ସାବଧାନ! ବିକ୍ରି ହେଉଛି ଜିଏମ ଖାଦ୍ୟ!

ସାବଧାନ! ବିକ୍ରି ହେଉଛି ଜିଏମ ଖାଦ୍ୟ!

Share :

ଦେଶର ବିଭିନ୍ନ ସ୍ଥାନରେ ବହୁଳ ପରିମାଣରେ ବିକ୍ରି ହେଉଛି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜେନେଟିକାଲି ମଡିଫାଏଡ଼ ବା ଆନୁବଂଶିକ ସଂଶୋଧିତ ଖାଦ୍ୟ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ନୂଆଦିଲ୍ଲୀ ସ୍ଥିତ ଭାରତର ବିଖ୍ୟାତ ଗବେଷଣା ସଂସ୍ଥା ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭିରନମେଣ୍ଟ ବା ସିଏସଇ । ସିଏସଇ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ଏହି ସଂସ୍ଥା ସଂଗ୍ରହ କରିଥିବା ନମୂନା ମଧ୍ୟରୁ ୩୨ ପ୍ରତିଶତ ଖାଦ୍ୟରେ ଜିନ୍ ପରିବର୍ତ୍ତନ ହୋଇଥିବା ପ୍ରମାଣ ମିଳିଛି । ସିଏସଇ ତରଫରୁ ପଞ୍ଜାବ, ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ଓ ଗୁଜରାଟର ବିଭିନ୍ନ ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ୬୫ଟି ଖାଦ୍ୟ ନମୂନା ସଂଗ୍ରହ କରାଯାଇଥିଲା । ଏହା ମଧ୍ୟରେ ବିଦେଶରୁ ଆମଦାନୀ ହୋଇଥିବା ୩୫ ଖାଦ୍ୟ ନମୂନା ଥିବାବେଳେ ଦେଶ ଭିତରେ ଉତ୍ପାଦିତ ହୋଇଥିବା ଖାଦ୍ୟର ୩୦ ନମୂନା ଥିଲା । ଏସବୁ ପରୀକ୍ଷା କରିବା ପରେ ଜଣାପଡ଼ିଛି ଯେ ଏହିସବୁ ନମୂନାର ୩୨ ପ୍ରତିଶତ ଖାଦ୍ୟର ଜିନ୍ ପରିବର୍ତ୍ତନ ବା ସଂଶୋଧନ କରାଯାଇଛି । ଆମଦାନୀ ଖାଦ୍ୟରେ ଏହି ହାର ହେଉଛି ୮୦ ପ୍ରତିଶତ । ପରୀକ୍ଷାରୁ ଜଣାପଡ଼ିଛି ଯେ ବଜାରରେ ମିଳୁଥିବା ଶିଶୁ ଖାଦ୍ୟ, ଖାଦ୍ୟ ତୈଳ ଓ ପ୍ୟାକେଟ ସ୍ନାକ୍ସ ଆଦି ଜିଏମ ପଜିଟିଭ ଅର୍ଥାତ ଏସବୁ ଖାଦ୍ୟ ଜିନ୍ ପରିବର୍ତ୍ତିତ ଫସଲରୁ ପ୍ରସ୍ତୁତ କରାଯାଇଛି । ଏସବୁ ଖାଦ୍ୟ ଆମେରିକା, କାନାଡ଼ା, ନେଦରଲାଣ୍ଡ୍ସ, ଥାଇଲାଣ୍ଡ ଓ ସଂଯୁକ୍ତ ଆରବ ଅମିରାତରୁ ଆମଦାନୀ ହୋଇ ଆସୁଛି । ଏସବୁ ଖାଦ୍ୟର ମୁଖ୍ୟ ଅଂଶ ହେଉଛି ସୋୟା, କପାମଞ୍ଜି, ମକା ଓ ରାଇ ସୋରିଷ । ଏଗୁଡ଼ିକ ପୃଥିବୀ ସାରା ଜିନ୍ ପରିବର୍ତ୍ତିତ ଫସଲ ଭାବେ ଜଣାଶୁଣା । ଏ ସଂପର୍କରେ ସିଏସଇ ମହାନିର୍ଦ୍ଦେଶକ ସୁନୀତା ନାରାୟଣ କୁହନ୍ତି, ‘ଭାରତ ଜିଏମ ଖାଦ୍ୟ ଆମଦାନୀକୁ ଅନୁମତି ଦେଇ ନାହାନ୍ତି ବୋଲି ଆମ ସରକାର ଦାବି କରନ୍ତି । ତେବେ ଏସବୁ ଦେଶକୁ ଆସୁଛି କେମିତି? ଆମେ ବୁଝୁଛୁ ଆଇନରେ ସମସ୍ୟା ନାହିଁ, ନିୟନ୍ତ୍ରଣକାରୀ ସଂସ୍ଥା ହିଁ ସମସ୍ୟା ।’ ସଂସ୍ଥାର ଉପ ମହାନିର୍ଦ୍ଦେଶକ ଚନ୍ଦ୍ର ଭୂଷଣ କୁହନ୍ତି, ‘ଭାରତରେ ବେଆଇନ ଘୋଷିତ ଜିଏମ ଖାଦ୍ୟ ମିଳୁଥିବା ନେଇ ଆମେ ଅନେକ କଥା ଶୁଣିବା ପରେ ପ୍ରକ୍ରିକୃତ ଖାଦ୍ୟ ନମୂନା ପରୀକ୍ଷା କରି ଏହାର ସତ୍ୟାସତ୍ୟ ଜାଣିବାକୁ ଆମେ ଚେଷ୍ଟ କରିଛୁ । ପରୀକ୍ଷାରୁ ଭାରତ ବଜାରେ ଏତେ ପ୍ରକାରର ଜିଏମ ପରିବର୍ତ୍ତିତ ଖାଦ୍ୟ ମିଳୁଥିବା ଜାଣିବା ପରେ ଆମେ ଚକିତ ହୋଇଯାଇଛୁ । ଏଥିପାଇଁ ନିୟନ୍ତ୍ରକ ସଂସ୍ଥା ହିଁ ଦାୟୀ । ଫୁୁଡ଼ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ ବା ଏଫଏସଏସଏଆଇ କାଗଜପତ୍ରରେ ଜିଏମ ଖାଦ୍ୟ ନିଷିଦ୍ଧ କରିଛି । କିନ୍ତୁ ଏହାର ବିକ୍ରି ବନ୍ଦ କରିବାରେ ସଫଳ ହୋଇନାହିଁ ।’ ଭାରତୀୟ ଆଇନ ଅନୁସାରେ ଏଫଏସଏସଏଆଇର ବିନା ଅନୁମୋଦନରେ ଜିଏମ ଖାଦ୍ୟର ଉତ୍ପାଦନ, ବିକ୍ରି ଓ ଆମଦାନୀ ଭାରତବର୍ଷରେ ନିଷିଦ୍ଧ । ସିଏସଇ ଅନୁସାରେ ଖାଦ୍ୟ ପ୍ୟାକେଟଗୁଡ଼ିକରେ ଜିଏମ ଖାଦ୍ୟର ଲାବେଲ ନାହିଁ କିମ୍ବା ଏହା ଜିଏମ ଖାଦ୍ୟ ନୁହେଁ ବୋଲି ମିଛରେ ଦାବି କରାଯାଇଛି । ଏ ସଂପର୍କୀତ ଚିଠା ନିୟମ ବି ଦୁର୍ବଳ ବୋଲି ଅଭିଯୋଗ କରିଛି ସିଏସଇ । ସୂଚନାଯୋଗ୍ୟ ଯେ ଆନୁବଂଶିକ ସଂଶୋଧିତ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷତିକାରକ ବୋଲି ବିଶ୍ୱର ଅନେକ ଗବେଷଣାରୁ ଜଣାପଡ଼ିଛି । ଭାରତରେ ମଧ୍ୟ ଜିନ୍ ପରିବର୍ତ୍ତିତ ଫସଲ ଚାଷ ନେଇ ଅନେକ ବିବାଦ ଲାଗି ରହିଛି । ଜିନ୍ ପରିବର୍ତ୍ତତ ଖାଦ୍ୟ ମଣିଷର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରିବା ସହିତ ମୂଳ ଜିନ୍ ବଦଳାଇ ଦିଏ ବୋଲି ବିଜ୍ଞାନ ସମ୍ମତ ରିପୋର୍ଟ ରହିଛି ।

Share :