ମାଟି ତଳେ ଅକଳଣ ହୀରାର ପାହାଡ଼!

ମାଟି ତଳେ ଅକଳଣ ହୀରାର ପାହାଡ଼!

Share :

ପୃଥିବୀର ଆଭ୍ୟନ୍ତରରେ ଗଚ୍ଛିତ ଅଛି ୧ କ୍ୱାଡ୍ରିଲିଅନ ବା ୧୦ କୋଟି କୋଟି ବା ଏକ ପଦ୍ମ ଟନ୍ର ହୀରା । ଏକ ଅନୁଧ୍ୟାନରୁ ଏହା ଆକଳନ କରିଛନ୍ତି ଏମଆଇଟି ବା ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଦଳେ ବୈଜ୍ଞାନିକ । କିନ୍ତୁ ମଣିଷକୁ ଏବେ ଏହି ହୀରା ପାହାଡ଼ର ଲୋଭ ସମ୍ବରଣ କରିବାକୁ ପଡ଼ିବ । କାରଣ ମାଟିର ଏତେ ତଳେ ଏହା ଅଛି ଯେ ଏବେ ମଣିଷ ସେତେ ତଳକୁ ଖୋଳି ପାରିବ ନାହିଁ! ଆକଳନ ଅନୁସାରେ ଏହା ଭୂପୃଷ୍ଠର ପ୍ରାୟ ୧୫୦ କିଲୋମିଟର ତଳେ ରହିଛି । ଏବେ ଗୋଟେ କ୍ୟାରେଟ ହୀରାର ଦାମ ହେଉଛି ପ୍ରାୟ ୩୦୦୦ ପାଉଣ୍ଡ । ଗୋଟେ ଟନ୍ ହୀରା ହେଉଛି ପ୍ରାୟ ୫ କୋଟି କ୍ୟାରେଟ । ଏହି ହିସାବରେ ଏକ ଟନ୍ ହୀରାର ଦାମ ହେବ ପ୍ରାୟ ୧୫୦ କୋଟି ପଦ୍ମ ବା ୧୫୦ କୋଟି କ୍ୱାଡ୍ରିଲଅନ ପାଉଣ୍ଡ । ଏହି ହିସାବରେ ୧ ପଦ୍ମ ଟନ୍ ହୀରାର ଦାମ କେତେ ହେବ ଗଣନା କରନ୍ତୁ । ଏବେ ଗୋଟେ ବ୍ରିଟିଶ ପାଉଣ୍ଡର ଦାମ ପ୍ରାୟ ୯୦ ଟଙ୍କା । ହୀରା ଗଚ୍ଛିତ ଥିବା ଏହି କ୍ରେଟନ୍ ବା ଓଲଟ ପାହାଡ଼ ଭୂପୃଷ୍ଠର ୧୦୦ ମାଇଲ ବା ପ୍ରାୟ ୧୫୦ କିଲୋମିଟର ତଳେ ରହିଛି । ଏହାର ମୂଳ ରହିଛି ଆଉ ୧୦୦ ମାଇଲ ତଳେ । ଅର୍ଥାତ ଏହି ହୀରା ପାହାଡ଼ର ପାଦଦେଶରେ ପହଂଚିବାକୁ ହେଲେ ମଣିଷକୁ ୨୦୦ ମାଇଲ ବା ପ୍ରାୟ ୩୦୦ କିଲୋମିଟର ଖୋଳିବାକୁ ହେବ । ମିଟ୍ସ ବା ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନଙ୍କର ଆକଳନ ଅନୁସାରେ ଏହି ପାହାଡ଼ର ପାଦଦେଶରେ ପ୍ରାୟ ୧-୨ ପ୍ରତିଶତ ହୀରା ଗଚ୍ଛିତ ରହିଛି । ଏହି ପାହାଡ଼ର ପାଦଦେଶର ଆୟତନ ଓ ବସ୍ତୁତ୍ୱ ଏତେ ଯେ ସେଠାରେ ପ୍ରାୟ ଏକ କ୍ୱାଡ୍ରିଲିଅନ ବା ଏକ ପଦ୍ମ ଟନ୍ ହୀରା ରହିଥିବ ବୋଲି ଆକଳନ କରିଛନ୍ତି ବିଜ୍ଞାନୀ ଦଳ । ସିସ୍ମିକ୍ ତଥ୍ୟରେ ରହିଥିବା କେତେକ ଅସଙ୍ଗତିକୁ ଅନୁଶୀଳନ କରି ମିଟ୍ସର ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି । ଗତ କେତେ ଦଶନ୍ଧି ଧରି ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସେସ୍ମିକ ବା ଭୂକମ୍ପୀୟ ତଥ୍ୟ ରେକର୍ଡ଼ କରିଚାଲିଛନ୍ତି । ଭୂମିକମ୍ପ, ସୁନାମି ଓ ବିସ୍ଫୋରଣ ଆଦି ସମୟରେ ଭୂଗର୍ଭରେ ସୃଷ୍ଟି ହେଉଥିବା ଶବ୍ଦ ତରଙ୍ଗ ସଂପର୍କରେ ଏହି ସଂସ୍ଥା ଯେଉଁ ତଥ୍ୟ ରେକର୍ଡ଼ କରିଛି ତାହାକୁ ମିଟ୍ସ ବୈଜ୍ଞାନିକମାନେ ବର୍ଷବର୍ଷ ଧରି ଅନୁଶୀଳନ କରିଛନ୍ତି । ଏହି ଶବ୍ଦ ତରଙ୍ଗର ଗତି ଓ ଘନତ୍ୱ ଅନୁଶୀଳନ କରି ବୈଜ୍ଞାନିକମାନେ ଭୂକମ୍ପନର କେନ୍ଦ୍ରସ୍ଥଳ କେଉଁଠି ଥିବ ତାହା ଆକଳନ କରିଥାନ୍ତି । କିନ୍ତୁ ଭୂଗର୍ଭର ଏହି ଶବ୍ଦ ତରଙ୍ଗର ଗତି ଓ ଘନତ୍ୱ ଅନୁଶୀଳନ କରିବା ସମୟରେ ବୈଜ୍ଞାନିକମାନେ କେତେକ ଅସଙ୍ଗତି ଲକ୍ଷ୍ୟ କରିଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି ଯେ ପ୍ରାଚୀନ କ୍ରେଟନ ବା ଓଲଟ ପାହାଡ଼ ଦେଇ ଶବ୍ଦ ତରଙ୍ଗ ଗତି କଲାବେଳେ ତାହାର ବେଗ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଛି । ବିଜ୍ଞାନୀଙ୍କ କଳଣାରେ ଏହି କ୍ରେଟନ ବା ଓଲଟ ପାହାଡ଼ର ଆଚ୍ଛାଦନ ଅପେକ୍ଷା କ୍ରେଟନ୍ ଅପେକ୍ଷାକୃତ ଶୀତଳ ଓ ଅଳ୍ପ ଘନତ୍ୱ ବିଶିଷ୍ଟ । ତେଣୁ ଶବ୍ଦ ତରଙ୍ଗ ଏହା ଭିତରେ ଟିକେ ଦ୍ରୁତ ବେଗରେ ଗତି କରେ । ଏହିସବୁ ତଥ୍ୟକୁ ଅନୁଶୀଳନ କରି ମିଟ୍ସ ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ସେସବୁ କ୍ରେଟନ୍ ପାଦଦେଶରେ ପ୍ରଚୁର ପରିମାଣରେ ହୀରା ଗଚ୍ଛିତ ରହିଛି ।

Share :