ମୋଦିଙ୍କ ୪ ବର୍ଷରେ ଓଡ଼ିଶା ପାଇଛି ୧.୯୬ ଲକ୍ଷ କୋଟି ଟଙ୍କା

ମୋଦିଙ୍କ ୪ ବର୍ଷରେ ଓଡ଼ିଶା ପାଇଛି ୧.୯୬ ଲକ୍ଷ କୋଟି ଟଙ୍କା

Share :

ମୋଦି ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ଘରେ ଘରେ ପହଂଚି ଥିବା ବେଳେ ନୀତି ସଂସ୍କାର ଯୋଗୁ ଓଡ଼ିଶା ଭଳି ରାଜ୍ୟ ଆର୍ଥିକ ଦୃଷ୍ଟିରୁ ଦେଶର ସବୁଠୁ ଅଧିକ ଲାଭବାନ ହୋଇଥିବା ରାଜ୍ୟଙ୍କ ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କର ୪୮ ମାସରେ ଓଡ଼ିଶା ପାଇଥିବା ଲାଭକୁ ନେଇ ଏକ ତଥ୍ୟ ସମ୍ବଳିତ ସଚିତ୍ର ପୁସ୍ତକକୁ ସାମ୍ବାଦିକ ସମ୍ମିଳନୀରେ ଲୋକାର୍ପଣ ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଆସନ୍ତା ୫ ତାରିଖଠାରୁ ରାଜ୍ୟ ତମାମ ମୋଦି ସରକାରଙ୍କ ସଫଳତାର ବାର୍ତ୍ତାା ପ୍ରଚାର କରାଯାଇ ଘରେ ଘରେ ଏହି ବାର୍ତ୍ତାକୁ ପହଂଚାଯିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚତୁର୍ଦଶ ଅର୍ଥ କମିଶନର ସୁପାରିଶକୁ ଲାଗୁ ପାଇଁ ମୋଦି ସରକାରଙ୍କ ନିଷ୍ପତି ଯୋଗୁ ୟୁପିଏର ଶେଷ ଚାରି ବର୍ଷରେ ଓଡିଶାକୁ ୮୨, ୧୮୫.୫୮ କୋଟି ଟଙ୍କାର ସମ୍ବଳ ହସ୍ତାନ୍ତର ହୋଇଥିବା ବେଳେ ମୋଦିଙ୍କ ପ୍ରଥମ ଚାରି ବର୍ଷରେ ୧,୯୬,୬୩୨.୭ କୋଟି ଟଙ୍କା ସମ୍ବଳ ଆସିଛି । ଖଣିକୁ ନିଜ ଇଚ୍ଛା ଅନୁସାରେ ଲାଭଖୋର କମ୍ପାନୀ ମାନଙ୍କୁ କମିଶନ ନେଇ ବାଂଟିବା ବନ୍ଦ କରି ଇ-ନିଲାମୀ ଲାଗୁ କରିବା କାରଣରୁ ଓଡ଼ିଶାକୁ କୋଇଲା ବ୍ଲକ ଆବଂଟନରୁ ଲିଜ ଅବଧି ମଧ୍ୟରେ ୪୦,୦୫୭ କୋଟି ଓ ଲୁହାପଥର ତଥା ଅନ୍ୟାନ୍ୟ ଖଣିଜ ଦ୍ରବ୍ୟରୁ ୩୧,୭୨୬ କୋଟି ଟଙ୍କା ମିଳିବା ଗାଁର ବାଲିଘାଟ ନିଲାମ ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ତହବିଲକୁ କ୍ଷତି ପହଂଚାଇ ଖଣି ନିଲାମୀ ବଦଳରେ ଇଚ୍ଛାରେ ବାଂଟୁଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମୋଦି ସରକାର ଜିଲ୍ଲା ଖଣିଜ ପାଣ୍ଠି ଗଠନ କରିବା କାରଣରୁ ଏପର୍ଯ୍ୟନ୍ତ ଓଡ଼ିଶାର ଖଣିଜ ସମ୍ପଦ ସମ୍ପନ୍ନ ଜିଲ୍ଲାମାନଙ୍କୁ ଏହି ଯୋଜନାରେ ୪ ହଜାର ୩ ଶହ କୋଟି ଟଙ୍କା ପହଂଚି ସାରିଲାଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦେଶରେ ବିଭିନ୍ନ କମ୍ପାନୀ ଚଂଚକତା କରି ଋଣ ନେଇ ପରେ ଦେବାଳିଆ ହୋଇ ବ୍ୟାଙ୍କ ଓ ଦେଶର ଅର୍ଥନୀତିକୁ ଦୁର୍ବଳ କରୁଥିଲେ । ଓଡିଶାର ଢେଙ୍କାନାଳ ଜିଲ୍ଲାରେ ପ୍ରତିଷ୍ଠିତ ଇସ୍ପାତ ଶିଳ୍ପ ଭୂଷଣ ଚଂଚକତା କରି ଋଣ ନେଇ ନିଜକୁ ଦେବାଳିଆ ଘୋଷଣା କଲା । ମାତ୍ର ମୋଦି ସରକାରଙ୍କ ଦ୍ୱାରା ଗଠିତ ରାଷ୍ଟ୍ରୀୟ କମ୍ପାନୀ ଲ ଟ୍ରିବ୍ୟୁନାଲ ନିୟମ କାରଣରୁ ଖୋଲା ବଜାରରେ ବ୍ୟାଙ୍କମାନଙ୍କ ଦ୍ୱାରା ନିଲାମ ପରେ ଏହି ଶିଳ୍ପ ଟାଟା କମ୍ପାନୀ ହାତକୁ ଯାଇଛି । ବ୍ୟାଙ୍କର ଅର୍ଥ ଫେରି ପାଇବା ପାଇଁ ରାସ୍ତା ପ୍ରଶସ୍ତ ହେବା, ଶିଳ୍ପ ଚାଲୁ ରହିବା କାରଣରୁ ଲୋକଙ୍କ ରୋଜଗାର ଓ ସ୍ଥାନୀୟ ଅର୍ଥନୀତିକୁ ଲାଭ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡ଼ିଶାର ଦଶଟି ଜିଲ୍ଲା ସାମିଲ ହୋଇ ଏହି ଜିଲ୍ଲାଗୁଡ଼ିକର ବିକାଶ କାମ ଖୋଦ ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱ୍ୱାବଧାନରେ ତ୍ୱରାନ୍ୱିତ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଜାତୀୟ ଇସ୍ପାତ ନୀତି ୨୦୧୭ ଓଡିଶା ଭଳି ଖଣିଜ ସମ୍ପଦ ପୂର୍ଣ୍ଣ ରାଜ୍ୟରେ ଇସ୍ପାତ ଉତ୍ପାଦନକୁ ପ୍ରୋତ୍ସାହନ ଦେବ କାରଣ ସୀମା ଶୁଳ୍କ ବୃଦ୍ଧି, ନିର୍ଦ୍ଧାରିତ ଇସ୍ପାତ ଉତ୍ପାଦନ ଉପରେ ସୁରକ୍ଷା, ଆଂଟି ଡମ୍ପିଂ ଶୁଳ୍କ ଏବଂ ସର୍ବନିମ୍ନ ଆମଦାନୀ ଶୁଳ୍କ ଲାଗୁ ପରି ନିୟମ ଓଡିଶାର ଇସ୍ପାତ ଶିଳ୍କକୁ ସହାୟକ ହୋଇଛି । ସବୁଜ ବିପ୍ଲବ ୨.୦ ଯୋଜନାରେ କୃଷି ଉତ୍ପାଦନରେ ସ୍ଥିରତା, ଉତ୍ପାଦନକୁ ଉଚିତ ମୂଲ୍ୟ ଓ ଉତ୍ପାଦନକୁ ବଜାର ସହ ଯୋଡ଼ିବା ପାଇଁ ମୋଦି ସରକାରଙ୍କ ନୀତି ଓଡ଼ିଶା ପ୍ରତି ସହାୟକ ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କର ନିକଟରେ ୟୁଏଇ ଗସ୍ତ ସମୟରେ ଓଡ଼ିଶାର କୃଷି ଉତ୍ପାଦନକୁ ଉପସାଗରୀୟ ଦେଶଗୁଡିକର ଖାଦ୍ୟ ସୁରକ୍ଷା ସହ ଯୋଡ଼ିବା ପାଇଁ ମୋଦି ସରକାର ପଦକ୍ଷେପ ନେଉଛନ୍ତି । ନୀଳ ବିପ୍ଲବ ଯୋଜନାରେ ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କର ସାମାଜିକ ସୁରକ୍ଷା ଓ ମତ୍ସ୍ୟ ଚାଷର ଉନ୍ନତି ପାଇଁ ଯୁଗ ଉପଯୋଗୀ ପଦକ୍ଷେପରୁ ଓଡ଼ିଶା ଲାଭବାନ ହୋଇଛି । ଓଡ଼ିଶା ଅନ୍ୟାନ୍ୟ ପଛୁଆ ବର୍ଗ ଅଧ୍ୟୁସିତ ରାଜ୍ୟ ହୋଇଥିବା କାରଣରୁ ଅନ୍ୟାନ୍ୟ ପଛୁଆ ବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ମିଳିବାକୁ ଯାଉଥିବା ବେଳେ ଓଡିଆ ଲୋକ ମାନଙ୍କୁ ଅଧିକ ଲାଭ ମିଳିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦିଙ୍କ ଚାରି ବର୍ଷ ରାଜ୍ୟର ଭିତିଭୂମି ବିକାଶ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । ରେଳ ବିକାଶରେ ୟୁପିଏ ଶେଷ ଚାରି ବର୍ଷରେ ୪, ୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମୋଦିଙ୍କ ଚାରି ବର୍ଷ ୨୦. ୨୧୩ କୋଟି ଟଙ୍କା ଅର୍ଥ ବ୍ୟୟବରାଦ ହୋଇଛି । ୟୁପିଏ ସରକାରଙ୍କ ଦଶ ବର୍ଷରେ ଜାତୀୟ ରାଜପଥରେ ୧୩୫୮କିମି ରାସ୍ତା ଯୋଜନା ହୋଇଥିବା ବେଳେ ମୋଦିଙ୍କ ଚାରି ବର୍ଷରେ ୫୪୪୯ କିମି ରାସ୍ତା ତିଆରି ପାଇଁ ବ୍ୟବସ୍ଥା ହୋଇଛି । ସମ୍ପୂର୍ଣ ରାଜ୍ୟର ବିଭିନ୍ନ ସ୍ଥାନକୁ ବିମାନ ଚଳାଚଳ, ୭୬୪କିମିର ଅନ୍ତର୍ଦେଶୀୟ ଜଳ ମାର୍ଗ ତଥା ଚାରି ବର୍ଷରେ ୧୮ ହଜାର ୨୦୧୩ କିମିର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ମୋଦି ସରକାରଙ୍କ ସମୟରେ ସମ୍ଭବ ହୋଇଛି । ଭାରତ ସରକାର ଓ ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗମାନେ ରାଜ୍ୟରେ ପୁଂଜି ନିବେଶ କ୍ଷେତ୍ରରେ ରେକର୍ଡ ତିଆରି କରିଛନ୍ତି । ସ୍ମାର୍ଟ ସିଟି, ପାରାଦୀପ ବନ୍ଦରର ବିକାଶ, ପାରାଦୀପ ବିଶୋଧନାଗାର ଓ ଏହା ସହ ସଂଯୁକ୍ତ ବିଭିନ୍ନ ଶିଳ୍ପ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ୧୩ଟି ଜିଲ୍ଲାରେ ୭୭୯ କିମି ବ୍ୟାପି ପାଇପଲାଇନ, ବରଗଡ ଜିଲ୍ଲାରେ କୃଷି ବର୍ଜ୍ୟରୁ ୨ଜି ଇଥାନୋଲ ଜୈବ ଇନ୍ଧନ କାରଖାନା, ସହରାଂଚଳରେ ଘରେ ଘରେ ରୋଷେଇ ଗ୍ୟାସ, ରଷ୍ଟ୍ରାୟତ ଉଦ୍ୟୋଗ ନାଲକୋ, ମହାନଦୀ କୋଲ ଫିଲ୍ଡ, ଏନଟିପିସି.ସେଲ ଓ ଏନଟିପିସିରେ ବିଭି୍ନ୍ନ କ୍ଷେତ୍ରରେ ପ୍ରଚୁର ପୁଂଜି ନିବେଶ, କୃଷି ଓ ଗ୍ରାମୀଣ ବିକାଶରେ ନାବାର୍ଡର ରେକର୍ଡ ଆର୍ଥିକ ସହାୟତା, ତାଳଚେର ସାର କାରଖାନାର ପୁନରୁଦ୍ଧାର ମୋଦି ସରକାରଙ୍କ ଅର୍ଥ ବ୍ୟୟବରାଦ କ୍ଷେତ୍ରରେ ରାଜ୍ୟରୁ ଲାଭବାନ କରିଛି । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୨୫ ଲକ୍ଷ ୫୦ ହଜାରରୁ ଅଧିକ ଗରୀବ ମହିଳାଙ୍କୁ ଗ୍ୟାସ, ବିଜୁଳି ପହଂଚି ନ ଥିବା ୪୦ ଲକ୍ଷ ପରିବାରରେ ବିଜୁଳି, ସବୁ ଗାଁରେ ବିଜୁଳି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ସଂଖ୍ୟା ଓ ମୂଲ୍ୟ ବୃଦ୍ଧି, ସମସ୍ତଙ୍କ ଘରେ ପାଇଖାନା ବ୍ୟବସ୍ଥା କରି ମା’କୁ ସମ୍ମାନ. ଆୟୁଷ୍ମାନ ଭାରତରେ ଓଡିଶାର ୪୮ ଲକ୍ଷ ପରିବାରକୁ ବୀମାଭୁକ୍ତ କରିବା, କେନ୍ଦ୍ର ସରକାରଙ୍କ ଅର୍ଥରେ ପାଂଚ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରଚେଷ୍ଟାରେ ୨ଟି ନୂଆ ମେଡିକାଲ କଲେଜ, ପୁଷ୍ଟିହୀନତା ଦୂର ପାଇଁ ଦୃଢ ପଦକ୍ଷେପ ମୋଦି ସରକାରଙ୍କର ଓଡିଶା ପ୍ରତି ଅବଦାନ । ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶାକୁ ଜାତୀୟ ମାନର ଶିକ୍ଷାନୁଷ୍ଠାନ ଆସିଛି । ଅନ୍ୟାନ୍ୟ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଓଡିଶାରେ ପ୍ରତିଷ୍ଠିତ ହୋଇଛି । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାରେ ଓଡିଶାରେ ୩.୭୧ କୋଟି ଜମା ଖାତା ଖୋଲା ଯାଇଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୮୪ ଲକ୍ଷ ୨୦ ହଜାର ୩୪୨ ହିତାଧିକାରୀ ୨୫,୧୪୫.୧୧ କୋଟି ଟଙ୍କା ଋଣ ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ କିଲୋ ପିଛା ଚାଉଳରେ ୨୯ ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେବା କାରଣରୁ ରାଜ୍ୟର ୮୫ ଲକ୍ଷ ୫୧ ହଜାର ପରିବାରର ୩.୨ କୋଟି ଲୋକ ସାମିଲ ହେବା ସହ କେନ୍ଦ୍ର ମାସିକ ୪୪୭ କୋଟି ଟଙ୍କା ରାଜ୍ୟକୁ ଦେଉଛି । ରାଜ୍ୟର ଏକ ତୃତୀୟାଂଶ ଜନଜାତିଙ୍କ ପାଇଁ ସ୍ପଳ୍ପକାଳୀନ ଓ ଦୀର୍ଘ ମିଆଦି ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟବରାଦ କରା ଯାଉଛି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ସମ୍ମାନ ସହ ପାଇକ ସ୍ମାରକୀ ପାଇଁ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ତରଫରୁ ୯୦ କୋଟି ଟଙ୍କାର ଅର୍ଥ ବ୍ୟୟବରାଦ, କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୪୫ କୋଟି ଟଙ୍କା ବ୍ୟୟରେ ଇଂଟରପ୍ରିଟେସନ ସେଂଟର, ନବ କଳେବର ଅବସରରେ ମୁଦ୍ରା ଓ ଡାକ ଟିକେଟ ସହ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବଜେଟରୁ ୫୦ କୋଟି ଟଙ୍କା ପ୍ରଦାନ ଓଡିଆ ସ୍ୱାଭିମାନ ଓ ସଂସ୍କୃତିକୁ ଦେଶରେ ଗୌରବାନ୍ୱିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ଓ ଗୋଲକ ମହାପାତ୍ର ଏବଂ ବରିଷ୍ଠ ନେତା ଜୟରାମ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Share :