ସଂଶୋଧିତ ଭାଷା ଆଇନ ୨୦୧୮ ଏକ ପ୍ରତାରଣା!

ସଂଶୋଧିତ ଭାଷା ଆଇନ ୨୦୧୮ ଏକ ପ୍ରତାରଣା!

Share :

ଓଡ଼ିଆରେ ଓଡ଼ିଶାର ଶାସନ ଖୀଲାପକାରୀଙ୍କୁ ଦଣ୍ଡ ବିଧାନ ଦାବିରେ ଦୀର୍ଘ ୨ ବର୍ଷରୁ ଅଧିକ କାଳ ଭାଷା ଆନ୍ଦୋଳନର କଳା ପତାକା ଅଭିଯାନ ଚାଲିଥିବା ବେଳେ ୨୦୧୮ ମେ ୨୪ ତାରିଖରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇ ଦାବି କରିଛି କି ଦଣ୍ଡ ବିଧାନ ପାଇଁ ଗୃହୀତ ହୋଇଥିବା ସଂଶୋଧନ ବିଧେୟକଟି ଭାଷା ଆଇନର ଉଦେଶ୍ୟ ପଣ୍ଡ କରିବାକୁ ଉଦ୍ଦିଷ୍ଟ ହୋଇଥିବା ହେତୁ ସେ ତାହାକୁ ସ୍ୱୀକୃତି ନ ଦେଇ ପୁନର୍ବାର ସଂଶୋଧନ ପାଇଁ ବିଧାନସଭାକୁ ଫେରାଇ ଦିଅନ୍ତୁ। ଭାଷା ଆନ୍ଦୋଳନ ତରଫରୁ ମାନ୍ୟବର ରାଜ୍ୟପାଳ ମହୋଦୟଙ୍କୁ ଜଣାଇ ଦିଆଯାଇଛି କି ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ସରକାରୀ ନଥିପତ୍ର ଓଡ଼ିଆରେ ହିଁ ହେବ ବୋଲି ୧୯୫୪ ମସିହାରେ ଆଇନ ପ୍ରୟଣନ ହୋଇଥିଲା। ତାହା ତତକାଳ ମଧ୍ୟ ଲାଗୁ କରାଯାଇଥିଲା। କିନ୍ତୁ ଦଣ୍ଡ ବିଧାନର ବ୍ୟବସ୍ଥା ନ ଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଦୀର୍ଘ ଦିନ ଆନ୍ଦୋଳନ ପରେ ସରକାର ୨୦୧୬ରେ ଅଧ୍ୟାଦେଶ ଜାରି କରିଥିଲେ। ତାହା ମଧ୍ୟ ଦଣ୍ଡ ବିଧାନ ବବ୍ୟସ୍ଥା ପାଇଁ ବା ସରକାରୀ ଭାଷା ଚାଲିବା ପାଇଁ ଉପଯୁକ୍ତ ହୋଇ ନଥିଲା। ଯାହା ଫଳରେ ଭାଷା ଆନ୍ଦୋଳନ ତାର ଆନ୍ଦୋଳନ ଜାରି ରଖିଥିଲା। ଏପରିକି ଏହି ଭାଷା ଆଇନର ଉଲଂଘନ ବିରୁଦ୍ଧରେ ଦଣ୍ଡ ବିଧାନ ପାଇଁ ସାରା ରାଜ୍ୟରେ ଆନ୍ଦୋଳନ ତୀବ୍ରତର ହେବାରୁ ମାର୍ଚ୍ଚ ୧୪, ୨୦୧୮ରେ ମନ୍ତ୍ରିମଣ୍ଡଳ ବୈଠକରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଗୃହୀତ ହୋଇଛି। ଅର୍ଥାତ ବିଧାନସଭାରେ ଗୃହୀତ ପ୍ରସ୍ତାବରେ ଓଡ଼ିଆ ଭାଷାର ବ୍ୟପାକ ବ୍ୟବହାର କଥା କୁହାହୋଇ ମୂଳ ଆଇନର ‘ସମସ୍ତ ଓ ପ୍ରତ୍ୟେକ’ ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଯାଇଛି। ତେଣୁ ଏହି ସଂଶୋଧନ ବେଆଇନ ସଂଶୋଧନ ବୋଲି ଭାଷା ଆନ୍ଦୋଳନ ତରଫରୁ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦର୍ଶାଇଛନ୍ତି। ଓଡ଼ିଆରେ କାମ ନ କଲେ କର୍ମଚାରୀ କିମ୍ୱା ବିଭାଗକୁ ଦଣ୍ଡିତ କରିବ ବୋଲି ବିଧେୟକଟିରେ ଅଛି। କୌଣସି ବିଭାଗକୁ ଦଣ୍ଡିତ କରିବା ଅର୍ଥ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା। କାରଣ ସରକାରୀ ବିଭାଗଗୁଡିକ ଜନସାଧାରଣଙ୍କ ଅର୍ଥରେ ପରିଚାଳିତ ହୁଏ। ତେଣୁ ଏହା ଭାଷା ଆନ୍ଦୋଳନ ପାଇଁ ଆଦୌ ଗ୍ରହଣୀୟ ନୁହେଁ। କେବଳ ସେତିକି ନୁହେଁ ୨୬.୧୨.୨୦୧୭ରେ ପୁରୀ ଠାରେ ସ୍ୱତନ୍ତ୍ର ଓଡ଼ିଆ ଭାଷା ଉପରେ ମନ୍ତ୍ରିମଣ୍ଡଳ ସ୍ତରୀୟ ବୈଠକରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ସେଥିରେ ତ୍ରୁଟି ଥିବାରୁ ଭାଷା ଆନ୍ଦୋଳନ ତାହାକୁ ବିରୋଧ କରିଥିଲା। ଫଳରେ ୧୪.୦୩.୨୦୧୮ରେ ପୁନର୍ବାର ମନ୍ତ୍ରିମଣ୍ଡଳ ବୈଠକରେ ତ୍ରୁଟି ସଂଶୋଧନ କରି ସ୍ପଷ୍ଟ କରିଥିଲେ ଯେ, ଓଡ଼ିଆରେ କାମ ନ କଲେ କର୍ମଚାରୀଙ୍କୁ ହିଁ ଦଣ୍ଡ ମିଳିବ। କିନ୍ତୁ ଏହି ବୈଠକ (୧୪.୦୩.୨୦୧୮)ର ପ୍ରସ୍ତାବକୁ ଅଗ୍ରାହ୍ୟ କରି ପୂର୍ବ ବୈଠକ (୨୬.୧୨.୨୦୧୭)ର ପ୍ରସ୍ତାବକୁ କିପରି ବିଧାନସଭାକୁ ଗଲା ତାହା ବଡ ପ୍ରଶ୍ନବାଚୀ। ତେଣୁ ଏହି ତ୍ରୁଟିଯୁକ୍ତ ବିଧେୟକଟିକୁ ସ୍ୱୀକୃତି ନ ଦେଇ ପୁନର୍ବାର ସଂଶୋଧନ ପାଇଁ ବିଧାନସଭାକୁ ଫେରାଇବାକୁ ଭାଷା ଆନ୍ଦୋଳନ ତରଫରୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି ବୋଲି ଆବାହକ ପବିତ୍ର ମହାରଥା ଜଣାଇଛିନ୍ତି।

Share :