ଲୋକାୟୁକ୍ତଙ୍କ ଦାନ୍ତର ଦାଢ଼ କେତେ?

ଲୋକାୟୁକ୍ତଙ୍କ ଦାନ୍ତର ଦାଢ଼ କେତେ?

ବହୁ ବିଳମ୍ବରେ ହେଲେ ବି ଓଡ଼ିଶା ସରକାର ଲୋକାୟୁକ୍ତ ଆଇନର କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ଜାରି ହୋଇଥିବା ନେଇ ଏକ ଖବର ପ୍ରକାଶ ପାଇଛି । ଏହା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ରାଜ୍ୟ ଶାସନ ଓ ପ୍ରଶାସନରୁ ଦୁର୍ନୀତି ଦୂର କରିବା ଦିଗରେ ଏହି ଆଇନ କେତେ ସହାୟକ ହେବ ଓ ଓଡ଼ିଶା ବିଧାନସଭାରେ ପ୍ରଣୀତ ଏହି ଆଇନ ବଳରେ କେତେ ଓ କେତେ ଶୀଘ୍ର ଦୁର୍ନୀତିଗ୍ରସ୍ତ ଲୋକମାନେ ଦଣ୍ଡ ପାଇବେ ତାହା ଆଇନ କାର୍ଯ୍ୟକାରୀ ହେଲା ପରେ ଜଣାପଡ଼ିବ । ତେବେ ଏହି ଆଇନ ଦୁର୍ନୀତି ବିରୋଧରେ ଏକ ପ୍ରତିରୋଧକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଏ । ଏ ଆଶା ମଧ୍ୟ କେତେ ଫଳବତୀ ହେଉଛି ତାହା ଭବିଷ୍ୟତ କହିବ । ରାଜ୍ୟ ସରକାର ଲୋକାୟୁକ୍ତ ଆଇନର କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ଜାରି କରିଥିଲେ ବି କେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେନେଇ ଦୁର୍ନୀତି ବିରୋଧୀ ସାମାଜିକ କର୍ମୀଙ୍କ ମଧ୍ୟରେ ସନ୍ଦେହ ଉଠିବାର ଯଥେଷ୍ଟ କାରଣ ରହିଛି । ୨୦୧୩ ମସିହାରେ ଜାତୀୟ ସଂସଦରେ ପ୍ରଣୀତ ହୋଇଥିବା ଲୋକପାଳ ଓ ଲୋକାୟୁକ୍ତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସେହି ଆଇନ ପ୍ରଣୀତ ହେବାର ଏକ ବର୍ଷ ମଧ୍ୟରେ ଦେଶର ସମସ୍ତ ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବା କଥା । କହିବା ବାହୁଲ୍ୟ, ଏଯାଏଁ ଏହା କାର୍ଯ୍ୟକାରୀ ହୋଇନାହିଁ । ସଂଖ୍ୟାଧିକ ରାଜ୍ୟରେ ଏଯାଏଁ ଲୋକାୟୁକ୍ତ ନିଯୁକ୍ତ ହୋଇନାହାନ୍ତି । ଏପରିକି କେନ୍ଦ୍ର ସରକାର ମଧ୍ୟ ଜାତୀୟ ସ୍ତରରେ ଲୋକପାଳ ନିଯୁକ୍ତ କରିନାହାନ୍ତି । ଦେଶରେ ଲୋକପାଳ ଓ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନଥିବା ସଂକ୍ରାନ୍ତରେ ସୁପ୍ରିମ କୋର୍ଟରେ ମାମଲା ହେବା ଏବଂ ଦେଶର ଏହି ସର୍ବୋଚ୍ଚ ନ୍ୟାୟାଳୟ ଏନେଇ ଆଇନ କାର୍ଯ୍ୟକାରୀ କରି ନଥିବା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ତାଗିଦ କରିବା ପରେ ଅନେକ ରାଜ୍ୟ ତତ୍ପର ହୋଇଛନ୍ତି । ତନ୍ମଧ୍ୟରେ ଓଡ଼ିଶା ସରକାର ଅନ୍ୟତମ । ୨୦୧୪ ଫେବୃଆରୀ ୧୪ ତାରିଖରେ ଓଡ଼ିଶା ବିଧାନସଭାରେ ଲୋକାୟୁକ୍ତ ବିଲ୍ ଗୃହୀତ ହୋଇଥିଲା । ସେହିବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ । ଇତିମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ବି ରାଜ୍ୟ ସରକାର ଲୋକାୟୁକ୍ତ ଆଇନକୁ କାର୍ଯ୍ୟକାରୀ କରିନାହାନ୍ତି । ସୁପ୍ରିମ କୋର୍ଟ ଏ ନେଇ ଜବାବ ତଲବ କରିବା ପରେ ଓଡ଼ିଶା ସରକାର ଏହି ଆଇନ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ଏକ ସତ୍ୟପାଠ ଦାଖଲ କରିଥିଲେ । ତାହା ମିଥ୍ୟା ପ୍ରମାଣିତ ହେବାରୁ ସରକାର ସେହି ଭୁଲ ସ୍ୱୀକାର କରିବା ସହିତ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ ବୋଲି କୋର୍ଟଙ୍କ ଜଣାଇଥିଲେ । ଜୁଲାଇ ୧୦ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏନେଇ ସୁପ୍ରିମ କୋର୍ଟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ପାଇଛନ୍ତି । ତେଣୁ ଏହା ପୂର୍ବରୁ ଏହି ଆଇନର କାର୍ଯ୍ୟକାରିତ ନେଇ ବିଜ୍ଞପ୍ତି ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଓ ତାହା ଜାରି ହୋଇଛି । ଏହି ସମୁଦାୟ ଘଟଣାକ୍ରମରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ପୂର୍ବର ଅନେକ ଦୁର୍ନୀତି ବିରୋଧୀ ଆଇନ ଭଳି ଦୁର୍ନୀତି ବିରୋଧରେ ଲଢ଼େଇ କରିବାରେ ଲୋକାୟୁକ୍ତ ଆଇନ ମଧ୍ୟ ଅନେକଟା ଦୁର୍ବଳ । ତା’ ନହୋଇଥିଲେ ଏହା ଏଯାଏଁ କାର୍ଯ୍ୟକାରୀ ନହୋଇ ପଡ଼ି ରହି ନଥାନ୍ତା । ସେହିପରି ଏହା କାର୍ଯ୍ୟକାରୀ ହେଲେ ମଧ୍ୟ ଯେ ରାଜ୍ୟ ଶାସନ ଓ ପ୍ରଶାସନରୁ ଦୁର୍ନୀତିର ମୂଳୋତ୍ପାଟନ ସମ୍ଭବ ହେବ ତାହା ମଧ୍ୟ କୁହାଯାଇପାରିବ ନାହିଁ । ଏହି ବିଲ୍ ବିଧାନସଭାରେ ଗୃହୀତ ହେବା ସମୟରେ ତକ୍ରାଳୀନ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କର ଏକ ମନ୍ତବ୍ୟ ସେତେବେଳେ ଚର୍ଚ୍ଚାର ବିଷୟବସ୍ତୁ ହୋଇଥିଲା । ସେ କହିଥିଲେ ଯେ ଏହି ଆଇନ ଦ୍ୱାରା ଯେ ଦୁର୍ନୀତିର ମୂଳୋତ୍ପାଟନ ହୋଇଯିବ ତାହା ମୁଁ ଗ୍ୟାରେଣ୍ଟି ଦେଇ କହିପାରିବି ନାହିଁ । ତେବେ ଏହା ଦୁର୍ନୀତି ବିରୋଧରେ ଏକ ଦୃଢ଼ ପ୍ରତିରୋଧକ ଭାବେ କାର୍ଯ୍ୟ କରିବ । ଦୁର୍ନୀତି ବିରୋଧରେ ଏ ଦେଶରେ କିଛି କମ୍ ଆଇନ ନାହିଁ । ଏ କ୍ଷେତ୍ରରେ ସବୁଠାରୁ ଉଲ୍ଲେଖଯୋଗ୍ୟ ଆଇନ ହେଉଛି ଦୁର୍ନୀତି ନିବାରଣ ଆଇନ ୧୯୮୮ । ଏହି ଆଇନ ବଳରେ ହିଁ ଲୋକପାଳ ଓ ଲୋକାୟୁକ୍ତଙ୍କ ନିକଟରେ ଦୁର୍ନୀତି ସଂପର୍କୀତ ଅଭିଯୋଗ ଦାଏର ହେବ । ଲୋକପାଳ ବ୍ୟବସ୍ଥା ପରି ଲୋକାୟୁକ୍ତ ମଧ୍ୟ ପ୍ରଚଳିତ ଶାସନ ବ୍ୟବସ୍ଥା ଦ୍ୱାରା ନିଯୁକ୍ତ ହେବେ । ଲୋକପାଳ ସଂସ୍ଥାର ଅନ୍ୟ ସଦସ୍ୟମାନଙ୍କୁ ଯେପରି ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ସୁପ୍ରିମ କୋର୍ଟର ଜଣେ ବିଚାରପତି, ଜଣେ ମନୋନୀତ ପ୍ରଖ୍ୟାତ ଆଇନଜ୍ଞ ପ୍ରମୁଖ ମନୋନୀତ କରିବେ ସେହିପରି ଲୋକାୟୁକ୍ତ ଏବଂ ଏହି ସଂସ୍ଥାର ଅନ୍ୟ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ, ବିଧାନସଭାର ବିରୋଧୀ ଦଳ ନେତା, ହାଇକୋର୍ଟ ମୁଖ୍ୟ ବିଚାରପତି ବା ତାଙ୍କ ମନୋନୀତ କୌଣସି ବିଚାରପତି ମନୋନୀତ କରିବେ । ଏ ସମସ୍ତଙ୍କୁ ରାଜ୍ୟପାଳ ନିଯୁକ୍ତି ପ୍ରଦାନ କରିବେ । ଲୋକାୟୁକ୍ତ ସଦସ୍ୟ ନିଯୁକ୍ତି କ୍ଷେତ୍ରରେ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି ଓ ମହିଳା ସଦସ୍ୟ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ । ଏହି ଲୋକାୟୁକ୍ତ ଦୁର୍ନୀତି ଅଭିଯୋଗର ପ୍ରାଥମିକ ତଦନ୍ତ କରିବେ । ଆପାତଃ ପ୍ରମାଣ ଯୋଗ୍ୟ ତଥ୍ୟ ଥିଲେ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ । ତଦନ୍ତ ପରେ ବିଚାର ହେବ । ବିଚାରରେ ଅଭିଯୋଗ ପ୍ରମାଣିତ ହେଲେ ଦୋଷୀ ଦଣ୍ଡ ପାଇବ । ପ୍ରଚଳିତ ଅନ୍ୟାନ୍ୟ ଦୁର୍ନୀତି ବିରୋଧୀ ଆଇନରେ ମଧ୍ୟ ଏହିପରି ବିଚାର ଓ ଦଣ୍ଡର ବ୍ୟବସ୍ଥ।। ରହିଛି । ତଥାପି ଜାତୀୟ ଓ ରାଜ୍ୟ ଶାସନ ବ୍ୟବସ୍ଥାରୁ ଦୁର୍ନୀତି ଦୂର ହୋଇପାରି ନାହିଁ । ବରଂ ବଢ଼ିବଢ଼ି ଚାଲିଛି । ଏହି ପୃଷ୍ଠଭୂମିରେ ଦେଖିଲେ ଲୋକପାଳ ଓ ଲୋକାୟୁକ୍ତ ବ୍ୟବସ୍ଥା ଯେ ଶାସନ ଓ ପ୍ରଶାସନରୁ ଦୁର୍ନୀତିର ମୂଳୋତ୍ପାଟନ କରିବ ତାହା କେହି ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ । ଦୁର୍ନୀତି ବିରୋଧୀ ଭାରତ ଆନ୍ଦୋଳନର ଉଦ୍ୟୋକ୍ତା ଆନ୍ନା ହଜାରେ ଯିଏ ଜନ ଲୋକପାଳ ଦାବିରେ ୨୦୧୨ ମସିହାରେ ଅନଶନ କରି ସାରା ଦେଶକୁ ଦୁର୍ନୀତି ବିରୋଧରେ ଏକଜୁଟ କରିଥିଲେ ସେ ମଧ୍ୟ ଏହି ଲୋକପାଳ ଓ ଲୋକାୟୁକ୍ତ ବ୍ୟବସ୍ଥା ନେଇ ସଂପୂର୍ଣ୍ଣ ସନ୍ତୁଷ୍ଟ ନୁହନ୍ତି । ଏହା ଏଯାଏଁ କାର୍ଯ୍ୟକାରୀ ହୋଇ ନଥିବାରୁ ସେ ତତୋଧିକ ଅସନ୍ତୁଷ୍ଟ । ଏଥିରୁ ଏହି ଆଇନର ସଂଫଳତା ସଂପର୍କରେ ଅନେକ କିଛି ଆଭାସ ମିଳେ । ଲୋକପାଳ ଓ ଲୋକାୟୁକ୍ତ ବ୍ୟବସ୍ଥା ଯଦି ସରକାରଙ୍କଠାରୁ ସ୍ୱତନ୍ତ୍ର ଓ ସ୍ୱାଧୀନ ଏକ ସଂସ୍ଥା ଭାବରେ କାର୍ଯ୍ୟ ନକରେ ତେବେ ଏହା ତା’ର ମୂଳ ଉଦ୍ଦେଶ୍ୟ ସାଧିତ କରିପାରିବ ନାହିଁ । ସରକାରଙ୍କର ଏକ ଅଙ୍ଗ ଭାବେ ଏହି ସଂସ୍ଥା କେବେ ବି ଶାସନ ଓ ପ୍ରଶାସନରେ ରହିଥିବା ଦୁର୍ନୀତି ବିରୋଧରେ ନିରପେକ୍ଷ ତଦନ୍ତ ଓ ବିଚାର କରିପାରିବ ନାହିଁ । ନ୍ୟାୟପାଳିକା ପରି ଏହି ସଂସ୍ଥା ଯଦି ସାମ୍ବିଧାନିକ ମର୍ଯ୍ୟାଦା ପାଏ ତେବେ କେଜାଣି ଏଥିରୁ କିଛି ଆଶା କରାଯାଇପାରେ ।

Share :