ହେ’ ପ୍ରଭୁ ! ଆପଣ ଆଉ କେତେଦିନ ରକ୍ତସ୍ନାନ କରିବେ?

ହେ’ ପ୍ରଭୁ ! ଆପଣ ଆଉ କେତେଦିନ ରକ୍ତସ୍ନାନ କରିବେ?

Share :

ସୂର୍ଯ୍ୟମଣି ମିଶ୍ର ହେ’ ପ୍ରଭୁ ! ସମଗ୍ର ସଂସାରରେ ଆପଣଙ୍କ ପ୍ରଭାବ ଓ ପାୱାର୍କୁ ମୋ ଭଳି ଦିନ-ହୀନ-ଜନ କିପରି କାହୁଁବା ଆକଳନ କରିପାରିବ? ଭୁବନେଶ୍ୱରରୁ ଦିଲ୍ଲୀ, ଗୁଜୁରାଟରୁ ତାମିଲନାଡ଼ୁ ସବୁଠି ଆପଣ ମୋଷ୍ଟ ପାୱାର୍ଫୁଲ୍। ଆଉ ମୋ ଭଳି ସାଧାରଣ ନାଗରିକ ପାଇଁ ଆପଣ ବି ମୋଷ୍ଟ ୱାଣ୍ଟେଡ୍। ଆପଣ କଳିଙ୍ଗନଗରରେ ୧୧ ଜଣ ଆଦିବାସୀଙ୍କ ରକ୍ତରେ ସ୍ନାନ କରିଥିଲେ। ଗୁମୁଡୁମାହରେ ମାଓବାଦୀ ନାମରେ ନିରୀହ ଶିଶୁକୁ ମଧ୍ୟ ଗୁଳି ଚୋଟ ଦେଲେ। କୃଷକ ଆନ୍ଦୋଳନକୁ ଓହ୍ଲାଇଲେ ଯେ ପୁଲିସ୍ ଲଗାଇ ପିଟିପିଟି ରକ୍ତ ବାହାର କରିଦେଲେ। ମାଇକଞ୍ଚଠାରୁ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳ ଯାଏ ଆପଣଙ୍କର କ୍ରୁର ଓ ସମ୍ୱେଦନହୀନ ଚିତ୍ର ଏଇ ଆଖି ଦେଖିଛି। ଏଇତ ନିକଟରେ ତାମିଲନାଡ଼ୁର ତୁତୁକୋରିନ୍ରେ ପ୍ରଦୂଷଣକୁ ବିରୋଧ କରିବାରୁ ଶ୍ରମିକଙ୍କ ରକ୍ତରେ ସ୍ନାନ କରିବାକୁ ପଛାଇଲେ ନାହିଁ। କୃଷକ ହକ୍ ଅଧିକାର-ହକ୍ ଦାବି କଲେ ତାଙ୍କୁ ପୁଲିସ୍ ଗୁଳିରେ ମାରି ବାହାରୁଥିବା ରକ୍ତରେ ସ୍ନାନ କରୁଛ ହେ ପ୍ରଭୁ! ସୀମାରେ ଦେଶକୁ ଜଗୁଥିବା ସୈନିକଙ୍କୁ ଆତଙ୍କବାଦୀଙ୍କ ଦ୍ୱାରା! ଜୟ ଜବାନ ଏବଂ ଜୟ କିଷାନର ନାରା ଗାଉଥିବା ଦେଶରେ କୃଷକଠାରୁ ବଳି ପାଇଁ ନିଜ ପୁତ୍ରକୁ ଛଡ଼ାଇ ନେଉଛ। ପ୍ରଭୁ ଆପଣ ଖଣି-ପାଣି-ଡାଲି, ଚିଟ୍ଫଣ୍ଡ ଦୁର୍ନୀତିରେ ଲିପ୍ତଙ୍କୁ ସୁରକ୍ଷା ଦେଉଛନ୍ତି-ସମଗ୍ର ବସୁଧା ଉଠୁଛିପଡ଼ୁଛି-ବିରୋଧ କଲେ ମାଡ଼ ମାରି ଲହୁ ବାହାର କରୁଛନ୍ତି। ଆପଣ ଷାଠିଏ ହଜାର ଏବଂ ୭୦ ହଜାର କୋଟି ଟଙ୍କାର ଯୁଦ୍ଧ ବିମାନ କିଣୁଛନ୍ତି ସୈନିକଙ୍କୁ ସଶକ୍ତ କରିବା ପାଇଁ; କିନ୍ତୁ ଆମେରିକା ଏବଂ ଫ୍ରାନ୍ସର ଯୁଦ୍ଧାସ୍ତ୍ର ଆମଦାନୀ କମ୍ପାନୀ ଲକ୍ଷ କୋଯି ଟଙ୍କା ଲୁଟି ଚାଲିଛନ୍ତି। ଆପଣ ସୈନିକଙ୍କର ନା କୃଷକଙ୍କର ଚିନ୍ତା କରୁଛନ୍ତି। କେବଳ ଭୋଟ ନେଉଛନ୍ତି-ସରକାର ଗଢ଼ୁଛନ୍ତି। ୧୫ ଅଗଷ୍ଟ ୧୯୪୭ରୁ କ୍ଷମତାର ଦୋକାନ (ପାୱାର୍ ସପ୍) ପ୍ରତି ୫, ୧୦, ୧୫ କିମ୍ୱା ୧୯ ବର୍ଷରେ ଥରେ ଦୋକାନର ବୋର୍ଡ ବଦଳାଉଛ ପ୍ରଭୁ। କ୍ଷମତା ବା ପାୱାର୍ର ଆପଣଙ୍କର ଏହି ଦୋକାନ (ସପ୍) କୌଣସି କୌଣସି ରାଜ୍ୟରେ - କୌଣସି ନାମରେ ବଦଳୁଛି। ଆପଣ ଗାଈର ଦାବୀକୁ ନେଇ, କୁକୁଡ଼ା ଲଢ଼େଇକୁ ନେି, ଛେଳିକୁ ବାଦାମ୍ ଖୁଆି କ୍ଷମତା ପ୍ରତିଷ୍ଠାର ଦୁନ୍ଦୁଭି ବଜାଉଛନ୍ତି। କୁକୁଡ଼ା, ଛେଳି, ବୋଦା, ମଇଁଷିଠୁଁ ଗାଈ ବଳି - ଏହାକୁ ନେଇ ନାଗରିକ-ନଗରିକ ମଧ୍ୟରେ ସଂଘର୍ଷ-ଏଥିରୁ ଉତ୍ପନ୍ନ ରକ୍ତରେ ସ୍ନାନ କରିବାରେ ପ୍ରଭୁ ଆପଣ ଆନନ୍ଦ ପାଆନ୍ତି ନିଶ୍ଚୟ। ଏନେଇ ବିଶ୍ୱାସ ନକଳେ ମଧ୍ୟ ଅବିଶ୍ୱାସ କରାଯାଇନପାରେ! ପ୍ରଭୁ! ଚାଷୀ, ମୂଲିଆ ବା ଶ୍ରମିକ ନିଜର ହକ୍ ମାଗିବେ ତ ଆପଣଙ୍କ ପୁଲିସ୍ ଆଇନ ଏବଂ ବ୍ୟବସ୍ଥା ନାମରେ ଗୁଳି ଚଳାଇବେ। ଏନ୍କାଉଣ୍ଟର୍ ନାମରେ ମାରିବେ, ହାଜତରେ ରଖି ମାରିବେ। ମୃତ କୃଷକ ଏବଂ ଶ୍ରମିକଙ୍କ ରକ୍ତରେ ସ୍ନାନ କରିବାକୁ ବୋଧହୁଏ ଆପଣଙ୍କର ଭାରି ପସନ୍ଦ! ଯେପରି ଦିନେ ଜେନେରାଲ୍ ଡାୟର୍ ଆମ ଲୋକଙ୍କୁ ପୁଲିସ୍ ଗୁଳିରେ ମାରି ଖୁସି ମନାଇଥିଲେ। ଆପଣ-ଆପଣଙ୍କ ଚାମ୍ଚା ବ୍ୟତୀତ ଏଠାକାର ସବୁକୁ - ସମସ୍ତଙ୍କୁ ଦେଶ ବିରୋଧୀ ଭାବେ ଚିତ୍ରଣ କରୁଛନ୍ତି। ଆପଣ କ୍ଷମତାରେ ଏପରି ଅନ୍ଧ ଯେ - ଆପଣ ଆପଣଙ୍କର ଆପଣାର ଲୋକଙ୍କୁ ଦଳ ବିରୋଧୀ କହି ଶ୍ରୀରାମଙ୍କ ବନବାସ ଭଳି ଅବସ୍ଥାକୁ ଠେଲି ଦେଉଛନ୍ତି। ଆପଣ ପ୍ରଭୁ ମନ୍ଦିର ଯାଉଛନ୍ତି, ଯାଉଛନ୍ତି ମସ୍ଜିଦ୍, ଗୀର୍ଜା ଏବଂ ଗୁରୁଦ୍ୱାର। ଲକ୍ଷ୍ୟ ଧର୍ମ ପ୍ରତିଷ୍ଠା ପାଇଁ ନୁହେଁ, କ୍ଷମତାକୁ ହାତମୁଠାରେ ରଖିବା - ନିଜର ଅନ୍ଧ ଭକ୍ତ ନିର୍ମାଣ ନିମନ୍ତେ। ମୁଁ ଭୁଲ୍ କହୁନି ପ୍ରଭୁ ଯାହା ଆଖି ଆଗରେ ଦେଖୁଛି ତାହା କହୁଛି! ଆପଣ ନିଜ ଲୋକଙ୍କୁ ଦଳ ବିରୋଧୀ ଏଇଥିପାଇଁ କହୁଛନ୍ତି - କାହିଁକି ନା ଆପଣଙ୍କ କ୍ଷମତାସର୍ବସ୍ୱ ରାଜନୀତିର ଆତ୍ମାରେ ମନ୍ଥରା ବସିଛନ୍ତି! ହେ’ ପ୍ରଭୁ ! ଆପଣ କେତେବେଳେ କଂଗ୍ରେସ, କେତେବେଳେ ଜନତା ଦଳ। କେତେବେଳେ କମ୍ୟୁନିଷ୍ଟ ଦଳ, ତେକେବେଳେ ମାର୍କ୍ସବାଦୀ ଲେନିନ୍ବାଦୀ (ମାଲେ) ଏବଂ କେବେ ବସପା, କେବେ ସପା, କେବେ ଅକାଳୀ। କେବେ ଆମ୍ ଆଦ୍ମୀ, କେବେ ଆନାଦ୍ରମୁକ, କେବେ ବିଜେଡି, କେବେ ଶିବସେନା-କେବେ ଆପଣ ବିଜେପି ହୋଇପାରନ୍ତି। ଆପଣ କେତେବେଳେ ଏ ରୂପରେ ତ କେତେବେଳେ ଆଉ ଏକ ରୂପ ଧାରଣ କରନ୍ତି। ଇନ୍ଦ୍ରଧନୁର ସାତ ରଙ୍ଗଠାରୁ ଆପଣଙ୍କ ରଙ୍ଗ ଆହୁରି ଅଧିକ। ଆପଣ ଯେତେବେଳେ କ୍ଷମତାରୁ ବାହାର ହୋଇଯାଆନ୍ତି, ସେତେବେଳେ ଆପଣ ଦୁଃଖରେ ଅମୃତ ଭାଣ୍ଡ ରଖିବାର ସାହାସ ରଖିଥାନ୍ତି। ଯେତେବେଳେ ଆପଣ କ୍ଷମତାହୀନ ହୋଇଥାନ୍ତି ସେତେବେଳେ ସୁନା ଭାଣ୍ଡରେ ବିଷ ଦେଇଯାଇଥାନ୍ତି। ପ୍ରଭୁ ଏହା ଆପଣଙ୍କର କେଉଁ ରୂପ? ଆପଣ ଧଳା, ହଳଦୀ, ଲାଲ୍, ନୀଳ, ଆକାଶୀ ଏବଂ ଜଣାନାହିଁ ପ୍ରଭୁ କାହିଁ କେତେ କେତେ କେଉଁ କେଉଁ କେଉଁ ରୂପ ଧାରଣ କରନ୍ତି। ଆପଣ ଯେତେବେଳେ କେସୁରା-ଗେରୁଆ ରଙ୍ଗ ଖେଳି ଯାଏ। ଫଳରେ କେବଳ ଆପଣ ରକ୍ତ ସ୍ନାନ କରିବାକୁ ମନ କରନ୍ତି। ଓଡ଼ିଶାର କଳିଙ୍ଗନଗର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ବଲାଙ୍ଗିର ମାଓବାଦୀ ନାମରେ ୩୦ରୁ ଅଧିକ ଲୋକଙ୍କ ରକ୍ତରେ ଗାଧୋଇଥିଲ ପ୍ରଭୁ। ଏହି ନିକଟ ଅତୀତରେ ରାଜସ୍ଥାନର ଘଡ଼ସାରାରେ କୃଷକଙ୍କ ଉପରକୁ ଗୁଳି ଚଳାଇଲ ପ୍ରଭୁ। ଆପଣ ଆନ୍ଦୋଳନରତ ୭୦ ଗୁର୍ଜରୀଙ୍କୁ ଗୋଟିଏ ସମୟରେ ଧରାଶାୟୀ କରିଦେଲ। ନିକଟରେ ଆପଣ ପ୍ରଦୂଷଣକୁ ବିରୋଧ କରୁଥିବା ଶ୍ରମିକଙ୍କ ୁପରକୁ ଗୁଳିଚଳାଇ ମାରିଦେବା ପରେ ତାଙ୍କ ରକ୍ତରେ ଗାଧୋଇଛୁ ପ୍ରଭୁ! ପ୍ରଭୁ (ଲର୍ଡ) ଆପଣ କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ତାମିଲନାଡ଼ୁ, କେରଳ ଏବଂ ଓଡ଼ିଶାର ଆନ୍ଦୋଳନକାରୀଙ୍କ ରକ୍ତରେ ସ୍ନାନ କରିଛନ୍ତି!! ଆପଣ ପ୍ରଭୁ କିପରି ରାଜନେତା! ଆପଣଙ୍କର ତ ଅନେକ ନାମ। ରଂଗ ଅନେକ। କେଉଁ ନାମରେ ଡାକିବି? ଆପଣଙ୍କୁ ଗୋଟିଏ ନାମରେ ଡାକି ଆପଣ ରୂପ-ସ୍ୱରୂପ ସଂପର୍କରେ ବଖାଣିଲେ-ମୁହଁ ଖୋଲି କହିଲେ-ଆପଣଙ୍କର ଅନ୍ୟ ରୂପଗୁଡ଼ିକ ମୋତେ ଆକ୍ରମଣ କରିବେ। ଅନ୍ୟ କୃଷକ, ଶ୍ରମିକ, ସୈନିକଙ୍କୁ ମାରି ତାଙ୍କ ରକ୍ତରେ ସ୍ନାନ କଲାପରି ଆପଣ ମୋ ରକ୍ତରେ ମଧ୍ୟ ସ୍ନାନ କରିବେ। କାରଣ, ପ୍ରଭୁ ଆପଣ କ୍ଷମତାସୀନ! ମୋ ମନରେ ଏ ନେଇ ଭୟ? ଆପଣ ଗଣତାନ୍ତ୍ରିକ ଯୁଗରେ ଆଦିମ ଯୁଗର ଏବଂ ଆଦିମ ଯୁଗର ବିକଳ୍ପ ହେବାପାଇଁ ପ୍ରସ୍ତୁତ ହେଉଛନ୍ତି। ହଁ ମୁଁ ଜାଣିଛି ଏବେ ଆପଣ ଭୋଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଜ୍ଞାପନରେ ବିକାଶ ବାଣ୍ଟୁଛନ୍ତି। ଏହାତ ଆପଣଙ୍କର କଳା-କୌଶଳର ନିପୁଣତା। ମାନିନିଅନ୍ତୁ ପ୍ରଭୁ! ସ୍ୱୀକାର କରନ୍ତୁ ଆପଣ ସ୍ୱୟଂ ଭଗବାନ ରାମ ଏବଂ ଶ୍ରୀକୃଷ୍ଣଙ୍କର ଅବତାର। କିନ୍ତୁ ଯେତେବେଳେ ଆପଣ କ୍ଷମତାକୁ ଆସନ୍ତି ଏବଂ ଲୋକମାନେ ଆନ୍ଦୋଳନ କରନ୍ତି, ସେତେବେଳେ ଆପଣଙ୍କର ଆଖିଆଗକୁ ପୂର୍ବ ବା ପୁରାତନ ସରକାରଙ୍କର ବିକୃତ ବିକଟାଳ ଦୃଶ୍ୟ ଆସିଯାଏ। ଆଉ ତାହାପରେ ଆପଣଙ୍କ ସରକାର ନରମୁଣ୍ଡ ଧାରଣ କରେ। ଏହି ସମୟରେ ଆପଣଙ୍କୁ ଦେଖିଲେ ଉତ୍କଣ୍ଠିତ କୌଣସି କାଳୀଙ୍କ ସ୍ୱରୂପ ଆଖିଆଗକୁ ଆସିଯାଏ। କିନ୍ତୁ ପ୍ରଭୁ ହେ! ଶୁଣିବାହେଉ- ଗଣତାନ୍ତ୍ରିକ ଯୁଗରେ କାଳୀ ଦୁଷ୍ଟଦଳନ କରି ତାଙ୍କ ମୁଣ୍ଡକୁ ପିନ୍ଧିଥିଲେ। କିନ୍ତୁ ନ୍ୟାୟ ଦାବି କରିଥିବା ନିରୀହ- ନିରପରାଧ ପ୍ରଜାଙ୍କର ନୁହେଁ। କିନ୍ତୁ ହେ ପ୍ରଭୁ ରାଜନେତା ଆପଣଙ୍କ ମାୟା ଅଗୋଚର! ଆପଣ କ୍ଷମତାକୁ ଆସିଲେ ନରମୁଣ୍ଡର ମାଳା ପିନ୍ଧନ୍ତି। ପ୍ରଭୁ! ଆପଣତ ଏହି ଆମ ଧରାତଳ ଦେଶ-ରାଷ୍ଟ୍ର-ରାଜ୍ୟର ରାଜନେତା। ପ୍ରଭୁ ଏପରି ଧାରଣ-ଲାଳନ-ପାଳନ-ଦମନ-ଦଳନ-ପତନ-ବିତାଡନ ଆପଣଙ୍କୁ କ୍ଷମତାରେ ବସାଇଥିବା ଲୋକପ୍ରତି ଆଉ କେତେ ଦିନ ଚଳାଇ ରଖିବେ? ଆପଣ କେବେ କେଉଁଦିନ ଏପରି ନୀତି ତିଆରି କରିବେ, ଯେଉଁଦିନଠାରୁ ନା ଦେଶର-ନା ରାଜ୍ୟର କୌଣସି ଜଣେ ସୈନିକ-କୃଷକ ନା ଶ୍ରମିକର ରକ୍ତ ବୋହିବ? କେଉଁଦିନ ଆପଣ ଦେଶ- ରାଜ୍ୟକୁ ସଶକ୍ତ ସମୃଦ୍ଧ କରି ଗଢ଼ିତୋଳିବେ ଆପଣ! ଏପରି ଗଢ଼ିବେ ଯେ ସୀମାରେ ଆମ ସୈନିକଙ୍କ ଯୁଦ୍ଧ ସରଞ୍ଜାମ ଦେଖି ଶତ୍ରୁ ପକ୍ଷର ସୈନିକ ଛାଡ଼ି ପଳାଇବେ। ଦେଶ ଓ ରାଜ୍ୟ ଭିତରେ ଥିବା ଆତଙ୍କବାଦୀ, ସନ୍ତ୍ରାସବାଦୀ, ଅରାଜକତାବାଦୀ, ରାଷ୍ଟ୍ରବିରୋଧ ସଶକ୍ତ ମାଓବାଦୀ ଅସ୍ତ୍ର ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ। ଆତଙ୍କର ଅନ୍ତ ଘଟିବ। ଆନ୍ଦୋଳନ ନାମରେ ବେଉସା-ତାମସା ବନ୍ଦ ହେବ। କୃଷକ-ଶ୍ରମିକଙ୍କୁ ମିଳିବ ଅଧିକାର। ସେମାନେ ମୁଣ୍ଡଟେକି ସ୍ଖଲିବେ। ନା ଥିବ ଭୟ ନା ଥିବ ଭୋକ ନା ଥିବ ଭ୍ରଷ୍ଟାସ୍ଖର। ଦେଶ-ରାଜ୍ୟ ହେବ ସୁସ୍ଥ- ସମୃଦ୍ଧ। ହେ ପ୍ରଭୁ ରାଜନେତା! କୁହନ୍ତୁ ତ ଆମ ଦେଶ-ରାଜ୍ୟର ରକ୍ତସ୍ନାନକୁ ଆମେ ବନ୍ଦ କରିବୁ କେବେ? ମହାବୀର-ନାନକ ଆଦର୍ଶକୁ ନେଇ ସମସ୍ତ ନାଗରିକଙ୍କୁ ପ୍ରେମ କରୁଥିବା ଶାସକ କେବେ ଆସିବେ? ବୁଦ୍ଧଙ୍କ ଆଦର୍ଶରୁ ଶିକ୍ଷା ନେଇ ନିଜ ନାଗରିକଙ୍କ ଆଖିରୁ ଲୁହ ପୋଛିବେ? କଷ୍ଟ ମେଣ୍ଟାଇବେ, ପ୍ରଭୁ ଶ୍ରୀରାମଙ୍କ ମର୍ଯ୍ୟାଦା ପ୍ରତିଷ୍ଠା କରିବେ? ପ୍ରଭୁ ଯୀଶୁଙ୍କ କ୍ଷମା ଓ ପ୍ରେମକୁ ନିଜ ଆଚରଣରେ ଦେଖାଇବେ? କାହାରିକୁ ଦମନ କରି କ୍ଷମତାର ସୁଖ ପାଇବା ସୁଖ ନୁହେଁ। ରକ୍ତ ସ୍ମାନରେ ନୁହେଁ ଶାନ୍ତି। ସମନ୍ୱୟ- ସଦ୍ଭାବନା ପ୍ରତିଷ୍ଠାରେ ହିଁ ସୁଖ ଏପରି ଶାସକ କେବେ ଶାସନକୁ ଆସିବେ ପ୍ରଭୁ! ଭାଷଣର ଚମତ୍କାରିତା, ଯୋଜନାର ଦୀର୍ଘ ସୂଚିକୁ ନେଇ ନୁହେଁ ସମତାଭିତ୍ତିକ ବିକାଶର କାର୍ଯ୍ୟନ୍ୱୟନକୁ ନେଇ। କେବେ ଏହି ଦେଶ-ରାଜ୍ୟରେ ଏପରି ସତ୍ୟଗୁଣ-ରାଜସୀ ଲୋକ ହେବେ, ଯେଉଁମାନେ କ୍ଷମତାସୀନ ହେବାକୁ ଯାଉଥିବା ଭରତଙ୍କ ସହ ନରହି ବଣକୁ ଯାଉଥିବା ଲକ୍ଷ୍ମଣଙ୍କ ସପକ୍ଷରେ ରାମଙ୍କ ସହ ରହିବେ। କାହିଁକି ଆମ ଦେଶ-ରାଜ୍ୟର କୃଷକ କେଜି ୨ ଟଙ୍କାରେ ଟମାଟର, କେଜି ଅଢ଼େଇ ଟଙ୍କାରେ ପିଆଜ କିଣିବାକୁ ବାଧ୍ୟ ହେଉଛି? କୃଷକଙ୍କୁ କେଉଁ ପରିସ୍ଥିତି ବାଧ୍ୟ କରୁଛି ଆତ୍ମହତ୍ୟା କରିବାକୁ? କେବେ ସେହି ସମୟ ଆସିବ, ଶ୍ରୀରାମ ଭଳି ଶାସକ ମିଳିବେ? ଯେ କି ପ୍ରଜାର କଥା ଶୁଣି ନିଜ ପ୍ରାଣପ୍ରିୟାଙ୍କୁ ତ୍ୟାଗ କରିପାରିବେ। ଦୁର୍ବଳଙ୍କୁ ଶକ୍ତି ଦେଇ ସମୁଦ୍ରରେ ପୋଲ ବା ସେତୁ ନିର୍ମାଣ କରିବେ। ରାକ୍ଷାସୀ କ୍ଷମତାର ସର୍ବନାସ କରିବେ? ରାଜନୈତିକ ଦଳର ଏହି କୋଳାହଳ କେବେ ବଦଳିବ? ନିଜକୁ ନିଜେ ସୁରକ୍ଷିତ ରହି ଦେଶ-ରାଜ୍ୟର ସୈନିକ-କୃଷକ-ଶ୍ରମିକଙ୍କୁ ମରିବା ପାଇଁ ଛାଡି ଦେଉନଥିବେ। ନିଜ ନାଗରିକଙ୍କୁ ସୁରକ୍ଷା ନଦେଇ ନିଜେ ସୁରକ୍ଷା ବଳୟରେ ରହି ମଉଜ କରୁନଥିବେ? ପ୍ରଦୂଷଣ ସୃଷ୍ଟିକାରୀ- ଅକାଳ ମୃତ୍ୟୁର ବାହାକର ପ୍ରସାରକୁ ବନ୍ଦ କରିବେ। ଜିଏମ୍ ବିହନ ନାମରେ ଭୟ ଦେଖାଇ ପେଷ୍ଟିସାଇଡ୍ ନାମରେ ପ୍ରଦୂଷଣ ସୃଷ୍ଟିକାରୀ କୀଟନାଶକର ପ୍ରସାର କରୁନଥିବେ, କେବେ ଏହି ଦିନ ଆସିବ? ଆଉ କେତେଦିନ ହେ ପ୍ରଭୁ! ରାଜନେତା ଖାଦ୍ୟ ସାମଗ୍ରୀର ଅପମିଶ୍ରଣ, ଠକେଇ, ଶୋଷଣ, ଶାସନରେ ମିଛ-ଲାଞ୍ଚକୁ ବଜାୟ ରଖିବେ? ନିଜ ଚାମ୍ଚା-ଦୁର୍ନୀତି କରି ଯଦି ରୋଗରେ ପଡ଼ୁଛନ୍ତି, ତାଙ୍କ ମଙ୍ଗଳ ପାଇଁ ଦୀପଦାନ କରୁଥିବେ। ଜେଲଗଲେ ଆନ୍ଦୋଳନ ନାମରେ ଧମକାଇ ହିଂସାର ପରିବେଶ ତିଆରି କରୁଥିବେ। ଏପରି ଆଉ କେତେ ଦିନ? ଲୋକଙ୍କୁ ଠକିବା, ଶୋଷିବା, ମାରିବା ଆଉ କେତେଦିନ? ଏହାର ଶେଷ କେବେ? କେବେ ଯାଏ ଦେଶ-ରାଜ୍ୟର ନାଗରିକଙ୍କୁ ଧର୍ମ-ଜାତି ନାମରେ ଭାଗ ଭାଗ କରି ଭାରତମାତା-ଉତ୍କଳଜନନୀର ହୃଦୟରେ ବିଷ ଭରିଚାଲିଥିବେ? କେତେଦିନ ଯାଏ ଭାରତମାତା-ଉତ୍କଳଜନନୀର ସନ୍ତାନଙ୍କୁ କୃଷକ-ଶ୍ରମିକ ଏବଂ ପୁଲିସ୍ ମଧ୍ୟରେ ଅଲଗା କରି ଦମନର ରାସ୍ତାକୁ ପ୍ରଶସ୍ତ କରିଚାଲିଥିବେ? କ’ଣ କ୍ଷମତା ଆଗରେ ପ୍ରଜାର କୌଣସି ସ୍ଥାନ ନାହିଁ? ହେ ମୋର ପ୍ରିୟ ଶାସକ! ଏଠାରେ ଏହା ଆମର ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି। ଆପଣଙ୍କ ସରକାରର ଦାୟିତ୍ୱ ଏହା ଅଟେ ଯେ ପ୍ରଭୁ (ଲର୍ଡ) ଆପଣ କୃଷକ-ଶ୍ରମିକଙ୍କ ପ୍ରତି ଏହି -ଏହିପରି ନ୍ୟାୟ ବ୍ୟବସ୍ଥା କାର୍ଯ୍ୟକାରୀ କରନ୍ତୁ ଯାହା ଆପଣ ବିରୋଧୀରେ ଥିବା ବେଳେ ଦାବି କରୁଥିଲେ। ଏବେ ତ ବିରୋଧୀ କୌଣସି ପ୍ରଶ୍ନ କରିବା ପାଇଁ ପ୍ରସ୍ତୁତରେ ନାହାନ୍ତି। ହେ ମୋର ଶାସକୀୟ ରାଜନେତା ପ୍ରଭୁ! ୧୫ ଅଗଷ୍ଟ ୧୯୪୭ ଦେଶକୁ ପରାଧୀନତାରୁ ମୁକ୍ତ କରିବା ପାଇଁ ରକ୍ତସ୍ନାନ କରିଥିଲେ। ବିଦେଶୀ ଶାସକ କାହିଁ କେତେ ସଂଖ୍ୟକଙ୍କୁ ପୁଲିସ୍ ଗୁଳିରେ ମାରି ରକ୍ତରେ ଗାଧୋଇଥିଲେ। ଆଜି ଆପଣ ତ ସ୍ୱଦେଶୀ। ଆପଣ ଆଉ କେତେଦିନ ଯାଏ ଏପରି ରକ୍ତସ୍ନାନ କରିଚାଲିଥିବେ? ଗଣତନ୍ତ୍ର ନାମରେ ପାର୍ଟି ରୂପୀ ଅଗଣତାନ୍ତ୍ରିକ କାର୍ଯ୍ୟ ଆଉ କେତେ ଦିନ? ହିଂସା ମାର୍ଗରେ କ୍ଷମତା ଦଖଲର ପ୍ରତିଯୋଗିତାର ଦିନ ଶେଷ ହେବ କେବେ? ଆଉ କେତେଦିନ ଭୋଟ ପୂର୍ବରୁ ଗୋଟିଏ ଦୁଇଗ୍ଲାସ ମଦ, ଗୋଟିଏ କୁକୁଡ଼ା ବା ଛେଳିର ହାଡ଼ ଦେଇ ଗଣତନ୍ତ୍ରର ଆତ୍ମାକୁ ସଉଦା କରିଚାଲିଥିବେ? ନେତା-ଝଣ୍ଡା-ଏଜେଣ୍ଡା ନାମରେ ରକ୍ତପାତ ଆଉ କେତେଦିନ ପ୍ରଭୁ! ସାମ୍ୱାଦିକ, ଭୁବନେଶ୍ୱର ମୋ- ୯୪୩୮୦୦୬୨୧୫

Share :