ଜହ୍ନରେ ଦିନେ ଘର କରିଥିଲେ ଆଲିଏନ୍! ପୃଥିବୀର ନିକଟତମ ପଡ଼ୋଶୀ ହେଉଛି ଜହ୍ନ । ଏହାର ଏକମାତ୍ର ଉପଗ୍ରହ । ସୌର ଜଗତ ସୃଷ୍ଟିର ଆଦି କାଳରେ ସେଠାରେ ଘଟିଥିବା ଉଲ୍କା ବିସ୍ଫୋରଣ ଯୋଗୁଁ ଜହ୍ନରେ ସମ୍ଭବ ହୋଇଥିଲା ବହିର୍ଜାଗତିକ ବା ଅଲୌକିକ ଜୀବନ । ଉଲ୍କା ବିସ୍ଫୋରଣ ଯୋଗୁଁ ସ୍ୱଳ୍ପ କାଳ ପାଇଁ ହେଲେ ବି ଜହ୍ନ ବା ଚନ୍ଦ୍ରରେ ଜୀବନ ସମ୍ଭବ ହୋଇଥିଲା । ଏପରି ଏକ ତଥ୍ୟ ପ୍ରଦାନ କରିଛନ୍ତି ୱାଶିଂଟନ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ବିଶ୍ୱବିଦ୍ୟାଳୟର ଦୁଇ ଜଣ ବୈଜ୍ଞାନିକ । ୱାଶିଂଟନ ଷ୍ଟେଟ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ଜୀବବିଜ୍ଞାନୀ ଡାର୍କ ସ୍କୁଲ୍ଜ-ମାକୁଚ୍ ଏବଂ ଲଣ୍ଡନ ବିଶ୍ୱବିଦ୍ୟାଳୟର ଗ୍ରହ ବିଜ୍ଞାନ ପ୍ରାଧ୍ୟାପକ ଇଆନ୍ କ୍ରଫୋର୍ଡ଼ ମିଳିତ ଭାବେ ଗବେଷଣା କରି ଏ ସଂପର୍କରେ ଏକ ପ୍ରବନ୍ଧ ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ ଆଜିକୁ ପ୍ରାୟ ୪୦୦ କୋଟି ବର୍ଷ ତଳେ ଚନ୍ଦ୍ରପୃଷ୍ଠରେ ସରଳ ଜୀବରୂପ ପାଇଁ ସହାୟକ ସ୍ଥିତି ସମ୍ଭବ ହୋଇଥିଲା । ସେମାନଙ୍କ ମତରେ ୩୫୦ କୋଟି ବର୍ଷ ତଳେ ଚନ୍ଦ୍ରମା ପ୍ରଚୁର ପରିମାଣରେ ଉତ୍ତପ୍ତ ବାଷ୍ଫ ଓ ଜଳକଣା ଉଦଗୀରଣ କରୁଥିଲା । ସେହି ବାଷ୍ଫସବୁ ପରେ ତରଳ ଜଳରେ ପରିଣତ ହୋଇଥିଲେ । ସେହ ଜଳ ଚନ୍ଦ୍ରପୃଷ୍ଠରେ କିଛି କାଳ ରହିଥିଲା ଓ ତାହା ଜୀବନ ସୃଷ୍ଟି ପାଇଁ ସହାୟକ ହୋଇଥିଲା । ଏ ସଂପର୍କରେ ଡାର୍କ ସ୍କୁଲ୍ଜ-ମାକୁଚ୍ କହିଛନ୍ତି, ‘ଯଦି ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣରେ ଜଳ ଏବଂ ବାୟୁମଣ୍ଡଳ ଥିଲା ତେବେ ତାହା କ୍ଷଣକାଳ ପାଇଁ ହେଲେ ବି ଜୀବନ ପାଇଁ ସହାୟକ ଥିଲା ।’ ଚନ୍ଦ୍ର ମଧ୍ୟ ଏକ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ଆଚ୍ଛାଦିତ ଥିଲା । ତାହା ସେଠାରେ ସୃଷ୍ଟି ହୋଇଥିବା ଜୀବସତ୍ତାଗୁଡ଼ିକୁ ସୌର ଝଡ଼ରୁ ସୁରକ୍ଷା ଦେଉଥିଲା । ଆମ ପୃଥିବୀରେ ପ୍ରଥମ ଜୀବସତ୍ତା ସମ୍ଭବ ହୋଇଥିଲା ୩୫୦ କୋଟିରୁ ୩୮୦ କୋଟି ବର୍ଷ ତଳେ । ପୃଥିବୀର ପ୍ରଥମ ଜୀବସତ୍ତା ହେଉଛି ସ୍ୟାନୋବ୍ୟାକ୍ଟେରିଆ ବା ସ୍ୟାନୋଫାଇଟା । ଏହା ଫଟୋସିନ୍ଥେସିସ ଜରିଆରେ ନିଜର ଶକ୍ତି ସଂଗ୍ରହ କରୁଥିଲା । ସ୍ୟାନୋବ୍ୟାକ୍ଟେରିଆରୁ ପରେ ଅମ୍ଳଯାନ ଉତ୍ପନ୍ନ ହୋଇଥିଲା । ସେହି ସମୟରେ ସୌର ବ୍ୟବସ୍ଥାରେ ପ୍ରବଳ ଝଡ଼ ଲାଗି ରହିଥିଲା । ଘନ ଘନ ଉଲ୍କାପାତ ହେଉଥିଲା । ଏହି ଉଲ୍କାପାତ ଜରିଆରେ କିଛି ଜୀବନ ବୋଧହୁଏ ଚନ୍ଦ୍ରପୃଷ୍ଠକୁ ପରିବାହିତ ହୋଇଥିଲା ବୋଲି ଗବେଷକମାନେ ମତ ଦେଇଛନ୍ତି । ବୈଜ୍ଞାନିକ ସ୍କୁଲ୍ଜ-ମାକୁଚ୍ କହିଛନ୍ତି, ‘ଏହି ସମୟରେ ଜହ୍ନ ବାସୋପଯୋଗୀ ଥିଲା । ଜହ୍ନରେ ଥିବା ପୋଖରୀଗୁଡ଼ିକ ଶୁଷ୍କ ଓ ମୃତ ହେବା ଯାଏଁ ସେଥିରେ ସତରେ ମାଇକ୍ରୋବ୍ ରହିଥାଇପାରନ୍ତି ।’ ଏହି ଦୁଇ ବୈଜ୍ଞାନିକଙ୍କର ଏପରି ଅନୁଧ୍ୟାନ ପ୍ରକାଶ ପାଇବା ପରେ ନାସା ଓ ଅନ୍ୟ ମହାକାଶ ଗବେଷଣା ସଂସ୍ଥାଗୁଡ଼ିକର ଚନ୍ଦ୍ର ସଂପର୍କୀତ ଗବେଷଣା ଅଧିକ ପ୍ରଖର ହେବ ବୋଲି ବିଶ୍ୱାସ କରାଯାଏ । ସେହି ସମୟରେ ଚନ୍ଦ୍ରପୃଷ୍ଠରେ ଗଚ୍ଛିତ ଥିବା ବସ୍ତୁ ଓ ପଦାର୍ଥ ଉପରେ ଅଧିକ ଗବେଷଣା କରି ସେଥିରେ ସତରେ ଜୀବସତ୍ତା ସମ୍ଭବ ହୋଇଥିଲା କି ନାହିଁ ତାହା ପ୍ରମାଣିତ କରିବା ଏଣିକି ସମ୍ଭବ ହେବ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରୁଛନ୍ତି ।