ପେଟ୍ରୋଲ ଉପରେ ଲାଗିବନି ଶୁଦ୍ଧ ଜିଏସଟି!

ପେଟ୍ରୋଲ ଉପରେ ଲାଗିବନି ଶୁଦ୍ଧ ଜିଏସଟି!

Share :

ପେଟ୍ରୋଲ ଓ ଡିଜେଲକୁ ଦ୍ରବ୍ୟ ଓ ସେବା କର ବା ଜିଏସଟି ପରିସରଭୁକ୍ତ କରିପାରନ୍ତି କେନ୍ଦ୍ର ସରକାର । କିନ୍ତୁ ରାଜ୍ୟଗୁଡ଼ିକ ଏହା ଉପରୁ ଭାଟ୍ ଆଦାୟ ବନ୍ଦ କରିବେ କି ନାହିଁ ତାହା ଏବେ ବି ଅନିଶ୍ଚିତ । କେନ୍ଦ୍ର ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ସର୍ବୋଚ୍ଚ ଜିଏସଟି ହାର ଲାଗୁ କରିପାରନ୍ତି । ଏହା ହେଉଛି ୨୮ ପ୍ରତିଶତ । ତେବେ ରାଜ୍ୟ ସରକାରମାନେ ଏହା ଉପରୁ ପୂର୍ବ ପରି ସ୍ଥାନୀୟ ବିକ୍ରି କର ବା ଭାଟ୍ ଆଦାୟ କରିବେ କି ନାହିଁ ତାହା କେନ୍ଦ୍ର ସରକାର କହିପାରିବେ ନାହିଁ । ଯଦି ସର୍ବୋଚ୍ଚ ଜିଏସଟି ହାର ଓ ଭାଟ୍ ଲାଗୁ ହୁଏ ତେବେ ପେଟ୍ରୋଲ ଓ ଡିଜେଲ ଉପରୁ ଏବେ ଯେତେ ଟିକସ ଆଦାୟ ହେଉଛି ତାହା ଅପରିବର୍ତ୍ତିତ ରହିବ । ଅର୍ଥାତ ଏ କ୍ଷେତ୍ରରେ ଏ ଦୁଇ ସାମଗ୍ରୀ ଉପରେ ଜିଏସଟି ଲାଗୁହେଲେ ବି ଦର କମିବ ନାହିଁ । ଏହି ଅଧିକାରୀ ଜଣକ କହିଛନ୍ତି ଯେ ଏବେ ବିଶ୍ୱର କୌଣସି ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ବିଶୁଦ୍ଧ ଜିଏସଟି ଲାଗୁ ହେଉ ନାହିଁ । ତେଣୁ ଭାରତରେ ମଧ୍ୟ ଏ ଦୁଇ ଇନ୍ଧନ ଉପରେ ଜିଏସଟି ସହିତ ଭାଟ୍ ଲାଗୁ ହେବ । ତେବେ ଭାରତ ସରକାର ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ପୂର୍ବରୁ ଏହି ଦୁଇ ସାମଗ୍ରୀକୁ ଏଥିରୁ ବାହାରେ ରଖି ସରକାର ପକେଟସ୍ଥ କରୁଥିବା ୨୦ ହଜାର କୋଟି ଟଙ୍କାର ଇନପୁଟ୍ କ୍ରେଡିଟ ହରେଇବେ କି ନାହିଁ ତାହା ତା’ ଉପରେ ବିଚାର କରିବାର ଅଛି । ସରକାର ଯଦି ଏହି ୨୦ ହଜାର କୋଟି ଟଙ୍କା ଛାଡ଼ି ଦେବାକୁ ପ୍ରସ୍ତୁତ ହେବେ ତେବେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଏହି ଅଧିକାରୀ ଜାତୀୟ ସ୍ତରର ଗଣମାଧ୍ୟମକୁ କହିଛନ୍ତି । ତେବେ ଏପରି ଏକ ନିଷ୍ପତ୍ତି ପ୍ରାଶାସନିକ ସ୍ତରରେ ନିଆଯାଇ ପାରିବ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟର ରାଜନୀତିକ ନେତୃତ୍ୱମାନଙ୍କୁ ଏପରି ନିଷ୍ପତ୍ତି ଗ୍ରହଣ କରିବାକୁ ହେବ । ଏବେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୧୯.୪୮ ଟଙ୍କାର ଉତ୍ପାଦ ଶୁଳ୍କ ଏବଂ ଡିଜେଲ ଉପରୁ ଲିଟର ପିଛା ୧୫.୩୩ ଟଙ୍କାର ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ଏହା ଉପରେ ରାଜ୍ୟଗୁଡ଼ିକ ଭାଟ୍ ଆଦାୟ କରୁଛନ୍ତି । ଏବେ କେନ୍ଦ୍ରଶାସିତ ଅଂଚଳ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପେଟ୍ରୋଲ ଓ ଡିଜେଲ ଉପରୁ ଦେଶରେ ସବୁଠାରୁ କମ୍ ୬ ପ୍ରତିଶତ ହାରରେ ଭାଟ୍ ଆଦାୟ କରୁଛନ୍ତି । ମହାରାଷ୍ଟ୍ରରେ ପେଟ୍ରୋଲ ଓ ଡିଜେଲ ଉପରୁ ଦେଶରେ ସର୍ବାଧିକ ୩୯.୧୨ ପ୍ରତିଶତ ଭାଟ୍ ଆଦାୟ ହେଉଛି । ତେଲେଙ୍ଗାନାରେ ଏହି ହାର ୨୬ ପ୍ରତିଶତ । ଦିଲ୍ଲୀରେ ପେଟ୍ରୋଲ ଉପରେ ୨୭ ପ୍ରତିଶତ ଓ ଡିଜେଲ ଉପରେ ୧୭.୨୪ ପ୍ରତିଶତ ଭାଟ୍ ଲାଗୁ ହେଉଛି । ଏବେ ପେଟ୍ରୋଲ ଉପରୁ ଯେତେ ଟିକସ ଆଦାୟ ହେଉଛି ତାହା ୪୫-୫୦ ପ୍ରତିଶତ ଏବଂ ଡିଜେଲ ଉପରେ ଏହା ୩୫-୪୦ ପ୍ରତିଶତ ହିସାବ କରାଯାଉଛି । ସରକାରୀ ହିସାବ ଅନୁସାରେ ୨୦୧୭ ଜୁଲାଇ ପହିଲାରେ ସମଗ୍ର ଦେଶରେ ଜିଏସଟି ଲାଗୁ ହେବା ପୂର୍ବରୁ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଓ ସେବା ଉପରେ ତା’ପୂର୍ବରୁ ଯେତେ ଟିକସ ହିସାବ ହେଉଥିଲା ସେସବୁ ମିଶାଇ ଜିଏସଟି ସ୍ଲାବ ନିର୍ଦ୍ଧାରଣ କରାଯାଇଥିଲା । ଜିଏସଟିର ଚାରିଟି ସ୍ଲାବ ହେଲା ୫, ୧୨, ୧୮ ଓ ୨୮ ପ୍ରତିଶତ । ଏବେ ପେଟ୍ରୋଲ ଓ ଡିଜେଲ ଉପରୁ ଯେତେ ଟିକସ ଆଦାୟ ହେଉଛି ତାହା ଜିଏସଟିର ସର୍ବୋଚ୍ଚ ହାର ୨୮ ପ୍ରତିଶତଠାରୁ ଯଥେଷ୍ଟ ଅଧିକ । ତେଣୁ ଏ ଦୁଇ ସାମଗ୍ରୀକୁ ଜିଏସଟି ପରିସରଭୁକ୍ତ କରାଗଲେ ସରକାର ବିପୁଳ ପରିମାଣର ରାଜସ୍ୱ ହରାଇବେ ବୋଲି ଯୁକ୍ତି କରାଯାଉଛି । ଯଦି କେନ୍ଦ୍ର ସରକାର ଏ ଦୁଇ ସାମଗ୍ରୀକୁ ଜିଏସଟି ପରିସରଭୁକ୍ତ କରନ୍ତି ତେବେ ଜିଏସଟି ଆଇନ ଅନୁସାରେ ରାଜ୍ୟଗୁଡ଼ିକର ଯେଉଁ ଟିକସ କ୍ଷତି ହେବା ତାହା ଭରଣା କରିବାକୁ ପଡ଼ିବ । ଏବେ କେନ୍ଦ୍ର ସରକାର ଏହା ଭରଣା କରିବାର ଆର୍ଥିକ ସ୍ଥିତିରେ ନାହାନ୍ତି । ତେଣୁ ଯଦିବି ଜିଏସଟି ନିଷ୍ପତ୍ତି ନିଆଯାଏ ତେବେ ରାଜ୍ୟଗୁଡ଼ିକୁ ଏ ଦୁଇ ସାମଗ୍ରୀ ଉପରେ କିଛି ପରିମାଣର ଭାଟ୍ ଲଗାଇବାକୁ ଅନୁମତି ଦେବେ ବୋଲି ବିଚାର କରୁଛନ୍ତି । ରାଜ୍ୟଗୁଡ଼ିକର ଭାଟ୍ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଉପରେ ହିସାବ ହୁଏ । ଦର ବଢ଼ିଲେ ରାଜ୍ୟଗୁଡ଼ିକ ଅଧିକ ଭାଟ୍ ପାଇଥାନ୍ତି । କିନ୍ତୁ କେନ୍ଦ୍ରର ଉତ୍ପାଦ ଶୁଳ୍କ ଲିଟର ଉପରେ ହିସାବ ହୁଏ । ଦର ବଢ଼ିଲେ ବି କେନ୍ଦ୍ରର ଉତ୍ପାଦ ଶୁଳ୍କ ବଢ଼େ ନାହିଁ । ଯଦି ତାହା ହୁଏ ତେବେ ଜିଏସଟି ଲାଗିଲେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଯେଉଁ ଯୁକ୍ତି କରାଯାଉଛି ତାହା ବେପ୍ରମାଣିତ ହେବ । ଜିଏସଟି ଓ ଭାଟ୍ ମିଶି ଉଭୟ ସାମଗ୍ରୀର ବଜାର ଦର ସ୍ଥିର ରଖିବା ନିଶ୍ଚିତ । ମେ ୨୯ ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡ଼ ଭାଙ୍ଗିଥିଲା । ସେହିଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୮.୪୩ ଟଙ୍କା ଏବଂ ଡିଜେଲ ୬୯.୩୧ ଟଙ୍କା ହୋଇଥିଲା । ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲ ଦର ହ୍ରାସ ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟବୃଦ୍ଧି ଦୃଷ୍ଟିରୁ ଦର କମିକମି ଏବେ ପେଟ୍ରୋଲ ଲିଟର ୭୬.୨୭ ଟଙ୍କା ଏବଂ ଡିଜେଳ ୬୭.୭୮ ଟଙ୍କାରେ ପହଂଚିଛି ।

Share :