ପ୍ଲାଷ୍ଟିକର ଚକ୍ର

ପ୍ଲାଷ୍ଟିକର ଚକ୍ର

ମୂରଲୀ ମନୋହର ଶର୍ମା, ପରିବେଶବିତ୍ ଜୁନ୍ ୫ରେ ପାଳିତ ହୋଇଥିବା ଥିବା ବିଶ୍ୱ ପରିବେଶ ଦିବସ ୨୦୧୮ ମାଧ୍ୟମରେ ପ୍ଲାଷ୍ଟିକ୍ ପୁଣିଥରେ କାର୍ଯ୍ୟପ୍ରସଙ୍ଗକୁ ଫେରିଛି। ଏହା ଭାରତ ପରି ଦେଶଗୁଡ଼ିକର ଆବର୍ଜନା ସମସ୍ୟାଗୁଡ଼ିକ ସଂପର୍କରେ ନୁହେଁ। କାରଣ ଆମ ପାଇଁ ପ୍ଲାଷ୍ଟିକ୍ କେବେହେଲେ ଅପ୍ରାସଙ୍ଗିକ ହୋଇନଥିଲା। ବସ୍ତୁତଃ ପ୍ଲାଷ୍ଟିକ୍ ହିଁ ଏବେ ଆମର ପରିଚୟ। ଆମେମାନେ ସୃଷ୍ଟି କରୁଥିବା ଅଧିକରୁ ଅଧିକ ପରିମାଣର ଆବର୍ଜନାକୁ ଫେରାଇ ନେବା ଏବଂ ସେଗୁଡ଼ିକରୁ ଅବ୍ୟାହତି ପାଇବା ସକାଶେ ଆମ ସରକାରଙ୍କଠାରେ ଅର୍ଥ ଓ କର୍ମଚାରୀମାନଙ୍କର ଅଭାବ ରହିଛି। ଅଜୈବିକ, ବିଶେଷକରି ପ୍ଲାଷ୍ଟିକର କ୍ରମବର୍ଦ୍ଧିଷ୍ଣୁ ପାହାଡ଼ଗୁଡ଼ିକ ଆମମାନଙ୍କ ପରିବେଶ ଓ ଜୀବନ ପାଇଁ ଦୁଃସ୍ୱପ୍ନ ପାଲିଟିଛି। ଏହା ଆମର ନାଳନର୍ଦ୍ଦମା, ନଦୀ, ଏପରିକି ଆମ ରାସ୍ତାଗୁଡ଼ିକୁ ସର୍ବୋପରି ଆମର ମୃତ୍ତିକା ସ୍ତରକୁ ମଧ୍ୟ ଅବରୁଦ୍ଧ କରି ଦେଉଛି। ପ୍ଲାଷ୍ଟିକ୍ ପୁଣି ଥରେ ବିଶ୍ୱର କାର୍ଯ୍ୟପ୍ରସଙ୍ଗକୁ ଫେରିଛି। ବୋଧହୁଏ ୩୦ ବର୍ଷ କିମ୍ୱା ସେହି ପାଖାପାଖି ଅବଧି ପରେ ଏହା ଘଟୁଛି। ୧୯୭୦ ଦଶକରେ ଏବେ ବିକଶିତ ବୋଲାଉଥିବା ପୃଥିବୀର ଅଂଶବିଶେଷ ବ୍ୟାପକ ଆବର୍ଜନାର ସମସ୍ୟା ସହିତ ଯୁଝୁଥିଲା। ମାତ୍ର ତା’ପରେ ସହରଗୁଡ଼ିକ ସେମାନଙ୍କ ଆବର୍ଜନା ସବୁ ସଫା କରିଦେଲେ ଏବଂ ଏବେ ସହରର ରାସ୍ତାଗୁଡ଼ିକରେ କିମ୍ୱା ନଦୀରେ ପ୍ଲାଷ୍ଟିକ୍ ଦେଖିବାକୁ ମିଳୁ ନାହିଁ ବୋଲି ପ୍ରଚାର କଲେ ତଥା ଆବର୍ଜନା ସମସ୍ୟାର ଠିକଣା ବ୍ୟବସ୍ଥା କରାଯାଇ ପାରିଛି ବୋଲି ଘୋଷଣା ମଧ୍ୟ କଲେ। ମାତ୍ର ଏହାର ଅର୍ଥ ନୁହେଁ ଯେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ ହୋଇଯାଇଛି। ବାସ୍ତବରେ ପ୍ଲାଷ୍ଟିକ୍ ପୂର୍ବବତ୍ ବଳବତ୍ତର ରହିଛି। ଏହାର ବ୍ୟବହାର ବୃଦ୍ଧି ପାଇଛି। ଆଜିର ଦିନରେ ପ୍ଲାଷ୍ଟିକ୍ ସମ୍ଭବତଃ ସବୁଠାରୁ ବେଶି ‘ସର୍ବବ୍ୟାପୀ’ ଏବଂ ମାନବ ଜାତି ସୃଷ୍ଟି କରିଥିବା ସବୁଠାରୁ ବେଶି ଆବଶ୍ୟକ ସାମଗ୍ରୀର ମାନ୍ୟତା ପାଇଛି। ପ୍ଲାଷ୍ଟିକ ବ୍ୟବହାର କ୍ଷେତ୍ରରେ ସବୁଠାରୁ ବେଶି ଚାହିଦା ଆସିଛି ପ୍ୟାକେଜିଂ ଶିଳ୍ପରୁ। ପାଣି ବୋତଲଠାରୁ ଆରମ୍ଭ କରି ଚା ବ୍ୟାଗର୍ ପ୍ଲାଷ୍ଟିକ୍ସ୍ତର ପର୍ଯ୍ୟନ୍ତ, ପ୍ଲାଷ୍ଟିକ୍ ଷ୍ଟ୍ର, ପ୍ଲେଟ୍, ଗ୍ଲାସ୍ ଏବଂ ଆମ ବ୍ୟବହାରରେ ଲାଗୁଥିବା ସମସ୍ତ ସାମଗ୍ରୀର ପ୍ୟାକେଜିଂ ପାଇଁ ପ୍ଲାଷ୍ଟିକର ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ଆମେ ପ୍ଲାଷ୍ଟିକ୍ ପିନ୍ଧୁଛୁ, ପ୍ଲାଷ୍ଟିକ୍ ଉପରେ ଶୋଉଛୁ, ଏଥିରେ ଆମେ ଆମର ଘର ତିଆରି କରୁଛୁ, ପ୍ଲାଷ୍ଟିକ ପାଇପରେ ଜଳ ଓ ତୈଳ ପରିବହନ କରୁଛୁ। ଘୋଷଣା ହେଉଛି ପ୍ଲାଷ୍ଟିକ୍ ବ୍ୟବହାର କରିବା କେବେ ସମସ୍ୟା ନଥିଲା, ବରଂ ଆବର୍ଜନା ଏକ ସମସ୍ୟା ଥିଲା ଯାହାର ସମାଧାନ କରାଯାଇଛି। ଲୋକେ ଯେ ପର୍ଯ୍ୟନ୍ତ ବଜାର ସଉଦା କରିବା ସକାଶେ ‘ଜରି ବ୍ୟାଗ’ର ବ୍ୟବହାର କରୁନଥିଲେ, ଏବଂ ଯେପର୍ଯ୍ୟନ୍ତ ସେମାନେ ଆବର୍ଜନାକୁ ଅଲଗା ବାଛୁ ନଥିଲେ, ସବୁକିଛି ଠିକ୍ଠାକ୍ ଥିଲା। ଆମେ ପ୍ଲାଷ୍ଟିକ୍ ବ୍ୟବହାର କରିବା ଏବଂ ଆଉ କେହି ତା’ର ପୁନଃଚକ୍ରଣ କରିବ କିମ୍ୱା ପ୍ଲାଷ୍ଟିକ୍କୁ ଏକ ଆବଦ୍ଧ ଚୁଲ୍ଲା କିମ୍ୱା ଇନ୍ସିନେଟରକୁ ନିଆଯାଇ ପୋଡ଼ାଯାଇ ପାରିବ। କିମ୍ୱା ପ୍ଲାଷ୍ଟିକ୍ ଆବର୍ଜନାକୁ ନେଇ ଗାତରେ ପୋତି ଦିଆଯାଇ ପାରିବା ମୋଟାମୋଟି ଭାବେ କହିବାକୁ ଗଲେ ପ୍ଲାଷ୍ଟିକର ଉପଯୁକ୍ତ ପରିଚାଳନା କରାଯାଉଛି। ମାତ୍ର ଏବେ ଢ଼ୋଲ ଭିତରୁ ମୂଷା ବାହାରି ଆସିଛି। ପ୍ରଥମ ଧକ୍କା ଆସିଛି ସେହିସବୁ ଗବେଷଣାରୁ ଯେଉଁଥିରେ ଏକଥା କୁହାଯାଇଛି ଯେ ସ୍ଥଳ ଭାଗରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ଆବର୍ଜନା ମହାସାଗରଗୁଡ଼ିକୁ ପୋତିବାରେ ଓ ପ୍ରଦୂଷିତ କରିବାରେ ଲାଗିଛି ଏବଂ ମାଛ ଏହି ପ୍ଲାଷ୍ଟିକ୍ ଖାଉଛି, ଆଉ ଆମେ ସେହି ମାଛକୁ ଖାଉଛୁ। ତେଣୁ ଚକ୍ର ପୂର୍ଣ୍ଣାଙ୍ଗ ହୋଇଗଲା। ଆମେ ଯେଉଁ ପ୍ଲାଷ୍ଟିକ୍ ବ୍ୟବହାର କରିଥିଲୁ, ଏପରିକି ତାକୁ ଅନ୍ୟ ଆବର୍ଜନାରୁ ଅଲଗା କରିଥିଲୁ ଏବଂ ତା’ପରେ କେହି ଜଣେ ତା’ର ପୁନଃଚକ୍ରଣ ପାଇଁ ନେଇଯାଉଥିଲା, ତାହା ଏବେ ଆମରି ଶରୀରକୁ ଫେରି ଆସିଛି। ମୋଟାମୋଟି ଭାବେ କହିବାକୁ ଗଲେ ଆମ ପରିବେଶରୁ ପ୍ଲାଷ୍ଟିକ୍ ପ୍ରଦୂଷଣ କେବେହେଲେ ଆମଠାରୁ ଦୂରକୁ ଯାଇ ହିଁ ନଥିଲା। ଏହା ପରେ ପରେ ଆଉ ଏକ ଦୁଃସମ୍ୱାଦ ଆସିଲା ଯେ ଅଣୁ ପ୍ଲାଷ୍ଟିକ୍ ଅଥବା ପ୍ଲାଷ୍ଟିକ୍ର ଅତି କ୍ଷୁଦ୍ର ଅଂଶସବୁ ଏବେ ଆମେ ବ୍ୟବହାର କରୁଥିବା ପାଇପ ଜଳ, ଏପରିକି ଆମେ ଶ୍ୱାସକ୍ରିୟା କରୁଥିବା ପବନରେ ବିଦ୍ୟମାନ। ଏହା ଘଟିବାର କାରଣ ହେଲା ପ୍ଲାଷ୍ଟିକ୍ ଏକ ଅଭୁତ ସାମଗ୍ରୀ - ଏହା ନଷ୍ଟ ହୁଏ ନାହିଁ। ମାତ୍ର ସୂର୍ଯ୍ୟାଲୋକ, ପାଣିର ସଂସ୍ପର୍ଶରେ ଆସିବା ପରେ ଏହା ଭାଙ୍ଗି ଯାଏ କିମ୍ୱା ଏହାକୁ ଖଣ୍ଡ କରାଯାଇ ପାରେ। ଏହା ଯେତେବେଳେ ଘଟେ ସେତେବେଳେ ପ୍ଲାଷ୍ଟିକର ଅତିକ୍ଷୁଦ୍ର କଣିକାଗୁଡ଼ିକ ପରିବେଶକୁ ଏବଂ ଆମ ଶରୀରକୁ ପ୍ରଦୂଷିତ କରିଦିଅନ୍ତି। କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଓ ସାନ୍ତା ବର୍ବରା ବିଶ୍ୱ ବିଦ୍ୟାଳୟ ତଥା ଅନ୍ୟାନ୍ୟ ବିଦ୍ୱାନମାନଙ୍କ ଦ୍ୱାରା କରାଯାଇଥିବା ଏକ ରୋଚକ ଗବେଷଣାରେ ପ୍ରଥମଥର ସକାଶେ ସାରା ବିଶ୍ୱରେ ଜମାହୋଇ ରହିଥିବା ପ୍ଲାଷ୍ଟିକ୍ର ପରିମାଣର ଆକଳନ କରାଯାଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ସେମାନେ ଆକଳନ କରିଛନ୍ତି ଯେ ୧୯୫୦ ମସିହାରୁ ୨୦୧୫ ମସିହା ମଧ୍ୟରେ ବିଶ୍ୱ ୮୩୦୦ କୋଟି ମେଟ୍ରିକ ଟନ୍ ପ୍ଲାଷ୍ଟିକ୍ ଉତ୍ପାଦନ କରିଛି। ପ୍ରକୃତରେ ୧୯୫୦ ମସିହାରୁ ହିଁ ବହୁଳ ମାତ୍ରାରେ ପ୍ଲାଷ୍ଟିକ୍ ଉତ୍ପାଦନ ଆରମ୍ଭ ହେଲା। ଏହି ମୋଟ ଉତ୍ପାଦିତ ପ୍ଲାଷ୍ଟିକ୍ ମଧ୍ୟରୁ ୬୩୦୦ କୋଟି ମେଟ୍ରିକ୍ ଟନ୍ କିମ୍ୱା ୭୬% ହେଉଛି ପ୍ଲାଷ୍ଟିକ୍ ଆବର୍ଜନା। ବିଶ୍ୱରେ ସୃଷ୍ଟି ହୋଇଥିବା ୬୩୦୦ କୋଟି ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ମଧ୍ୟରୁ ମାତ୍ର ୯%ର ପୁନଃ ଚକ୍ରଣ କରାଯାଉଛି। ପୁନଃ ଚକ୍ରଣ କରାଯାଇଥିବା ୯% ପ୍ଲାଷ୍ଟିକ୍ ଆବର୍ଜନା ମଧ୍ୟରୁ ମାତ୍ର ୧୦%କୁ ଏକାଧିକବାର ପୁନଃ ଚକ୍ରଣ କରାଯାଏ। ଏହା ବ୍ୟତୀତ ୧୨% ପ୍ଲାଷ୍ଟିକ୍କୁ ଚୁଲ୍ଲାରେ ପୋତିଦିଆଯାଏ। ଅବଶିଷ୍ଟ ପ୍ରାୟ ୭୯% ପ୍ଲାଷ୍ଟିକ ଆବର୍ଜନା ମାଟିତଳେ ପୋତି ଦିଆଯାଏ କିମ୍ୱା ମହାସାଗର ଓ ଜଳାଧାରଗୁଡ଼ିକରେ ପରିବେଶରେ ହିଁ ରହିଥାଏ। ଅତଏବ ପ୍ରତ୍ୟେକ ଥର ଆମେ ପ୍ଲାଷ୍ଟିକ୍ ବ୍ୟବହାର କରିବା ସମୟରେ ଏହି ପ୍ରଶ୍ନ କରିବା ଉଚିତ ଯେ ଆମ ଦ୍ୱାରା ବ୍ୟବହୃତ ପ୍ଲାଷ୍ଟିକର କ’ଣ ହେବ? ବର୍ତ୍ତମାନର ପରିସ୍ଥିତିରେ ତିନୋଟି ସମ୍ଭାବନା ରହିଛି। ଏହାର ପୁନଃଚକ୍ରଣ କରାଯାଇ ଏକ ମଧ୍ୟମିକ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ। ଅଧିକାଂଶ କ୍ଷେତ୍ରରେ ମାଧ୍ୟମିକ ସାମଗ୍ରୀଗୁଡ଼ିକ ଅପେକ୍ଷାକୃତଭାବେ ନିମ୍ନ ମାନର ଏବଂ କମ୍ ମୂଲ୍ୟର ହୋଇଥାଆନ୍ତି। ତେଣୁ ଏପରି ସାମଗ୍ରୀ ପ୍ରାଥମିକ ପ୍ଲାଷ୍ଟିକର ସାମଗ୍ରୀଗୁଡ଼ିକର ବିକଳ୍ପ ନୁହେଁ। ପୁନଃଚକ୍ରଣ କେବଳମାତ୍ର ପ୍ଲାଷ୍ଟିକର ନିଷ୍କାସନ (ବିସର୍ଜନ)କୁ ବିଳମ୍ୱିତ କରିଥାଏ ବୋଲି ପ୍ଲାଷ୍ଟିକ୍ର ପରିମାଣ ସଂପର୍କିତ ଗବେଷଣାର ବୈଜ୍ଞାନିକମାନେ କହିଛନ୍ତି । ଅନ୍ୟ ବିକଳ୍ପ ହେଲା ଯେ ତାପର ବ୍ୟବହାର କରି ଚୁଲ୍ଲାରେ ପୋଡ଼ି ପ୍ଲାଷ୍ଟିକକୁ ନଷ୍ଟ କରାଯାଇ ପାରିବ। ମାତ୍ର ଚୁଲ୍ଲାରେ ପ୍ଲାଷ୍ଟିକ ପୋଡ଼ାଗଲେ ତାହା ଧୂଆଁ ସୃଷ୍ଟି କରିଥାଏ। ତେଣୁ ଏହି ଚୁଲ୍ଲାଗୁଡ଼ିକରେ ଖର୍ଚ୍ଚ ବହୁଳ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରମାନ ଖଞ୍ଜା ଯାଇନଥିଲେ ଏବଂ ସେଗୁଡ଼ିକ କାମ କରୁନଥିଲେ ଏହି ବିକଳ୍ପ ମଧ୍ୟ ହିତକାରୀ ନୁହେଁ। ତୃତୀୟ ବିକଳ୍ପ ହେଲା ପ୍ଲାଷ୍ଟିକ ଆବର୍ଜନାକୁ କୌଣସି ସ୍ଥାନରେ ପୋତି ଦିଆଯିବା। ତେବେ ଆମ ପାଇଁ କ’ଣ କରଣୀୟ ? ବିଶ୍ୱର ପ୍ଲାଷ୍ଟିକ ବିରୋଧୀ ଆନ୍ଦୋଳନ କ’ଣ ସଫଳ ହେବ ? ଅଥବା କେବଳ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଦ୍ୱାରା ‘ସମାଧାନ’ ନିକଟରେ ଏହା ପରାଜିତ ହେବ ? ଉଦାହରଣ ସ୍ୱରୂପ କେତେକ ଦେଶରେ ପ୍ଲାଷ୍ଟିକ୍ ସାମଗ୍ରୀ ଜମାଦେବାର ଯୋଜନା ଆରମ୍ଭ କରାଯାଇଛି ଯାହାକି ଯଥାର୍ଥରେ ଆବଶ୍ୟକ ଏବଂ ସ୍ୱାଗତ ଯୋଗ୍ୟ। ଲୋକେ ପ୍ଲାଷ୍ଟିକ ସାମଗ୍ରୀ ଯଥା ପାଣି ବୋତଲ ଇତ୍ୟାଦି ଜମାଦେଇ ସେମାନଙ୍କର ଜମା ରାଶି ଫେରିପାଇବେ। କିମ୍ୱା ଉପିାଦନକାରୀମାନଙ୍କ ପାଇଁ ସଂପ୍ରସାରିତ ଉତ୍ତରଦାୟିତ୍ୱ ବ୍ୟବସ୍ଥା ଲାଗୁ କରାଯାଇ ପାରିବ। ଏହି ବ୍ୟବସ୍ଥା ଅନୁଯାୟୀ ଉପିାଦନକାରୀମାନଙ୍କୁ ସେମାନେ ଉପିାଦନ କରିଥିବା ପ୍ଲାଷ୍ଟିକ ସାମଗ୍ରୀର ଏକ ନିର୍ଦ୍ଧିଷ୍ଟ ଅନୁପାତକୁ ଫେରାଇ ନେବାକୁ ପଡ଼ିବ। ମାତ୍ର ଏ କ୍ଷେତ୍ରରେ ମଧ୍ୟ ପ୍ରଶ୍ନ ଉଠୁଛି ଯେ ଏହି ଆବର୍ଜନା ସଂଗ୍ରହ କରାଯିବା ପରେ ଏହାକୁ କ’ଣ କରାଯିବ? ପୁନଃଚକ୍ରଣ କହିଲେ ଆମେ ପ୍ରକୃତରେ କ’ଣ ବୁଝୁ? ଏକଥା ନିଶ୍ଚିତ ଯେ ଆମ ପାଇଁ ଆହୁରି ବଳିଷ୍ଠ ସମାଧାନ ଆବଶ୍ୟକ। ଭବିଷ୍ୟତ ପ୍ଲାଷ୍ଟିକମୁକ୍ତ ହେବା ଆବଶ୍ୟକ। ଏକଥା ମଧ୍ୟ ମନେ ରଖାଯିବା ଉଚିତ ଯେ ପ୍ଲାଷ୍ଟିକ ଆଉ କିଛି ନୁହେଁ, ଜୀବାଶ୍ମ ଇନ୍ଧନ। ବିଶ୍ୱରେ ବ୍ୟବହୃତ ହେଉଥିବା ପ୍ରାକୃତିକ ତୈଳର ୬ଞ୍ଝ ଏହି ବିସ୍ମୟ ସାମଗ୍ରୀ ପ୍ଲାଷ୍ଟିକ୍ ଉତ୍ପାଦନରେ ବ୍ୟବହୃତ ହୋଇଥାଏ। ପ୍ରଶ୍ନ ଉଠୁଛି ଆମ ଜୀବନ ପ୍ଲାଷ୍ଟିକ ସହିତ ଏତେ ଓତପ୍ରୋତଃ ଭାବେ ଜଡ଼ିତ ଥିବାବେଳେ ଆମେ ଭବିଷ୍ୟତକୁ ପ୍ଲାଷ୍ଟିକ ମୁକ୍ତ କରିପାରିବା କେମିତି ଓ କିପରି? ହିନ୍ଦୁ ଧର୍ମରେ ସଂହାରକର୍ତ୍ତା ଶିବ, ପାଳନକର୍ତ୍ତା ବିଷ୍ଣୁଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସମ୍ଭବତଃ, କ୍ଷୟ ହେଉନଥିବା ଯୋଗୁଁ ବ୍ୟବହାର ପାଇଁ ଅଧିକ ସୁବିଧାଯୋଗ୍ୟ ହେଉଥିବା କୌଣସି ସାମଗ୍ରୀର ଉତ୍ପାଦନ ପାଇଁ ଆମେ ଗର୍ବ ଅନୁଭବ କରିବା ସମୟରେ ଆମେ ଏହି କଥାକୁ ସ୍ମରଣ କରିବା ଆବଶ୍ୟକ। ମାତ୍ର, ବର୍ତ୍ତମାନ ପ୍ଲାଷ୍ଟିକର ପ୍ରଦୂଷଣରେ ଆମ ଜୀବନ ଚଳୁଥିବାବେଳେ ପ୍ଲାଷ୍ଟିକ ମାନବ ସଭ୍ୟତାର ପ୍ରତୀକ ଭାବେ ଉଭା ହେଉଛି । ଏହାଠାରୁ ଅଧିକ ଦୁଃଖଦ କଥା ଆଉ କ’ଣ ହୋଇପାରେ ? ମୋ-୯୯୩୭୨୭୫୫୭୩

Share :