କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଯାପିତ

କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଯାପିତ

Share :

କଳିଙ୍ଗ ସାହିତ୍ୟ ମହୋତ୍ସବର ତୃତୀୟ ତଥା ଶେଷ ସନ୍ଧ୍ୟାରେ ଚମତ୍କାର ଶୈଳୀରେ ଗଳ୍ପ କଥନ, ପ୍ରସିଦ୍ଧ ଓଡ଼ିଆ ଗାଳ୍ପିକମାନଙ୍କ ଗଳ୍ପ ପଠନ ଓ ଶେଷରେ ବଲିଉଡ ସିନେମା ଗୀତିକାର ଓ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କ ଶାୟାରୀ ଓ ମୁଶଇରା ସନ୍ଧ୍ୟା ଶେଷ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା। ଜୁନ ୧୦ ତାରିଖ ସନ୍ଧ୍ୟାରେ ମଂଚ ପରିଚାଳିକାଙ୍କ ସହ ଏକ ବାର୍ତାଳାପରେ ହିନ୍ଦୀ ସିନେମାରେ ନବେ ଦଶକରେ ଚେନ ଚୁରାୟା ମେରା (ଇସ୍କ ଚଳଚ୍ଚିତ୍ର) ଗୀତ ଲେଖିଥିବା ରାହତ ଇନ୍ଦୋରୀ କହିଥିଲେ, ଆଜିକାଲି ସିନେମା ପ୍ରଯୋଜକ ମାନେ କେବଳ ଲାଭ କମେଇବା ଉପରେ ଧ୍ୟାନ ଦେଉଥିବାରୁ ବଲିଉଡ ସଂଗୀତରେ ଆଉ ସେପରି ଗୁଣବତା ରହୁନାହିଁ। ଏବେ ଅବସ୍ଥା ଏପରି ହେଇଯାଇଛି ଯେ, ଯେ କୌଣସି ଫିଲ୍ମ ଗୀତକୁ ଅନ୍ୟ ଏକ ଭିନ୍ନଧର୍ମୀ ଚଳଚ୍ଚିତ୍ରରେ ଆରାମ ସେ ବ୍ୟବହାର କରିହେବ। ଏହି ସାହିତ୍ୟ ମହୋତ୍ସବର ତୃତୀୟ ତଥା ଶେଷ ଦିବସରେ ଅନେକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା। ଏକ ଆଲୋଚନା ଚକ୍ରରେ ପ୍ରସିଦ୍ଧ ସାମ୍ୱାଦିକ ବିନୋଦ ଦୁଆ ବଦଳୁଥିବା ପରିସ୍ଥିତିରେ ଗଣମାଧ୍ୟମ ଓ ଏହାର ଜନତାଙ୍କ ସହ ସମ୍ପର୍କ ବିଷୟରେ ତାଙ୍କ ମତ ଉପସ୍ଥାପନ କରିଥିଲେ। ସେହିପରି ଅନ୍ୟଏକ ଆଲୋଚନା ଚକ୍ରରେ ଓଡ଼ିଆ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡ ଓ ପରେଶ ପଟ୍ଟନାୟକ ପ୍ରମୁଖ ଓଡ଼ିଆ ସାହିତ୍ୟର କେନ୍ଦ୍ର ଓ ପରିଧି ସମ୍ପର୍କରେ ସେମାନଙ୍କ ମତ ପୋଷଣ କରିଥିବା ବେଳେ ଅନ୍ୟ ଏକ ଆଲୋଚନାଚକ୍ରରେ ବିଚ୍ଛିନ୍ନାଚଂଳରେ ଓଡ଼ିଆ ସାହିତ୍ୟ ଓ ଏହାର ସମ୍ଭାବନା ବିଷୟରେ ବିଶଦ ଆଲୋଚନା ହେଇଥିଲା। ଅନ୍ୟ ଏକ ଅଧିବେଶନରେ ରେଡ଼ିଓ ଉଦଘୋଷକମାନେ ସେମାନଙ୍କର କର୍ମମୟ ଜୀବନଯାତ୍ରା ଓ ସାମ୍ପ୍ରତିକ ସମୟରେ ରେଡ଼ିଓ କିପରି ଜନସଧାରଣଙ୍କ ନିକଟତର ହେବାକୁ ପ୍ରଚେଷ୍ଟା କରୁଛି ସେ ସମ୍ପର୍କରେ କହିଥିଲେ। ଓଡ଼ିଆ ସିନେମାରେ ଏ ଯାବତ ମହିଳା ଚରିତ୍ରମାନଙ୍କୁ କିପରି ଏକ ଧରାବନ୍ଧା ଶୈଳୀରେ ପ୍ରତିପାଦନ କରାଯାଉଛି ଏହାର କାରଣ ସମ୍ପର୍କରେ ଅଭିନେତ୍ରୀ ଅନୁ ଚୌଧୁରୀ ଓ ଅନ୍ୟମାନେ ଆଲୋଚନା କରିଥିଲେ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ପ୍ରଶାନ୍ତ ହୋତାଙ୍କ ଏକ ପୁସ୍ତକ କାଠ ର ଉନ୍ମୋଚନ ହେଇଥିଲା। କଳିଙ୍ଗ ସାହିତ୍ୟ ମହୋତ୍ସବର ଉଦଯାପନୀ ଦିନରେ ମହୋତ୍ସବର ପ୍ରତିଷ୍ଠାତା ରଶ୍ମି ରଞ୍ଜନ ପରିଡା କହିଥିଲେ, ମହୋତ୍ସବର ପଂଚମ ସଂସ୍କରଣ ସଫଳତାର ସହ ସମାପନ ହୋଇଛି। ଜନସାଧାରଣଙ୍କ ସହଯୋଗ ରହିଲେ ଆମେ ଆଗାମୀ ଦିନରେ ଆହୁରି ଉତ୍ସାହ ଓ ଉଦ୍ଦୀପନାର ସହିତ ଏହାର ଆୟୋଜନ କରିବୁ।

Share :