ଏମାନେ କ’ଣ ଗୋପରେ ବଢ଼ୁଥିଲେ?

ଏମାନେ କ’ଣ ଗୋପରେ ବଢ଼ୁଥିଲେ?

Share :

ସୟଦ ଉସମାନ ଅଲୀ ଓରଫ ଟିଟୋର ଆର୍ଥିକ ଓ ଅପରାଧିକ ସାମ୍ରାଜ୍ୟ ଉପରେ ଏବେ ଓଡ଼ିଶା ଶାସନ କଳ ଘନଘନ ଚଢ଼ାଉ କରୁଛି । ଏସବୁ ଚଢ଼ାଉ ସହିତ ତଦନ୍ତରୁ ଟିଟୋର ଅନେକ ଅବୈଧ ଆର୍ôଥକ କାରବାର ସଂପର୍କୀତ ସୂଚନା ପଦାକୁ ଆସୁଛି । ଆଞ୍ଚଳିକ ଗଣମାଧ୍ୟମରେ ମଧ୍ୟ ଏନେଇ ନିତିପ୍ରତି ବିସ୍ତୃତ ଖବରମାନ ପ୍ରକାଶ ପାଉଛି । ପ୍ରକାଶ ପାଉଥିବା ରିପୋର୍ଟଗୁଡ଼ିକରୁ ସୂଚନା ମିଳୁଛି ଯେ ଟିଟୋ ଇତିମଧ୍ୟରେ ଶହଶହ କୋଟି ଟଙ୍କାର ସଂପତ୍ତି ବେଆଇନ ଭାବେ ଅର୍ଜନ କରିଛି । ତା’ର ଆର୍ଥିକ ଓ ଅପରାଧିକ ସାମ୍ରଜ୍ୟ କେନ୍ଦ୍ରାପଡ଼ାକୁ କେନ୍ଦ୍ର କରି ଯାଜପୁର, ଜଗତସିଂହପୁର କଟକ ଓ ଭୁବନେଶ୍ୱର ଯାଏଁ ପରିବ୍ୟାପ୍ତ । ବାଲିଘାଟ, ପେଟ୍ରୋଲ ପମ୍ପ, ଅଟୋମୋବାଇଲ ସର୍ଭିସ ସେଣ୍ଟର, ଠିକାଦାରି, ଫିଲ୍ମ, ଖଣିଜ କାରବାର ଆଦି ଅନେକ ପ୍ରକାର ବ୍ୟବସାୟ ସହିତ ତା’ର ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତି ଥିବା ରାଜ୍ୟ ପୁଲିସ ଜାଣିବାକୁ ପାଇଛି । କିନ୍ତୁ ପ୍ରଶ୍ନ ହେଉଛି, ରାଜନୀତିକ ଓ ପ୍ରାଶାସନିକ ସମର୍ଥନ, ସହଯୋଗ ଓ ସୁରକ୍ଷା ବିନା କ’ଣ ଟିଟୋ ଏତେବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଛି? ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥା ଜରିଆରେ ଶାସନ କଳର ଉପସ୍ଥିତି ଗାଁ ଗହଳରୁ ଆରମ୍ଭ କରି ସହର ବଜାର ଯାଏଁ ସବୁଠାରେ ଉପଲବ୍ଧ । ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦ ଯାଏଁ ଏସବୁ ସ୍ତରରେ ଲୋକମାନଙ୍କ ସହିତ ଓତଃପ୍ରୋତ ଭାବେ ଜଡ଼ିତ । କର୍ମୀଙ୍କ ଜରିଆରେ ସେମାନେ ସେମାନଙ୍କ ଅଂଚଳର ଟିକିନିଖି ଖବର ପାଉଛନ୍ତି । କିଏ କାହାକୁ ଭୋଟ ଦେଲା ବା ନଦେଲା, କାହାର କେଉଁଦିନ ବାହାଘର, ବ୍ରତଘର, କେଉଁ କ୍ଲବର କେଉଁ ଫଙ୍କସନ୍ କେଉଁଠି, କିଏ କେଉଁଠି ଅତିଥି ହେଉଛି, କିଏ କି ବ୍ୟବସାୟ କରି ଆଖିଦୃଶିଆ ଅର୍ଥ ଓ ସଂପତ୍ତିର ମାଲିକ ହେଲା, କେଉଁ ଠିକାଦାର କାହାକୁ ଧରି ଟେଣ୍ଡର ନେଲା ଆଦି ଅନେକ ଖବର ନେତାମାନଙ୍କ ପାଖରେ ହାଉଜାଉ । ତା’ ଭିତରେ ଟିଟୋମାନଙ୍କ ପରି ଲୋକମାନେ ସମସ୍ତଙ୍କ ଅଜାଣତରେ ଯେ ଏଭଳି ଅପରାଧିକ ଓ ଆର୍ଥିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବେ ତାହା ବିଶ୍ୱାସଯୋଗ୍ୟ ହୁଏ ନାହିଁ । କେବଳ ନେତାମାନେ ନୁହନ୍ତି, ଗଣତନ୍ତ୍ରର ବିସ୍ତାର ସଙ୍ଗେସଙ୍ଗେ ଶାସନ କଳ ମଧ୍ୟ ତୃଣମୂଳ ସ୍ତରରେ ପହଞ୍ଚିସାରିଛି । ପୁଲିସ ଓ ରାଜସ୍ୱ ସମେତ ବିକାଶମୂକଳ ପ୍ରଶାସନର ବହୁମୁଖୀ ଅଙ୍ଗ ଏବେ ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ଉପଲବ୍ଧ । ସରପଞ୍ଚ, ତହସିଲଦାର ଓ ଜିଲ୍ଲାପାଳଙ୍କ ଅଗୋଚରରେ କେହି କେଉଁଠି ବାଲିଘାଟ ନିଲାମ ନେଇପାରିବେ କି? ବିଭିନ୍ନ ବିଭାଗର ଯନ୍ତ୍ରୀମାନଙ୍କ ଅଗୋଚରରେ କେହି କେଉଁଠି ଠିକାଦାରି କରିପାରିବେ କି? ପରିବହନ ବିଭାଗର ଅଧିକାରୀମାନଙ୍କ ଅଜାଣତରେ କେହି ଦାମୀ ଗାଡ଼ି ପଂଜୀକରଣ କରିପାରିବେ ନା ଚଢ଼ି ପାରିବେ? ପୁଲିସର ଅଗୋଚରରେ କୌଣସି ଅପରାଧିକ କାମ ବର୍ଷବର୍ଷ ଧରି ଚାଲିପାରିବ କି? ଯଦି ଏସବୁ ପ୍ରଶ୍ନର ଉତ୍ତର ‘ହଁ’, ତେବେ ବୁଝିବାକୁ ହେବ ଯେ ଏହି ଅଧିକାରୀମାନେ ଅଯୋଗ୍ୟ ବା ଅପାରଗ । କିମ୍ବା ସେମାନେ ଜାଣିଶୁଣି ନିଜନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଛନ୍ତି । ଏମାନେ ନାହିରେ ତେଲ ଦେଇ ଶୋଇପଡ଼ିଛନ୍ତି ହୁଏତ । ତେଣୁ ସେମାନଙ୍କ ମୋହନିଦ୍ରାର ସୁଯୋଗ ନେଇ ଏମିତି ଅବୈଧ କାରବାର ସବୁ ଘଟିଚାଲିଛି । ଲୋକମାନେ ଏମିତି କେତେ ଅନ୍ଧ ଯେ ସେମାନଙ୍କୁ କଂସର ଶିଶୁହତ୍ୟା ସବୁ ଦିଶୁ ନାହିଁ? ଗୋପରେ ବଢ଼ିଛନ୍ତି କି ମଥୁରାର ଅପରାଧୀ? ଅପରାଧୀମାନେ ଚରାଚର ବ୍ୟାପିବା ପରେ କାହିଁକି ସେମାନଙ୍କ ଆଖି ଖୋଲୁଛି? ନେତାମାନେ କ’ଣ କ୍ଷମତା ମୋହରେ ଧୃତରାଷ୍ଟ୍ର ପରି ଅନ୍ଧ ନା ଗାନ୍ଧାରୀ ଭଳି ଆଖିରେ ପଟିଲଗେଇ ବୁଲୁଛନ୍ତି? ଅନୈତିକ ଅର୍ଥ ସଂଗ୍ରହ ଓ ଅପରାଧର ଶକ୍ତି ଯେବେ ଶିଶୁ ଥାଏ ସେତେବେଳେ ଯଦି ପୁଲିସ ଓ ପ୍ରଶାସନ ତାହାର ଗତିରୋଧ କରନ୍ତା ତେବେ ଘଟଣା ଏତେ ଆଗକୁ ବଢ଼ନ୍ତା ନାହିଁ । ବଢ଼ିବାକୁ ସୁଯୋଗ ଓ ସମୟ ପାଆନ୍ତା ନାହିଁ । ନେତା ଓ ବାବୁମାନେ ଲହୁଣି ଖାଇବା ପାଇଁ ଦହି ମନ୍ଥିବା ପରେ ଘୋଳଦହିକୁ ଛାଡ଼ିଦେବା ପରେ ହିଁ ଏଭଳି ଅନେକ ଅପରାଧ ଓ ଭ୍ରଷ୍ଟାଚାରର ସାମ୍ରାଜ୍ୟ ଉପରେ ଚଢ଼ାଉ ହେଉଛିି । କେଉଁଠି କେଉଁଠି ପୁଣି ମାଫିଆ ଓ ଦୁର୍ନୀତିଖୋରମାନଙ୍କର ରାଜନୀତିକ ଗତିବିଧି ବା ପକ୍ଷ ପରିବର୍ତ୍ତନ ଘଟିଲେ ଚଢ଼ାଉ ଓ ତଦନ୍ତ ହେଉଛି । ପାନରୁ ଚୂନ ନଖସିଲା ଯାଏଁ ସବୁ କିଛି ସ୍ୱାଦିଷ୍ଟ ଓ ଲୋଭନୀୟ । ତା’ପରେ ଚୂନର ଦୋଷ ନହେଲେ ପାନର । ପାନ ଭାଙ୍ଗିଲାବାଲାର ମଧ୍ୟ ଦୋଷ ଉଠେ । ଖାଇଲାବାଲାର ଦୋଷ କେହି ଧରନ୍ତିନି । ଏମିତି ଅନେକ ଘଟଣାରୁ ଶାସନ ଓ ପ୍ରଶାସନର ଏଭଳି ଅନେକ ଧୃତରାଷ୍ଟ୍ରଙ୍କ ଭିଡ଼ ଜମିଥିବା ଆଭାସ ମିଳେ । ସେମାନଙ୍କ ଯୋଗୁଁ ଓ ନିମନ୍ତେ ହିଁ ଧଳସାମନ୍ତମାନେ ବଳଶାଳୀ ହୁଅନ୍ତି । ସାରଥୀମାନେ ବାବାବେଶରେ ମିଥ୍ୟା ଓ ଭ୍ରଷ୍ଟାଚାରର ସାମ୍ରାଜ୍ୟ ବିସ୍ତାର କରନ୍ତି । ସୁରବାବାମାନେ ଜମି ଜବରଦଖଲ ଜରିଆରେ ରିୟଲ ଇଷ୍ଟେଟ ବେପାର ବଢ଼ାନ୍ତି । ଟିଟୋ ଓ ହାଇଦରମାନେ ଗ୍ୟାଙ୍ଗଷ୍ଟର ହୋଇଯାଆନ୍ତି । ମହିମା ମିଶ୍ରମାନେ ବିତ୍ତଶାଳୀ ହୁଅନ୍ତି ଓ ଶେଷରେ ବିଚାରାଧୀନ ବନ୍ଦୀଭାବେ କାଳ କାଟନ୍ତି । ଅପରାଧ ଓ ଭ୍ରଷ୍ଟାଚାର ପ୍ରତି ପ୍ରଥମେ ନରମ ଓ ପରେ କଠୋର ହେବାର ଏଭଳି ଆଭିମୁଖ୍ୟ କେବଳ ଓଡ଼ିଶା ଶାସନ ଓ ପ୍ରଶାସନରେ ସୀମିତ ନୁହେଁ । ଏହା ହେଉଛି ଭାରତୀୟ ଶାସନ ବ୍ୟବସ୍ଥାର ଦୀର୍ଘ ପ୍ରତିଷ୍ଠିତ ପରମ୍ପରା । ଡନ୍ ହୁଅନ୍ତୁ ବା ମାଫିଆ, ଭ୍ରଷ୍ଟାଚାରୀ ହୁଅନ୍ତୁ ବା ବ୍ୟଭିଚାରୀ- କେହି ଦିନକ ଭିତରେ ନିଜର ସାମ୍ରାଜ୍ୟ ବିସ୍ତାର କରିପାରନ୍ତି ନାହିଁ । ସେଥିପାଇଁ ସେମାନଙ୍କୁ ବର୍ଷବର୍ଷ ଧରି ସମୟ ମିଳିଥାଏ । ବର୍ଷବର୍ଷ ଧରି ଆଇନର ଆଢ଼ୁଆଳରେ ରହିବା ଶାସକୀୟ ସୁରକ୍ଷା ବିନା ସମ୍ଭବ ନୁହେଁ । ତଥାପି ଯେତେବେଳେ ଏଭଳି ଅପରାଧୀମାନେ ଧରା ପଡ଼ୁଛନ୍ତି, ଆଇନର ଜାଲରେ ଛନ୍ଦି ହେଉଛନ୍ତି ସେତେବେଳେ ଅନ୍ତତଃ ପୁଲିସ ଓ ପ୍ରଶାସନ ସମେତ ସମୁଦାୟ ଶାସନ କଳ ନିଷ୍ପକ୍ଷ ରହିବା ଉଚିତ । ଆଇନକୁ ସେମାନେ ତା’ ବାଟରେ ଛାଡ଼ିଦେବା ଉଚିତ । ଆଇନର ବାଟରୁ ସମସ୍ତ ପ୍ରତିବନ୍ଧକ ହଟେଇ ନେବା ଉଚିତ । ଆଇନ ଯେପରି ତୁରନ୍ତ ଏବଂ ନ୍ୟାୟସଙ୍ଗତ ଭାବେ ତା’ ବାଟରେ ଯାଇପାରିବ ସେ ଦିଗରେ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ମଧ୍ୟ ନିଷ୍ପକ୍ଷ କରିବା ପାଇଁ ସମସ୍ତ କର୍ତ୍ତୃପକ୍ଷ ସକାରାତ୍ମକ ଭାବେ ସକ୍ରିୟତାର ସହିତ ସବୁ ପ୍ରକାର ସହଯୋଗ କରିବା ଉଚିତ ।

Share :