ମନ୍ତ୍ରିମଣ୍ଡଳ ନିଷ୍ପତ୍ତିକୁ ପଛରୁ କିଏ ଛୁରୀ ମରିଲା କିଏ?

ମନ୍ତ୍ରିମଣ୍ଡଳ ନିଷ୍ପତ୍ତିକୁ ପଛରୁ କିଏ ଛୁରୀ ମରିଲା କିଏ?

ପବିତ୍ର ମହାରଥା ଓଡ଼ିଆରେ ଓଡିଶାର ଶାସନ ନୀତିର ଖିଲାପକାରୀକୁ ଦଣ୍ଡ ବିଧାନ ଦାବିରେ ଦୀର୍ଘ ଦିନ ଧରି ଭାଷା ଆନ୍ଦୋଳନ ଚାଲିଥିବା ବେଳେ ସରକାରଙ୍କର ଭାଷା ଆଇନ ରେ ଦଣ୍ଡବିଧାନ ପାଇଁ ମନ୍ତ୍ରିମଣ୍ଡଳୀୟ ନିଷ୍ପତ୍ତି ଓଡିଶା ଜନସାଧାରଣଙ୍କ ପାଇଁ ଉଚିତ ଆଉ ଐତିହାସିକ ପଦକ୍ଷେପ ହୋଇଥିବା ବେଳେ ୨୦୧୮ ମେ ପହିଲାରେ ବିଧାନସଭାରେ ଗୃହୀତ ହେବାର ନିଷ୍ପତ୍ତି ହୋଇଥିବା ମନ୍ତ୍ରିମଣ୍ଡଳର ୨୦୧୮ ମାର୍ଚ୍ଚ ୧୪ ତାରିଖ ନିଷ୍ପତ୍ତିକୁ କିଏ ଚାପି ଦେଇ ୨୦୧୭ ଡିସେମ୍ବର ୨୬ ତାରିଖର ନିଷ୍ପତ୍ତିକୁ ବିଧାନସଭାକୁ ଆଣିଲା ତାହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଛରୁ ଛୁରିକାଘାତ ବୋଲି ମନେ ହେଉଛି। ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଗଣ ଓ ଗଣମାଧ୍ୟମର ପ୍ରୟାସ ଜାରି ରହିଥିବା ବେଳେ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଭୁଲେଇବାକୁ ଚେଷ୍ଟା କରିଚାଲିଛନ୍ତି ଯାହା ଦ୍ବାରା କି ସମସ୍ତ ଓଡ଼ିଆଙ୍କ ମନରେ ସନ୍ଦେହ ଜାତ ହେବା ସ୍ବାଭାବିକ। ୧୯୫୪ ମସିହାରେ ତତ୍କାଳ ଲାଗୁ ହୋଇଥିବା ଭାଷା ଆଇନ ଅନୁଯାୟୀ ସମସ୍ତ ସରକାରୀ ନଥିପତ୍ର ଓଡ଼ିଆ ଭାଷା ରେ ହିଁ ହେବା କଥା। କିନ୍ତୁ ତାହା ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ୨୦୧୮ ମେ ପହିଲା ଦିନ ବିଧାନସଭାରେ ସଂଶୋଧିତ ଭାଷା ଆଇନ ଦଣ୍ଡ ବିଧାନ ବ୍ୟବସ୍ଥା ସହିତ ଗୃହୀତ ହୋଇଛି। କିନ୍ତୁ ସେଥିରେ ବି ଚଂଚକତା କରିଛନ୍ତି ସରକାର। ସେଥିପାଇଁ ଆମେ ଭାଷା ଆନ୍ଦୋଳନ ତରଫରୁ ବିଧାୟକମାନଙ୍କୁ ନିଜର ବୈଧାନିକ ଦକ୍ଷତା ଦେଖାଇବାକୁ ଅନୁରୋଧ କରିଥିଲୁ। କିନ୍ତୁ ତାହା ଫଳବତୀ ହୋଇପାରିନାହିଁ। ଫଳରେ ଭାଷା ଆଇନଟି କାର୍ଯ୍ୟକାରୀ ହେବା ଅସମ୍ଭବ ମନେ ହୁଏ। ଭାଷା ଆଇନରେ ଦଣ୍ଡବିଧାନ ବିଧି ବ୍ୟବସ୍ଥା ପାଇଁ ଭାଷା ଆନ୍ଦୋଳନ ୮୦୦ ଦିନରେ ପହଂଚିବାକୁ ବସିଲାଣି। ତଥାପି ବି ସରକାର ବା ସରକାରୀ କଳ ତତ୍ପର ନଥିବା ଆଶ୍ଚର୍ଯ୍ୟର ବିଷୟ। ମାଟି, ମା’ ଆଉ ସାଧାରଣ ଜନତାର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଡିଣ୍ଡିମ ପିଟି ଭୋଟ ମାଗି ମାଗି ବୁଲୁଥିଲାବେଳେ ରାଜନୈତିକ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ବ ବଦଳିଯାଉଛି। ଭାଷା ଆନ୍ଦୋଳନର ୭୪୯ ଦିନରେ ସରକାର ବିଧାନସଭାରେ ଭାଷା ଆଇନ ୧୯୫୪ରେ ସଂଶୋଧନ ପ୍ରସ୍ତାବ ଗୃହୀତ କଲେ। ଭାଷା ଆନ୍ଦୋଳନକାରୀ ସେମିତି ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ଜାଳି ବସିଥାନ୍ତି, ସନ୍ଧ୍ୟା ୫ଟା ବେଳେ ଭାଷା ଆନ୍ଦୋଳନର ଅଧକ୍ଷ ସୁଭାଷ ଚନ୍ଦ୍ର ପଟନାୟକ ବିଧାନସଭା ଗ୍ୟାଲେରୀରୁ ଖବର ଦେଲେ କି ଭାଷା ଆଇନ ପାରିତ ହେଲା। କିନ୍ତୁ ଆମେ ସେଥିରେ ଖୁସି ହେବାର କୌଣସି କାରଣ ନାହିଁ। କାରଣ ଏହା ଆମ ଓଡ଼ିଆଙ୍କୁ ପଛରୁ ଛୁରୀ ମାଡ଼ ସହ ସମାନ। ଯେଉଁ ବିଧେୟକଟି ପାରିତ ହେଲା ତାହା ଓଡ଼ିଆରେ ଓଡିଶା ଶାସନ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ସେଥିରେ ଯୋଉ ତ୍ରୁଟି ଆମେ ଆଗରୁ ଅନୁଭବ କରି ବିଧାୟକମାନଙ୍କୁ ଜଣେଇଥିଲୁ, ତାହା ସୁଧାରିବା ପାଇଁ କୌଣସି ବିଧାୟକ ନିଜର ବିଧାନ ପ୍ରଣୟନ ବିଜ୍ଞତା ପ୍ରକାଶ କରିନାହାନ୍ତି। କେବଳ ଏତିକି ହେଇଚି, ସରକାରୀ ଦଳର ବିଧାୟକମାନେ ସ୍ବୀକାର କରିଛନ୍ତି କି ଓଡିଶାରେ ୯୩ ପ୍ରତିଶତ ଲୋକଙ୍କ ପାଇଁ ମାତୃଭାଷା ଓଡ଼ିଆ ହିଁ ମାଧ୍ୟମ ହୋଇଥିବା ବେଳେ କେବଳ ୭% ଲୋକ ଇଂରାଜୀ ଭାଷା ବ୍ୟବହାର କରନ୍ତି। ସୁତରାଂ ପ୍ରଶ୍ନ ହେଉଛି - ସରକାର ୯୩ ଭାଗ ଲୋକଙ୍କ ପାଇଁ ନାଁ ୭ ଭାଗ ଲୋକଙ୍କ ପାଇଁ ? ଭାଷା ଆନ୍ଦୋଳନର କଳାପତାକା ଅଭିଯାନର ୩୯ତମ ଦିନରେ ପହଁଚିଲା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳୀୟ ସଭାରେ କହିଥିଲେ କି ଭାଷା ଆନ୍ଦୋଳନର ଦାବି ଅନୁଯାୟୀ ପରବର୍ତ୍ତୀ ବିଧାନସଭାରେ ଆଇନ ସଂଶୋଧନ ହେବ। ଯଦି ମୁଖ୍ୟମନ୍ତ୍ରୀ ଆଇନରେ ଥିବା ତ୍ରୁଟି ସମ୍ପର୍କରେ ଭାଷା ଆନ୍ଦୋଳନ ସହ ଏକମତ, ତେବେ ଅଧ୍ୟାଦେଶ ବଳରେ ସେ ତୁରନ୍ତ ଆମ ଦାବି ଅନୁରୂପ ସଂଶୋଧନ ଆଣିପାରିବେ ବୋଲି ସେହି ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାଷା ଆନ୍ଦୋଳନ ମତ ରଖିଥିଲା। ସେଦିନ ରାତି 10ଟା ବେଳେ ସରକାର ଅଧ୍ୟାଦେଶ ଜାରି କରି ଭାଷା ଆଇନ ସଂଶୋଧନ କରି ଅଗଷ୍ଟ ୧୫, ୨୦୧୬ ସୁଦ୍ଧା ନିୟମାବଳି ପ୍ରଣୟନ କରି ଭାଷା ଆଇନ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ଭରସା କରି ଭାଷା ଆନ୍ଦୋଳନ ତାର କଳାପତାକା ଅଭିଯାନ ସେହି ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। କିନ୍ତୁ ଅଗଷ୍ଟ ୧୪, ୨୦୧୬ ତାରିଖରେ ଯେଉଁ ନିୟମାବଳି ପ୍ରକାଶିତ ହେଲା ସେଥିରେ ଦଣ୍ଡବିଧାନ ବ୍ୟବସ୍ଥାର ନାମଗନ୍ଧ ନଥିଲା; ପରନ୍ତୁ ଯେଉଁମାନେ ଏଯାଏଁ ଆଇନଟି ଲଙ୍ଘନ କରିଆସିଛନ୍ତି ସେହିମାନଙ୍କ ଭିତରୁ ୫ ଜଣ ସଚିବଙ୍କୁ ନେଇ ଏକ କମିଟି ଗଢ଼ଗଲା ଓ ସେହି କମିଟି ବର୍ଷକୁ ୨ ଥର ବସି ଆଇନଟିକୁ ଅନ୍ୟମାନେ ମାନୁଛନ୍ତି କି ନାହିଁ କେବଳ ତାହା ହିଁ ଦେଖିବେ ବୋଲି କୁହାଯାଇଥି। ଏପରି ପ୍ରବଞ୍ଚନାର ପ୍ରତିବାଦ କରି ଭାଷା ଆନ୍ଦୋଳନ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୬, ୨୦୧୬ରୁ ପୁନର୍ବାର କଳାପତାକା ଅଭିଯାନ ଆରମ୍ଭ କଲା। ଦୀର୍ଘଦିନ କଳାପତାକା ଚାଲିବା ପରେ , ଏହା ସାରା ଓଡିଶାକୁ ବ୍ୟାପିବା ଦେଖି ସରକାରଙ୍କ ଚେତା ପଶିଲା ଏବଂ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କଲେ। ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଏବଂ ଆବାହକ ପବିତ୍ର ମହାରଥା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ୨୦୧୭ ମେ ୧୯ ତାରିଖରେ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟନାୟକ, ଗଜାନନ ମିଶ୍ରଙ୍କ ଅନଶନରୁ ଗଠିତ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିରେ ୨୦୧୫ ସେପ୍ଟେମ୍ବର ୩ ତାରିଖରେ ଯେଉଁ ପ୍ରସ୍ତାବ ଓ ଚିଠା ଦେଇଥିଲେ ତାହା ଉପରେ ସବିଶେଷ ଆଲୋଚନା ବି ହୋଇଥିଲା। ସାଧାରଣ ପ୍ରଶାସନ ବିଭାଗର ତତ୍କାଳୀନ ପ୍ରମୁଖ ଶାସନ ସଚିବ ଜି. ଭି. ଭି. ଶର୍ମା ଉକ୍ତ ପ୍ରସ୍ତାବର ଦଣ୍ଡବିଧାନ ପ୍ରସ୍ତାବଟି ଅସାଧ୍ୟ ଅଟେ ବୋଲି କହି, କମିଟିର ନିର୍ଦ୍ଦେଶ କ୍ରମେ ଆଇନ ବିଭାଗକୁ ଯାଉଥିବା ନଥିଟିକୁ ବାଟବଣା କରାଇ ମନ୍ତ୍ରୀସ୍ତରୀୟ କମିଟି ଗଠନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ କିପରି ପଣ୍ଡ କରାଇଦେଲେ ତାହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୁହା ହୋଇଥିଲା ଏବଂ ଘଟିଥିବା ଭୁଲର ସଂଶୋଧନ ପାଇଁ ସାନି ଲିଖିତ ଚିଠା ଦିଆ ହୋଇଥିଲା। କିନ୍ତୁ ତାହା ମଧ୍ୟ କେଉଁଆଡେ ଉଭାନ ହୋଇଯିବା ହେତୁ ଭାଷା ଆନ୍ଦୋଳନ ତରଫରୁ ସୂଚନା ଅଧିକାର ଆଇନ ବଳେର ତଥ୍ୟ ମାଗିବାରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ସେ ଚିଠା ହଜିଯାଇଥିବା ଆମକୁ ଜଣାଇ ତହିଁର ଏକ ନକଲ ମାଗିଥିଲେ, ଯାହା ଏଇ ୨୦୧୮ ସଂଶୋଧନରେ ଆଂଶିକ କାର୍ଯ୍ୟକାରୀ ହୋଇଛି। କିନ୍ତୁ ଏହାର ଭାଷାରେ ଅମଲାତନ୍ତ୍ର ଏପରି ପେଞ୍ଚ ପୂରାଇଛି ଯେ, ଏହା ପୁନଃ ସଂଶୋଧିତ ନ ହେଲେ, କାର୍ଯ୍ୟକାରୀ ହୋଇପାରିବ ନାହିଁ। ସେଥିପାଇଁ ଏହାକୁ ସ୍ବୀକୃତି ନଦେଇ ବିଧାନସଭାକୁ ପୁନଃ ବିଚାର ପାଇଁ ଫେରାଇ ଦେବାକୁ ରାଜ୍ୟପାଳଙ୍କୁ ଭାଷା ଆନ୍ଦୋଳନ ଏକ ସ୍ମାରକପତ୍ର ଦେଇଛି। ଓଡ଼ିଆରେ ଓଡିଶାର ଶାସନ ପାଇଁ ଭାଷା ଆନ୍ଦୋଳନ ସାରା ଓଡ଼ିଶାର ସମର୍ଥନ ପାଉଥିବା ଦେଖି ସରକାର ବାଧ୍ୟ ହୋଇ ପୁରୀଠାରେ ୨୬ ଡିସେମ୍ବର ୨୦୧୭ରେ ରାଜ୍ୟ ମନ୍ତ୍ରିମଣ୍ଡଳର ସ୍ବତନ୍ତ୍ର ଜରୁରୀ ବୈଠକ ଡାକି ଦଣ୍ଡବିଧାନ ବ୍ୟବସ୍ଥା ସହ ଭାଷା ଆଇନ ସଂଶୋଧନ ପାଇଁ ପ୍ରସ୍ତାବ କଲେ। ଭାଷା ଆନ୍ଦୋଳନର ଦାବି ଏଥିରେ ସମର୍ଥିତ ହୋଇଥିବା ହେତୁ ଆମେ ଏହାକୁ ସ୍ବାଗ କରିପାରିଥାନ୍ତୁ। କିନ୍ତୁ, ଏହା ମୂଳ ଆଇନର ଉଦ୍ଦେଶ୍ୟର ପରିପନ୍ଥୀ ଥିଲା ଓ ଓଡ଼ିଆରେ କାମ ନ କଲେ କର୍ମଚାରୀ ଓ ତାଙ୍କ ବିଭାଗକୁ ଦଣ୍ଡ ଦିଆଯାଇପାରେ ବୋଲି କୁହା ହୋଇଥିଲା। ଏହି ତ୍ରୁଟି ପାଇଁ ଏହାକୁ ଆମେ ଅଗ୍ରାହ୍ୟ କରିବାକୁ ବାଧ୍ୟ ହୋଇଥିଲୁ। ରାଜ୍ୟ ମନ୍ତ୍ରିମଣ୍ଡଳ ଏହି ଭୁଲ ଅନୁଭବ କରିବା ପରେ, ଏହାକୁ ପୁନର୍ବାର ସଂଶୋଧନ ପାଇଁ ମାର୍ଚ୍ଚ ୧୪, ୨୦୧୮ରେ ପ୍ରସ୍ତାବ ନେଲେ। କୌଣସି ବିଭାଗକୁ ନୁହେଁ, କେବଳ ଖିଲାପକାରୀ କର୍ମଚାରୀଙ୍କୁ ଦଣ୍ଡବିଧାନ ହେବ ବୋଲି ଏହି ପ୍ରସ୍ତାବରେ ଘୋଷିତ ହେଲା। ଅଥଚ, ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ୭୪୯ ଦିନ ଚାଲିଲା ପରେ ବିଧାନସଭା ଅଧିବେଶନର ଶେଷ ଦିନ ୨୦୧୮ ମେ ପହିଲାରେ ସରକାର ଯେଉଁ ସଂଶୋଧନ ବିଧେୟକ ଆଣିଲେ, ତହିଁରେ ମାର୍ଚ୍ଚ ୧୪ ତାରିଖର ମନ୍ତ୍ରିମଣ୍ଡଳ ପ୍ରସ୍ତାବ ପରବର୍ତ୍ତେ ସେପ୍ଟେମ୍ବର ୨୬, ୨୦୧୭ ତାରିଖର ତ୍ରୁଟିଯୁକ୍ତ ପ୍ରସ୍ତାବକୁ ଆଧାର କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ଭୁଲ ପାଇଁ ଓଡ଼ିଶାର ଜନସାଧାରଣ ଦଣ୍ଡ ପାଇବେ। ମନ୍ତ୍ରିମଣ୍ଡଳ ଓଡ଼ିଆରେ ଓଡିଶା ଶାସନ ପାଇଁ ଆଇନ ସଂଶୋଧନ ସକାଶେ ପଦକ୍ଷେପ ନେଉଥିବା ବେଳେ ଏପରି ତୃଟିପୂର୍ଣ୍ଣ ବିଧେୟକ ଚିଠା କରି କିଏ ପଛରୁ ଛୁରା ମାରିଛି ତାହା ଉପରେ ତଦନ୍ତ କରିବାକୁ ଓ ଏହି ତୃଟିପୂର୍ଣ୍ଣ ବିଧେୟକକୁ ଆଇନରେ ପରିଣତ ନ କରି ପୁନର୍ବାର ସଂଶୋଧନ କରିବାକୁ ଭାଷା ଆନ୍ଦୋଳନ ଦାବି ରଖିଛି। ଯଦି ଜୁଲାଇ ପହିଲା ପୂର୍ବରୁ ସରକାର ସୁଧୁରି ନ ଯାନ୍ତି ତେବେ ସେହି ଦିନଠାରୁ ସ୍ଥଗିତ ଥିବା କଳାପତାକା ଅଭିଯାନ ତୃତୀୟ ଥର ପାଇଁ ଆରମ୍ଭ ହେବ। ଭାଷା ଆଇନର ମୂଳ ଉଦ୍ଦେଶ୍ୟ ପଣ୍ଡ ହେବ। କର୍ମଚାରୀଙ୍କ ଭୁଲ ପାଇଁ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବା ଆମ ପାଇଁ କସ୍ମିନ କାଳେ ଗ୍ରହଣୀୟ ନୁହେଁ। ଆବାହକ, ଭାଷା ଆନ୍ଦୋଳନ, ଓଡ଼ିଶା ଯୋଗାଯୋଗ -୯୪୩୭୦୨୮୮୭୪

Share :