କେନ୍ଦ୍ରୀୟ ଡେପୁଟେସନରେ ଯିବେ କି ରାଜ୍‌ କରୁଥିବା ଆଇଏଏସ?

କେନ୍ଦ୍ରୀୟ ଡେପୁଟେସନରେ ଯିବେ କି ରାଜ୍‌ କରୁଥିବା ଆଇଏଏସ?

Share :

ସ୍ବତନ୍ତ୍ର ପ୍ରତିନିଧି ନୂତନ ଆର୍ଥିକ ବର୍ଷ ଆରମ୍ଭ ହୁଏ ଏପ୍ରିଲ ୧ ତାରିଖରେ। ଏଇ ଦିନଟି ପୁଣି ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଏଇ ଦିନ ଓଡ଼ିଶା ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା। ପବିତ୍ର ଉତ୍କଳ ଦିବସ ପାଳନ ପାଇଁ ରାଜ୍ୟ ଉତ୍ସବ ମୁଖର ହୁଏ। ୨୦୧୮ ମସିହାରେ ଏଇ ଦିନଟି କିନ୍ତୁ ଏକ ଭିନ୍ନ ରୂପରେ ଆସିଥିଲା। ଅର୍ଥ ସହିତ ହିସାବ କିତାବ ଜଡ଼ିତ। ବର୍ତ୍ତମାନ ସମସ୍ତେ ନିଜ ନିଜର ଲାଭ କ୍ଷତିର ହିସାବ କରିବାକୁ ବ୍ୟଗ୍ର। ବିଶେଷ କରି ରାଜନୀତିରେ ନିଜର, ନିଜ ଦଳର ହିସାବ କିତାବ ଆଖି ଆଗରେ ସବୁବେଳେ ରଖିବା ପାଇଁ ବ୍ୟଗ୍ରତାକୁ ମାପିବା ପାଇଁ କୌଣସି ଯନ୍ତ୍ର ଥିବାର ଖବର କାହା ପାଖରେ ନାହିଁ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶାର ରାଜନୀତିରେ ବୈଜୟନ୍ତ(ବି) ଆଉ ପାଣ୍ଡିଆନ(ପି)ଙ୍କ ବିବାଦ ଚରମ ସୀମାରେ ପହଂଚିଥିଲା କହିଲେ କିଛି ଭୁଲ୍ ହେବନାହିଁ। ଏମିତିକି ପାଣ୍ଡିଆନ ନକହି ଅନେକ ତୃତୀୟ ମହଲା କହି କାମ ଚଳେଇ ଦେଉଥିଲେ। ବୈଜୟନ୍ତ-ପାଣ୍ଡିଆନ ବିବାଦ ଓଡିଶା ରାଜନୀତିର ବିପି ପାଲଟିଯାଇଥିଲା। ଖବର କାଗଜ, ଟିଭି, ସାମାଜିକ ଗଣମାଧ୍ୟମ ସବୁଠି କେହି ନା କେହି ଏ ବିଷୟରେ ନିହାତି ଆଲୋଚନା କରୁଥିଲେ। ହଠାତ୍ ଏ ବର୍ଷ ଉତ୍କଳ ଦିବସ ଦିନ ସକାଳୁ ସକାଳୁ ଜଣେ କେହି ସ୍ବାଭିମାନୀ ଓଡ଼ିଆ ନିଜ ଫେସବୁକରେ ପୋଷ୍ଟ ଟିଏ ଭରିଲେ, ଯେଉଁଥିରେ ଲେଖାଥିଲା ମୁଁ ବିଧାୟକ କି ସାଂସଦ ନୁହେଁ। କିନ୍ତୁ ମୁଁ ଚାହିଁଲେ ପାଣ୍ଡିଆନଙ୍କୁ ୧୫ ଦିନରେ ଦିଲ୍ଲୀ ପଠାଇଦେଇ ପାରିବି। ତାଙ୍କ ପୋଷ୍ଟ ପଢି କିଛି ଲୋକ ପ୍ରସ୍ତାବ ଦେଲେ ଲାଗିପଡ଼, ଆମେ ତୁମ ସହିତ ଅଛୁ। କିଛି ଲୋକ ପଚାରିଲେ ଆପଣ କେମିତି ପାରିବେ? ସେ ଲୋକ ଏସବୁ ପ୍ରଶ୍ନର କିଛି ହେଲେ ଉତ୍ତର ନଦେଇ ନିରବ ରହିଲେ। ଲୋକ ଭାବିଲେ ଗାଲୁଆ କଥା। ନିରବତା ଭିତରେ ମାସଟା ବିତିଗଲା। ଆଉ ଏଗାର ଦିନ ବି ଚାଲିଗଲା। ମେ ମାସ ୧୨ ତାରିଖରେ ଦିଲ୍ଲୀ ସ୍ଥିତ ଡିଓପିଟି ବା କର୍ମଚାରୀ ନିୟୋଜନ ଓ ତାଲିମ ବିଭାଗର ଅଫିସକୁ ଗୋଟିଏ ଇ-ମେଲ୍ ମିଳିଲା। ସେଥିରେ ଲେଖା ଥିଲା ଆପଣଙ୍କ ବାରମ୍ବାର ତାଗିଦ୍ ସତ୍ତ୍ବେ ଓଡିଶା ସରକାର ତାର ବରିଷ୍ଠ ଆଇଏଏସ ଅଧିକାରୀମାନଙ୍କୁ ଡେପୁଟେସନରେ ପଠାଉ ନାହାନ୍ତି। ଦୀର୍ଘ ବର୍ଷ ଧରି ଏହି ଅଫିସରମାନେ ରାଜ୍ୟ ଭିତରେ ରହିବା ଫଳରେ କ୍ଷମତା ଲୋଭରେ ରାଜ୍ୟ ରାଜନୀତି ଭିତରକୁ ଟାଣି ହୋଇ ଯାଉଛନ୍ତି। ଏକ ସୁସ୍ଥ ପ୍ରଶାସନିକ ବ୍ୟବସ୍ଥା ଜାରି ରଖିବାକୁ ହେଲେ ବହୁ ଦିନରୁ ଡେପୁଟେସନକୁ ଫାଙ୍କି ମାରି ଆସୁଥିବା ଏହି ଅଧିକାରୀମାନଙ୍କୁ ଡେପୁଟେସନରେ ଅଣାଯିବା ଉଚିତ୍ ହେବ। ଆପଣଙ୍କ ଅବଗତି ନିମନ୍ତେ ଆମେ କିଛି ବରିଷ୍ଠ ଅଧିକାରୀଙ୍କ ନାମ ତଳେ ପ୍ରଦାନ କଲୁ। ତଳକୁ ଥିଲା ୧୪ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କ ନାମ। ସେମାନେ ହେଲେ- ୧-ବିଶାଲ ଦେବ। ୨-ଗଗନ କୁମାର ଧଳ। ୩-ସୁରେଶ ମହାପାତ୍ର। ୪-ପ୍ରଦୀପ ଜେନା। ୫-ତୁହିନକାନ୍ତ ପାଣ୍ଡେ। ୬-ଦେବରଂଜନ କୁମାର ସିଂହ। ୭-ବିଷ୍ଣୁପଦ ସେଠୀ। ୮- ଏ. କେ. ମିନା। ୯-ପି. କେ. ମେହେର୍ଦ୍ଦା। ୧୦-ରୂପା ରୋସନ ସାହୁ। ୧୧-ରୁପା ମିଶ୍ର। ୧୨-ଜି.ଭି.ଭି. ଶର୍ମା। ୧୩-ସୁଜାତା କାତ୍ତିର୍କେୟନ। ୧୪-ଭି.କେ. ପାଣ୍ଡିଆନ। ଏଇ ମାସ ଅର୍ଥାତ ମେ ୨୫ ତାରିଖ ସୁଦ୍ଧା ଓଡ଼ିଶା ସରକାର କେନ୍ଦ୍ରରୁ ଚିଠିଟିଏ ପାଇଲେ ଏହି ମର୍ମରେ। ସେଥିରେ ଲେଖାଅଛି- ଆମ ଦ୍ବାରା ଓଡ଼ିଶା ସିଭିଲ୍ ସୋସାଇଟି ତରଫରୁ ମିଳିଥିବା ସୂଚନା ଓ ତାର ତର୍ଜମା ପରେ ଆପଣଙ୍କୁ ନିର୍ଦ୍ଦେଶ ଦିଆଯାଉଛି କି ଆପଣ ଅତି ଶୀଘ୍ର ଏହି ଚିଠାର ୧ ଠାରୁ ୬ ପର୍ଯ୍ୟନ୍ତ ଉଲ୍ଲେଖଥିବା ଅଧିକାରୀମାନଙ୍କୁ ଡେପୁଟେସନରେ ପଠାଇବାକୁ ଅନୁରୋଧ। ଏହି ଚିଠି ଭୁବନେଶ୍ବର ପହଂଚିବା ପରେ ଏହି ବରିଷ୍ଠ ଅଧିକାରୀମାନଙ୍କ ଭିତରେ ଭାଳେଣି ପଡ଼ି ଯାଇଥିଲା। ଦୀର୍ଘ ଦିନ ଯେଉଁ ଡେପୁଟେସନକୁ ସେମାନେ ଫାଙ୍କି ଆସୁଥିଲେ ଶେଷରେ ସେଇ ଜାଲରେ ଛନ୍ଦି ହେବାକୁ ପଡ଼ିବ ବୋଲି ସେମାନେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ଡେପୁଟେସନରୁ କେମିତି ବର୍ତ୍ତି ପାରିବେ ସେ ବିଷୟରେ ଏ ସମସ୍ତ ଅଧିକାରୀ ଗଭୀର ଚିନ୍ତା ମଗ୍ନ ରହୁଥିବା ବେଳେ ସଦ୍ୟ ଏକ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପ ଠିକ୍ ବୁଡ଼ି ଗଲା ଲୋକ କୁଟା ଖିଏକୁ ଆଶ୍ରା କରିବା ପରି ସାବ୍ୟସ୍ତ ହେଲା। ଧର୍ମେନ୍ଦ୍ର ସଭାରେ କହିଥିଲେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରି ନିଜ ନାଁରେ ଚଳାଉଛନ୍ତି। ସେଠାରେ ଉପସ୍ଥିତ ଥିବା ଆଇଏଏସ ଅଧିକାରୀ ଏକେ ମିନାଙ୍କୁ ଲକ୍ଷ୍ୟ କରି କହିଲ, ଆପଣ ଏପରି କରନ୍ତୁ ନାହିଁ ମିନା ସାହେବ। ଏଥିରେ ମିନା ସାହେବଙ୍କର କି ପ୍ରକାର ଅମର୍ଯ୍ୟାଦା ହେଲା ବୁଝି ହେଉନାହିଁ। ବୋଧହୁଏ ମିନା ମହାଶୟ ଏବଂ ଆଇଏଏସ ସଂଘ ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇ ଜଣାଇ ଦେବାକୁ ଚାହିଁଛନ୍ତି ଯେ ଅଫିସରମାନ କେନ୍ଦ୍ର ଯୋଜନା ହଡ଼ପ କରୁନାହାନ୍ତି, ରାଜ୍ୟ ସରକାର କରୁଛନ୍ତି। ତେଣୁ ଧର୍ମେନ୍ଦ୍ରବାବୁ ଆମକୁ କାହିଁକି କହିଲେ? ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଫେରାଦ ହୋଇ ସେମାନେ ଭଲେଇ ହେବାକୁ ଚାହିଁଥାଇ ପାରନ୍ତି ଯେ, ଆମେ ସବୁ ଧର୍ମେନ୍ଦ୍ର ବିରୋଧୀ। ଆମେ ଆପଣଙ୍କ ସେବକ। ରାଜ୍ୟର ଅଧିକାରୀ, କେନ୍ଦ୍ରର ନୁହଁ। ତେବେ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଉଛି, ଧର୍ମେନ୍ଦ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ କଲେ ରାଜନୀତିର ନେଣଦେଣ ନୀତିରେ ହୁଏତ ସେମାନଙ୍କ ଡେପୁଟେସନ ନିର୍ଦ୍ଦେଶକୁ ଅଟକାଇ ହେବ। କେନ୍ଦ୍ରକୁ ନଯାଇ ଓଡ଼ିଶାରେ ଆଇଏଏସ ଅଫିସରମାନେ ଯେପରି ରାଜ କରୁଛନ୍ତି ତାହା ଅବ୍ୟାହତ ରହିବ।

Share :