ବର୍ଷା ଅଭାବ, ବଢ଼ୁଛି ଚାଷୀର ଚିନ୍ତା

ବର୍ଷା ଅଭାବ, ବଢ଼ୁଛି ଚାଷୀର ଚିନ୍ତା

ହେମାଙ୍ଗ ପ୍ରସାଦ ରାଉଳ ଆସନ୍ତେ ବର୍ଷାକାଳ ନିଦାଘ ଶେଷେ- ଏଇ ଉକ୍ତି କେବଳ କବିତାର ମଧୁମୟ ସଂଗୀତ ରୂପକ ଭାବରେ ବର୍ଷା କାଳ ରହିଯାଉନି ତ? ଏଇ ପ୍ରଶ୍ନ ଆଜି ଉଙ୍କି ମାରୁଛି ସମସ୍ତଙ୍କ ମନରେ। ସଂପ୍ରତି ମୌସୁମୀ ବର୍ଷା ପ୍ରାୟତଃ ହଜଗଲାଣି ଋତୁଚକ୍ରରେ। ସକାଳ ସଂଜ ରାତି ପ୍ରାୟତଃ ସମାନ ଅନୁଭବ। ବର୍ଷଣମୁଖର ଆଷାଢ଼ ନାହିଁ କି ମୁନ୍ଦା ମୁନ୍ଦା ଜଳ ବିନ୍ଦୁର ଟପ୍ ଟପ୍ ଶବ୍ଦ ନାହିଁ। ବରଦମାଳାର ରୂପ ଶୋଭା ଦେଖି ପ୍ରସନ୍ନ ମନରେ କୃଷକ କେଦାର ମାଳାରେ ନୀତି ଗୀତ ବୋଲିବାର ଦୃଶ୍ୟ ମଧ୍ୟ ନାହିଁ। ଏ ବର୍ଷ ମୌସୁମୀ ହଜିଯାଇଛି! କେବଳ ଲଘୁଚାପକୁ ଅପେକ୍ଷା କରି ସମୟ ଅତିବାହିତ କରୁଛି କୃଷକ ପରିବାର। ସାଧାରଣତଃ ରଜ ଆସିଯିବା ପରେ ସନ୍ତସନ୍ତିଆ ପଲ୍ଲୀର ଦୃଶ୍ୟ ଜଳମଗ୍ନ ବିଲର ଦୃଶ୍ୟ ଶୋଭାମଣ୍ଡନ କରୁଥିଲା ଧାନତଳି। ଘନ ସବୁଜ ରଙ୍ଗର ତଳି ବିଲରେ କାଦୁଅ ଭିତରେ ଅଙ୍କୁରିତ ହେଲେ କବିର ମନ କବିତା ଫୁଟାଇ ଦେଇ ଲେଖୁଥିଲା, ଶିଳ୍ପୀର ତୁଳୀ ଜୀବନ ଦେଇ ଆଙ୍କୁଥିଲା। କିନ୍ତୁ ଆଜି ସବୁ ଚିତ୍ର ରୁକ୍ଷ। ବିଲରେ ପାଣି ନାହିଁ କି ସବୁଜିମାର କେଦାର ଧାନକ୍ଷେତ ନାହିଁ। ଚିନ୍ତାରେ ବସିଛନ୍ତି ଚାଷିକୂଳ। କେନ୍ଦ୍ର ସରକାର ଇତି ମଧ୍ୟରେ ଘୋଷଣା କରିଛନ୍ତି କୃଷକଙ୍କୁ ଆଖି ଖୋସି ଦେଲାପରି ଶସ୍ୟ ସାମଗ୍ରୀର ଦର। କିନ୍ତୁ ଓଡ଼ିଶାରେ ମୌସୁମୀ ବର୍ଷା ନାହିଁ। ଦକ୍ଷିଣ ଓଡ଼ିଶାର ପ୍ରାୟତଃ ସବୁ ଜିଲ୍ଲାରେ ମୌସୁମୀ କାଳୀନ ବର୍ଷାର ଦେଖାନାହିଁ। ଚିନ୍ତା ଭିତରେ ବୁଡ଼ିଗଲେଣି ଚାଷୀ ପରିବାର। ଗଂଜାମର ଛତ୍ରପୁର, ସୋରଡ଼ା, ପୋଲସରା, ଧରାକୋଟ, ହିଂଜିଳି, ଆସିକା, କବିସୂର୍ଯ୍ୟନଗର, ଭଂଜନଗର, ଚିକିଟି ଅଂଚଳ କୃଷିପ୍ରଧାନ ଅଂଚଳ। ଏଇ ଅଂଚଳର ହଜାର ହଜାର ଚାଷୀ ହଜାର ହଜାର ଏକର ଜମିରେ ନିଜର ବର୍ଷକ ପାଇଁ ଆଦାୟ ରୋଜଗାର ପନ୍ଥା ବାଛି ନିଅନ୍ତି। କିନ୍ତୁ ଜୁଲାଇ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ବର୍ଷା ନାହିଁ। ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ପରିବା ପତର ଦର ମଧ୍ୟ ଆକାଶଛୁଆଁ। ବାଇଗଣ, ଟମାଟୋ, ଜହ୍ନିଦର ପ୍ରାୟତଃ ହାରାହାରି ୩୦ ରୁ ୪୦ ଟଙ୍କା ଭିତରେ ଥିଲେ ସୁଦ୍ଧା ମଝିରେ ବଜାରକୁ ଆଣୁଥିବା ଦଲାଲମାନେ ସକ୍ରିୟ ହୋଇ ଟଙ୍କା ଲୁଟୁଛନ୍ତି କିନ୍ତୁ ଚାଷୀମାନେ ଲାଭବାନ ହେଉନାହାନ୍ତି। ପୁଣି ମୌସୁମୀ ବର୍ଷାର ଅଭାବ ହେତୁ ଆଜି ପ୍ରଶ୍ନ ଉଠୁଛି ଚାଷୀ ପରିବାର ଭାତହାଣ୍ଡିରେ ଇନ୍ଦ୍ରଦେବଙ୍କ କୃପା ନାହିଁ। କାଳବୈଶାଖୀ, ବଜ୍ରପାତ କରି ଆକାଶ ଅନାଇ ରହିଥିବା କୃଷକ, ଗାଇ ଗୋରୁ ମଣିଷ ଟଳି ପଡ଼ୁଛନ୍ତି, ଅଥଚ ବର୍ଷା ନାହିଁ। ଶୁଖିଲା ବଜ୍ରାଘାତରେ ଦୋହଲି ଯାଉଥିବା ଶସ୍ୟକେଦାର ମାଳାକୁ ମୌସୁମୀର ଶୀତଳ ପରଶ ମିଳିବ ନା ପୁନଶ୍ଚ ମରୁଡ଼ି କରିଦେବ । ବିଲକୁ ମରୁଭୂମି ପାଲଟିବା ଚିନ୍ତାରେ ଚାଷୀ ରହୁଥିବାବେଳେ କୃଷକର ମେରୁଦଣ୍ଡ ଟେକି ଠିଆହେବା ଏବେ ସବୁକିଛି ସଙ୍କଟରେ।

Share :