାର ଟନ୍ର ମଇଳା ଏହି ନଦୀରେ ଛଡ଼ା ଯାଉଛି । ତାହାର ବିଶୋଧନ କରାଯାଉ ନାହିଁ । ଦେଶର ସବୁଠୁ ବଡ଼ ନଦୀ ହେଉଛି ଗଙ୍ଗା । ଏହା ଦୈର୍ଘ୍ୟ ହେଉଛି ୨୫୦୦ କିଲୋମିଟର । ଏହାର ଅବବାହିକା ଦେଶର ମୋଟ ଜମିର ୨୬% ବା ୮,୬୧,୪୦୪ ବର୍ଗ କିଲୋମିଟର ଏବଂ ଏହା ଉପରେ ୪୩% ଲୋକ ନିର୍ଭର କରନ୍ତି । ଗଙ୍ଗା ବହିଥିବା ମୁଖ୍ୟ ୫ଟି ରାଜ୍ୟ ହେଉଛନ୍ତି ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମ ବଙ୍ଗ । ଏହି ପାଞ୍ଚୋଟି ରାଜ୍ୟ ହିଁ ଗଙ୍ଗା ପ୍ରଦୂଷଣ ପାଇଁ ଅଧିକମାତ୍ରାରେ ଦାୟୀ । ଏହିସବୁ ରାଜ୍ୟର ଅନେକ ପରିମାଣରେ ରାସାୟନିକ ବର୍ଜ୍ୟ, ନର୍ଦ୍ଦମା, ମୃତଦେହ ଏବଂ ମଳ ଗଙ୍ଗାନଦୀରେ ଛଡ଼ାଯାଉଛି ।

Share :