ମଣିଷ ଯୋଗୁଁ ନିଶାଚର ହେଉଛନ୍ତି ବନ୍ୟଜନ୍ତୁ!

ମଣିଷ ଯୋଗୁଁ ନିଶାଚର ହେଉଛନ୍ତି ବନ୍ୟଜନ୍ତୁ!

Share :

ମଣିଷ ଭୟରେ ପୃଥିବୀର ସ୍ତନ୍ୟପାୟୀ ପ୍ରାଣୀମାନେ ଦିନ ଛାଡ଼ି ରାତିର ସୁରକ୍ଷାକୁ ପସନ୍ଦ କରୁଛନ୍ତି । ଏକଥା ଜଣାପଡ଼ିଛି ଏକ ଅନୁଧ୍ୟାନରୁ । ଏହି ଅନୁଧ୍ୟାନ ରିପୋର୍ଟଟି ପ୍ରକାଶ ପାଇଛି ସାଇନ୍ସ ପତ୍ରିକାରେ । ଏହା ହେଉଛି ବନ୍ୟପ୍ରାଣୀମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ ମାନବିକ କାର୍ଯ୍ୟକଳାପର ପ୍ରଭାବ ସଂପର୍କୀତ ପ୍ରଥମ ରିପୋର୍ଟ । ଏହି ଅନୁଧ୍ୟାନରୁ ଜଣାପଡ଼ିଛି ଯେ ମଣିଷର ପ୍ରଭାବଶାଳୀ ତଥା ବ୍ୟାପକ କାର୍ଯ୍ୟକଳାପ ଯୋଗୁଁ ପଶୁମାନେ ସେମାନଙ୍କର ବ୍ୟବହାର ବଦଳାଇବାରେ ଲାଗିଛନ୍ତି । ମାନବିକ ବ୍ୟାଘାତରେ ବ୍ୟତିବ୍ୟସ୍ତ ହୋଇ ପ୍ରକୃତିର ପୃଥିବୀରେ ନିଶାଚରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ପଶୁମାନେ ଅଧିକ ସଂଖ୍ୟାରେ ନିଶାଚର ହେବା କେତେ ଭଲ କେତେ ଖରାପ? ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏହି ଅନୁଧ୍ୟାନର ଗବେଷକ ଦଳ । ସେମାନଙ୍କ ମତରେ ପୃଥିବୀରେ ମଣିଷର ଭିଡ଼ ବଢ଼ୁଛି । ସେମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ପଶୁମାନେ ଦିନ ଅପେକ୍ଷା ରାତିରେ ସେମାନଙ୍କର କାର୍ଯ୍ୟକଳାପ ବୃଦ୍ଧି କରିଛନ୍ତି । ତେବେ ଏହାର ନକାରାତ୍ମକ ଦିଗ ହେଲା ପଶୁମାନଙ୍କର ଏପରି ବ୍ୟାବହାରିକ ପରିବର୍ତ୍ତନ ଫଳରେ ରାତିର ପରିବେଶ ସହିତ ସେମାନଙ୍କ କାର୍ଯ୍ୟକଳାପର ଅସଙ୍ଗତି ବୃଦ୍ଧି ପାଉଛି । ସେମାନେ ମଧ୍ୟ ଅଧିକ ସଂଖ୍ୟାରେ ରାତିର ହିଂସ୍ର ପ୍ରାଣୀମାନଙ୍କର ଶିକାର ହେଉଛନ୍ତି । ଏହା ଛଡ଼ା ସେମାନଙ୍କର ଖାଦ୍ୟ ସନ୍ଧାନରେ ବ୍ୟାଘାତ ସୃଷ୍ଟି ହେବା ସହିତ ପ୍ରତିଯୋଗିତା ବୃଦ୍ଧି ପାଉଛି । ଏହି ଗବେଷଣା ସହିତ ସଂପୃକ୍ତ ଆମେରିକା ବର୍କଲେସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପିଏଚଡି ପ୍ରାର୍ଥୀ କେଟ୍ଲିନ୍ ଗେନୋର କହିଛନ୍ତି, ‘ମାନବିକ କ୍ରିୟାକଳାପ ଯୋଗୁଁ ବନ୍ୟପ୍ରାଣୀଙ୍କ ସଂଖ୍ୟାରେ ସର୍ବନାଶ ପରି ଅଧୋଗତି ଘଟିଚାଲିଛି । ଏ ସଂପର୍କରେ ପୂର୍ବରୁ ଅନୁଧ୍ୟାନ ହୋଇସାରିଛି । କିନ୍ତୁ ସେମାନଙ୍କ ବ୍ୟବହାର ଉପରେ ଆମର କି ପ୍ରକାର ପ୍ରଭାବ ପଡ଼ୁଛି ସେ ବିଷୟରେ ଅନୁଧ୍ୟାନ କରିବା କଷ୍ଟକର ବ୍ୟାପାର । ଏହି ଗବେଷଣାର ଗବେଷକମାନେ ୬ଟି ମହାଦେଶର ୬୨ ପ୍ରଜାତିର ପଶୁମାନଙ୍କର ବ୍ୟବହାର ପରିବର୍ତ୍ତନ ଉପରେ ଅନୁଶୀଳନ କରିଥିଲେ । ମଣିଷର ପ୍ରଭାବ ଯୋଗୁଁ କିପରି ସେମାନଙ୍କର ଦିନଚର୍ଯ୍ୟା ରାତିକୁ ବଦଳିଯାଇଛି ଏହା ସେମାନଙ୍କର ବିଷୟ ଥିଲା । ଗବେଷଣା ପାଇଁ ସେମାନେ ରିମୋଟ ନିୟନ୍ତ୍ରିତ କ୍ୟାମେରା, ଜିପିଏସ ଏବଂ ରେଡିଓ କଲାର ବ୍ୟବହାର କରିବା ସହିତ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ । ପ୍ରତ୍ୟେକ ପ୍ରଜାତିର ପଶୁଙ୍କର ପ୍ରତ୍ୟେକ ବାସସ୍ଥଳି ପାଇଁ ସେମାନେ ପଶୁମାନଙ୍କର ରାତ୍ରିକାଳୀନ ବ୍ୟବହାର ପରିବର୍ତ୍ତନର ଆକଳନ କରିଥିଲେ । ମାନବିକ ବ୍ୟାଘାତ ଯୋଗୁଁ ସ୍ତନ୍ୟପାୟୀ ପଶୁମାନେ ହାରାହାରି ହିସାବରେ ୧.୩୬ ଗୁଣ ଅଧିକ ନିଶାଚର ହୋଇଯାଇଛନ୍ତି । ଏହାର ଅର୍ଥ ହେଉଛି ସାଧାରଣତଃ ଦିନ ଓ ରାତି ମଧ୍ୟରେ ନିଜର ଜୀବନଚର୍ଯ୍ୟା ସନ୍ତୁଳନ କରିଥିବା ପଶୁମାନେ ରାତିରେ ସେମାନଙ୍କର କାର୍ଯ୍ୟକଳାପ ୬୮ ପ୍ରତିଶତ ବୃଦ୍ଧି କରିଛନ୍ତି । ଉଭୟ ମାଂସାଶୀ ଓ ତୃଣଭୋଜି ପଶୁଙ୍କ ମଧ୍ୟରେ ଏ ପ୍ରକାର ପରିବର୍ତ୍ତନ ଲକ୍ଷଣୀୟ । ଏହି ଅନୁଧ୍ୟାନ ପାଇଁ ୧ କିଲୋଗ୍ରାମରୁ ଅଧିକ ଓଜନର ସ୍ତନ୍ୟପାୟୀ ପ୍ରାଣୀଙ୍କୁ ବଛା ଯାଇଥିଲା । ଅନୁଧ୍ୟାନରେ ଯେଉଁ ମାନବିକ ବ୍ୟାଘାତଗୁଡ଼ିକର ପ୍ରଭାବ ଆକଳନ କରାଯାଇଥିଲା ସେଗୁଡ଼ିକ ହେଲା ଶିକାର, ଦୀର୍ଘ ପଦଯାତ୍ରା, ପାର୍ବତ୍ୟ ମୋଟର ସାଇକେଲ ଯାତ୍ରା, ରାସ୍ତା ଓ ଗୃହ ନିର୍ମାଣ ଏବଂ କୃଷି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଜଷ୍ଟିନ ବ୍ରାଶେୟାର୍ସ କହିଛନ୍ତି ଯେ ତେବେ ପଶୁମାନଙ୍କର ଏଭଳି ବ୍ୟାବହାରିକ ପରିବର୍ତ୍ତନ ନିୟୁତ ନିୟୁତ ବର୍ଷର ଅଭିଯୋଜନ ଯୋଗୁଁ ଘଟିଛି । ଆମେ ପ୍ରକୃତିକୁ ଦିନର କେବଳ ଅନ୍ଧାର ଭାଗ ମଧ୍ୟରେ ସୀମୀତ ରଖିପାରିବା ନାହିଁ ।

Share :