Breaking News
ପରକୀୟା ପ୍ରୀତିରେ ମହିଳା କାହିଁକି ଦୋଷୀ ନୁହେଁ?

ପରକୀୟା ପ୍ରୀତିରେ ମହିଳା କାହିଁକି ଦୋଷୀ ନୁହେଁ?

ପରକୀୟା ପ୍ରୀତିରେ କ’ଣ କେବଳ ପୁରୁଷର ଦୋଷ? ସହମତିରେ ପରକୀୟା ସଂପର୍କ ଥିଲେ ମହିଳାର ଦୋଷ ଧରାଯିବନି କାହିଁକି? ଏମିତି ଏକ ପ୍ରଶ୍ନ ଉପରେ ବିଚାର ଆରମ୍ଭ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ସମୀକ୍ଷା କରୁଛନ୍ତି ୧୫୭ ବର୍ଷ ଧରି ପ୍ରଚଳିତ ଥିବା ଭାରତୀୟ ପିଙ୍ଗଳ କୋଡ଼ ବା ଆଇପିସିର ଏହି ଲିଙ୍ଗଭେଦମୂଳକ ଦଣ୍ଡବିଧି। କିନ୍ତୁ କେନ୍ଦ୍ର ସରକାର କହୁଛନ୍ତି, ସେମିତି କରନ୍ତୁନି, ଯା’ ଯେମିତି ଅଛି ଚାଲିଥାଉ! ୨୦୧୭ ଡିସେମ୍ୱର ମାସରେ ହଠାତ ସୁପ୍ରିମ କୋର୍ଟଙ୍କ ଦୃଷ୍ଟିକୁ ଆସିଲା ଏକ ଆଇନଗତ ଲିଙ୍ଗବିଭେଦ। ଦେଶରେ ୧୫୭ ବର୍ଷ ଧରି ପ୍ରଚଳିତ ଅଛି ଏହି ବିଧି ବ୍ୟବସ୍ଥା। ଭାରତୀୟ ପିଙ୍ଗଳ କୋଡ଼ରେ ରହିଥିବା ଏହି ଅସଙ୍ଗତିର ସମୀକ୍ଷା କରିବାକୁ ଆବେଦନ କରିଥିଲେ କେରଳର ଯୋଶେଫ ଶାଇନ୍ ନାମକ ଜଣେ ଲୋକ। ସେ ଇଟାଲୀର ଟ୍ରେଣ୍ଟୋ କମ୍ପାନୀରେ କାମ କରନ୍ତି। ତାଙ୍କ ଆବେଦନକୁ ବିଚାର କରିବା ପାଇଁ ରାଜି ହେଇଥିଲେ ସୁପ୍ରିମ କୋର୍ଟ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏବେ ଏହି ମାମଲାର ବିଚାର କରୁଛନ୍ତି। ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ଏଏମ ଖାନୱିଲକର ଏବଂ ଡିୱାଇ ଚନ୍ଦ୍ରଚୂଡ଼। ପରକୀୟ ପ୍ରୀତି ମାମଲାରେ କାହିଁକି କେବଳ ପୁରୁଷ ଦୋଷୀ ହେବେ ଏବଂ ଶାରୀରିକ ସଂପର୍କ ପାଇଁ ସହମତ ହୋଇଥିବା ମହିଳା କାହିଁକି ନୁହେଁ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଖଣ୍ଡପୀଠ। ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଥିଲା। ଭାରତୀୟ ପିଙ୍ଗଳ କୋଡ଼ର ଏହି ପୁରୁଣା ବିଧି ବ୍ୟବସ୍ଥାର ସମୀକ୍ଷା କରିବା ପାଇଁ ସୁପ୍ରିମ କୋର୍ଟ ରାଜି ହେବାର କାରଣ ହେଉଛି ଏହାର ସାମ୍ୱିଧାନିକତା। ଭାରତୀୟ ସମ୍ୱିଧାନ ଅନୁସାରେ ମହିଳା ଓ ପୁରୁଷ ଆଇନ ଆଖିରେ ସମାନ। ଏ କ୍ଷେତ୍ରରେ ଶାରୀରିକ ସଂପର୍କ ରଖିବାକୁ ସହମତ ହୋଇଥିବା ମହିଳା କିପରି ନିର୍ଦ୍ଦୋଷ ଏବଂ ସେହି ସମାନ କାର୍ଯ୍ୟ କରି ପୁରୁଷ କାହିଁକି ଦୋଷୀ? ତା’ଛଡ଼ା ଆବେଦନକାରୀଙ୍କ ଓକିଲ କାଳୀଶ୍ୱରମ ରାଜ ଉଠଇଥିବା ବଳିଷ୍ଠ ଯୁକ୍ତି ମଧ୍ୟ ଅନ୍ୟ ଏକ କାରଣ। ତାଙ୍କ ଯୁକ୍ତି ହେଲା ଯଦି ଅବିବାହିତ ପୁରୁଷ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ସହମତିଭିତ୍ତିକ ଯୌନ ସଂପର୍କ ଥାଏ ତେବେ ତାହା ୪୯୭ ଧାରା ଅନୁସାରେ ଅପରାଧ ନୁହେଁ। ସେହିପରି ଅବିବାହିତ ପୁରୁଷ ଓ ବିବାହିତା ମହିଳା କିମ୍ୱା ବିବାହିତ ପୁରୁଷ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ସହମତିଭିତ୍ତିକ ଶାରୀରିକ ସଂପର୍କ ରହିଲେ ବି ତାହା ଦୋଷାବହ ନୁହେଁ ବୋଲି ଏହି ଧାରା କହେ। ଆଇପିସିର ୪୯୭ ଧାରା ଅନୁସାରେ ଯେକୌଣସି ଲୋକ ଯଦି ଅନ୍ୟ କୌଣସି ଲୋକର ପତ୍ନୀଙ୍କ ସହିତ ସେହି ମହିଳାଙ୍କ ସ୍ୱାମୀଙ୍କ ସହମତି ବା ସଂପୃକ୍ତି ବିନା ଯୌନ ସଂପର୍କ ରଖନ୍ତି ତେବେ ତାହା ଧର୍ଷଣ ଅପରାଧ ହୋଇନଥିଲେ ମଧ୍ୟ ତାହା ପରକୀୟ ପ୍ରୀତି ଦୋଷାବହ ଓ ସେଥିପାଇଁ ସେହି ଲୋକଙ୍କୁ ସର୍ବାଧିକ ୫ ବର୍ଷ ଯାଏଁ କାରାବାସ ଓ ଜରିମାନା କିମ୍ୱା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ। ଆଇନଜୀବୀ କାଳୀଶ୍ୱରମଙ୍କ ଯୁକ୍ତି ହେଲା ଏହି ଧାରାରେ ସ୍ୱାମୀଙ୍କ ସହମତିରେ ଯଦି ଜଣେ ମହିଳା ଅନ୍ୟ ଜଣେ ପୁରୁଷଙ୍କ ସହିତ ଯୌନ ସଂପର୍କ ରଖେ ତେବେ ତାହା ଅପରାଧ ନୁହେଁ। ତେଣୁ ଏହି ଧାରା ମହିଳାଙ୍କୁ ପୁରୁଷଙ୍କ ‘ସଂପତ୍ତି’ ଭାବରେ ଗ୍ରହଣ କରୁଛି ଯାହା ମହିଳାଙ୍କ ମର୍ଯ୍ୟାଦାର ଉଲ୍ଲଙ୍ଘନ। ସୁପ୍ରିମ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି କହିଥିଲେ ଯେ ୪୯୭ ଧାରାରେ ଥିବା ବ୍ୟବସ୍ଥା ଅନୁସାରେ ସମାନ ଦୋଷ ପାଇଁ ଜଣଙ୍କୁ ଦୋଷୀ କରାଯାଉଥିବାବେଳେ ଅନ୍ୟ ଜଣଙ୍କୁ ନିର୍ଦ୍ଦୋଷରେ ଛାଡ଼ି ଦିଆଯାଉଛି। ସମ୍ୱିଧାନର ସମାନତା ଅଧିକାର ଅନୁସାରେ ଏହି ଧାରାର ସାମ୍ୱିଧାନିକତା ବିଚାରଯୋଗ୍ୟ। ଏବେ କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମ କୋର୍ଟଙ୍କ ନିକଟରେ ସତ୍ୟପାଠ ଆକାରରେ ଜବାବ ଦାଖଲ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେ ଆଇପିସିର ୪୯୭ ଧରା ଏବଂ ସିଆରପିସି ବା ଦଣ୍ଡବିଧି ସଂହିତାର ୧୯୮(୨) ଧାରା ଭାରତୀୟ ମୂଲ୍ୟବୋଧନ ଅନୁସାରେ ବିବାହ ବନ୍ଧନର ପବିତ୍ରତା ପାଇଁ ଉଦ୍ଦିଷ୍ଟ। ଏହାକୁ ଉଚ୍ଛେଦ କରାଗଲେ ବିବାହର ପବିତ୍ରତା ନଷ୍ଟ ହୋଇଯିବ। ତେଣୁ ଏ ବ୍ୟବସ୍ଥା ବରକରାର ରହୁ।

Share :