ଦେବେନ୍ଦ୍ର ପୃଷ୍ଟି ‘ଏହା ଥିଲା ସବୁଠୁ ଭଲ ସମୟ । ଏହା ଥିଲା ସବୁଠୁ ଖରାପ ସମୟ । ଏହା ଥିଲା ବୁଦ୍ଧିର ଯୁଗ । ଏହା ଥିଲା ବୋକାମିର ଯୁଗ । ଏହା ଥିଲା ବିଶ୍ୱାସର ମହାଯୁଗ । ଏହା ଥିଲା ଅବିଶ୍ୱାସର ମହାଯୁଗ । ଏହା ଥିଲା ଆଲୋକର ଋତୁ । ଏହା ଥିଲା ଅନ୍ଧକାରର ଋତୁ । ଏହା ଥିଲା ଆଶାର ବସନ୍ତ । ଏହା ଥିଲା ହତାଶାର ଶୀତ ।’ ଇତିମଧ୍ୟରେ ବିତିଗଲାଣି ପ୍ରାୟ ୧୬୦ ବର୍ଷ । ତେବେ ଡିକେନ୍ସଙ୍କ ଏଇ ବର୍ଣ୍ଣନା ସଂପ୍ରତି ଭାରତବର୍ଷର ଆର୍ଥନୀତିକ ସ୍ଥିତି ବର୍ଣ୍ଣନା କରିବାକୁ ମଧ୍ୟ ବ୍ୟବହାର କରାଯାଇପାରେ । ଏଇଭଳି ଏକ ସମୟ ଦେଇ ଗତି କରୁଛି ଭାରତର ଅର୍ଥନୀତି, ଏହାର ରାଜନୀତି ଓ ସମାଜ । ଶିଳ୍ପ, ସହର, ଜମି ଅଧିଗ୍ରହଣ, ଯାନ୍ତ୍ରିକିକରଣ ବଢ଼ି ଚାଲିଛି । ପୁଂଜି ବଢ଼ୁଛି, ପୁଂଜିନିବେଶ ବଢ଼ୁଛି । କୋର୍ଟ ବଢ଼ୁଛି, ଓକିଲ ବଢ଼ୁଛନ୍ତି । ଆଉ ବଢ଼ି ବି ଚାଲିଛି ଗୋହତ୍ୟା ବନ୍ଦ କରିବା ଆଳରେ ମଣିଷଙ୍କ ହତ୍ୟା, ପିଲାଚୋରୀ ସନ୍ଦେହରେ ଭିଡ଼ତନ୍ତ୍ରର ନୃଶଂସତା, ଧାର୍ମିକ ବିଭେଦ ଓ ବିଦ୍ୱେଷ, ଶୋଷଣ ଓ କଷଣ । ଆଉ ଏହାକୁ ନେଇ ଗଡ଼ି ଚାଲିଛି ବି ତର୍କ ଓ ବିତର୍କର ଧାରା । ଗୋଟେ ପଟେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ଭକ୍ତବାହିନୀ । ଅନ୍ୟପଟେ ଅଛନ୍ତି ବିପକ୍ଷର ଡଜନ ଡଜନ ନେତା । ଗୋଟେ ପଟେ ଅଛନ୍ତି ନ୍ୟୁୟର୍କ କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଜଗଦୀଶ ଭଗବତୀ ଏବଂ ଜଗତୀକରଣ ଓ ଉଦାରବାଦର ସମର୍ଥକ ଅର୍ଥନୀତିଜ୍ଞ । ଅନ୍ୟ ପଟେ ଅଛନ୍ତି ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ, ବେଲ୍ଜିୟମ ଅର୍ଥନୀତିଜ୍ଞ ଜାଁ ଦ୍ରେଜେ ଏବଂ ଆହୁରି ଅନେକ ସମାନତାଭିତ୍ତିକ ବିକାଶ ଓ ସମୃଦ୍ଧିର ପ୍ରବକ୍ତା । ଭାରତର ସାଂପ୍ରତିକ ଅର୍ଥନୀତି ଉପରେ ଅମର୍ତ୍ତ୍ୟ ସେନ ଓ ଜାଁ ଦ୍ରେଜେ ମିଳିତ ଭାବେ ରଚନା କରିଛନ୍ତି ଏକ ପୁସ୍ତକ । ତାହାର ଇଂରାଜୀ ନାମ ହେଉଛି ‘ଆନ୍ ଅନସର୍ଟେନ ଗ୍ଲୋରୀ: ଇଣ୍ଡିଆ ଆଣ୍ଡ ଇଟ୍ସ କଣ୍ଟ୍ରାଡିକ୍ସନ’ । ଏହାର ହିନ୍ଦୀ ସଂସ୍କରଣର ନାମ ହେଉଛି ‘ଭାରତ ଔର ଉସ୍କେ ବିରୋଧାଭାସ’ । ସେଦିନ ଦିଲ୍ଲୀରେ ଏଇ ପୁସ୍ତକର ଉନ୍ମୋଚନ ଅବସରରେ ସେନ କହୁଥିଲେ, ‘ସ୍ଥିତି ବହୁତ ଖରାପ ଭାବେ ଭୁଲ ହୋଇଯାଇଛି...୨୦୧୪ ପରଠାରୁ ଏହା ଭୁଲ ଦିଗରେ ଏକ ବଡ଼ ଧରଣର ଲମ୍ଫ ପ୍ରଦାନ କରିଛି । ଆମେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ଢେର ପଛକୁ ଠେଲି ହୋଇଯାଉଛୁ ।’ ସେ କହୁଥିଲେ, ‘କୋଡ଼ିଏ ବର୍ଷ ତଳେ ଆମ ଅଞ୍ଚଳର ଛଅଟି ଦେଶ ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ଭୁଟାନ ମଧ୍ୟରେ ଭାରତ ଥିଲା ଶ୍ରୀଲଙ୍କା ତଳେ ଦ୍ୱିତୀୟ ଶ୍ରେଷ୍ଠ । ଏବେ ଏହା ଦ୍ୱିତୀୟ ଖରାପ । ପାକିସ୍ତାନ ଆମକୁ ସବୁଠୁଁ ଖରାପ ହେବାରୁ ରକ୍ଷା କରିଛି ।’ ୨୦୧୮ ଜୁଲାଇ ୧୧ ତାରିଖର ଖବର ଅନୁସାରେ ଫ୍ରାନ୍ସକୁ ପଛରେ ପକାଇ ଭରତ ବିଶ୍ୱର ଷଷ୍ଠ ବୃହତ୍ତମ ଅର୍ଥନୀତିର ମାନ୍ୟତା ଲାଭ କରିଛି । ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଫ୍ରାନ୍ସ, ବ୍ରାଜିଲ, ଇଟାଲୀ ଓ ରୁଷିଆକୁ ପଛରେ ପକାଇ ଦେଲାଣି ଭାରତ । ଏବେ ଉପରେ ଅଛନ୍ତି ଆମେରିକା, ଚୀନ, ଜାପାନ, ଜର୍ମାନୀ ଓ ଇଂଲଣ୍ଡ । ଆଉ ୧୦ ବର୍ଷ ଭିତରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ଆକଳନ କରିଛି ମୋର୍ଗାନ ଷ୍ଟାନଲେ । ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ ଭାରତର ଜିଡିପି ପରିମାଣ ୨୦୧୭ ବର୍ଷ ଶେଷ ସୁଦ୍ଧା ୨,୫୯,୭୦୦ କୋଟି ଡଲାରରେ ପହଞ୍ଚିଛି । ଏହି ସମୟରେ ଫ୍ରାନ୍ସର ଜିଡିପି ପରିମାଣ ହୋଇଛି ୨,୫୮,୨୦୦ କୋଟି ଡଲାର । କିନ୍ତୁ ଭାରତର ଜନସଂଖ୍ୟା ଏବେ ୧୩୪ କୋଟି । ଅଥଚ ଫ୍ରାନ୍ସର ଜନସଂଖ୍ୟା ହେଉଛି ମାତ୍ର ୬.୭ କୋଟି । ତେଣୁ ମୁଣ୍ଡ ପିଛା ଜିଡିପି ହିସାବରେ ଭାରତର ସ୍ଥିତି ଫ୍ରାନ୍ସର ଅନେକ ତଳେ । ଫ୍ରାନ୍ସର ମୁଣ୍ଡ ପିଛା ଜିଡିପି ଭାରତର ମୁଣ୍ଡପିଛା ଜିଡିପିଠାରୁ ୨୦ ଗୁଣ ଅଧିକ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନ ଅନୁସାରେ ଭାରତର ଜିଡିପି ୨୦୧୮ ବର୍ଷ ୭.୪% ଓ ୨୦୧୯ ବର୍ଷ ୭.୮% ହିସାବରେ ବୃଦ୍ଧି ପାଇବ । ତେବେ ଭାରତର ଏହି ଆର୍ଥନୀତିକ ଅଭିବୃଦ୍ଧି ସତ୍ତେ୍ୱ ଏହାର ଲୋକମାନଙ୍କର ମୁଣ୍ଡ ପିଛା ଆୟ ରହିଛି ବହୁତ ତଳେ । ଭାରତର ମୁଣ୍ଡ ପିଛା ଆୟ ହେଉଛି ବାର୍ଷିକ ମାତ୍ର ୨,୧୩୦ ଡଲାର । ଏବେ ଫ୍ରାନ୍ସର ମୁଣ୍ଡ ପିଛା ଆୟ ହେଉଛି ୪୪,୯୩୦ ଡଲାର, ବ୍ରାଜିଲର ମୁଣ୍ଡ ପିଛା ଆୟ ୧୦,୨୨୦ ଡଲାର, ଇଟାଲୀର ୩୫,୯୧୦ ଡଲାର ଏବଂ ରୁଷିଆର ୧୧,୯୫୦ ଡଲାର । କେତେ ତଳେ ଭାରତ? ଭାରତର ଜିଡିପି ଅଭିବୃଦ୍ଧି ତୁଳନାରେ ଭାରତୀୟମାନଙ୍କର ଆୟ ଓ ସଂପତ୍ତିର ଅଭିବୃଦ୍ଧି ଘଟିନାହିଁ । ଦେଶର ଅଭିବୃଦ୍ଧି ସଙ୍ଗେସଙ୍ଗେ ବୃଦ୍ଧି ପାଇ ଚାଲିଛି ଦେଶବାସୀଙ୍କ ମଧ୍ୟରେ ଆୟ ତାରତମ୍ୟ । ଧନୀ ଓ ଗରୀବଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇ ଚାଲିଛି । ଚଳିତ ବର୍ଷ ପ୍ରାରମ୍ଭରେ ଅକ୍ସଫାମ ତରଫରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ୨୦୧୭ ବର୍ଷ ଦେଶରେ ଯେତେ ଧନ ସୃଷ୍ଟି ହୋଇଛି ତାହାର ୭୩ ପ୍ରତିଶତର ମାଲିକ ହୋଇଛନ୍ତି ଦେଶର ମାତ୍ର ୧ ପ୍ରତିଶତ ଧନୀ । ଅଥଚ ଦେଶର ୬୭ କୋଟି ଲୋକଙ୍କ ଆୟରେ ମାତ୍ର ୧% ବୃଦ୍ଧି ଘଟିଛି । ଭାରତର ୧ ପ୍ରତିଶତ ସୁପର ଧନୀଙ୍କ ହାତରେ ଦେଶର ୫୮ ପ୍ରତିଶତ ଧନ । ଦଶ ବର୍ଷ ତଳେ ସେମାନଙ୍କ ହାତରେ ଥିଲା ଦେଶର ୩୯ ପ୍ରତିଶତ ସଂପତ୍ତି । ଏବେ ଦେଶର ୫୦ ପ୍ରତିଶତ ଲୋକଙ୍କ ହାତରେ ରହିଛି ମାତ୍ର ୪ ପ୍ରତିଶତ ସଂପତ୍ତି । କେତେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଅସମାନତା? ଧନୀଙ୍କ ସଂପତ୍ତି ବଢ଼ୁଛି । ଗରୀବଙ୍କ ସଂଖ୍ୟା ବି ବଢ଼ୁଛି । ଏବେ ବି ଦେଶର ପ୍ରାୟ ୪୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ କଷ୍ଟରେ ଜୀବନ କାଟୁଛନ୍ତି । ସହରାୟନ ଓ ଶିଳ୍ପାୟନ ମାଡ଼ି ଚାଲିଛି । ପୁଂଜିନିବେଶ ବୃଦ୍ଧି ପାଉଛି । ନୂଆନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି । କିନ୍ତୁ ବଦଳୁନି ତଳ ସ୍ତରର ଲୋକଙ୍କର ଜୀବନର ମାନ । ଏବେ ବି ଦେଶର ଜିଡିପିର ୫୫% ଆସୁଛି ଘରୋଇ ଉପଭୋଗରୁ । ମାତ୍ର ଏହି ଉପଭୋଗରେ ଗରୀବ ଲୋକଙ୍କର ଭାଗ କେତେ? କ’ଣ ସେମାନେ ଉପଭୋଗ କରୁଛନ୍ତି? ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା ବା ଏନଏସଏସର ତଥ୍ୟ ଅନୁଶୀଳନ କରି ଇକୋନୋମିକ ଆଣ୍ଡ ପଲିଟିକାଲ ୱିକ୍ଲିରେ ଅମିତ ବାସୋଲ ଏବଂ ଦୀପଙ୍କର ବାସୁ ନାମକ ଦୁଇ ଜଣ ଅର୍ଥନୀତିଜ୍ଞ ଲେଖିଛନ୍ତି ଯେ ଗ୍ରାମୀଣ ଭାରତ ଓ ସହରୀ ଭାରତର ସର୍ବୋଚ୍ଚ ଧନୀ ୧୦ ପ୍ରତିଶତ ଲୋକଙ୍କର ଅଣଖାଦ୍ୟ ଉପଭୋଗ ଖର୍ଚ୍ଚ ସର୍ବନିମ୍ନ ୧୦ ପ୍ରତିଶତ ଲୋକଙ୍କ ତୁଳନାରେ ଯଥାକ୍ରମେ ୫ ଓ ୮ ଗୁଣ ଅଧିକ । ସର୍ବୋଚ୍ଚ ୧୦ ପ୍ରତିଶତଙ୍କର ମୋଟ ଅଣଖାଦ୍ୟ ଖର୍ଚ୍ଚ ଗ୍ରାମୀଣ ଓ ସହରୀ ନିମ୍ନ ୫୦ ପ୍ରତିଶତ ଲୋକଙ୍କ ଅଣଖାଦ୍ୟ ଖର୍ଚ୍ଚଠାରୁ ଯଥାକ୍ରମେ ୨.୫ ଗୁଣ ଓ ୩ ଗୁଣ ଅଧିକ । ଅଣଖାଦ୍ୟ ଖର୍ଚ୍ଚର ପରିମାଣ ହିଁ ଜଣେ ଲୋକ ବା ଏକ ପରିବାରର ଜୀବନ ଧାରଣର ମାନ କେତେ ଉନ୍ନତ ବା ଅନୁନ୍ନତ ସେହି ସଂକେତ ଦେଇଥାଏ । ଧନୀଙ୍କ ଉପଭୋଗ ବଢ଼ିଲେ ଦେଶର ଆମଦାନୀ ବଢ଼େ । କାରଣ ସେମାନେ ସବୁବେଳେ ବିଦେଶୀ ଜିନିଷ ବ୍ୟବହାର କରିବାକୁ ଭଲ ପାଆନ୍ତି । ଅଣଖାଦ୍ୟ ବର୍ଗରେ ସେମାନେ ବିଦେଶୀ ଓ ଦାମୀ ଇଲେକଟ୍ରୋନିକ ସାମଗ୍ରୀ, ଗାଡ଼ି, ଘଣ୍ଟା, ପୋଷାକ, ଗୃହୋପକରଣ ଆଦି ବ୍ୟବହାର କରିଥାନ୍ତି । ଗରୀବଙ୍କ ଆୟ ବଢ଼ିଲେ ଆଗ ବଢ଼େ ସେମାନଙ୍କ ଖାଦ୍ୟ ଖର୍ଚ୍ଚ । ନିମ୍ନ ମଧ୍ୟବିତ୍ତଙ୍କ ଆୟ ବଢ଼ିଲେ ସେମାନେ ଦେଶ ଭିତରେ ଉତ୍ପାଦିତ ଭଲ ପୋଷାକ, ଇଲେକଟ୍ରୋନିକ ସାମଗ୍ରୀ ଆଦି କିଣିଥାନ୍ତି । ଅବଶ୍ୟ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଏବେ ଚୀନା ମାଲ୍ ବେଶ୍ ଲୋଭନୀୟ! ଏହି କାରଣରୁ ଗତ କିଛି ବର୍ଷ ହେଲା ଦେଶର ରପ୍ତାନୀ ତୁଳନାରେ ଆମଦାନୀ ବୃଦ୍ଧି ପାଇଛି । ଏହାର ପରିଣାମ ହେଉଛି ବାଣିଜ୍ୟ ନିଅଣ୍ଟ ପରିସ୍ଥିତି । ୨୦୧୦-୧୧ରେ ଯେତେବେଳେ ଭାରତର ଜିଡିପି ଅଭିବୃଦ୍ଧି ହାର ଥିଲା ୮.୯୧ ପ୍ରତିଶତ ସେତେବେଳେ ଦେଶର ରପ୍ତାନୀ ଅଭିବୃଦ୍ଧି ହାର ଥିଲା ୩୭.୫ ପ୍ରତିଶତ । ଏହି ସମୟରେ ହିଁ ଉପା ସରକାରର ଅନେକ ଦୁର୍ନୀତି ପଦାକୁ ଆସିଥିଲା । ୨୦୧୩-୧୪ ବର୍ଷରେ ଭାରତର ରପ୍ତାନୀ ପରିମାଣ ଥିଲା ୩୧,୪୪୧ କୋଟି ଡଲାର । କିନ୍ତୁ ମୋଦିଙ୍କ ଚାରି ବର୍ଷର କାର୍ଯ୍ୟକାଳ ଭିତରେ ଏହା ପ୍ରଥମେ ଖସି ପରେ ଚଢ଼ି ୨୦୧୭-୧୮ ବର୍ଷରେ ଭାରତର ରପ୍ତାନୀ ପରିମାଣ ୩୦,୨୮୪ କୋଟି ଡଲାରରେ ପହଂଚିଛି । ତଥାପି ୨୦୧୬-୧୭ ବର୍ଷରେ ଦେଶର ଚଳନ୍ତି ହିସାବ ନିଅଣ୍ଟ ହାର ଜିଡିପିର ୦.୬% ଥିଲାବେଳେ ୨୦୧୭-୧୮ ବର୍ଷରେ ଏହା ୧.୯%କୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ଦେଶର ବାଣିଜ୍ୟ ନିଅଣ୍ଟ ପରିମାଣ ୧୧,୨୪୦ କୋଟି ଡଲାରରୁ ୧୬,୦୦୦ କୋଟି ଡଲାରକୁ ବୃଦ୍ଧି ପାଇଛି । ମୋଦିଙ୍କ ଚାରି ବର୍ଷ ଭିତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୦୧୪ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍ ଥିଲେ ମଧ୍ୟ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବା ରାଷ୍ଟ୍ରୀୟ ଅର୍ଥନୀତି ପାଇଁ ନିଶ୍ଚୟ ଏକ ଶୁଭ ସଂକେତ ନୁହେଁ । ଏଇ ଚାରି ବର୍ଷ ଭିତରେ ପେଟ୍ରୋ ଉତ୍ପାଦଗୁଡ଼ିକର ଦର ୧୦୪ ପ୍ରତିଶତ ବୃଦ୍ଧି ପାଇଛି । ଏହି କାରଣରୁ ୨୦୧୮ ମେ ମାସରେ ରପ୍ତାନୀ ୨୦ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ଯେଉଁ ଉତ୍ପାଦର ରପ୍ତାନୀ ବଢ଼ିଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଅନ୍ତା ତାହାର ରପ୍ତାନୀ କମିଛି । ଏହି ସମୟରେ ଗହଣା ରପ୍ତାନୀ ୬.୫ ପ୍ରତିଶତ ଓ ରେଡିମେଡ ପୋଷାକ ରପ୍ତାନୀ ୧୬.୬ ପ୍ରତିଶତ ହ୍ରାସ ପାଇଛି । ସେହିପରି କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟିଙ୍କ ମତରେ ୨୦୧୪ରୁ ୨୦୧୮ ମଧ୍ୟରେ କୃଷି କ୍ଷେତ୍ରରେ ୨.୫ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିଥିଲେ ହେଁ କୃଷିଜାତ ଦ୍ରବ୍ୟର ରପ୍ତାନୀ ପରିମାଣ ୨୦୧୩-୧୪ ବର୍ଷରେ ୪,୨୦୦ କୋଟି ଡଲାର ଥିଲାବେଳେ ୨୦୧୭-୧୮ରେ ଏହା ୩,୮୦୦ କୋଟି ଡଲାରକୁ ଖସି ଆସିଛି । ଦେଶର ସର୍ବାଧିକ ନିଯୁକ୍ତି କ୍ଷେତ୍ର ହେଉଛି କୃଷି । କିନ୍ତୁ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଉନଥିବାରୁ ୨୦୧୮ ଜୁନ ମାସରେ ଦେଶବ୍ୟାପୀ ୧୦ ଦିନ ଧରି ଧର୍ମଘଟ କରିଥିଲେ । ସେମାନଙ୍କ ପ୍ରତିବାଦର ଅଭିନବ ତରିକା ଯୋଗୁଁ ଦେଶର ରାଜପଥରେ ବହିଥିଲା ଦୁଧର ବନ୍ୟା । ଟନ୍ ଟନ୍ ପରିବା ଓ ଫଳ ରାସ୍ତା ଉପରେ ଢାଳିଦେଇ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ବି ଘଟୁଛି ଚାଷୀ ଆତ୍ମହତ୍ୟା । ଋଣବୋଝ, ଫସଲହାନୀ, ଫସଲର କମ୍ ଦର ସାଙ୍ଗକୁ ଜୀବନର ଖର୍ଚ୍ଚବୃଦ୍ଧି ସେମାନଙ୍କ ଅଣ୍ଟା ଭାଙ୍ଗି ଦେଲାଣି । ଆଧୁନିକ ପ୍ରଗତି ସହିତ ତାଳ ଦେଇ ଚାଲି ନପାରିବାର ଦୁଃଖ ଓ ଦୁର୍ଭାଗ୍ୟ ସେମାନଙ୍କୁ ହତାଶ କରୁଛି, ଅସନ୍ତୁଷ୍ଟ କରୁଛି ଓ ଉତ୍ତେଜିତ କରୁଛି । ବିଖ୍ୟାତ ସାମ୍ବାଦିକ ପି. ସାଇନାଥଙ୍କ ହିସାବରେ ଦେଶରେ ଗୋଟିଏ ଗୋଟିଏ କୃଷକ ପରିବାରର ସବୁ ସୂତ୍ରରୁ ଆୟ ହେଉଛି ୬,୪୨୬ ଟଙ୍କା ଅର୍ଥାତ ମୁଣ୍ଡ ପିଛା ପ୍ରାୟ ୧୩୦୦ ଟଙ୍କା । ଗ୍ରାମାଞ୍ଚଳର ୭୫ ପ୍ରତିଶତ ପରିବାରର ମୁଖ୍ୟ ରୋଜଗାରିଆ ସଦସ୍ୟଙ୍କ ଆୟ ହେଉଛି ମାସିକ ସର୍ବାଧିକ ୫ ହଜାର ଟଙ୍କା । ପ୍ରତିଶ୍ରୁତି ଅନୁଯାୟୀ ଏବେ ବି ଚାଷୀଙ୍କ ଆୟ ଦୁଇ ଗୁଣ ବୃଦ୍ଧି ହୋଇନାହିଁ । ଅପେକ୍ଷା ଲମ୍ବି ଚାଲିଛି । ନିର୍ଦ୍ଦିଷ୍ଟ କେଇଟି ଶିଳ୍ପ ଗୋଷ୍ଠୀକୁ ଛାଡ଼ିଦେଲେ ଦେଶର ଅଧିକାଂଶ ଶିଳ୍ପର ଅଭିବୃଦ୍ଧି ଧିମେଇ ଯାଇଛି । ଦେଶର ଜିଡିପି ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବା ପାଇଁ ମାନୁଫାକଚରିଂ କ୍ଷେତ୍ରରେ ୨୫ ପ୍ରତିଶତ ଅଭିବୃଦ୍ଧି ହାର ଆବଶ୍ୟକ ଥିଲାବେଳେ ଏହା ଦୁଇ ଅଙ୍କ ଭିତରେ ସୀମିତ ରହିଛି । ବ୍ୟାଙ୍କଗୁଡ଼ିକର ଖରାପ ଋଣ ବା ଏନପିଏ ପରିମାଣ ୭ ଲକ୍ଷ କୋଟି ଟପିଲାଣି । ଋଣ ଜାଲିଆତି ପରିମାଣ ୭୭,୫୨୧ କୋଟି ଟଙ୍କା ଛୁଇଁଲାଣି । ୨୦୦୯-୧୪ ମଧ୍ୟରେ ୨୨,୪୪୧ କୋଟି ଟଙ୍କାର ଋଣ ଜାଲିଆତି ଘଟଣା ପଦାକୁ ଆସିଥିଲା । ଏଥିପାଇଁ ନୂଆ ଋଣ ଦେବାକୁ ବ୍ୟାଙ୍କଗୁଡ଼ିକ ନିକଟରେ ଟଙ୍କା ନାହିଁ । ସରକାର ଦୁଇ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଂଜି ସହାୟତା ଦେଇଥିଲେ ବି ଜାତୀୟକରଣ ବ୍ୟାଙ୍କଗୁଡ଼ିକର ପରିସ୍ଥିତି ସୁଧୁରି ନାହିଁ । ୨୦୧୪ ମାର୍ଚ୍ଚ ଶେଷରେ ବ୍ୟାଙ୍କଗୁଡ଼ିକର ଋଣ ପରିମାଣ ୨୫,୨୩,୦୦୦ କୋଟି ଟଙ୍କା ଥିଲାବେଳେ ୨୦୧୮ ମାର୍ଚ୍ଚ ଶେଷରେ ଏହା ୨୬,୯୯,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ଚାରି ବର୍ଷ ଭିତରେ ଏହି ପ୍ରଗତି ଏକ ସକ୍ରିୟ ଓ ଚଳଚଞ୍ଚଳ ଅର୍ଥନୀତି ପାଇଁ ଯଥେଷ୍ଟ ନୁହେଁ । ଏହି ପ୍ରଗତିର ହାର ଅନେକଟା ମନ୍ଥର । ଦରବୃଦ୍ଧି କମିନାହିଁ । ଖାଦ୍ୟ ବଜାରରେ ଏବେ ବି ଚାରି ବର୍ଷ ତଳର ଦର । କେତେ ଜିନିଷରେ ବଢ଼ିଛି ବରଂ କମି ନାହିଁ । ୨୦୧୮ ଜୁନ ମାସ ସୁଦ୍ଧା ହୋଲସେଲ୍ ପ୍ରାଇସ ଇଣ୍ଡେକ୍ସ ୫.୭୭%ରେ ପହଞ୍ଚିଛି । ମୋଦି ସରକାର ଆସିବା ପରେ ଏହା ଏକ ରେକର୍ଡ଼ । ୨୦୧୮ ଜୁଲାଇ ୧୯ ତାରିଖରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସବୁଠୁଁ କମ୍ ହିସାବ ହୋଇଛି । ଏହି ଦିନ ଗୋଟିଏ ଡଲାରର ମୂଲ୍ୟ ୬୯ ଟଙ୍କା ଟପି ଯାଇଛି । ପୂର୍ବରୁ ଟଙ୍କାର ଏପରି ଅବମୂଲ୍ୟାୟନ କେବେ ହୋଇ ନଥିଲା । ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ ବଢ଼ି ଚାଲିଛି । ଜିଏସଟି ବ୍ୟବସ୍ଥା ଲାଗୁ ହେବା ଫଳରେ ସରକାରଙ୍କ ରାଜସ୍ୱ ବଢ଼ିଛି । କିନ୍ତୁ ଖାଉଟିଙ୍କ ଦରବୋଝ ହାଲକା ହୋଇନାହିଁ । ଏକ ଦେଶ, ଏକ ବଜାର ଓ ଏକ ଟିକସ ବ୍ୟବସ୍ଥା ବାହାରେ ରହିଯାଇଛି ପେଟ୍ରୋଲ ଓ ଡିଜେଲ । ବିମୁଦ୍ରାୟନ ଅନେକ ଲୋକଙ୍କ ବ୍ୟକ୍ତିଗତ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଛି । ଜନଧନ ଯୋଜନାରେ ୨୫ କୋଟି ଜମାଖାତା ଖୋଲିଥିଲେ ବି ବ୍ୟାଙ୍କଗୁଡ଼ିକର ବିଭିନ୍ନ ସେବାଦେୟ, କମୁଥିବା ସୁଧହାର ଏବଂ ଆଧାର ଓ ପ୍ୟାନକାର୍ଡ଼ ସଂଯୋଗ ସାଙ୍ଗକୁ ଏଫଆରଡିଆଇ ବିଲ୍ ଭୟ ଲୋକମାନଙ୍କୁ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ନିରୁତ୍ସାହିତ କରୁଛି । ଏଣେ ବିମୁଦ୍ରାୟନ ଡର ଯୋଗୁଁ ମଧ୍ୟ ସେମାନେ ଘରେ ଟଙ୍କା ରଖିବାକୁ ଡରୁଛନ୍ତି । ଏଭଳି ଏକ ଅଦ୍ଭୁତ ପରିସ୍ଥିତିରେ ଧିମେଇ ଯାଇଛି ରିୟଲ ଇଷ୍ଟେଟ ଓ ଗହଣା କାରବାର । ବ୍ୟକ୍ତିଗତ ଅର୍ଥନୀତିରେ ମଧ୍ୟ ସୃଷ୍ଟି ହୋଇଛି ମାନ୍ଦାବସ୍ଥା । ମୃଗତୃଷ୍ଣା ହୋଇଯାଇଛି ଅଚ୍ଛେ ଦିନର ସ୍ୱପ୍ନ । ତଥାପି ଦେଶ ଆଗଉଛି । ବଢ଼ି ଚାଲିଛି ଦେଶର ବିଲିଓନେୟାର ବା ଅର୍ବୁଦପତିଙ୍କ ସଂଖ୍ୟା । ଏହି ତାଲିକାରେ ଭାରତର ସ୍ଥାନ ଏବେ ବିଶ୍ୱରେ ତୃତୀୟ । ଦେଶର ବିଲିଓନେୟାରଙ୍କ ସଂଖ୍ୟା ଏବେ ୧୩୧ । କେବଳ ଚୀନ ଓ ଆମେରିକା ରହିଛନ୍ତି ଭାରତ ଉପରେ । ଅକ୍ସଫାମ ରିପୋର୍ଟ ଅନୁସାରେ ୨୦୧୬-୧୭ ବର୍ଷରେ କେବଳ ଏହି ବିଲିଓନେୟାରଙ୍କ ସଂପତ୍ତି ବଢ଼ିଛି ୪,୮୯,୧୦୦ କୋଟି ଟଙ୍କା । କିନ୍ତୁ ମାନବ ବିକାଶ ସୂଚକାଙ୍କ ବା ଏଚଡିଆରେ ଭାରତର ସ୍ଥାନ ବିଶ୍ୱରେ ୧୮୮ ଦେଶଙ୍କ ମଧ୍ୟରେ ୧୩୦ । ଭାରତ ବିଶ୍ୱର ତୃତୀୟ ଶକ୍ତିଶାଳୀ ଅର୍ଥନୀତି । କିନ୍ତୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୧୧୯ ଦେଶଙ୍କ ମଧ୍ୟରେ ୧୦୦ । ୧୯୯୧ ମସିହାରେ ତକ୍ରାଳୀନ ଆର୍ଥନୀତିକ ସଂକଟରୁ ଦେଶକୁ ଉଦ୍ଧାର କରିବା ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଆରମ୍ଭ କରିଥିଲେ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣର ଧାରା । ତାଙ୍କ ନେତୃତ୍ୱରେ ତକ୍ରାଳୀନ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଆରମ୍ଭ କରିଥିବା ଏହି ଧାରା ଆଜି ବି ବଜାୟ ରହିଛି । ବରଂ ଗତି ବଢ଼ି ଚାଲିଛି । ଏହି ୨୭ ବର୍ଷ ଭିତରେ କ୍ଷମତା ଭୋଗ କଲେଣି କଂଗ୍ରେସ ଓ ଏହା ନେତୃତ୍ୱାଧୀନ ମେଣ୍ଟର ୩ଟି ସରକାର, ବିଜେପି ଓ ଏହା ନେତୃତ୍ୱାଧୀନ ମେଣ୍ଟର ୪ଟି ସରକାର ଏବଂ ମିଳିତ ସାମ୍ମୁଖ୍ୟର ୨ଟି ସରକାର । କାହାରି ଅର୍ଥନୀତି ବଦଳିନାହିଁ । ବଡ଼ ବଡ଼ କର୍ପୋରେଟଙ୍କ ଋଣ ଛାଡ଼ କରାଯାଉଛି । ଋଣ ପୁନର୍ଗଠନ କରାଯାଉଛି । ଖରାପ ଋଣକୁ ଅନାଦାୟ ଖାତାରେ ଛାଡ଼ି ଦିଆଯାଉଛି । ହ୍ରାସ ପାଉଛି କୃଷି ସବସିଡି । ଲୋପ ପାଉଛି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସବସିଡି । ବଢ଼ି ଚାଲିଛି ଧନୀ-ଗରୀବ ତାରତମ୍ୟ । ତଥାପି ଜଗଦୀଶ ଭଗବତୀଙ୍କ ପରି ଅର୍ଥନୀତିଜ୍ଞଙ୍କ ଦାବି ଓ ଦୃଢ଼ୋକ୍ତି ବଦଳି ନାହିଁ । ସେ କୁହନ୍ତି, ୧୯୯୧ ସଂସ୍କାର ପରେ ହିଁ ଭାରତ ସମୃଦ୍ଧ ହୋଇଛି । ଗରୀବଙ୍କ ଉପଭୋଗ ବଢ଼ିଛି । କେବଳ ଶିଳ୍ପ ଓ ବାଣିଜ୍ୟ ଜରିଆରେ ଦେଶର ଅର୍ଥନୀତି ସୁଦୃଢ଼ ହୁଏ ବୋଲି ସେ ଦାବି କରିଛନ୍ତି । ସେଥିପାଇଁ ମୁକ୍ତବଜାର ଅର୍ଥନୀତି ସପକ୍ଷରେ ସେ ଏବେ ବି ଯୁକ୍ତି କରନ୍ତି । ୧୯୭୦ର ଲାଇସେନ୍ସ ରାଜ୍ ବିରୋଧରେ ଅଭିଯାନ ଚଳାଇ ବିଖ୍ୟାତ ହୋଇଥିବା ଜଗଦୀଶ ଭଗବତୀଙ୍କ ତତ୍ତ୍ୱର ସାଫଲ୍ୟ ଦେଖିବାକୁ ମିଳେ ଚୀନରେ ଏବଂ ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରେ । ଅର୍ଥନୀତିଜ୍ଞ ସାଇମନ୍ କୁଜନେଟ୍ସଙ୍କ ମତରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଆର୍ôଥକ ଅସମାନତା ଏକ କ୍ଷଣସ୍ଥାୟୀ ବିଲକ୍ଷଣ । ବିକାଶର ପ୍ରଥମ ପର୍ଯ୍ୟାରେ ଏପରି ଅସମାନତା ସୃଷ୍ଟି ହୋଇଥାଏ । ବିକାଶ ଫଳ ଖାଇ ଲୋକମାନଙ୍କର ଆୟବୃଦ୍ଧି ହେଲେ ଏହି ଅସାମନତା ଧୀରେ ଧୀରେ କମିଯାଏ । ରାଓ-ମନମୋହନ-ମୋଦିଙ୍କ ଲିବରାଲାଇଜେସନ-ପ୍ରାଇଭେଟାଇଜେସନ-ଗ୍ଲୋବାଲାଇଜେସନ ବା ଏଲପିଜି ଅର୍ଥନୀତି ଫଳରେ ଭାରତର ସହର, ବଜାର ଓ ଗାଁ ଗହଳିରେ ଆସିଛି ଅନେକ ପରିବର୍ତ୍ତନ । ମାଳ ମାଳ ମଲ୍, ଶପିଂ କଂପ୍ଲେକ୍ସ, ଦାମୀ ଗାଡ଼ି, ନଭଶ୍ଚୁମ୍ବୀ ଅଟ୍ଟାଳିକା, ବିଦେଶୀ ବ୍ରାଣ୍ଡର ପୋଷାକ, ପର୍ଫ୍ୟୁମ, ଗଳିଗଳିରେ ଜିମ୍, ରେସ୍ତୋରାଁ, ହୋଟେଲ ଓ ପାର୍ଲର । ବଦଳି ଯାଇଛି ଜୀବନର ସଂଜ୍ଞା ଓ ସଂପର୍କ । ସଭ୍ୟତାର ଢାଞ୍ଚା ଓ ମୂଲ୍ୟବୋଧ । ତଥାପି ଯେମିତି କେଉଁଠି କେମିତି ରହିଯାଇଛି ଅଭାବ । ଆର୍ଥନୀତିକ ଅଭିବୃଦ୍ଧି ଭିତରେ ମଣିଷ ଯେମିତି ହାରି ଯାଇଛି । ପରାଜୟ ବରଣ କରିଛି ସମାନତାର ଆଦର୍ଶ । ବିକାଶ ଓ ସମୃଦ୍ଧିର ଏଇ ବିରୋଧାଭାସ ଆଜିର ନୁହେଁ । ଏହା ଯୁଗଯୁଗ ଧରି ରହିଆସିଛି । ମଣିଷମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସମାନ କରିବା ଲକ୍ଷ୍ୟରେ ବିଫଳ ହୋଇଛି ସାମ୍ୟବାଦ । ବିଫଳ ହୋଇଚାଲିଛି ପୁଂଜିବାଦ । ବୋଧହୁଏ ଏହାକୁ ଲକ୍ଷ୍ୟ କରି ଭୂପେନ ହଜାରିକା ଏକଦା ରଚନା କରିଥିଲେ ଏକ ବିଖ୍ୟାତ ଗୀତ, ଆମି ଏକ ଯାଯାବର । ସେହି ଗୀତର ଗୋଟିଏ ପଙ୍କ୍ତ: ଆମି ଦେଖେଛି ଅନେକ ଗଗନ ଚୁମ୍ବୀ ଅଟ୍ଟାଳିକାର ଶାରୀ, ତା’ର ଛାୟାତେଇ ଦେଖେଛି ଅନେକ ଗୃହହୀନ ନରନାରୀ, ଆମି ଦେଖେଛି ଅନେକ ଗୋଲାପ ବକୁଳ ଫୁଟେ ଅଛେ ଥୋରେ ଥୋରେ, ଆବାର ଦେଖେଛି ନା ଫୁଟା ଫୁଲେର କଳିରା ଝଡ଼େଗେଛେ ଅନାଦରେ, ପ୍ରେମହୀନ ଭାଲୋବାସା ଦେଶେଦେଶ ଭେଙ୍ଗେଛେ ସୁଖେର ଘର, ପଥେର ମାନୁଷ ଆପନ ହୋୟେଛେ ଆପନ ହୋୟେଛେ ପର, ତାଇ ଆମି ଯାଯାବର! ଏ ପରିସ୍ଥିତିକୁ ଏଲିସ୍ ଇନ୍ ୱାଣ୍ଡରଲ୍ୟାଣ୍ଡର ଭାଷାରେ ଅଭିବ୍ୟକ୍ତ କରାଯାଇ ପାରେ । ଚାର୍ଲସ ଲୁଟ୍ୱିଜ୍ ଡଜସନ୍ ଛଦ୍ମନାମ ଲିୱିସ କାରୋଲଙ୍କର ପ୍ରଖ୍ୟାତ ପୁସ୍ତକର ମୁଖ୍ୟ ଚରିତ ଏଲିସ କହୁଛି, ‘ମୋର ଯଦି ଗୋଟିଏ ପୃଥିବୀ ଥାଆନ୍ତା ସବୁକିଛି ଆଜେବାଜେ ହୋଇଥାନ୍ତା । ଯାହା ଅଛି ସେପରି କିଛି ହୋଇ ନଥାନ୍ତା, କାରଣ ଯାହା ନାହିଁ ସେପରି ସବୁ କିଛି ହୋଇଥାନ୍ତା । ଏବଂ ବିପରୀତରେ ଯାହା ଅଛି ତାହା ହୋଇନଥାନ୍ତା । ଏବଂ ଯାହା ନହେବା କଥା ତାହା ହୋଇଥାନ୍ତା । ତୁମେ କିଛି ବୁଝି ପାରୁଛ?’ (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶିତ ।)