ଏମଏସପି ବଢ଼ିଲା, ଖାଦ୍ୟ ଦର ବଢ଼ିବ

ଏମଏସପି ବଢ଼ିଲା, ଖାଦ୍ୟ ଦର ବଢ଼ିବ

Share :

କୃଷକମାନଙ୍କ ପାଇଁ ଖୁସି ଖବର । ଖରିଫ ଫସଲର ସର୍ବିମ୍ନ ସହାୟକ ଦର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆଜି ନୂଆ ଦର ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଧାନର ସର୍ବନିମ୍ନ ସହାୟକ ଦର କୁଇଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ଏହା ଫଳରେ ଖୋଲା ବଜାରରେ ଚାଉଳ ଦର ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ଅନ୍ୟାନ୍ୟ ଶସ୍ୟର ଏମଏସପି ବହୁ ପରିମାଣରେ ବୃଦ୍ଧି ପାଇଥିବାରୁ ଖାଇବା ତେଲ ଓ ଡାଲି ଦର ମଧ୍ୟ ବହୁ ପରିମାଣରେ ବଢ଼ିବା ନିଶ୍ଚିତ । ଏହା ଫଳରେ ମୁଦ୍ରାସ୍ଫୀତି ବଢ଼ିବ ଓ ସାଧାରଣ ଖାଉଟିଙ୍କ ଉପରେ ଆର୍ଥିକ ବୋଝ ମଧ୍ୟ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟିର ନିଷ୍ପତ୍ତି ଅନୁସାରେ ୨୦୧୮-୧୯ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ଦର ସର୍ବାଧିକ ୨୦୦ ଟଙ୍କା ବୃଦ୍ଧି କରାଯାଇଛି । ଏଣିକି ସାଧାରଣ ଧାନର କୁଇଣ୍ଟାଲ ପିଛା ୧୭୫୦ ଟଙ୍କାରେ ସରକାର କିଣିବେ । ପୂର୍ବରୁ ଏହା ୧୫୫୦ ଟଙ୍କା ଥିଲା । ଗ୍ରେଡ଼ ଏ ଧାନର ସର୍ବନିମ୍ନ ସହାୟକ ଦର ବା ଏମଏସପି ୧୫୯୦ ଟଙ୍କାରୁ ୧୭୭୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ହାଇବ୍ରିଡ଼ ଯଅର ଏମଏସପି ୧୭୦୦ ୨୪୩୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ମାଲଦାଣ୍ଡି ଯଅର ଏମଏସପି ୧୭୨୫ରୁ ୨୪୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଗି ବା ମାଣ୍ଡିଆ ଏମଏସପି ୧୯୦୦ ଟଙ୍କାରୁ ୪୮୯୭ ଟଙ୍କା, ମକା ଏମଏସପି ୧୪୭୫ ଟଙ୍କାରୁ ୧୭୦୦ ଟଙ୍କା ଏବଂ ହରଡ଼ ଡାଲି ଏମଏସପି କୁଇଣ୍ଟାଲ ପିଛା ୫୪୫୦ ଟଙ୍କାରୁ ୫୬୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମୁଗର ସର୍ବନିମ୍ନ ସହାୟକ ଦର ୫୫୭୫ ଟଙ୍କାରୁ ୬୯୭୫ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଚିନାବାଦାମ ଏମଏସପି ୪୪୫୦ ଟଙ୍କାରୁ ୪୪୯୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି ୪୧୦୦ ଟଙ୍କାରୁ ୫୩୮୮ ଟଙ୍କାକୁ ବୃଦ୍ଧି କରାଯାଇଛି । ସୋୟାବିନ ଏମଏସପି ୩୦୫୦ ଟଙ୍କାରୁ ୩୩୯୯ ଟଙ୍କା, ରାଶି ଏମଏସପି ୫୩୦୦ ଟଙ୍କାରୁ ୬୨୪୯ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି କଳାରାଶିର ସର୍ବନିମ୍ନ ସହାୟକ ଦର ୪୦୫୦ ଟଙ୍କାରୁ ୫୮୭୭ ଟଙ୍କାକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତିକୁ ଐତିହାସିକ ବୋଲି ବିବେଚନା କରାଯାଉଛି । ୨୦୧୮-୧୯ ସାଧାରଣ ବଜେଟରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସମସ୍ତ ଖରିଫ ଫସଲର ପାଖାପାଖି ଦେଢ଼ଗୁଣା ସମର୍ଥନ ମୂଲ୍ୟ ଦିଆଯିବା ଲାଗି ଘୋଷଣା କରାଯାଇଥିଲା । ଏହି ନୀତି ଆଧାରରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ବୋଲି ସରକାର କହିଛନ୍ତି । ସରକାରଙ୍କ ତରଫରୁ କୁହାଯାଇଛି ଯେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ଅନ୍ୟ ଅଧିକୃତ ରାଜ୍ୟ ସଂସ୍ଥା ପୋଷକ ଶସ୍ୟ ସହିତ ଅନ୍ୟ ଶସ୍ୟ ଲାଗି କୃଷକମାନଙ୍କୁ ମୂଲ୍ୟ ସହାୟତା ଜାରି ରଖିବେ । ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ସଂଘ (ନାଫେଡ), ଏଫସିଆଇ, ସ୍ମଲ ଫାର୍ମର୍ସ ଏଗ୍ରୀ-ବିଜନେସ କନସୋର୍ଟିୟମ (ଏସଏଫଏସି) ଏବଂ ଅନ୍ୟ ଅଧିକୃତ କେନ୍ଦ୍ରୀୟ ସଂସ୍ଥା ଡାଲି ଜାତୀୟ ଏବଂ ତୈଳବୀଜ ଫସଲ କ୍ରୟ ଜାରି ରଖିବେ । ଭାରତୀୟ କପା ନିଗମ (ସିସିଆଇ) କପାର ସମର୍ଥନ ମୂଲ୍ୟ ଅନୁଧ୍ୟାନ ଲାଗି ନୋଡାଲ ଏଜେନ୍ସି ହେବ । ଡାଲି ଜାତୀୟ ଫସଲ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବା ଦ୍ୱାରା ଭାରତକୁ ପୁଷ୍ଟିସାଧନ ବିପଦର ମୁକାବିଲା, ମୃତ୍ତିକାରେ ନାଇଟ୍ରୋଜେନର ମାତ୍ରା ବୃଦ୍ଧି ଏବଂ ଉର୍ବରକତା ଓ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟତା ମିଳିପାରିବ । ଏହାବ୍ୟତୀତ ସର୍ବନିମ୍ନ ସମର୍ଥନ ମୂଲ୍ୟରେ ବୃଦ୍ଧି ତ୍ୱାରା ତୈଳବୀଜ ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ତେବେ ଏସବୁ ଫସଲର ଏମଏସପି ବୃଦ୍ଧି କରାଯିବା କାରଣରୁ ଖାଦ୍ୟ ଦର ଏବଂ ସରକାରଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇବ ବୋଲି ହେଉଥିବା ଆଶଙ୍କାକୁ ଖାରଜ କରିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ସେ ଗଣମାଧ୍ୟମକୁ କହିଛନ୍ତି ଯେ ଏଥିଯୋଗୁଁ ଆର୍ଥିକ କ୍ଷତି ହେବ ବୋଲି ଆକଳନ କରିବା ଠିକ ନୁହେଁ । ଆମେ ଏହାର ନକାରାତ୍ମକ ଦିଗ ପ୍ରତି ନଜର ପକାଇବା ନାହିଁ । ମୁଦ୍ରାସ୍ଫୀତି ଉପରେ ଖାଦ୍ୟ ଓ ଇନ୍ଧନର ଭୂମିକା ନାହିଁ ବୋଲି ସେ କହିଛନ୍ତି ।

Share :