ବିକାଶ ଚାଲିଚି

ବିକାଶ ଚାଲିଚି

Share :

ଅଧ୍ୟାପକ ବିଶ୍ୱରଂଜନ ବିକାଶ ଚାଲିଚି । ସତୁରି ବର୍ଷର ସ୍ୱାଧୀନ ଭାରତବର୍ଷରେ ଏଇ ମାତ୍ର ତିନି ବର୍ଷ ହେଲା ଜଣେ ‘ବିକାଶ-ପୁରୁଷ’ଙ୍କର ସିନା ଆବିର୍ଭାବ ହୋଇଛି । ମାତ୍ର ଗତ ସତର ବର୍ଷ ହେଲା ଦରିଦ୍ରତମ ରାଜ୍ୟର ଆଖ୍ୟା ପାଇଥିବା ଆମର ଏଇ ଓଡ଼ିଶାରେ ନବୀନଯୁଗ ଆରମ୍ଭ ହେବା ଦିନୁଁ ବିକାଶର ରଥ ଘର୍ଘର ନାଦରେ ଗଡ଼ି ଚାଲିଛି । ରଥ ଗଡ଼ିଲାବେଳେ ଖାଲ ଢିପରେ ପଡ଼ିଯାଇପାରେ । କିଛି ବିନାଶ ଘଟିପାରେ - ଉଭୟ ଧନ ଓ ଜୀବନରେ । ଦୁଇ ବର୍ଷରେ ଶେଷ ହେବାକୁ ଥିବା ବିକାଶର କୌଣସି ଗୋଟିଏ ପ୍ରକଳ୍ପ ବା ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ପାଂଚ / ଦଶ ବର୍ଷ ଲାଗିଯାଇପାରେ । ଏଥିପାଇଁ ବ୍ୟୟ ବରାଦର ପରିମାଣ ପାଂଚଞ୍ଚଗୁଣ ବଢ଼ିଯାଇପାରେ । କିଛି ଚିନ୍ତା ନାହିଁ । ମାତ୍ର ବିକାଶର ଗତି ଆଦୌ ଠପ୍ ହୋଇଯାଇ ନାହିଁ । କଥାରେ ଅଛି ବିଳମ୍ବେ କାର୍ଯ୍ୟ ସିଦ୍ଧି । କାର୍ଯ୍ୟ ସାଧନରେ ବାଧା ଆସିପାରେ । ବିଧି ବାମ ହୋଇପାରେ । ବିଘ୍ନ ଘଟିପାରେ । ଯାହା ବିଧି ନିର୍ଦ୍ଧାରିତ, ତାକୁ ବା କିଏ ରୋଧି ପାରିବ? ମାତ୍ର ସକଳ ବାଧା-ବିଘ୍ନକୁ ଅତିକ୍ରମ କରି ବିକାଶର ଧାରାକୁ ଅବ୍ୟାହତ ରଖିବାରେ, ସମଗ୍ର ଦେଶରେ ‘ଆମ ଓଡ଼ିଶା’କୁ ‘ନମ୍ବର ୱାନ୍’ର ମୁକୁଟ ପିନେ୍ଧଇବାରେ ଆମର ଶ୍ରେଷ୍ଠ ଶାସକ, ପ୍ରିୟ ପ୍ରଶାସକ ଏବଂ ସେମାନଙ୍କର ଆଜ୍ଞା ଓ ଇଙ୍ଗିତରେ କାର୍ଯ୍ୟରତ ବିଭିନ୍ନ ବିଭାଗର ନେତୃବୃନ୍ଦଙ୍କର ନିଷ୍ଠା ଓ ସଂକଳ୍ପରେ ସନ୍ଦେହର କୌଣସି ଅବକାଶ ନାହିଁ । ବିକାଶ ରଥର ସାରଥି ସେମାନେ । ସେମାନେ ବି ରଥୀ, ମହାରଥୀ । ଚେହେରାରେ ଦାମ୍ଭିକତା, ଚାହାଣିରେ କେବଳ ବିକାଶର ସ୍ୱପ୍ନ ଏବଂ ବାଣୀ ଓ ବଚନରେ ସ୍ୱପ୍ନକୁ ସାକାର କରିବାର ସଂକଳ୍ପ । ଏଇ ସଂକଳ୍ପ ଅନୁସାରେ ସ୍ୱପ୍ନ ଦେଖେଇବା କାର୍ଯ୍ୟ ସେମାନଙ୍କର ଜାରି ରହିଛି । ବିକାଶ ରଥର ସାରଥି କେବଳ ନୁହନ୍ତି, ସ୍ୱପ୍ନର ସୌଦାଗର ସେମାନେ । ସୌଦାଗରମାନେ ଆସନ୍ତି, ଯାଆନ୍ତି । ସ୍ୱପ୍ନର କିଣାବିକା ଚାଲିଥାଏ । ସ୍ୱପ୍ନଦେଖା ସରେ ନାହିଁ । ରାତି କେବେ ପାହେ ନାହିଁ । ରାତିର ଅନ୍ଧାର ଯେତେ ଗାଢ଼ ହେଉଥାଏ, ସ୍ୱପ୍ନର ବାସ୍ତବତା ସହିତ ସମ୍ପର୍କ ମଧ୍ୟ ସେହି ପରିମାଣରେ ହ୍ରାସ ପାଇବାରେ ଲାଗିଥାଏ । ଏଣେ କିନ୍ତୁ ସ୍ୱପ୍ନକୁ ପୁଞ୍ଜି କରି ସୌଦାଗରମାନଙ୍କର ସମ୍ପତ୍ତି ବଢ଼ି ବଢ଼ି ଚାଲିଥାଏ । ଅବଶ୍ୟ ସ୍ୱପ୍ନ ତ ଗୋଟିଏ ନୁହେଁ, ଯେ ତାକୁ ସାକାର କରିଦେଇ ଜଣେ ନିଶ୍ଚିନ୍ତରେ ବସିଯାଇ ପାରିବ । ବିକାଶର ସ୍ୱପ୍ନ ବିବିଧ । ଆଦର୍ଶ ସ୍କୁଲ, ଆଦର୍ଶ କଲେଜ, ଆଦର୍ଶ ଚିକିତ୍ସାଳୟ, ସୁନ୍ଦର ପରିବେଶ, ଉନ୍ନତ ପରିମଳ ଓ ପରିବହନ ବ୍ୟବସ୍ଥା - ତା’ ସାଙ୍ଗକୁ ସହର ହେବ ଚହଟ-ଚିକ୍କଣ, ସ୍ମାର୍ଟ । ସ୍ୱପ୍ନ ଅସରନ୍ତି । ତାକୁ ପୂରଣ କରିବାକୁ ଗଲାବେଳେ ଅପସ୍ୱପ୍ନ ବା ଦୁଃସ୍ୱପ୍ନ ମଧ୍ୟ ଦେଖିବାକୁ ମିଳିପାରେ । ସ୍ମାର୍ଟ କ୍ୟାପିଟାଲ୍ ସିଟିରେ ମୁକୁଳା ଡ୍ରେନ୍ ଭିତରେ ପଡ଼ି ମଣିଷର ପ୍ରାଣ ଯାଇପାରେ । ସ୍କୁଲର ଚାଳଘର ମାଟିରେ ମିଶିଗଲା ପରେ ପିଲାଏ ଗଛମୂଳେ ବହି ବସ୍ତାନି ଖୋଲି ପାରନ୍ତି । ଶୌଚାଳୟରେ ଆଶ୍ରୟ ନେଇପାରନ୍ତି । କଲେଜର ସୁନ୍ଦର କୋଠା ଶିକ୍ଷକବିହୀନ ହୋଇପାରେ । କିମ୍ବା ଆଦର୍ଶ ଚିକିତ୍ସାଳୟରେ ରୋଗୀଟିଏ ବେଡ୍ ନ ପାଇ ତଳେ ଗଡ଼ି ପାରୁଥାଏ - ରାସ୍ତା ନଥିବାରୁ ଗର୍ଭବତୀ ମହିଳା ପାଖରେ ଆମ୍ବୁଲାନ୍ସ ପହଂଚି ନ ପାରୁଥାଏ । ବହୁବିଧ ସୁନ୍ଦର ସ୍ୱପ୍ନର ଅବାସ୍ତବତା ଭିତରେ ଭୁଲିଯିବାକୁ ହେବ ଏ ସବୁ ବାସ୍ତବ ଦୁଃସ୍ୱପ୍ନମାନଙ୍କୁ । ବିଶ୍ୱାସ ଥାପିବାକୁ ହେବ ସ୍ୱପ୍ନ ବିକ୍ରେତାମାନଙ୍କ ବ୍ୟୟବହୁଳ ବିଜ୍ଞାପନ ଉପରେ । ବିକାଶ ଚାଲିଚି ବୋଲି ତ ବିକାଶ ପର୍ବର ରଥୀ, ସାରଥିମାନଙ୍କର ବେତନ ଦୁଇଗୁଣ ବୃଦ୍ଧି କରିଦିଆଗଲା । ଏଥିପାଇଁ ଅର୍ଥାଭାବ ନଥିଲା - ବିରୋଧୀଙ୍କ ବିରୋଧ ନଥିଲା । ବିକାଶପୁରୁଷଙ୍କର ଟାଳଟୁଳ ନୀତି ମଧ୍ୟ ନଥିଲା । ପ୍ରଥମେ ଲୋକଙ୍କ ସେବା କରିବାକୁ ଯାଇଥିବା ସେବକମାନଙ୍କର ବିକାଶ ନ ହେଲେ, ସେବିତମାନଙ୍କର ବିକାଶ ହେବ କେମିତି? କରିବ କିଏ? ମନେ ରଖିବାକୁ ହେବ, ବିକାଶର ପଥ ସରଳ ବା ସମତଳ ନୁହେଁ, ଦୀର୍ଘ । ନାନା ଗଡ଼ାଣି ଉଠାଣି ଦେଇ ବିକାଶର ରଥକୁ ଗଡ଼ିବାକୁ ହୁଏ । ଗଡ଼େଇବାକୁ ପଡ଼େ । ଧୈର୍ଯ୍ୟ ହରେଇଲେ ଚଳିବ ନାହିଁ । ବିକାଶ ଚାଲିଚି । ଆଗକୁ ଏହି ବିକାଶର ରଥଯାତ୍ରାରେ ସାମିଲ୍ ହେବାକୁ ପଡ଼ିବ । ଯାତ୍ରା ପଥରେ ଛୋଟ ବଡ଼ ତ୍ରୁଟି-ବିଚ୍ୟୁତିକୁ ଗଣ୍ଠି କରି ନ ଧରି ବିକାଶ ପୁରୁଷଙ୍କ ଅଧୁରା ସ୍ୱପ୍ନ ପୂରଣରେ ନିଜର ସହଯୋଗ ଦେବାକୁ ହେବ । ମାତ୍ର ସାବଧାନ ପ୍ରିୟଜନେ! ବିକାଶର ପଥ ଆଉ କେତେ ଦୂର ବୋଲି ପଶ୍ନ କେବେ ପଚାରିବେ ନାହିଁ । ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ । ପ୍ରତିବାଦ ମଧ୍ୟ କରିବେ ନାହିଁ । ଯେକୌଣସି ପ୍ରଶ୍ନ, ପ୍ରତିକ୍ରିୟା ଓ ପ୍ରତିବାଦ ହେଉଛି ବିକାଶ-ବିରୋଧୀ କାର୍ଯ୍ୟ । ପାଟି ଚୁପ୍ କରି ଆଖି କାନ ଖୋଲା ରଖି କେବଳ ବିକାଶର ବିଜ୍ଞପିତ ଚିତ୍ର ଦେଖୁଥାଆନ୍ତୁ ଏବଂ ବିକାଶର ବାଣୀ ଓ ବଚନ ଶ୍ରବଣ କରୁଥାଆନ୍ତୁ । ନେତାଜୀ ନିବାସ, ୧୯୯, କଂସାରୀଝର, ୟୁନିଟ୍-୬, ଭୁବନେଶ୍ୱର-୧

Share :