ଶୁଖିଯିବ ସହର ଜଳ!

ଶୁଖିଯିବ ସହର ଜଳ!

Share :

ଭାରତର ପ୍ରାୟ ସମସ୍ତ ପ୍ରମୁଖ ସହରର ଭୂତଳ ଜଳସ୍ତର ଆଉ ମାତ୍ର ଦୁଇ ବର୍ଷ ଭିତରେ ଶୁଖିଯିବ ବୋଲି ନେସନାଲ ଇନଷ୍ଟିଚ୍ୟୁସନ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ ବା ନିଟି ଆୟୋଗ ଯେଉଁ ରିପୋର୍ଟ ଦେଇଛି ତାହା ବାସ୍ତବରେ ଅତ୍ୟନ୍ତ ଚିନ୍ତାଜନକ । ଏହି ରିପୋର୍ଟ ଉପରେ ସମଗ୍ର ଦେଶରେ ବିତର୍କ ହେବା ଉଚିତ । କେବଳ ବିତର୍କ ନୁହେଁ, ଏଭଳି ସମ୍ଭାବ୍ୟ ବିପଦର ମୁକାବିଲା କରିବା ପାଇଁ କୌଶଳ ନିର୍ଦ୍ଧାରଣ କରାଯିବା ସର୍ବାଦୌ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ଜଳ ବିହୁନେ ହଂସହାନୀ । ଅର୍ଥାତ ଜଳ ନଥିଲେ ପ୍ରାଣ ଚାଲିଯିବାର ଆଶଙ୍କା । ଭାରତବର୍ଷର ସହରୀ ଲୋକମାନେ ସେମାନଙ୍କ ହଂସରକ୍ଷା ନିମନ୍ତେ ଏହା ଉପରେ ଚିନ୍ତା ପ୍ରକଟ କରିବା ସଙ୍ଗେସଙ୍ଗେ ଭୂତଳ ଜଳ ସଂରକ୍ଷଣ ନିମନ୍ତେ ସରକାରଙ୍କ ବିକାଶ ଯୋଜନାର ଗତିକୁ ଆବଶ୍ୟକ ସ୍ଥଳରେ ବଦଳାଇବା ପାଇଁ ପ୍ରୟାସ ପ୍ରକଟ କରିବା ଉଚିତ । ଏକଥା ଅବଶ୍ୟ ସତ ଯେ ଭୂତଳ ଜଳସ୍ତର ନିମ୍ନଗାମୀ ହେବା କେବଳ ଏକ ସହରୀ ସମସ୍ୟା ନୁହେଁ । ଭାରତର ଅନେକ ଗ୍ରାମାଂଚଳରେ ମଧ୍ୟ ଭୂତଳ ଜଳ ସ୍ତର ନିମ୍ନାଭିମୁଖୀ ହେବାରେ ଲାଗିଛି । ବର୍ଷା ଋତୁ ପରେ ପରେ ଅନେକ ଅଂଚଳର ଭୂତଳ ଜଳ ସ୍ତର ତଳକୁ ତଳକୁ ଖସିଯାଉଛି ଲୋକମାନେ ଜଳ ପାଇଁ ଦହଗଞ୍ଜ ହେଉଛନ୍ତି । ଖରାଦିନ ଆରମ୍ଭରୁ ଦେଶର ଅନେକ ଅଂଚଳରେ ଆରମ୍ଭ ହୋଇଯାଉଛି ଜଳ ସଂକଟ । ମହିଳାମାନେ ପାଣି ପାଇଁ କାଖରେ କଳସୀ, ମୁଣ୍ଡରେ ଗରା ଓ ହାତରେ ବାଲ୍ଟି ଧରି ମାଇଲ ମାଇଲ ବାଟ ଚାଲି ଚାଲି ଯାଉଛନ୍ତି । ଗଡ଼ିଆ ପୋଖରୀର ପାଣିଶୁଖି ପଙ୍କ ଫାଟି ଆଁ କରୁଛି । ନଈନାଳ ଶୁଖି ଯାଉଛି । କୂଅ ଓ ନୂଳକୂଅ ଜଳଶୂନ୍ୟ ହୋଇଯାଉଛି । ଏମିତି ଦୃଶ୍ୟ ଅନେକ ଗଣମାଧ୍ୟମରେ ଋତୁକାଳୀନ ରିପୋର୍ଟ ହୋଇଗଲାଣି । ଦେଶର ସବୁ ଗାଁକୁ ସରକାର ଏଯାଏଁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇପାରି ନାହାନ୍ତି । ସହରରେ କିନ୍ତୁ ଅନେକ ମୌଳିକ ସୁବିଧା ସହଜରେ ମିଳେ ବୋଲି ଗୋଟେ ଧାରଣା ଥିଲା । ସହରରେ ଜଳ ଯୋଗାଣ ପାଇଁ ସରକାର ବହୁ ପୂର୍ବରୁ ଜନସ୍ୱାସ୍ଥ୍ୟ ବିଭାଗ ଜରିଆରେ ବ୍ୟବସ୍ଥା କରିଥିଲେ । ସହର ନଈରୁ ପାଣି ଉଠାଇ ତାହାକୁ ବିଶୋଧନ କରାଯାଇ ପାଇପଯୋଗେ ପ୍ରତି ଘରକୁ ପାଣି ଯୋଗାଇବା ଭାରତୀୟ ସହରଗୁଡ଼ିକରେ ଏକ ପ୍ରତିଷ୍ଠିତ ବ୍ୟବସ୍ଥା ହୋଇଯାଇଛି । ସହର ଭିତରେ ଯେଉଁଠିକୁ ନଦୀ ଜଳ ଯୋଗାଇ ହେଉନାହିଁ ସେଠାରେ ଗଭୀର ନଳକୂଅମାନ ଖୋଳାଯାଇ ବଡ଼ ବଡ଼ ପାଣିଟାଙ୍କି ମାନ ତିଆରି ହୋଇଛି । ସେଇ ଟାଙ୍କିରେ ପାଣି ଗଚ୍ଛିତ ରହେ ଏବଂ ତାହାକୁ ପାଇପ ଯୋଗେ ଲୋକଙ୍କ ଘରକୁ ପଠାଯାଏ । ଜଳ ଯୋଗାଣର ଏହି ଆଧୁନିକ ସୁବିଧା ଯୋଗୁଁ ଅନେକ ସହର ପାହାଡ଼ିଆ ଟାଙ୍ଗର ଜାଗାରେ ମଧ୍ୟ ଗଢ଼ି ଉଠିଛି । ଆଧୁନିକ ବିକାଶ ପଦ୍ଧତି ଅନୁସାରେ ପାହାଡ଼ ଉପରେ ବି ଗଢ଼ା ହୋଇଛି ଅନେକ ସହର । ଏଭଳି ସବୁ ସହର ଏବେ ଜଳସଂକଟର ସମ୍ମୁଖୀନ । କାରଣ ଭୂତଳ ଜଳର ଅଭାବ । ନିଟି ଆୟୋଗ ରିପୋର୍ଟ ଅନୁସାରେ ୨୦୨୦ ସୁଦ୍ଧାର ଦେଶର ପ୍ରାୟ ସମସ୍ତ ପ୍ରମୁଖ ସହରର ଭୂତଳ ଜଳ ସ୍ତର ଶୁଖିଯିବ । ଲୋକମାନେ ଜଳ ପାଇଁ ହଇରାଣ ହରକତ ହେବେ । ସହରୀ ଲୋକମାନଙ୍କର ଜଳ ଚାହିଦା ବୃଦ୍ଧି ପାଉଥିବାବେଳେ ଏଭଳି ଜଳ ସମସ୍ୟା ଉକ୍ରଟ ସଂକଟରେ ପରିଣତ ହେବ । ତେବେ କାହିଁକି ଖସି ଯାଉଛି ସହରଗୁଡ଼ିକର ଭୂତଳ ଜଳସ୍ତର? ଏହା ଉପରେ ସରକାର ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ତର୍ଜମା କରୁ ନାହାନ୍ତି କାହିଁକି? କାହିଁକି ଭୂତଳ ଜଳ ଭଣ୍ଡାରକୁ ରିଚାର୍ଜ, ରିପ୍ଲେନିଶ ବା ପୁନଃପୂରଣ କରାଯାଉ ନାହିଁ? କିପରି ହେବ ଭୂତଳ ଜଳ ଭଣ୍ଡାରର ପୁନଃପୂରଣ? ଦରକାରବେଳେ ବ୍ୟାଙ୍କ ସଂଚୟ ଖାତାରୁ ଟଙ୍କା ଉଠାଇ ଖର୍ଚ୍ଚ କଲା ପରେ ଲୋକମାନେ ଯେପରି ପୁଣି ସେଥିରେ ଟଙ୍କା ଜମା କରି ସଂଚୟ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି ଭୂତଳ ଜଳ ଭଣ୍ଡାର ପ୍ରତି ସେଇଭଳି ବ୍ୟବହାର ହେବା ଉଚିତ କି ନୁହେଁ? ବିଶ୍ୱବ୍ୟାପୀ ସହରାୟନ ଓ ଶିଳ୍ପାୟନ ପ୍ରକ୍ରିୟାରେ ଖାଲି ନଈ, ପୋଖରୀ, ନୟନଜୋର ଆଦି ପାରମ୍ପାରିକ ଜଳସୂତ୍ରଗୁଡ଼ିକ ପ୍ରଭାବିତ ନୁହେଁ, ଭୂତଳ ଜଳ ଭଣ୍ଡାର ମଧ୍ୟ ଶୁଖି ଯାଉଛି । ତାହାର ଏକ ମୌଳିକ କାରଣ ହେଉଛି ବୃକ୍ଷହାନୀ ବିକାଶ ଯୋଜନା । ଆଜିକାଲି ସହର ବସାଇବା ପାଇଁ କଟାଯାଉଛି କୋଟିକୋଟି ଗଛ । ସହର ଭିତରେ ବନୀକରଣ ଚାଲିଛି ନାମକୁ ମାତ୍ର । କୋଟିଏ ଗଛ କାଟି ଗୋଟିଏ ରୋଇଲା ଭଳି ଚାଲିଛି ଗଛ ଲଗାଇବା ଯୋଜନା । ଲୋକମାନେ ମଧ୍ୟ ନିଜନିଜ ଜାଗାରେ ଗଛ ଲଗାଉ ନାହାନ୍ତି । ସହରବାସୀମାନେ ଘର କରିବାକୁ ଯେତିକି ଜାଗା କିଣୁଛନ୍ତି ବା ସରକାରଙ୍କଠାରୁ ଲିଜ୍ ଆକାରରେ ନେଉଛନ୍ତି ସବୁ ଜାଗାରେ ଘର ତୋଳି ବ୍ୟାବସାୟିକ କାର୍ଯ୍ୟରେ ଲଗାଉଛନ୍ତି । ସହରର ଅନେକ ଘରେ ତୁଳସୀ ଗଛଟେ ଲଗାଇବାକୁ ମଧ୍ୟ ଜାଗା ନାହିଁ । ଘରୋଇ ପରିସରରେ ଜାଗା ଥିଲେ ବି ତାହାକୁ କଂକ୍ରିଟ କରିଦିଆଯାଉଛି । ସହରୀମାନେ ମାଟି କାଦୁଅକୁ ଭଲ ପାଆନ୍ତି ନାହିଁ । ଗଛ ରହିଲେ ବର୍ଷାଦିନେ ସେଠାରେ ଅପନ୍ତରା ହୁଏ । ତାହାକୁ ସେମାନେ ଘୃଣା କରନ୍ତି । କେହି କେହି ଧନୀ ବ୍ୟକ୍ତି ଅବଶ୍ୟ ସେମାନଙ୍କ ବିସ୍ତୃତ ଜମିରେ ବଗୀଚା କରନ୍ତି ମାତ୍ର ସେମାନେ ଲଗାଉଥିବା ଗଛର ଚେର ମାଟିର ଗଭୀରକୁ ଯାଏ ନାହିଁ । ସେମାନଙ୍କ ସଯତ୍ନ ବର୍ଦ୍ଧିତ ଦେଶୀ କମ ବିଦେଶୀ ବେଶି ଗଛଗୁଡ଼ିକର ଚେର ମାଟିର ଉପରସ୍ତରରେ ରହିଯାଏ । ତେଣୁ ସେଗୁଡ଼ିକ ଭୂତଳ ଜଳକୁ ଚେର ସାହାଯ୍ୟରେ ଉପରକୁ ପମ୍ପିଂ କରି ଆଣି ପାରନ୍ତି ନାହିଁ । ଯାହା ଭୂତଳ ଜଳ ସ୍ତର ନିମ୍ନଗାମୀ ହେବାର ଏକ ମୌଳକ କାରଣ । ସହରୀ ଲୋକମାନେ ଜଳ ବ୍ୟବହାରରେ ଅନେକଟା ଅମିତବ୍ୟୟୀ । ସେମାନେ ପ୍ରାୟ ଦୈନିକ ଧାରାରେ କୁକୁର ଗାଧୋଇଦେବେ, ଗାଡ଼ି ଧୋଇବେ, ଘର ଧୁଆଧୁଇ କରିବେ, ବଗୀଚାରେ ପାଣିଦେବେ । ଗାଧୋଇବା, ଲୁଗା ଧୋଇବା, ହାତ ଧୋଇବା, ବାସନ ମାଜିବାରେ ମଧ୍ୟ ସେମାନଙ୍କର ଜଳଖର୍ଚ୍ଚ ଗ୍ରାମବାସୀଙ୍କ ତୁଳନାରେ ଯଥେଷ୍ଟ ଅଧିକ । ଗୃହ ନିର୍ମାଣ, କାରଖାନା ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଅଧିକ ଜଳ ବ୍ୟବହୃତ ହୁଏ । ଜଳର ଏଭଳି ଚାହିଦା ବଢ଼ୁଥିବାବେଳେ ଭୂତଳ ଜଳ ଭଣ୍ଡାରର ସୁସ୍ଥ ଓ ପରିପୋଷଣୀୟ ପରିଚାଳନା ପାଇଁ କେହି ଧ୍ୟାନ ଦେଇ ନଥାନ୍ତି । ଅନେକ ସମୟରେ ସରକାରୀ ଯୋଜନା ହେଲେ ମଧ୍ୟ ବର୍ଷା ଜଳ ଅମଳ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଏ ନାହିଁ । ଭୁବନେଶ୍ୱର ପରି ସହରରେ କେତେ ଲୋକ ନିଜ ନିଜ ଘରେ ବର୍ଷା ଜଳ ଅମଳର ବ୍ୟବସ୍ଥା କରିଛନ୍ତି? କେତେ ସରକାରୀ ଅଫିସରେ ବର୍ଷା ଜଳ ଅମଳ କରାଯାଉଛି? ଏସବୁ ବିଷୟରେ ଲୋକମାନେ ସଚେତନ ହେବା ଦରକାର । ସରକାର ମଧ୍ୟ ହେଜିବା ଉଚିତ । ନହେଲେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ପରି ସମସ୍ତେ ଭୋଗିବେ । ସେତେବେଳେ ଜଳଜଳ ବୋଲି ଚିକ୍ରାର କଲେ କ’ଣ ହେବ? ନେଡ଼ି ଗୁଡ଼ କହୁଣୀକୁ ବୋହି ଯାଇଥିବ ।

Share :