ଖୁବଶୀଘ୍ର ଲୁଣ ସଂକଟ!

ଖୁବଶୀଘ୍ର ଲୁଣ ସଂକଟ!

Share :

ଖୁବଶୀଘ୍ର ଦେଶର ବିଭିନ୍ନ ରାଜ୍ୟରେ ଦେଖାଦେଇପାରେ ଲୁଣ ସଂକଟ । କାରଣ ଗୁଜରାଟର କଚ୍ଛ ପ୍ରାନ୍ତ ଅନ୍ତର୍ଗତ ଗାନ୍ଧୀଧାମରେ ଏବେ କେତେକ ଲୁଣ କାରଖାନା ୮ ଲକ୍ଷ ଟନ ଲୁଣ ମହଜୁଦ କରି ରଖିଛନ୍ତି । କାରଣ ତାହା ପରିବହନ କରିବାକୁ ଟ୍ରେନ୍ ମିଳୁନି । ଗୁଜରାଟର ୨୦ଟି ଲୁଣ ବିଶୋଧନ କାରଖାନାରୁ କେବଳ ଗାନ୍ଧୀଧାମରେ ରହିଛି ୧୪ଟି । ଏସବୁ କାରଖାନାରେ ଏବେ ପ୍ରାୟ ୮ ଲକ୍ଷ ଲୁଣ ଗଚ୍ଛିତ ହୋଇରହିଛି । କାରଣ ଏହାକୁ ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ କରିବାକୁ ଟ୍ରେନ୍ ଅଭାବ ଦେଖାଦେଇଛି । ତାହାର କାରଣ ହେଉଛି ଏହି ଅଂଚଳର ଅନେକ ମାଲବାହୀ ଟ୍ରେନ୍ ଏବେ ଏହି ଅଂଚଳର କାଣ୍ଡଲା, ମୁନ୍ଦ୍ରା ଏବଂ ଟୁନା ବନ୍ଦରରୁ ସାର ପରିବହନ କରିବାରେ ଅଗ୍ରାଧିକାର ଭିତ୍ତିରେ ନିୟୋଜିତ ହୋଇଛି । ଏବେ ଦେଶର ବିଭିନ୍ନ ଅଂଚଳରେ ଖରିଫ ଚାଷ ଆରମ୍ଭ ହୋଇଯାଇଥିବାରୁ ଏସବୁ ବନ୍ଦରରେ ମହଜୁଦ ଥିବା ସାରକୁ ଅଗ୍ରାଧିକାର ଭିତ୍ତିରେ ପରିବହନ କରାଯାଉଛି । ଏହି ସବୁ ବନ୍ଦରରେ ଏବେ ପ୍ରାୟ ୧୭ ଲକ୍ଷ ଟନ୍ ସାର ମହଜୁଦ ରହିଛି । ଏବେ ଟ୍ରେନ୍ ସବୁ ସାର ପରିବହନରେ ବ୍ୟସ୍ତ ଥିବାରୁ ଗାନ୍ଧୀଧାମର ଲୁଣ ପରିବହନ ପାଇଁ ଟ୍ରେନ୍ ମିଳୁ ନାହିଁ । ଗାନ୍ଧୀଧାମର ଲୁଣ କାରଖାନାଗୁଡ଼ିକ ଲୁଣ ପରିବହନ ପାଇଁ ଚିରାଇ ଷ୍ଟେସନରେ ୩୦୦ ରେକ୍ ପାଇଁ ଆବେଦନ କରିଥିଲେ । ଏହି ଅଂଚଳରେ ହିଁ ଅଧିକ।।ଶ ଲୁଣ କାରଖାନା ରହିଛି । ଏସବୁ ଲୁଣ କାରଖାନାରୁ ବିଶୋଧିତ ଓ ଆୟୋଡିନ ଯୁକ୍ତ ଲୁଣ ଉତ୍ପାଦନ କରାଯାଇ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଯାଇଥାଏ । ଗୁଜରାଟ ଲୁଣ ବିଶୋଧନାଗାର ସଂଘର ସଭାପତି ବଛୁ ଅହୀର କହିଛନ୍ତି, ‘ଲୁଣ ପରିବହନ ପାଇଁ ଆମକୁ ଦିନକୁ ଅତିକମରେ ୫ଟି ରେକ୍ ଦରକାର । କିନ୍ତୁ ଏବେ ଆମକୁ ମାତ୍ର ୨-୩ଟି ରେକ୍ ମିଳୁଛି । ଆମର ଏତେ ଲୁଣ ମହଜୁଦ ହୋଇଗଲାଣି ଯେ ତାହା ଏଇ ୨-୩ଟି ରେକ୍ରେ ଅନ୍ୟତ୍ର ପଠାଇବା ସମ୍ଭବ ହେଉ ନାହିଁ । ଏ ସମସ୍ୟା କେବଳ ଚିରାଇ ଷ୍ଟେସନରେ ସୀମିତ ନାହିଁ । ଖରଘୋଦା, ହାଲବାଦ ଓ ସାନ୍ତାଲପୁର ଷ୍ଟେସନରେ ମଧ୍ୟ ଏହି ଅବସ୍ଥା । ଏସବୁ ଷ୍ଟେସନ ନିକଟରେ ବି ବହୁ ପରିମାଣର ଲୁଣ ବିଶୋଧନ କାରଖାନା ରହିଛି । ଏହି ଅଞ୍ଚଳରେ ମଧ୍ୟ ଲୁଣ ପରିବହନ ପାଇଁ ରେଳ ରେକ୍ ମିଳୁ ନାହିିଁ । ଗାନ୍ଧୀଧାମରେ ବିଶୋଧିତ ହେଉଥିବା ଲୁଣ ଉତ୍ତରପୂର୍ବାଞ୍ଚଳ ସମେତ ଦେଶର ବିଭିନ୍ନ ଭାଗକୁ ପଠାଯାଇଥାଏ । ଏଠାରୁ ରେକ୍ ମାଲ୍ ପରିବହନ କରିଥାଏ । ଗୋଟିଏ ହେଉଛି ୪୨ ୱାଗନ ବିଶିଷ୍ଟ ରେକ୍ । ଏଥିରେ ୨୬୦୦ ଟନ୍ ପର୍ଯ୍ୟନ୍ତ ଲୁଣ ପରିବହନ କରାଯାଇଥାଏ । ଅନ୍ୟଟି ହେଉଛି ୫୮ ୱାଗନ ବିଶିଷ୍ଟ ରେକ୍ । ଏଥିରେ ୪୦୦୦ ଟନ୍ ପର୍ଯ୍ୟନ୍ତ ଲୁଣ ଚାଲାଣ ହୋଇଥାଏ । ଏସବୁ ରେକ୍ରେ ଏକ କେଜି ଓଜନର ପ୍ୟାକେଟରେ ଲୁଣସବୁ ଦେଶର ବିଭିନ୍ନ ଅଞ୍ଚଳକୁ ଯାଇଥାଏ । ପରିବହନ ପାଇଁ ରେକ୍ ଅଭାବ ଯୋଗୁଁ ଏ ଅଞ୍ଚଳର ଅଧିକାଂଶ କାରଖାନା ଲୁଣ ଉତ୍ପାଦନ କମେଇ ସାରିଲେଣି । ଲୁଣ ପରିବହନ ନହୋଇ ଗଚ୍ଛିତ ରହିଥିବାରୁ କାରଖାନାଗୁଡ଼ିକୁ ଏପରି ନିଷ୍ପତ୍ତି ନେଇଛନ୍ତି । ପରିବହନ ଓ ଉତ୍ପାଦନ ବନ୍ଦ ହେଲେ ତାହା ଦ୍ୱାରା ବଜାରରେ ଅଭାବ ସୃଷ୍ଟି କରିବାର ଆଶଙ୍କା ରହିଛି । ପଶ୍ଚିମ ରେଳବାଇର ଆଞ୍ଚଳିକ ମ୍ୟାନେଜର ଆଦିଶ ପଠାଣିଆ କହିଛନ୍ତି ଯେ ଚଳିତ ବର୍ଷ ସାର ଚାହିଦା ବୃଦ୍ଧି ପାଇଛି । ତେଣୁ ଲୁଣ ପରିବହନ ପାଇଁ ଅଧିକ ରେକ୍ ଯୋଗାଇ ହେଉନାହିଁ । ଗତ ବର୍ଷ ତୁଳନାରେ ଲୁଣ ପାଇଁ ଏବର୍ଷ ୮-୧୦ ପ୍ରତିଶତ ରେକ୍ କମ୍ ମିଳୁଛି । ଏବେ ବିହନ ବୁଣା ସମୟ । ତିନିଟି ବନ୍ଦର ଓ ଇଫକୋରେ ଏବେ ୧୭ ଲକ୍ଷ ଟନ୍ ସାର ଗଦା ହୋଇରହିଛି । ଆଗ ସାର ପରିବହନ ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ଲୁଣ ଗଦା ହୋଇଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁଜରାଟରେ ପ୍ରତିବର୍ଷ ୨.୧୬ କୋଟ ଟନ୍ ଲୁଣ ଉତ୍ପାଦିତ ହୋଇଥାଏ । ସେଥରୁ ୮୦ ଲକ୍ଷ ଟନ୍ କେବଳ କଚ୍ଛ ଅଞ୍ଚଳରେ ବିଶୋଧିତ ହୋଇଥାଏ । ମୋଟ ଉତ୍ପାଦିତ ଲୁଣରୁ ୮୦-୯୦ ଲକ୍ଷ ଟନ୍ ବିଦେଶକୁ ରପ୍ତାନୀ ହୋଇଥାଏ । ଆଉ ୮୦ ଲକ୍ଷ ଟନ୍ ଖାଇବା ଲୁଣ ଦେଶ ଭିତରେ ବିକ୍ରି ହୁଏ । ଶିଳ୍ପ ପାଇଁ ୫୦ ଲକ୍ଷ ଟନ୍ ଲୁଣ ଚାଲାଣ ହୋଇଥାଏ ।

Share :