ବିଜୁଳି ଆଘାତରେ କାହିଁକି ମରୁଛନ୍ତି ଏତେ ଲୋକଁ

ବିଜୁଳି ଆଘାତରେ କାହିଁକି ମରୁଛନ୍ତି ଏତେ ଲୋକଁ

Share :

ଓଡ଼ିଶାରେ ବହୁଳ ସଂଖ୍ୟାରେ ୧୧କେଭି ଓ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଆଘାତରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନଙ୍କୁ ବ୍ୟଥିତ କରିଛି । ଏହି ସବୁ ମୃତ୍ୟୁର ମୂଳ କାରଣଗୁଡ଼ିକ ମଧ୍ୟରୁ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ଅବହେଳା, ସୁରକ୍ଷା ବ୍ୟବସ୍ଥାର ରକ୍ଷଣାବେକ୍ଷଣର ଅଭାବ, ତାରଗୁଡିକୁ ସମୟାନୁସାରେ ମରାମତି ନକରିବା ପ୍ରମୁଖ କାରଣ ବୋଲି ଉପଲବ୍ଧି କରି ଜାତୀୟ ମାନବାଧିକାର କମିଶନ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରିକରି ୬ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ତଲବ କରିଛନ୍ତି । ଜାତୀୟ ମାନବାଧିକାର କମିଶନ ୧.୧.୨୦୧୪ ଠାରୁ ୩୦.୪.୨୦୧୮ (୪ ବର୍ଷ ୪ ମାସ) ଅବଧି ମଧ୍ୟରେ ଓଡ଼ିଶାରେ ୧୧ କେ.ଭି ବିଦ୍ୟୁତ ସରବରାହ ବ୍ୟବସ୍ଥାରେ ତୃଟି ଯୋଗୁଁ କେତେ ମୃତ୍ୟୁ/ଗୁରୁତର ଆଘାତ ଘଟଣା ଘଟିଛି ଜାଣିବାକୁ ଚାହିଁଛନ୍ତି । ସେହିପରି ମୃତ୍ୟୁ/ଗୁରୁତର ଆଘାତ ଘଟଣାଗୁଡିକରେ ପୀଡିତ ଅଥବା ତାଙ୍କ ପରିବାରକୁ ପ୍ରଦାନ କରାଯାଇଥିବା ଅନୁକମ୍ପା ରାଶିର ସମସ୍ତ ତଥ୍ୟ ସହିତ ଘଟଣା ଗୁନିକର ସବିଶେଷ ବିବରଣୀ ପଠାଇବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସେହିସବୁ ଘଟଣାଗୁଡ଼ିକର ସବିଶେଷ ବିବରଣୀ, ଯେଉଁ କ୍ଷେତ୍ରରେ ପୀଡିତ ଅଥବା ତାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବା ବାକି ବା ବିଚାରାଧୀନ ରହିଛି ତାହାର କାରଣଗୁଡ଼ିକ ମଧ୍ୟ ଦର୍ଶାଇବା ଆବଶ୍ୟକ ବୋଲି ମଧ୍ୟ କମିଶନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ସହିତ ଉଦ୍ବେଗଜନକ ଭାବରେ ବଢ଼ି ଚାଲିଥିବା ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ/ଆହତ ଘଟଣାଗୁଡ଼ିକୁ ପ୍ରତିହତ କରିବା ଦିଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହା ଜାଣିବାକୁ କମିଶନ ଆଗ୍ରହ ପ୍ରକାଶ କରିଛନ୍ତି । ବିଦ୍ୟୁତ ଭିତ୍ତିଭୂମି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କମ୍ପାନୀଗୁଡ଼ିକ ନିଜ ଦାୟିତ୍ୱରେ ଅବହେଳା କଲେ ସେମାନଙ୍କ ବିରୁଦ୍ଧରେ କ’ଣ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଣୀତ ନିୟମାବଳିରେ ବ୍ୟବସ୍ଥା ରହିଛି ଏବଂ ପ୍ରକୃତପକ୍ଷେ ଗତ ୧ ଜାନୁଆରୀ ୨୦୧୪ ଠାରୁ ୩୦ ଅପ୍ରେଲ ୨୦୧୮ ଅବଧି ମଧ୍ୟରେ ସେହିସବୁ କମ୍ପାନୀଙ୍କ ବିରୁଦ୍ଧରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ଉତ୍ତର ରଖିବାକୁ ମଧ୍ୟ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ରମ୍ଭା ଗାଁର ରଶ୍ମିତା ଦିଗାଲ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଫୁଲପାଟଣା ଗାଁର ମହିଳା ପ୍ରଗତି ଦାସଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଣାରେ କଳାହାଣ୍ଡି ଜିଲ୍ଲାର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଆଗତ ଦୁଇଟି ମାମଲାର ବିଚାର କରି ଜାତୀୟ ମାନବାଧିକାର କମିଶନ ଉଦ୍ବେଗ ପ୍ରକାଶ କରିବା ସହିତ ଉପରୋକ୍ତ ରିପୋର୍ଟ ତଲବ କରିଛନ୍ତି । ତତ୍ ସଙ୍ଗେସଙ୍ଗେ ଏହି ଦୁଇ ମୃତକ ମହିଳାଙ୍କ ପରିବାର ବର୍ଗଙ୍କୁ ୩ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ପ୍ରକାଶ ଥାଉକି, ଏହିଭଳି ବିଦ୍ୟୁତ ଜନିତ ଦୁର୍ଘଟଣା ବାବଦରେ ଦିଲ୍ଲୀପ କୁମାର ଦାସ ଏବଂ ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ମାନବାଧିକାର କମିଶନଙ୍କ ନିକଟରେ ଶହଶହ ଅଭିଯୋଗ ଦାଖଲ କରାଯାଇଛି ଏବଂ ସେସବୁ ମାମଲା ପଞ୍ଜିକୃତ ହୋଇ ବିଚାର ଚାଲିଛି । ଏତଦ୍ ବ୍ୟତୀତ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଏନେଇ ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି ।

Share :