ଗଂଜାମରେ ଡ଼ିଆଇଜି ଆଶିଷ ସିଂଙ୍କ ଚର୍ଚ୍ଚା

ଗଂଜାମରେ ଡ଼ିଆଇଜି ଆଶିଷ ସିଂଙ୍କ ଚର୍ଚ୍ଚା

ହେମାଙ୍ଗ ପ୍ରସାଦ ରାଉଳ ଗଂଜାମ ଜିଲ୍ଲାର ପୋଲିସ୍ ବିଭାଗର କାର୍ଯ୍ୟଶୈଳୀ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଆସିଛି। ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜିଲ୍ଲାର ଆଇନଶୃଙ୍ଖଳା ଅପରାଧୀମାନଙ୍କୁ ଦମନ କରିବାରେ ରେକର୍ଡ଼ ମଧ୍ୟ ବିରଳ। ଏଇ ଜିଲ୍ଲାରେ ବହୁ ପ୍ରଶାସନିକ ଅଧିକାରୀ କାର୍ଯ୍ୟ କରି ସରକାରଙ୍କ ଦୃଷ୍ଟିରେ ସମ୍ମାନ ପାଇବାର ଅନେକ ଦୃଷ୍ଟାନ୍ତ ରହିଛି। ସଂପ୍ରତି ଚର୍ଚ୍ଚିତ ପ୍ରଶାସକ ପାଣ୍ଡିଆନଙ୍କ କାହାଣୀ କେବଳ ଓଡ଼ିଶା ରାଜନୀତିରେ ଏକ ରୋଚକ ଖବର ନୁହେଁ ବରଂ କ୍ଷମତାଶାଳୀ ପ୍ରଭାବଶାଳୀ ପ୍ରଶାସନିକ ଅଫିସର ଭାବରେ ସେ ଆଜି ଶୀର୍ଷରେ। ଯାହାକୁ ନେଇ ବିବାଦ ମଧ୍ୟ ଘନଉଛି। ଦିନେ ଏ ମହାଶୟ ଗଂଜାମ ଜିଲ୍ଲାର ଗଡ଼ ସମ୍ଭାଳି ଦକ୍ଷ ଜିଲ୍ଲାପାଳ ଭାବରେ କୀର୍ତ୍ତି ଅର୍ଜନ କରି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ୱସ୍ତ ଅଫିସର ପାଲଟିଗଲେ। ସେହିଭଳି ଆଇନ ଶୃଙ୍ଖଳା କ୍ଷେତ୍ର ଗଂଜାମର ଅପରାଧୀଙ୍କ ସାମ୍ରାଜ୍ୟର କାହାଣୀ ମଧ୍ୟ ସବୁଠୁ ଚିନ୍ତାର ବିଷୟ ଥିଲା। ବହୁ ହାଇପ୍ରୋଫାଇଲ୍ ନେତାଙ୍କର ଅପରାଧୀ ଚରିତ୍ରକୁ ସାବାଡ଼ ପାଇଁ ଖୋଜା ପଡ଼ିଥିଲା ଦକ୍ଷ ପୋଲିସ୍ ଅଧିକାରୀଙ୍କୁ। କିଏ ସଜାଡ଼ିବ ଏଠାକାର ଅସଜଡ଼ା ଆଇନଶୃଙ୍ଖଳା କିଏ ବାନ୍ଧିବ ଅପରାଧୀଙ୍କୁ। କିଏ ଅପରାଧରେ ଲଗାମ ଲଗାଇ ଦେଖାଇବ ସେଇ କଳାର କୋଠରୀ, ଆଉ ଜିଲ୍ଲାବାସୀ ଆଶ୍ୱସ୍ତ ହେବେ। ହଁ, ଏମିତି ଏକ ଅଧିକାରୀଙ୍କୁ ନେଇ ଗଂଜାମ ଆଇନଶୃଙ୍ଖଳାର ଏକ ଶୃଙ୍ଖଳିତ ଫର୍ଦ୍ଦ ଯୋଡ଼ିବାରେ ଯଦି କିଏ ଜଣେ ସବୁଠାରୁ ଦକ୍ଷ ସେ ହେଉଛନ୍ତି ଆଶିଷ ସିଂ। ସଂପ୍ରତି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳର ଦାୟିତ୍ୱରେ ରହିଛନ୍ତି। ଗଂଜାମ ଜିଲ୍ଲା ଅପରାଧୀଙ୍କ ଗଡ଼ଥିଲା। ଥର ହର ହେଉଥିଲା କୋଣନୁକୋଣ। ଗଦାଗଦା ମାଉଜର ସାଙ୍ଗକୁ ବହୁ ନାମୀଦାମୀ ଅପରାଧୀଙ୍କ ଚରାଭୂଇଁ ଥିଲା ଗଂଜାମ। ଏମାନଙ୍କୁ ଶାସ୍ତି ଦେବା ପାଇଁ ଆଶିଷ ସିଂଙ୍କ ଦାୟିତ୍ୱ ଥିଲା ଏକ ଚ୍ୟାଲେଞ୍ଜ। ପ୍ରଥମେ ଗଂଜାମ ଏସ୍ପି ପରେ ବ୍ରହ୍ପୁର ଏସ୍ପି ପୁଣି ଡ଼ିଆଇଜି ଏବଂ ଶେଷରେ ଦକ୍ଷିଣାଞ୍ଚଳର ଡ଼ିଆଇଜି। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ତାଙ୍କୁ ସାକାର କରିବାରେ ଆଶିଷ ସିଂ ନାମ ଆଜି ଶୀର୍ଷରେ। ଆଶିଷ କୁମାର ସିଂ ଉତ୍ତରପ୍ରଦେଶର ଆଜମଗଡ଼ରେ ୦୫.୦୩.୧୯୮୦ ଜନ୍ମଗ୍ରହଣ କରିଥିଲେ। ପିତା ଅଶୋକ କୁମାର ସିଂ ଏବଂ ମାତା ସହିଲ୍ କୁମାର ସିଂ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟିଦିନରୁ ହିଁ ତାଙ୍କ ପ୍ରତିଭା ବିକଶିତ ହୋଇଥିଲା। ସେ ପ୍ରଥମେ ରାତୁଆପର ସ୍କୁଲରେ ଶିକ୍ଷାଲାଭ କରିବା ପରେ ଆଜମଗଡ଼ର, ସୁନ୍ଦରଗଡ଼ରେ ଏସଏନ ଇଣ୍ଟର କଲେଜରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଇଣ୍ଟର ମିଡ଼ିଏଟ୍ ଏସ୍ଏନ୍ ଇଣ୍ଟର କଲେଜ ଇନ୍ଦାଇପୁର, ଆମ୍ୱେଦକରନଗର, ଡ଼ିଏଭି କଲେଜ ଆଜମଗଡ଼ରେ ବି.ଏ. କରିଥିଲେ । ସେ ୨୦୦୪ ମସିହାରେ ଆଇପିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୦୫ରେ ଦୁର୍ଦ୍ଦାନ୍ତ ମାଓବାଦୀ ଗଡ଼ ମାଲକାନାଗିରିରେ ଏ.ଏସ୍.ପି. ଭାବେ ପ୍ରଥମ ଯୋଗ ଦେଇଥିଲେ। ୨୦୦୬ରେ ଏସ୍ଡ଼ିପିଓ ବଣେଇ, ୨୦୦୭ରେ ଏସ୍ଡ଼ିପିଓ ରାୟଗଡ଼ା ଜିଲ୍ଲାର ଗୁଣପୁର, ୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ ରାୟଗଡ଼ା ଏସ୍ପି ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୧୦ ରୁ ୨୦୧୨ ଏସ୍ପି କେନ୍ଦୁଝର, ଏସ୍ପି ଗଂଜାମ, ଭାବେ ୨୦୧୨-୨୦୧୪, ଏସ୍ପି ପୁରୀ ୨୦୧୪-୨୦୧୬, ଏସ୍ପି ଗଂଜାମ ଏବଂ ବ୍ରହ୍ମପୁର ଜିଲ୍ଲା ଉଭୟ ଦାୟିତ୍ୱରେ ୨୦୧୬-୨୦୧୮ ଏବଂ ମାର୍ଚ୍ଚ ୨୦୧୮ରେ ଡ଼ିଆଇଜି (ଦକ୍ଷିଣାଞ୍ଚଳ) ଭାବେ ପଦୋନ୍ନତି ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟରେ ସରକାର ବିଶ୍ୱାସଭାଜନ ହୋଇ ପୁଣି ପଶ୍ଚିମାଞ୍ଚଳ ଡ଼ିଆଇଜି ଭାବେ ଦାୟିତ୍ୱ ଦିଆଯାଇଛି। ତାଙ୍କର କାର୍ଯ୍ୟଦକ୍ଷତା ଉପରେ କେବଳ ସରକାର ନୁହେଁ ସାଧାରଣ ଜନତାଙ୍କ ମଧ୍ୟ ବିଶ୍ୱାସଭାଜନ ହୋଇଥିବା ଦେଖାଯାଇଛି। ବିଗତ ଦିନରେ ଯେ ଯେଉଁସ୍ଥାନମାନଙ୍କରେ ନିଜର ଚାକିରି ଜୀବନ କଟାଇଛନ୍ତି ସେଠିକାର ବୁଦ୍ଧିଜୀବୀ ତଥା ଜନସାଧାରଣ ତାଙ୍କୁ ଭୁଲିପାରିନାହାନ୍ତି। ଗଂଜାମ ଏବଂ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଓଡ଼ିଶାର ଏକ ସ୍ପର୍ଶକାତର ପୋଲିସ୍ ଜିଲ୍ଲା ଭାବେ ପରିଚିତ। ବିଗତ ଦୁଇବର୍ଷ ଭିତରେ ଏନକାଉଣ୍ଟରର ପ୍ରୟୋଗଶାଳା ଭାବେ ଗଂଜାମ ପରିଚିତ ଥିବାବେଳେ ଏକରୁ ଅନେକ ଜଣଜଣ କରି ଅପରାଧୀଙ୍କୁ ବାଛି ବାଛି ଏନ୍କାଉଣ୍ଟର କରି ଲକ୍ଷ୍ୟ ପୂରଣ କରିବାରେ ଆଶିଷ ସିଂଙ୍କ ଦକ୍ଷତା ଏକ ନୂତନ ବଳିଷ୍ଠ ଚେହେରା। ଯାହା ରାଜ୍ୟ ଶାସନର ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ବହନ କରେ। ଗଂଜାମରେ କେତେକ ଅପରାଧୀ ଭୟଭୀତ ହୋଇ ଜିଲ୍ଲା ବାହାରକୁ ଚାଲିଯାଇଥିବା ସମୟରେ ତଥାପି ପୋଲିସ୍କୁ ଚ୍ୟାଲେଞ୍ଜ ମାରୁଥିବା ଅପରାଧୀମାନେ ଆଶିଷ ସିଂଙ୍କ ପରି ଅଧିକାରୀଙ୍କୁ ଖାତିର ନକରିବାରୁ ଏନ୍କାଉଣ୍ଟରର ଶିକାର ହୋଇଛନ୍ତି। ମୁଣ୍ଡ ଉପରେ ନିର୍ବାଚନ। ଏହାର ଯଥେଷ୍ଟ ପୂର୍ବରୁ ଆଶିଷ ସିଂଙ୍କ ପଦୋନ୍ନତି ଓ ଗଂଜାମ ଜିଲ୍ଲାର ଶୃଙ୍ଖଳାର ଦାୟିତ୍ୱ ନିଶ୍ଚୟ ଅଭନନ୍ଦନୀୟ। ଆଶିଷ ସିଂଙ୍କ ପଦୋନ୍ନତି ଏହି ଜିଲ୍ଲାରେ ନିଯୁକ୍ତି ବହୁ ବୁଦ୍ଧିଜୀବୀ, ସଂଗଠନ ସ୍ୱାଗତ ଜଣାଇଛନ୍ତି। ଗଂଜାମର ଅପରାଧ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ସମୟରେ ସରକାର ଲଗାମ ଲଗାଇ ଦେବାରେ ସମର୍ଥ ବୋଲି ଧରିନେବାକୁ ହେବ। ପୁଲିସ୍ ଅଧିକାରୀଙ୍କୁ ସଂପୂର୍ଣ୍ଣ ମୁକ୍ତ ଦାୟିତ୍ୱ ଦେବାରେ ବିଗତ ଦଶନ୍ଧିର କାର୍ଯ୍ୟଶୈଳୀ ସଂପୂର୍ଣ୍ଣ ଭିନ୍ନ ଧରଣର। ବହୁ ନେତାଙ୍କର ଗଡ଼ରେ ଅନେକ ଅପରାଧୀ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ଆଶିଷ ସିଂଙ୍କ ବ୍ଲୁ ପ୍ରିଣ୍ଟରେ ରହିଗଲେ ଅନେକ ଅପରାଧୀ। ଭୟ ଆତଙ୍କ ଓ ଆଶଙ୍କାର ବାତାବରଣରେ ଜନସାଧାରଣଙ୍କୁ ସାହା ଦେବାରେ ପୋଲିସ୍ର ଦକ୍ଷତା ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ। ସେଇ ଚାଲେଞ୍ଜ ସମ୍ମୁଖୀନ ହୋଇ ଗୋଟିଏ ଗୋଟିଏ ଅଭିଯାନ ଚଳାଇ ଶେଷରେ ଡ଼ିଆଇଜି ଦାୟିତ୍ୱ ପ୍ରମାଣ ଦେଇଛି ଯେ ଭଲ କାମକୁ ଭଲ ଇନାମ୍ । ପୁଲିସ୍ ଅଧିକାରୀ ହୁଅନ୍ତୁ ବା ପ୍ରଶାସନିକ ଅଧିକାରୀ ଗଂଜାମ ଜିଲ୍ଲାର କ୍ଷମତାର ପ୍ରୟୋଗଶାଳାରେ ଯିଏ ସମର୍ଥ ସିଏ ନିଶ୍ଚୟ ଇନାମ୍ ପାଇଁ ଯୋଗ୍ୟ । ଏହା ନବୀନଙ୍କ ଶାସନର ସବୁଠୁଁ ବଡ଼ ଉପଲବ୍ଧି ମାନିବାକୁ ହେବ।

Share :