୩୬୦ କୋଟି ସମାନ ୬୨!

୩୬୦ କୋଟି ସମାନ ୬୨!

Share :

ପୃଥିବୀର ଅଧେ ସଂପତ୍ତିର ମାଲିକ ହେଉଛନ୍ତି ମାତ୍ର ୬୨ ଜଣ ଲୋକ | ବାକି ଅଧକ ବାଣ୍ଟିକୁଣ୍ଟି ଚଳୁଛନ୍ତି ପୃଥିବୀର ଅଧେ ମଣିଷ | ଏଇ ଅସମାନ ସମୃଦ୍ଧି ହିଁ ବିଶ୍ବ ଦାରିଦ୍ର୍ୟର ମୁଖ୍ୟ କାରଣ | ବିଶ୍ବବାସୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାକୃତି ସମ୍ବଳ ଉପରେ ଅନୈତିକ ଓ ଅବୈଧ ମାଲିକାନା ଜାହିର କରି ହାତଗଣନ୍ତା ଲୋକ ପ୍ରାଚୁର୍ଯ୍ୟ ଓ ବିଳାସ ଭିତରେ ବୁଡ଼ି ରହିଥିବାବେଳେ ୩୬୦ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟର କଷାଘାତ ଭିତରେ ଘାଣ୍ଟି ହେଉଛନ୍ତି | ଏଭଳି ଅସମାନତା ଓ ଆର୍ଥିକ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି | ବିଶ୍ବରେ ଆମେରିକା ଓ ଅନ୍ୟ ଧନୀ ରାଷ୍ଟ୍ରଙ୍କ ପ୍ରଭାବ ଓ ପ୍ରରୋଚନାରେ ପଡ଼ି ଆର୍ଥିକ ଉଦାରୀକରଣ ଓ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରଠୁଁ ହିଁ ଏଭଳି ଅସମାନତା ଓ ବ୍ୟବଧାନ ବୃଦ୍ଧି ପାଉଛି | ସମାଜସେବା ପାଇଁ ସମଗ୍ର ବିଶ୍ବରେ ଖ୍ୟାତି ଅର୍ଜନ କରିଥିବା ଅକ୍ସଫାମ ସଂସ୍ଥାର ଏ ସଂପର୍କରେ କରିଥିବା ଏକ ଗବେଷଣାରୁ ଏଭଳି ଭୟଙ୍କର ତଥ୍ୟ ପଦାକୁ ଆସିଛି | ଏହି ସଂସ୍ଥାର ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ ବିଶ୍ବରେ ଦାରିଦ୍ର୍ୟ ସୀମାରେଖା ନିକଟରେ ଥିବା ଅଧାରୁ ଅଧିକ ଲୋକଙ୍କର ସଂପତ୍ତି ପରିମାଣ ବର୍ଷକୁ ବର୍ଷ ହ୍ରାସ ପାଇଚାଲିଛି | ରିପୋର୍ଟ ଅନୁସାରେ ବିଶ୍ବର ପ୍ରାୟ ୩୬୦ କୋଟି ଗରୀବ ଲୋକଙ୍କର ସଂପତ୍ତି ପରିମାଣ ୨୦୧୦ ମସିହା ପରେ ୪୧ ପ୍ରତିଶତ କମିଗଲାଣି | ଏହି ସମୟ ମଧ୍ୟରେ ଏହି ଲୋକମାନେ ପୂର୍ବାପେକ୍ଷା ଅଧିକ ଦରିଦ୍ର ହୋଇଥିବାବେଳେ ସବୁଠୁ ନୀ ୬୨ ଜଣଙ୍କ ସଂପତ୍ତି ବୃଦ୍ଧି ପାଇଛି | ଏହି ୫ ବର୍ଷ ମଧ୍ୟରେ ବିଶ୍ବର ଏହି ୬୨ ଜଣଙ୍କ ସଂପତ୍ତିରେ ଅଧିକ ୧ ଲକ୍ଷ ୭୬ ହଜାର କୋଟି ଡଲାରର ସଂପତ୍ତି ମିଶିଛି | ‘ଏକ ପ୍ରତିଶତଙ୍କ ଅର୍ଥନୀତି’ ଶୀର୍ଷକ ଏହି ରିପୋର୍ଟ ଅନୁସାରେ ଗତ ବର୍ଷକ ଭିତରେ ବିଶ୍ବର ସବୁଠୁଁ ଧନୀ ଓ ସବୁଠୁ ଗରୀଙ୍କ ମଧ୍ୟରେ ଆର୍ଥିକ ବ୍ୟବଧାନ ଅଧିକ ପ୍ରସାରିତ ହୋଇଛି | ପୃଥିବୀରେ ଧନୀ ଓ ଗରୀବଙ୍କ ମଧ୍ୟରେ କିପରି ଆର୍ଥିକ ତାରତମ୍ୟ ବୃଦ୍ଧି ପାଉଛି ସେ ସଂପର୍କରେ ଏହି ରିପୋର୍ଟରେ ଅନେକ ତଥ୍ୟ ରହିଛି | ରିପୋର୍ଟ ଅନୁସାରେ ୨୦୧୧ ମସିହାରେ ବିଶ୍ବର ସର୍ବାଧିକ ଧନୀ ୩୮୮ ଜଣଙ୍କ ପାଖରେ ଯେତିକି ସଂପତ୍ତି ଥିଲା ବିଶ୍ବର ଅଧାଅଧି ଗରୀବ ଲୋକଙ୍କ ନିକଟରେ ସେତିକି ସଂପତ୍ତି ଥିଲା | ୨୦୧୨ ମସିହାରେ ଏହି ବ୍ୟବଧାନ ଆହୁରି ବଢ଼ିଗଲା | ସେହିବର୍ଷ ବିଶ୍ବର ଅଧାଅଧି ଗରୀବ ଲୋକଙ୍କ ନିକଟରେ ଯେତିକି ସଂପତ୍ତି ଥିଲା ବିଶ୍ବର ୧୭୭ ଧନୀ ଲୋକଙ୍କ ନିକଟରେ ସେତିକି ସଂପତ୍ତି ଥିଲା | ବିଶ୍ବର ଅଧେ ସଂପତ୍ତି ଅକ୍ତିଆର କରିଥିବା ଏହିପରି ଧନୀଙ୍କ ସଂଖ୍ୟା ୨୦୧୪ ମସିହାରେ ୮୦ ଏବଂ ୨୦୧୫ ମସିହାରେ ୬୨କୁ ଖସି ଆସିଛି | ଅର୍ଥାତ ଏହି ଧନୀ ଲୋକମାନେ ଏହି ୫ ବର୍ଷ ଭିତରେ ଅଧିକ ଧନ ଓ ସଂପଦର ଅଧିକାରୀ ହୋଇଥିବାବେଳେ ଗରୀବଙ୍କ ଆର୍ଥନୀତିକ ଷ୍ଟାଟସରେ କୌଣସି ପରିବର୍ତ୍ତନ ଘଟିନାହିଁ | ବିଶ୍ବରେ ବଢ଼ି ଚାଲିଥିବା ଏହି ପ୍ରକାର ଆର୍ଥନୀତିକ ଅସମାନତା ଦୂର କରିବାକୁ ହେଲେ ବିଶ୍ବରେ ଥିବା କେତେକ ଟ୍ୟାକ୍ସ ହାଭେନ ବା ଟିକସସ୍ବର୍ଗ ଦେଶ ଉପରେ ବାରମ୍ବାର ଚଢ଼ାଉ ହେବ ଦରକାର ବୋଲି ମତ ଦେଇଛନ୍ତି ଅକ୍ସଫାମ ଗ୍ରେଟ ବ୍ରିଟେନର ମୁଖ୍ୟ ମାର୍କ ଗୋଲ୍ହରିଂ | ତାଙ୍କ ଭାଷାରେ ପୃଥିବୀର ଅଧେ ଲୋକଙ୍କ ସଂପତ୍ତିଠାରୁ ମାତ୍ର ୬୨ ଜଣଙ୍କ ସଂପତ୍ତି ଅଧିକ ହେବ କଦାପି ଗ୍ରହଣୀୟ ନୁହେଁ | ଏହା ଆର୍ଥିକ ନ୍ୟାୟ ଓ ସମତାର ପରିପନ୍ଥୀ | ଯେଉଁ ପୃଥିବୀର ପ୍ରତି ୯ ଜଣରୁ ଜଣେ ଲୋକ ପ୍ରତି ଦିନ ଭୋକିଲା ପେଟରେ ନିଦ୍ରା ଯାଏ ସେଭଳି ଏକ ବିଶ୍ବରେ ହାତଗଣତା କେଇ ଜଣ ଧନୀ ଲୋକଙ୍କୁ ପିଠାର ବଡ଼ ଭାଗଟିଏ ବଢ଼େଇଦେବା କଦାଚିତ ସୁସ୍ଥ ନୀତି ନୁହେଁ ବୋଲି ଗୋଲ୍ହରିଂ କହିଛନ୍ତି | ଏଭଳି ଧନୀ ଲୋକମାନଙ୍କୁ ଅନୈତିକ ଓ ଅବୈଧ ଉପାୟରେ ସହାୟତା କରୁଛନ୍ତି କେତେକ ଦେଶ | ସେସବୁ ଦେଶର ସହଯୋଗରେ ଏହି ଧନୀ ଲୋକମାନେ ସମାଜ ପ୍ରତି ଥିବା ସେମାନଙ୍କର ଉତ୍ତରଦାୟିତ୍ବକୁ ଆଡ଼େଇ ଯାଉଛନ୍ତି | ସେମାନେ ନିଜନିଜ ଦେଶର ସରକାରଙ୍କୁ ଉପଯୁକ୍ତ ଟିକସ ପ୍ରଦାନ ନକରି ଏହି ଟ୍ୟାକ୍ସ ହାଭେନ ଦେଶଗୁଡ଼ିକ ଜରିଆରେ ତାହାକୁ ଲୁଚାଇ ଦେଉଛନ୍ତି | ସେମାନେ ଫାଙ୍କୁଥିବା ଟିକସ ସେମାନଙ୍କ ସଂପତ୍ତିରେ ପରିଣତ ହେଉଛି | ଏଭଳି ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଆଫ୍ରିକାର ମହାଦେଶର ପ୍ରାୟ ୩୦ ପ୍ରତିଶତ ସଂପତ୍ତି ବିଦେଶରେ ଜମା କରାଯାଇଛି | ଏହା ଫଳରେ ଆଫ୍ରିକାର ଦେଶଗୁଡ଼ିକ ବାର୍ଷିକ ପ୍ରାୟ ୧୪୦୦ କୋଟି ଡଲାରର ରାଜସ୍ବ ହରାଉଛନ୍ତି | ଏହି ରାଜସ୍ବ ଆଫ୍ରିକାର ଗରୀବ ଲୋକଙ୍କ ଉନ୍ନତି ପାଇଁ ବିନିଯୁକ୍ତ ହୋଇପାରନ୍ତା | ବିଶ୍ବର ଅଧିକାଂଶ ଟ୍ୟାକ୍ସ ହାଭେନ ଦେଶ ଏକଦା ବ୍ରିଟିଶ ସାମ୍ରାଜ୍ୟର ଅଂଶବିଶେଷ ଥିଲେ | ଏବେ ବି ସେଭଳି ଅନେକ ଦେଶ ରାଣୀ ଏଲିଜାବେଥଙ୍କୁ ରାଷ୍ଟ୍ରମୁଖ୍ୟ ଭାବେ ଗ୍ରହଣ କରୁଛନ୍ତି | ବ୍ରିଟିଶ ସରକାର ମଧ୍ୟ ଏଭଳି ଅନେକ ଟ୍ୟାକ୍ସ ହାଭେନ ଦେଶଙ୍କୁ ପ୍ରତି ବର୍ଷ ଆର୍ଥିକ ସହାୟତା ଆଳରେ ଶହଶହ କୋଟି ପାଉଣ୍ଡର ଅନୁଦାନ ଦେଉଛନ୍ତି | ଏହା ତୁରନ୍ତ ବନ୍ଦ ହେବା ଦରକାର ବୋଲି ଗୋଲ୍ହରିଂ ଦାବି କରିଛନ୍ତି |

Share :