ଗୋଟିଏ ବିଦ୍ରୋହର କଥା

ଗୋଟିଏ ବିଦ୍ରୋହର କଥା

Share :

ଜ୍ୟୋତି ନନ୍ଦ ଏହା ଗୋଟିଏ ବିଦ୍ରୋହ। ବିଦ୍ରୋହଟି ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତୀୟମାନଙ୍କ ଦ୍ବାରା ସଂଘଟିତ ହୋଇଥିଲା। ଆଜି (ଜୁଲାଇ ୧୦ ତାରିଖ) ସେହି ବିଶିଷ୍ଟ ବିଦ୍ରୋହର ସ୍ମରଣର ଦିନ। କିନ୍ତୁ ସେହି ବିଦ୍ରୋହକୁ ସ୍ମରଣ କଲାବେଳେ ମୁଁ ସେତେ ସହଜ ଓ ସାବଲୀଳ ହୋଇପାରୁନାହିଁ। ଯେତେବେଳେ ଅନେକ ପୁରାଣପଣ୍ଡା ନିଜକୁ ସୁହାଇଲା ଭଳି ତଥା ନିଜକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରତିପନ୍ନ କରିବାରେ ଇତିହାସକୁ ପୁରାଣ ସଦୃଶ ଆୟୁଧ କରି ପ୍ରବଚନ ଦେଉଛନ୍ତି ସେତେବେଳେ ଆମମାନଙ୍କ ଭଳି ଅତ୍ୟନ୍ତ ସାଧାରଣ ଦୁର୍ବଳ ସତ୍ୟାର୍ଥୀ ଇତିହାସ ବିଦ୍ୟାର୍ଥୀମାନଙ୍କର ସ୍ଥାନ ସହଜରେ ସମସ୍ତଙ୍କୁ ଗୋଚର। ଏହି ବିଦ୍ରୋହର ପ୍ରସଂଗଟି ଲେଖିବା ବେଳେ ମୋ ସାମ୍ନାରେ ଢେର୍ ବାରଣର ହାତ ଉଠିବାର ଦିଶୁଛି। ସହୃଦୟ ବଂଧୁମାନଙ୍କର ମୋତେ ନେଇ ବ୍ରହ୍ମହତ୍ୟା ଓ ଗୋହତ୍ୟାର ଦ୍ବନ୍ଦ୍ବଟି ବି ପରିଷ୍କାର ଦିଶୁଛି। ମୋର କିନ୍ତୁ କାହାକୁ କିଛି ଲେଖି ଆହତ କରିବାର ଅଭିପ୍ରାୟ କେବେ ନାହିଁ। ଏଇ ଲେଖା ପଛର ତର୍କଟି ମୋର ଅତି ସରଳ। ମୁଁ ଯେମିତି ଗୋଟିଏ ସାଧାରଣ ପରିବାରର ସମସ୍ତ ସଫଳତା ଅସଫଳତା ସହ ତାହାର ସନ୍ତାନ ହିସାବରେ ସେଇ ଅଖ୍ୟାତ ପରିବାରକୁ ନେଇ ଜୀବନର ଶେଷ ଯାଏଁ ଗର୍ବବୋଧ କରିବି, ଠିକ୍ ସେହିଭଳି ମୋର ନିଜର ଜନ୍ମଭୂମି। ମୋ ଜନ୍ମଭୂମିକୁ କେହି ଇତିହାସରେ ପାଂଚ ପୃଷ୍ଠା ଦିଅନ୍ତୁ କି ପାଂଚଶହ ପୃଷ୍ଠା ଦିଅନ୍ତୁ ସେଥିରେ ମୋର କୌଣସି ପରବାୟ ନାହିଁ। ମୋ ଜନ୍ମଭୂମି କେନ୍ଦ୍ରସ୍ଥ ହେଉ କି ବହିର୍ଭାଗସ୍ଥ ହେଉ ସେଥିରେ ମୋର କିଛି ଯାଏଆସେ ନାହିଁ। ମୁଁ ମୋ ଜନ୍ମଭୂମୀ ଯେମିତି ସେତିକିରେ ମୋର ଯଥେଷ୍ଟ ଗର୍ବ। ଏଇ ବିଦ୍ରୋହରେ ପ୍ରଥମ ବିଦ୍ରୋହର କଥାକୁ କେହି କେହି ଯୁଦ୍ଧ ଭଳି ଉଠାଇ ପାରନ୍ତି। ସେମାନଙ୍କ ଗର୍ବବୋଧ ଓ ତାହାର ଆନୁସଂଗିକ କାର୍ଯ୍ୟକ୍ରମ ସେମାନଙ୍କର। ମୋର ଗର୍ବବୋଧ ଓ ମୋର ବିଚାର କେବଳ ମୋର ହୋଇ ରହିବ। ଆଜି ଅର୍ଥାତ୍ ଜୁଲାଇ ମାସ 10 ତାରିଖ ଦିନ ସିପାହୀ ବିଦ୍ରୋହର ପ୍ରାୟ ପଚାଶ ବର୍ଷ ପୂର୍ବରୁ ଅର୍ଥାତ୍ ୧୮୦୬ ଖ୍ରୀଅରେ ଏଇ ସୀପାହି ବିଦ୍ରୋହଟି ସଂଘଟିତ ହୋଇଥିଲା ଦକ୍ଷିଣର ଭେଲୋରରେ। ଏହାକୁ ଭେଲୋର ବିଦ୍ରୋହ ବୋଲି କୁହାଯାଏ। ଏହି ଭେଲୋର ବିଦ୍ରୋହ ସଂକ୍ରାନ୍ତରେ ଆଗରୁ ଗୋଟିଏ ଡାକଟିକଟ ଭାରତୀୟ ଡାକତାର ବିଭାଗ ଦ୍ବାରା ପ୍ରଚଳିତ ହୋଇଅଛି। ସେହି ଡାକଟିକଟରେ ପରିଷ୍କାର ଲେଖାଅଛି, ଭେଲୋର ବିଦ୍ରୋହ (୧୮୦୬)। ଏଇ ଭେଲୋର ବିଦ୍ରୋହଟି ଅନେକ ପରିମାଣରେ ଆମର ଇତିହାସ ଖ୍ୟାତ ୧୮୫୭ର ସିପାହୀ ବିଦ୍ରୋହର ଏକ ପ୍ରାଥମିକ ଓ ସଂକ୍ଷିପ୍ତ ସଂସ୍କରଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ବିଦ୍ରୋହର ଆୟୁଷ ମାତ୍ର ଦିନେ। ଆଉ ଏଥିରେ ପ୍ରାୟତଃ ୧୩୦ ଜଣ ବ୍ରିଟିଶ ସେନାବାହିନୀର ଅଫିସର ମୃତ୍ୟୁବରଣ କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ସିପାହୀଙ୍କ ମଧ୍ୟରୁ ପ୍ରାୟ ଶହେ ଜଣଙ୍କୁ ବିଦ୍ରୋହ ଦମନ ଆଳରେ ହତ୍ୟା କରାଯାଇଥିଲା। ଏହି ବିଦ୍ରୋହର ସମସ୍ତ ତଥ୍ୟ ନଥିଭୁକ୍ତ ରହିଛି। ସାମାନ୍ୟ ଗୋଟିଏ ଗୁଳିରେ ଜଣକର କାମଫତେ ହେଉଥିବା ବେଳେ କୌଣସି କଳ୍ପନାର ବରଗଛରେ ଦୁଇଫାଳ କରି କାହାକୁ ଫାଡ଼ି ଦେଇ ମାରିଦେବାର ଭବ୍ୟ ଆୟୋଜନର ସମୟ ବ୍ରିଟିଶମାନଙ୍କ ପାଖରେ ହୁଏତ କେତେବେଳେ ଆସିଥାଇପାରେ, କିଏ ଜାଣେ? ବର୍ଣ୍ଣଭିତ୍ତିକ ସମାଜରେ ଜଣେ ବ୍ରାହ୍ମଣ ଅଶ୍ବାରୋହଣ ସହ ସମସ୍ତ ତରବାରୀର ଖେଳରେ ପ୍ରବୀଣ ହୋଇ କ୍ଷତ୍ରୀୟର ଚିରାଚରିତ ସେନାପତିର ଭୂମିକାକୁ ସ୍ବନିର୍ଣ୍ଣୟରେ ଆତ୍ମସାତ ବି କରିପାରେ, ସେକଥା କିଏ ଜାଣେ ? ଭେଲୋର ବିଦ୍ରୋହ ବ୍ରିଟିଶ ଶକ୍ତିକୁ ଭାରତରେ ୧୮୫୭ ଯାଏଁ ସବୁବେଳେ ସତର୍କ କରି ରଖିଥିଲା। ଭାରତୀୟ ସିପାହୀମାନଙ୍କୁ ଆଦୌ ସହଜରେ ଗ୍ରହଣ କରି ନେଇହେବ ନାହିଁ ବୋଲି ପ୍ରାଥମିକ ଶିକ୍ଷାଟି ସେମାନେ ଭେଲୋରର ଭାରତୀୟ ସିପାହୀମାନଙ୍କ ନିକଟରୁ ପାଇଥିଲେ। ଜୁଲାଇ ୧୦, ୧୮୦୬ ଦିନ ସକାଳୁ ସକାଳୁ ବିଦ୍ରୋହର ଖବର ବ୍ୟାପିଗଲା। ତାହା ପୂର୍ବଦିନ ରାତିରେ ମହିଶୂରରେ ଥିବା ବ୍ରିଟିଶମାନଙ୍କର ଭେଲୋର ଦୁର୍ଗରେ ବିଦ୍ରୋହର ପ୍ରସ୍ତୁତି ଚାଲିଥିଲା। ଏଇ ପ୍ରସ୍ତୁତିର ଖବର ବ୍ରିଟିଶ ସେନାଧିକାରୀମାନଙ୍କ ପାଖରେ ପହଂଚି ପାରି ନଥିଲା। କାରଣ ସେହି ଦୁର୍ଗ ନିକଟରେ ଗୋଟିଏ ସଂଭ୍ରାନ୍ତ ପରିବାରର ବିବାହ ଉତ୍ସବ ବେଶ୍ ଆଡମ୍ବର ସହକାରେ ପାଳନ ହେଉଥିଲା। ବିବାହର ବ୍ୟାଣ୍ଡ ବାଜା ଆଉ ବାରାତରେ ଭାରତୀୟ ସିପାହୀମାନଙ୍କର ବିଦ୍ରୋହର ପରିକଳ୍ପନାଟି ବେଶ୍ ଗୁପ୍ତରେ ସଂପନ୍ନ ହୋଇପାରିଥିଲା। ସକାଳୁ ଯେତେବେଳେ ବିଦ୍ରୋହର ଖବରଟି ଭେଲୋର ଦୁର୍ଗର ମୁଖ୍ୟ କର୍ଣ୍ଣେଲ ଫାନକୋର୍ଟ ପାଇଲେ ସେ ପ୍ରଥମେ ଏହାକୁ ହସରେ ଉଡ଼ାଇଦେଲେ। ଆଉ ଏଇ ବିଦ୍ରୋହର ପ୍ରଥମ ଶିକାର ହେଲେ ସେ, କର୍ଣ୍ଣେଲ ଫାନକୋର୍ଟ। ଭାରତୀୟ ସିପାହୀମାନେ ବ୍ରିଟିଶ୍ ସେନାଧିକାରୀଙ୍କୁ ବାଛିବାଛି ହତ୍ୟା କଲେ। ସେତେବେଳେ ଭେଲୋର ଦୁର୍ଗରେ ଟିପୁ ସୁଲତାନଙ୍କ ମୃତ୍ୟୁ(୧୭୯୯) ପରେ ତାଙ୍କର ପରିବାର ବଂଦୀ ଅବସ୍ଥାରେ ରହୁଥିଲେ। ୧୮୫୭ର ସିପାହୀମାନେ ଯେମିତି ନା କିସିକା ଆଁଖ କା ନୁର ହୁଁର କବି ମୁଗଲ ବଂଶର ସମ୍ରାଟ ଯାହା ପାଖରେ ନିଜର ମାତ୍ର ଦୁଇ ହଜାର ବେଗମ ସମ୍ବଳିତ ହାରେମକୁ ସଂଭାଳିବା ପାଇଁ ସ୍ଥାନୀୟ ବ୍ୟବସାୟୀମାନଙ୍କଠାରୁ କରଜ ନେବାକୁ ପଡ଼ୁଥିଲା ସେହି ବାହାଦୁର ଶାହ ଜାଫରଙ୍କୁ ଭାରତର ସମ୍ରାଟ ଘୋଷଣା କରିଥିଲେ, ଠିକ୍ ସେଇଭଳି ଏଇ ସିପାହୀ ବିଦ୍ରୋହ ପାର୍ଟ ୱାନରେ ଭେଲୋର ସିପାହୀମାନେ ଭେଲୋର ଦୁର୍ଗରେ ରହୁଥିବା ଟିପୁପୁତ୍ର ଫତେହ ହାଇଦରଙ୍କୁ ମହିଶୂରର ସମ୍ରାଟ ହିସାବରେ ଘୋଷଣା କରିଥିଲେ। ମାତ୍ର ଦିନକର ଏଇ ବିଦ୍ରୋହ। ତାହା ପରଦିନ ଆର୍କୋଟରୁ କର୍ଣ୍ଣେଲ ଗିଲେପସିଙ୍କ ନେତୃତ୍ବରେ ବ୍ରିଟିଶ ସୈନ୍ୟମାନେ ଆସି ଭେଲୋର ଦୁର୍ଗର ଏଇ ବିଦ୍ରୋହକୁ ଧୁଳିସାତ କରିଦେଇଥିଲେ। ୧୮୦୬ର ଭେଲୋର ଦୁର୍ଗର ସିପାହୀ ବିଦ୍ରୋହର କାରଣ ପ୍ରାୟତଃ ୧୮୫୭ର ସିପାହୀ ବିଦ୍ରୋହ ସହ ସମାନ। ବ୍ରିଟିଶ ସିପାହୀମାନଙ୍କ ତୁଳନାରେ ଭାରତୀୟ ସିପାହୀମାନେ କମ୍ ଦରମା ପାଉଥିବା କାରଣଟି ଅସନ୍ତୋଷର ମୂଳ କାରଣ। ମାନ୍ଦ୍ରାଜ ସେନାବାହିନୀର ପ୍ରମୁଖ ସାର୍ ଜନ୍ କ୍ରାଡୋକ୍ ଭାରତୀୟ ସିପାହୀ ମାନଙ୍କ ପ୍ରତି ଏକ ବିଚିତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ ଯାହା ଅନୁସାରେ ମୁସଲମାନ ସିପାହୀମାନେ ନିୟମିତ ଦାଢୀ କାଟିବେ ଆଉ ହିନ୍ଦୁ ସିପାହୀମାନେ ନିଜର କପାଳରେ କୌଣସି ଧାର୍ମିକ ଚିତା ତିଳକ ଆଦି ଲଗାଇପାରିବେ ନାହିଁ। ଯେଉଁ ସିପାହୀମାନେ ଏହି ନିର୍ଦ୍ଦେଶନାମାକୁ ମାନୁ ନଥିଲେ ସେମାନଙ୍କୁ ସମସ୍ତଙ୍କ ସାମ୍ନାରେ ବେତ୍ରାଘାତ ଦଣ୍ଡ ଦିଆଯାଉଥିଲା। ଏହା ଭାରତୀୟ ସିପାହୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି କରୁଥିଲା। ଏହାଛଡା ଭାରତୀୟ ସିପାହୀଙ୍କୁ ପଗଡ଼ି ବଦଳରେ ଏକ ଗୋଲାକାର ଚମଡାର ଟୋପି ପିନ୍ଧିବାକୁ ବାଧ୍ୟ କରାଯାଉ ଥିଲା। ପଗଡ଼ି ସହିତ ଧାର୍ମିକ ଭାବନା ଓ ଭାରତୀୟତା ଜଡ଼ିତ ଥିବାରୁ ଏହାର ପରିବର୍ତ୍ତନକୁ ଭାରତୀୟ ସିପାହୀମାନେ ଗ୍ରହଣ କରି ପାରୁନଥିଲେ। ଠିକ୍ ସିପାହୀ ବିଦ୍ରୋହ ପାର୍ଟ ଟୁରେ ଯେମିତି ରୟାଲ୍ ଏନଫିଲ୍ଡ କାଟ୍ରିଜର ବ୍ୟବହାର ଆଉ ସେଥିରେ ଗାଈ ଓ ଘୁଷୁରି ଚର୍ବି ଥିବା କଥା ଉଭୟ ହିନ୍ଦୁ ଓ ମୁସଲମାନ ଭାରତୀୟ ସିପାହୀ ସଂପ୍ରଦାୟର ଧାର୍ମିକ ଭାବନାକୁ ଆହତ କରିଥିଲା, ସମାନ ଭାବରେ ଏହି ପାର୍ଟ ୱାନ ୧୮୦୬ର ସିପାହୀ ବିଦ୍ରୋହରେ ଭାରତୀୟ ସିପାହୀମାନଙ୍କର ବ୍ୟବହାର ପାଇଁ ଆସିଥିବା ଗୋଲାକାର ଚମଡ଼ା ଟୋପିଟି ଗାଈ ଓ ଘୁଷୁରିର ଚମଡାରେ ତିଆରି ବୋଲି ପ୍ରଚାରିତ ହୋଇଥିଲା। ତେଣୁ ଭେଲୋର ଦୁର୍ଗର ଭାରତୀୟ ସିପାହୀମାନେ ବ୍ରିଟିଶମାନଙ୍କ କବଳରୁ ନିଜକୁ ମୁକ୍ତ କରି ସ୍ବତନ୍ତ୍ର ମହିଶୂର ରାଜ୍ୟ ସ୍ଥାପନା କରିବାର ପରିକଳ୍ପନା କରିଥିଲେ। ସେମାନଙ୍କର କଳ୍ପନା ଓ ସ୍ବପ୍ନ ରହିଥିଲା ମାତ୍ର ଦିନକ ପାଇଁ। ବିଦ୍ରୋହରେ ପ୍ରାଣତ୍ୟାଗ କରିଥିବା ବ୍ରିଟିଶ ସେନାଧିକାରୀଙ୍କୁ ସସମ୍ମାନେ କବର ଦିଆଗଲା। ଭାରତୀୟ ମୃତ ବିଦ୍ରୋହୀ ସିପାହୀଙ୍କୁ ଏକାଠି ଗଦା କରି ନିଆଁ ଲଗାଇ ଜାଳି ଦିଆଗଲା ଯେମିତି ସେମାନଙ୍କର ସାମାନ୍ୟତମ ଚିହ୍ନବର୍ଣ୍ଣ ନରହେ। ଭାରତୀୟମାନେ ନିଜନିଜ ସାମର୍ଥ୍ୟ ଅନୁସାରେ ବାହାର ଶକ୍ତିକୁ ପ୍ରତିରୋଧ କରିଛନ୍ତି ଏହା ତାଙ୍କର ଅନ୍ତନିର୍ହିତ ଭାରତୀୟତାର ସଶକ୍ତ ପ୍ରମାଣ। ଏହା ପଛରେ ପ୍ରଥମ ଦ୍ବିତୀୟ ହିସାବର ଦୌଡ଼ ପ୍ରତଯୋଗିତା ଭଳି ବିଚାର କରିବା ପୂର୍ଣ୍ଣତଃ ଅପ୍ରାସଂଗିକ। କିନ୍ତୁ ଯେତେବେଳେ କିଛି କିଛି ଦେଶୀ ଶକ୍ତି ଆମ ଭିତରେ ଦୌଡ଼ ପ୍ରତିଯୋଗିତା କରି ଆମକୁ ପ୍ରଥମ ଦ୍ବିତୀୟର ରାଜନୈତିକ ଖେଳରେ ବିଭାଜିତ କରିବାର ହୁଇସିଲ ଫୁଙ୍କନ୍ତି ସେତେବେଳେ ଆମକୁ ସତର୍କ ରହିବାକୁ ହେବ। ଅଧିକ ସତର୍କ ହୋଇ ରହିବାକୁ ପଡ଼ିବ କାରଣ ଏଇଠି ରହିଥାଏ ବିଦ୍ବେଷର ମୂଳମଂଜି। ଅପରାଜେୟ ହେବାର ଆନନ୍ଦ ଅପେକ୍ଷା ଉଦାରତାର ଆନନ୍ଦ ସବୁବେଳେ ଅଧିକ।

Share :