ବିଜେଡିର କ୍ଷତି, ତୃଣମୂଳର ଲାଭ!

ବିଜେଡିର କ୍ଷତି, ତୃଣମୂଳର ଲାଭ!

Share :

ଦେବେନ୍ଦ୍ର ପୃଷ୍ଟି ନବୀନଙ୍କ ସମଦୂରତ୍ବ କୌଶଳର ଫାଇଦା ଭାବେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଭ କରିବାକୁ ସ୍ବପ୍ନ ଦେଖିବା ଆରମ୍ଭ କରିଥିବା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଶେଷରେ ନିରାଶ ହବାକୁ ପଡ଼ିପାର। କାରଣ ଏହି ପଦ ପାଇଁ ରାଜ୍ୟସଭାର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରୟଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇ ସାରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିଠାରୁ ସମଦୂରତ୍ବ ରକ୍ଷା କରୁଥିବା ଘୋଷଣା କରିଥିଲେ ହେଁ ଏହି ଦଳ ସହିତ ଭିତିରି ବୁଝାମଣାରେ ଥିବା ଅନୁଭବ କରିବା ପରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଥିବା କଂଗ୍ରେସ ମହଲରେ ଆଲାଚନାର ବିଷୟବସ୍ତୁ ହୋଇଛି। ଜୁଲାଇ ୧୮ ତାରିଖରୁ ଆରମ୍ଭ ହେଉଥିବା ସଂସଦର ମୋସୁମୀ ଅଧିବେଶନ କାଳରେ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହବ। କାରଣ ବର୍ତ୍ତମାନର ଉପାଧ୍ୟକ୍ଷ ପି. ଜେ. କୁରିଏନ ଜୁନ ୩୦ ତାରିଖରେ ରାଜ୍ୟସଭାରୁ ଅବସର ଗ୍ରହଣ କରୁଛନ୍ତି। ସେ ଗଲା ୬ ବର୍ଷ ଧରି ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ରହିଥିଲେ। ତାଙ୍କ ଅବସର ପରେ ମୋସୁମୀ ଅଧିବେଶନ କାଳରେ ହିଁ ଏକ ପଦ ପୂରଣ ହେବ। ଏବେ ରାଜ୍ୟସଭାରେ ବିଜେପିର ୬୯ ଓ କଂଗ୍ରେସର ୫୦ ଜଣ ସଦସ୍ୟ ଅଛନ୍ତି। କିନ୍ତୁ ରାଜ୍ୟସଭାର ରାଜନୀତିକ ସମୀରଣ ଦୃଷ୍ଟିରୁ ବିଜେପି କିମ୍ବା ଏହାର ନେତୃତ୍ବାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟର କୌଣସି ପ୍ରାର୍ଥୀ ଉପାଧ୍ୟକ୍ଷ ନିର୍ବାଚିତ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ସେହିପରି ମୋଟ ଉପରେ ବିପକ୍ଷର ସଦସ୍ୟ ସଂଖ୍ୟା ଅଧିକ ରହିଥିଲେ ହେଁ ସମସ୍ତ ବିପକ୍ଷ କଂଗ୍ରେସ ପ୍ରାର୍ଥଙ୍କୁ ସମର୍ଥନ କରିବାର ସମ୍ଭାବନା ନାହିଁ। କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ବ ରକ୍ଷା କରୁଥିବା ଦଳଗୁଡ଼ିକ ରାଜ୍ୟସଭା ଉପାଧ୍ୟକ୍ଷ ପଦେର ଜଣେ ଅଣବିଜେପି ଅଣକଂଗ୍ରେସ ସଦସ୍ୟଙ୍କୁ ବସାଇବାକୁ ମାସାଧିକ କାଳ ହେଲା ଉଦ୍ୟମ ଚଳାଇଛନ୍ତି। ଏହି ଉଦ୍ୟମର ନେତୃତ୍ବ ନେଉଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ। ଏମାନଙ୍କ ଉଦ୍ୟମରେ ସାମିଲ ଅଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା କୁମାରସ୍ବାମୀ। ଏହି ନେତାମାନେ ନିଜ ଉଦ୍ୟମରେ ସଫଳ ହେବା ପାଇଁ ପ୍ରଥମେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଓଡ଼ିଶାର ବିଜୁ ଜନତା ଦଳକୁ ଯାଚିଥିଲେ। ସେମାନେ ଭାବିଥିଲେ ଯେ ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ସବୁବେଳେ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ବ ରକ୍ଷା କରୁଥିବା ଘୋଷଣା କରିଥିବାରୁ ଖୋଲାଖୋଲି ଏହି ଦୁଇ ଦଳ ବିରୋଧୀ ଜାତୀୟ ମେଣ୍ଟରେ ସାମିଲ ହେବେ। କିନ୍ତୁ ଦୁଇ ଦୁଇ ଥର ପ୍ରସ୍ତାବ ଦିଆଗଲା ପରେ ମଧ୍ୟ ନବୀନ ପଟ୍ଟନାୟକ କିମ୍ବା ତାଙ୍କର ଦଳର ଅନ୍ୟ କୋଣସି ନେତା ଏ ନେଇ ଅଣକଂଗ୍ରେସ ଅଣବିଜେପି ଦଳଗୁଡ଼ିକ ସହିତ ଯୋଗାଯୋଗ କଲେ ନାହିଁ କି ଏ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ସେହିପରି ନବୀନଙ୍କ ବିଜେଡି ଅତୀତରେ ନରେନ୍ଦ୍ର ମୋଦି ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍, ବିମୁଦ୍ରାକରଣ, ଜିଏସଟି ଆଦି ଅନେକ ନିଷ୍ପତ୍ତିକୁ ସମର୍ଥନ କରିଥିବାବେଳେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ମଧ୍ୟ ଭୋଟ ଦେଇଥିଲା। ଜୁନ ୨୬ ତାରିଖରେ ନବୀନବାବୁ ନରେନ୍ଦ୍ର ମୋଦିଙ୍କ ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ ଘୋଷଣା କରିବା ପରେ ଅଣକଂଗ୍ରେସ ଓ ଅଣବିଜେପି ନେତାମାନେ ସେମାନଙ୍କର ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ସେମାନେ ଏଣିକି ନବୀନଙ୍କୁ ବିଜେପିର ନିକଟତର ଜଣେ ନେତା ଭାବେ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରୟଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେବା ପରେ କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। କାରଣ ଏହି ପଦରେ ବିଜେପି କିମ୍ବା ଏନଡିଏର କୌଣସି ପ୍ରାର୍ଥୀ ଜିତନ୍ତୁ ବୋଲି କଂଗ୍ରେସ କଦାପି ଚାହିଁବ ନାହିଁ। ରଜ୍ୟସଭାରେ ଏବେ ବିଜେପିର ୬୯, ଏନଡିଏର ସଦସ୍ୟ ଜେଡିୟୁର ୯ ଓ ଅକାଳୀ ଦଳର ୩ ସଦସ୍ୟ ଅଛନ୍ତି। ସେହିପରି ବିଜେପୁର ବହୁଦିନର ପୁରୁଣା ବନ୍ଧୁ ଶିବସେନାର ୩ ସଦସ୍ୟ ଥିଲେ ହେଁ ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ ସେମାନଙ୍କ ଭୋଟ ଯେ ବିଜେପି ସପକ୍ଷରେ ଯିବ ତାହାର କିଛି ଗ୍ୟାରେଣ୍ଟି ନାହିଁ। ରାଜ୍ୟସଭାରେ ଏବେ ୬ ଜଣ ସ୍ବାଧୀନ ଓ ୮ ଜଣ ମନୋନୀତ ସଦସ୍ୟ ଅଛନ୍ତି। ଏମାନେ ସମସ୍ତେ ଏକଜୁଟ ରହିଲେ ବି ବିଜେପିର ମୋଟ ଭୋଟ ସଂଖ୍ୟା ୯୮ ଛୁଇଁବ। ଏମାନଙ୍କ ସହିତ ଏଆଇଏଡିଏମକେର ୧୩ ସଦସ୍ୟଙ୍କୁ ମିଶାଇଲେ ବି ସଂଖ୍ୟାଗରିଷ୍ଠତା ମିଳୁ ନାହିଁ। ରାଜ୍ୟସଭାରେ ସାଧାରଣ ସଂଖ୍ୟାଗରିଷ୍ଠତା ହେଉଛି ୧୨୬। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ବିଜୁ ଜନତା ଦଳ, ତେଲୁଗୁ ଦେଶମ ପାର୍ଟି, ବସପା, ମାକପା, ଡିଏମକେ, ପିଡିପି, ଆପ୍, ୱାଇଏସଆର କଂଗ୍ରେସ ଆଦି ଦଳର ସଦସ୍ୟ ସଂଖ୍ୟା ମିଶି ୭୭ ହିସାବ କରାଯାଉଛି। କଂଗ୍ରେସ, ଏନସିପି ଓ ଆରଜେଡିର ସଦସ୍ୟ ସଂଖ୍ୟା ମିଶି ୫୯। ଏପରିସ୍ଥଳେ ଯଦି କଂଗ୍ରେସ ଗୋଷ୍ଠୀର ସମର୍ଥନ ମିଳେ ତେବେ ଅଣକଂଗ୍ରେସ ଅଣବିଜେପି ଗୋଷ୍ଠୀର ଜଣେ ସଦସ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେବା ନିଶ୍ଚିତ। ସାଂପ୍ରତିକ ଜାତୀୟ ରାଜନୀତିକ ଦୃଶ୍ୟପଟ୍ଟରେ କଂଗ୍ରେସ ଦଳ ସମସ୍ତ ଅଣବିଜେପି ଦଳଙ୍କୁ ଗୋଟିଏ ଛତା ତଳେ ଏକଜୁଟ କରିବାକୁ ଉଦ୍ୟମ ଚଳାଇଥିବାରୁ ଉପାଧ୍ୟକ୍ଷ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ନଦେବା ଏ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ବିବେଚିତ ହେବ। ଅନେକ ଦୃଷ୍ଟିରୁ କଂଗ୍ରେସ ପାଇଁ ବିଜେଡି ଅଧିକ ନିକଟତର ବୋଲି ଦଳର ବହୁ ନେତା ପୂର୍ବରୁ ଅନୁଭବ କରୁଥିଲେ। ନବୀନବାବୁ ଓ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ବ୍ୟକ୍ତିଗତ ଘନିଷ୍ଠତା ରହିଛି। ତା’ଛଡ଼ା କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ କମଲ ନାଥଙ୍କ ସହିତ ମଧ୍ୟ ନବୀନବାବୁଙ୍କର ବ୍ୟକ୍ତିଗତ ସଂପର୍କ ଅତ୍ୟନ୍ତ ନିବିଡ଼। ଏପରିସ୍ଥଳେ ଦରକାର ପଡ଼ିଲେ ନବୀନବାବୁ ବିଜେପି ବିରୋଧରେ ଖୋଲାଖୋଲି ହାତ ଟେକିବେ ବୋଲି କଂଗ୍ରେସ ନେତାମାନଙ୍କର ଧାରଣା ଥିଲା। କିନ୍ତୁ ସେ ଏଯାଏଁ ତାହା କରିନାହାନ୍ତି। ବରଂ ବିପକ୍ଷ ଦଳଗୁଡ଼ିକର ଆଭିମୁଖ୍ୟ ବିରୋଧରେ ଯାଇଁ ବିଜେପିର ଅନେକ ନୀତି ଓ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେହିପରି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଦଳର ବରିଷ୍ଠ ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଜାତୀୟ ଗଣମାଧ୍ୟମରେ ଏକାଧିକ ବାର ଚର୍ଚ୍ଚାକୁ ଆସିଥିଲେ ହେଁ ଦଳ କିମ୍ବା ନବୀନ ପଟ୍ଟନାୟକ ସେ ସଂପର୍କରେ ପ୍ରକଶ୍ୟରେ କୌଣସି ମତାମତ ରଖିନାହାନ୍ତି। ଏଣୁ କଂଗ୍ରେସ ଏବଂ ଅନ୍ୟ ଅଣବିଜପି ଗୋଷ୍ଠୀ ଆଉ ଥରେ ପ୍ରସନ୍ନଙ୍କ ନାମ ନଉଠାଇ ସୁଖେନ୍ଦୁ ଶେଖର ରୟଙ୍କ ନାମ ଉପରେ ମୋହର ଲଗାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ତଥାପି ନବୀନବାବୁ ଯଦି ନିଜ ଦଳ ପାଇଁ ଏହି ପଦ ଆଣିବାକୁ ଭିତିରି ଉଦ୍ୟମ କରୁଥାନ୍ତି ତେବେ ସେ ଏନେଇ ବିଜେପି ସହିତ ମଧ୍ୟ ମୂଲଚାଲ କରିବାର ଅବକାଶ ରହିଛି। ଏନଡିଏର ୮୪, ବିଜେଡିର ୧୦, ସ୍ବାଧୀନ ୬, ମନୋନୀତ ୮, ଏଆଇଏଡିଏମକେର ୧୩ ଏବଂ ଅନ୍ୟ ଛୋଟଛୋଟ ଦଳର ୯ ସଦସ୍ୟ ଯଦି ଜଣେ ପ୍ରାର୍ଥୀଙ୍କ ସପକ୍ଷରେ ଏକଜୁଟ ହେବେ ତେବେ ସେ ଜିତିବା ନିଶ୍ଚିତ। ଏ କ୍ଷେତ୍ରରେ କିନ୍ତୁ ବିଜେପି ଓ ଏଆଇଏଡିଏମକେର ପଲା ଭାରି ରହିଛି।

Share :