ଶନି ମାଝିର ମହାନଦୀ

ଶନି ମାଝିର ମହାନଦୀ

ପ୍ରହଲାଦ କୁମାର ସିଂହ ଶୁଖିଲା ମହାନଦୀ ବଢ଼ାଉଛି ଦାରିଦ୍ର୍ୟ-ଜୀବିକା ଉଜୁଡ଼ିଲା; ଜୀବନ ଗଲା- ଆଖି ବୁଜିଲେ ମତ୍ସ୍ୟଜୀବୀ ଶନି ମାଝି- ଦୈନିକ ସମାଜ ୨୨.୦୫.୨୦୧୮ ସଂସ୍କରଣର ପ୍ରଥମ ପୃଷ୍ଠାର ପ୍ରଥମ ଖବରର ଏହା ଥିଲା ଶୀର୍ଷକ। ପୁଣି ପରଦିନ ସମାଜର ଦ୍ୱିତୀୟ ପୃଷ୍ଠାରେ ପ୍ରକାଶ ପାଇଛି ‘ଶୁଖିଲା ମହାନଦୀ ନେଲା ଶନିଙ୍କ ଜୀବନ- ଚାନ୍ଦାରେ ସୁଧିକ୍ରିୟା କରିବେ ଗ୍ରାମବାସୀ’ ଶିରୋନାମାରେ ଅନ୍ୟ ଏକ ସମ୍ୱାଦ। ମହାନଦୀ ପାଣିକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ଶନି ମାଝିଙ୍କ ପରି କେତେ ପରିବାରର ଜୀବିକା ଉଜୁଡ଼ି ଯାଉଛି ତାହାର ସଠିକ୍ ହିସାବ କାହା ପାଖରେ ନାହଁି। ପ୍ରାୟ ଦେଢ଼ମାସ ତଳେ ସମାଜ ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଅନ୍ୟ ଏକ ସମାଚାର। ମହାନଦୀ ବଞ୍ଚାଅ ଆନ୍ଦୋଳନର ଏକ ପ୍ରତିନିଧି ଦଳ ଝାରସୁଗୁଡ଼ା, ସମ୍ୱଲପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ମହାନଦୀରେ ପାଣି କମୁଥିବାରୁ କିପରି ମାଛ ଉତ୍ପାଦନ ହ୍ରାସ ପାଉଛି ଏବଂ ଲୋକଙ୍କ ଜୀବିକା ବୁଡ଼ୁଛି ସେ ସଂକ୍ରାନ୍ତରେ ଉଦ୍ବେଗଜନକ ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ବିଧାନସଭାରେ ଗତ ବଜେଟ୍ ଅଧିବେଶନ ସମୟରେ ୨୭.୦୩.୨୦୧୮ ମତ୍ସ୍ୟ ବିଭାଗ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଏକ ଉତ୍ତରରେ ଉଲ୍ଲେଖ କରିଥିଲେ, ‘ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକରୁ ଏବେ ବାର୍ଷିକ ୨୭,୫୯୪ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଛି। ଜଳ ପ୍ରଦୂଷଣ ଓ ନଦୀଗୁଡ଼ିକର ଜଳ ପ୍ରବାହ କମିଯାଉଥିବାରୁ ନଦୀରେ ମତ୍ସ୍ୟ ଉତ୍ପାଦନ କମିବା ସରକାରଙ୍କ ନଜରକୁ ଆସିନାହଁି... ମାଛ ଉତ୍ପାଦନକୁ ଦୃଷ୍ଟିରେ ରଖି ନଦୀଗୁଡ଼ିକର ସୁରକ୍ଷାର ବ୍ୟବସ୍ଥା ମତ୍ସ୍ୟ ବିଭାଗର କର୍ଯ୍ୟ ପରିସରଭୁକ୍ତ ନୁହେଁ।’ ଏହି ଉତ୍ତରରେ ମନ୍ତ୍ରୀ ଦେଇଥିବା ହିସାବ ଅନୁଯାୟୀ ୨୦୧୨-୧୩ ବର୍ଷରେ ଓଡ଼ିଶାରେ ନଦୀରୁ ଧରା ଯାଉଥିବା ମାଛର ପରିମାଣ ୧୦,୫୧୨ ମେଟ୍ରିକ୍ ଟନ୍ ଥିବା ବେଳେ ତାହା କ୍ରମାଗତ ଭାବେ ବୃଦ୍ଧି ପାଇ ୨୦୧୬-୧୭ ବର୍ଷରେ ୨୭,୫୯୪ ମେଟ୍ରିକ୍ ଟନ୍ରେ ପହଞ୍ଚିଛି। ଓଡ଼ିଶାର ନଈ ବାଲିରେ ଆଳୁ ଚାଷ ପାଇଁ ସରକାରୀ ତହବିଲରୁ ଏକଦା ବ୍ୟାପକ ଅର୍ଥ ବରବାଦ ହୋଇଥିଲା। ଏବେ କ'ଣ ବିନା ପାଣିରେ ଶୁଖିଲା ନଈ ବାଲିରେ ନୂଆ ପ୍ରଜାତିର ମାଛ ବଢ଼ାଇ ସାଫଲ୍ୟର ସ୍ୱପ୍ନ ବଣ୍ଟାଯାଉଛି? ଯଦି ଏହା ସତ ତେବେ ଶନି ମାଝି ମଲେ କାହଁିକି? ୦୧.୦୫.୨୦୧୮ରେ ବିଧାନସଭାରେ ପାନୀୟ ଜଳ ଦାୟିତ୍ୱରେ ଥିବା ଏହି ମନ୍ତ୍ରୀ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଅଣମୌସୁମୀ ଋତୁରେ ଓଡ଼ିଶାର ନଦୀଗୁଡ଼ିକରେ ଜଳ ପ୍ରବାହ ଉଦ୍ବେଗଜନକ ହାରରେ ହ୍ରାସ ପାଇବା ସହିତ ନଦୀ ଶଯ୍ୟା ପୋତି ହେବା ଦ୍ୱାରା ରାଜ୍ୟର ଗ୍ରାମାଞ୍ଚଳରେ ଅଦ୍ୟାବଧି କୌଣସି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ପ୍ରଭାବିତ ହୋଇନାହଁି। ଅନ୍ୟପକ୍ଷରେ ମନ୍ତ୍ରୀ ତାଙ୍କ ଦଳ ପକ୍ଷରୁ ପୁରୀର ବ୍ରହ୍ମଗିରି ଢାବା ଛକରେ ଆୟୋଜିତ ମହାନଦୀ ମହାସଂଗ୍ରାମ ସମାବେଶରେ କିନ୍ତୁ ଉଦ୍ବୋଧନ ଦେଇ କହିଛନ୍ତି ଛତିଶଗଡ଼ କଲ୍ମା ବ୍ୟାରେଜ୍ କରି ମହାନଦୀ ପାଣି ରୋକୁଛି ଏବଂ ଏଥିପାଇଁ ଖାଲି ଆନ୍ଦୋଳନ କଲେ ଚଳିବ ନାହଁି। ଏଥିସହିତ ତାଙ୍କ ଦେହରେ ମାନବ ବୋମା ଖଞ୍ଜିଦେଲେ ସେ ସିଧା ଯାଇ ଛତିଶଗଡ଼ର କଲମା ପୋଲ ଉପରେ ଓହ୍ଲାଇବେ ଆଉ ବ୍ୟାରେଜ୍କୁ ଉଡ଼ାଇଦେଲେ ଏକାଥରକେ କଥା ଶେଷ ହୋଇଯିବ ବୋଲି ସେ ମଧ୍ୟ ତାଙ୍କ ଡାଇଲଗ୍ରେ କହିଛନ୍ତି। ସାରା ରାଜ୍ୟରେ ମହାନଦୀକୁ ନେଇ ବିଜେଡ଼ି ରାଜ୍ୟବ୍ୟାପୀ ଜଳ ଆଳତି ଭଳି କାର୍ଯ୍ୟକ୍ରମ କରୁଛି। ରାଜ୍ୟ ସରକାର ବି ଛତିଶଗଡ଼ ବିରୋଧରେ ଅଦାଲତି ଲଢ଼େଇ ଚଳାଇଛନ୍ତି। ଏ ପରିପ୍ରେକ୍ଷୀରେ ଶୁଖିଲା ମହାନଦୀ ପାଇଁ ବଳି ପଡ଼ିଥିବା ଶନି ମାଝି ଓ ତାଙ୍କ ଭଳି ଅନ୍ୟମାନଙ୍କ ପରିବାରକୁ ଏଯାବତ୍ କୌଣସି ରାଜନୈତିକ ଦଳର ନେତା କିମ୍ୱା ପ୍ରଶାସନ ସହାୟତାର ହାତ ବଢ଼ାଇ ନ ଥିବା ବେଳେ ପ୍ରକାଶିତ ସମ୍ୱାଦ ମୁତାବକ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ବି ତାଙ୍କ ପରିବାରକୁ ସମବେଦନା ଜଣାଇବା ତ ଦୂରର କଥା ଏ ସଂକ୍ରାନ୍ତରେ ତାଙ୍କ ନିକଟରେ କେହି ଆବେଦନ କରିନାହାନ୍ତି କିମ୍ୱା କେହି ପହଞ୍ଚିନାହାନ୍ତି ବୋଲି ଉଲ୍ଲେଖ କରିବା ପ୍ରଶାସନ କଳର ସମ୍ୱେଦନହୀନତାର ଚରମ ପରିଚାୟକ। ମହାନଦୀ ସୁରକ୍ଷା ଲାଗି ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ ସରକାର ବହୁ ସଂଖ୍ୟକ ବନ୍ଧ ନିର୍ମାଣ କରିବା ଫଳରେ ନଦୀରେ ଜଳସ୍ରୋତ କମିଯିବା ଯୋଗୁ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଯୋଗାଣ, ମତ୍ସ୍ୟ ଉତ୍ପାଦନ ଆଦି ଗୁରୁତର ଭାବେ ପ୍ରଭାବିତ ହେଉଥିବା ଉଲ୍ଲେଖ କରୁଛନ୍ତି। ଏ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ ବୋଲି ଅନୁଭବୀ ଓ ପ୍ରତ୍ୟକ୍ଷଦର୍ଶୀ ଜାଣନ୍ତି। ଏହାକୁ ଆଧାର କରି ଓଡ଼ିଶା ସରକାର ବି ଅଦାଲତି ଲଢ଼େଇ ଚଳାଇଥିବା ବେଳେ ଆମ ରାଜ୍ୟର କିଛି ରାଜନେତା ବି ଛତିଶଗଡ଼ ସପକ୍ଷରେ ଓକିଲାତି କରୁଛନ୍ତି। ଏମାନଙ୍କ ପାଇଁ ପାର୍ଟି ବଡ଼, ମାଟି ନୁହେଁ। କିନ୍ତୁ ବିଧାନସଭାର ଗତ ବଜେଟ୍ ଅଧିବେଶନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀମାନ ଯେଉଁସବୁ ତଥ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଅଲଗା। ୩୦.୦୪.୨୦୧୮ରେ ଜଳ ସମ୍ପଦ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଏକ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ହୀରାକୁଦ ପ୍ରକଳ୍ପରେ ଉପର ମୁଣ୍ଡରୁ ଜଳ ପ୍ରବାହ ହ୍ରାସ ପାଇଥିଲେ ବି ଜଳ ଭଣ୍ଡାରରେ ଗଚ୍ଛିତ ଥିବା ଜଳର ସୁପରିଚାଳନା ଯୋଗୁ ବର୍ତ୍ତମାନ ସୁଦ୍ଧା ଯଦିଓ ଜଳସେଚନ ବାଧାପ୍ରାପ୍ତ ହୋଇନାହିଁ, କିନ୍ତୁ ଏହି ଜଳ ଭଣ୍ଡାରରୁ ବିଦ୍ୟୁତ୍ ଉପିାଦନ ବାଧାପ୍ରାପ୍ତ ହୋଇଛି। ୨୦୧୭ ନଭେମ୍ୱରରୁ ୨୦୧୮ ଏପ୍ରିଲ୍ ମଧ୍ୟରେ ଜଳ ପ୍ରବାହ କିନ୍ତୁ ଶତକଡ଼ା ୪୦ ଭାଗ କମିଛି ବୋଲି ମନ୍ତ୍ରୀ କହିଛନ୍ତି। ମହାନଦୀରେ ଜଳ ପ୍ରବାହ କମିବା ସେତ୍ତ୍ୱ ବର୍ତ୍ତମାନ ସୁଦ୍ଧା ଜଳସେଚନ ବାଧାପ୍ରାପ୍ତ ହୋଇନାହଁି ବୋଲି ମନ୍ତ୍ରୀଙ୍କ ଉତ୍ତରୁ ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ଏହି ଧାରା ଅବ୍ୟାହତ ରହିଲେ ହୀରାକୁଦ ଜଳ ଭଣ୍ଡାର ତଥା ମହାନଦୀ ଉପରେ ନିର୍ଭରଶୀଳ କୃଷି ଓ ଜଳବିଦ୍ୟୁତ୍ ଗଭୀର ଭାବେ ବାଧାପ୍ରାପ୍ତ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ୨୦.୦୪.୨୦୧୮ରେ ଶକ୍ତିମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ମୁତାବକ ୨୦୧୫-୧୬ରେ ହୀରାକୁଦ(ବୁର୍ଲା) ବିଦ୍ୟୁତ୍ ଉପିାଦନ କେନ୍ଦ୍ରରେ ୪୫୭.୦୯ ନିୟୁତ ୟୁନିଟ୍ ଜଳବିଦ୍ୟୁତ୍ ଉତ୍ପାଦନ ହୋଇଥିବା ବେଳେ ତାହା ବଢ଼ି ବଢ଼ି ୨୦୧୭-୧୮ରେ ୬୧୪.୨୯ ନିୟୁତ ୟୁନିଟ୍ରେ ପହଞ୍ଚିଛି। ସେହିପରି ମହାନଦୀର ଚିପିଲିମା ଜଳବିଦ୍ୟୁତ୍ କେନ୍ଦ୍ରରେ ୨୦୧୫-୧୬ରେ ୨୧୬.୭୫ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇଥିବା ବେଳେ ୨୦୧୭-୧୮ରେ ତାହା ବଢ଼ି ୨୧୯.୨୩ ନିୟୁତ ୟୁନିଟ୍ରେ ପହଞ୍ଚିଥିବା ଶକ୍ତିମନ୍ତ୍ରୀ ସ୍ୱୀକାର କରିଛନ୍ତି। ଅବଶ୍ୟ ଏହା ୨୦୧୩-୧୪ର ଶକ୍ତି ଉପିାଦନ ତୁଳନାରେ କମ୍। ବିଧାନସଭାରେ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଏଭଳି ଯେଉଁ ଉତ୍ତର ଦେଇଛନ୍ତି ସେଥିରୁ ଛତିଶଗଡ଼ ଯେତେସଂଖ୍ୟକ ବନ୍ଧ ବାନ୍ଧିଲେ ବି ସୁଦ୍ଧା ହୀରାକୁଦ ଜଳଭଣ୍ଡାର ମାଧ୍ୟମରେ ଜଳସେଚନ ଓ ବିଦ୍ୟୁତ୍ ଉପିାଦନ ବ୍ୟାହତ ହୋଇନଥିବା ବେଳେ ନଦୀ ମାଛ ଉପିାଦନ ବଢ଼ୁଛି ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟାହତ ହେଉନାହିଁ ବୋଲି ଖୋଦ୍ ସରକାର ସ୍ୱୀକାର କରୁଛନ୍ତି। ଏହା ସ୍ୱୀକାରୋକ୍ତି ନା ବିଭ୍ରାନ୍ତି? ୧୬.୦୪.୨୦୧୮ରେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଜଳ ସମ୍ପଦ ମନ୍ତ୍ରୀ ଚମ୍କେଇବା ଭଳି ଯେଉଁ ତଥ୍ୟ ଦେଇଛନ୍ତି ତାହା ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଶୁଖିଲା ଶଯ୍ୟାକୁ ଦେଖି ହତାଶ ହେଉଥିବା ଲୋକଙ୍କ ହଂସା ଉଡ଼ାଇଦେବ। ଏଥିରେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିଥିବା ବେଳେ ଆଉ ୪୪୩ଟି ପ୍ରକଳ୍ପ ନିର୍ମାଣାଧୀନ ଥିବା କୁହାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୮ଟି ବୃହତ୍, ୨୯ଟି ମଧ୍ୟମ, ୧୮୬୦ କ୍ଷୁଦ୍ର ଜଳସଚେନ ପ୍ରକଳ୍ପ ଏବଂ ୩୭୧ଟି ଆନିକଟ୍ ନିର୍ମାଣ ହୋଇସାରିଥିବା ବେଳେ ଆଉ ୪ଟି ବୃହତ୍, ୩ଟି ମଧ୍ୟମ, ୩୦୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୨୫ଟି ଆନିକଟ୍ ଓ ୬ଟି ଶିଳ୍ପ ଭିତ୍ତିକ ବ୍ୟାରେଜ୍ ଛତିଶଗଡ଼ରେ ନିର୍ମାଣାଧୀନ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ତେବେ ୨୬.୦୩.୨୦୧୮ରେ ସେହି ମନ୍ତ୍ରୀ ବିଧାନସଭାରେ ଦେଇଥିବା ଅନ୍ୟ ଏକ ଉତ୍ତରରେ ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ ସରକାର ମହାନଦୀ ଉପରେ ମୁଖ୍ୟତଃ ୬ଟି ବୃହତ୍ ଶିଳ୍ପଭିତ୍ତିକ ବ୍ୟାରେଜ୍ ଓ ଆଉ ୩ଟି ବ୍ୟାରେଜ୍ ନିର୍ମାଣ କରିବା ସଙ୍ଗେ ସଙ୍ଗେ ୫ଟି ନିର୍ମାଣାଧୀନ ଥିବା ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି। ଏହି ଉତ୍ତରରେ ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ବ୍ୟାରେଜ୍ଗୁଡ଼ିକର ତଥ୍ୟ ଓଡ଼ିଶା ସରକାରଙ୍କ ନିକଟରେ ଉପଲବ୍ଧ ନ ଥିବା ଦର୍ଶାଯାଇଛି। ଅଥଚ ୨୭.୦୩.୨୦୧୭ରେ ଓଡ଼ିଶା ବିଧାନସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ଛତିଶଗଡ଼ ୩୫ଟି ଶିଳ୍ପ ସଂସ୍ଥା ଲାଗି ହୀରାକୁଦର ଉପରମୁଣ୍ଡରେ ୬ଟି ବ୍ୟାରେଜ୍ ଓ ୩୭ଟି ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରିଥିବା ବେଳେ ଆଉ ୪ଟି ବୃହତ୍ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ଥିବା ଦର୍ଶାଯାଇଛି। ଏ ପ୍ରସଙ୍ଗରେ ୨୬.୦୯.୨୦୧୬ରେ ବିଧାନସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ‘ତଥ୍ୟ ସଂଗ୍ରହ କରାଯାଉଛି’ ବୋଲି ଉଲ୍ଲେଖ ଅଛି। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳିର ସରକାର ସମୟରେ କୁହାଯାଇଥିଲା ଯେ ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ ଯେତେ ବନ୍ଧ ନିର୍ମାଣ କଲେ ବି ମହାନଦୀ ଉପରେ ତାହାର କିଛି ପ୍ରଭାବ ପଡ଼ିବ ନାହଁି। ବିଧାନସଭାରେ ଦିଆଯାଇଥିବା ଏ ସମସ୍ତ ଉତ୍ତର ମହାନଦୀ ପ୍ରତି ଆମ ଅମଲାତନ୍ତ୍ରର ଦରଦ କେତେ ତାହା ସ୍ପଷ୍ଟ ସୂଚାଉଛି। ଛତିଶଗଡ଼ ସରକାର ନିର୍ମାଣ କରିସାରିଥିବା ପ୍ରକଳ୍ପଗୁଡ଼ିକର ଜଳ ବ୍ୟବହାର କ୍ଷମତା ୮.୩୧ ନିୟୁତ ଏକର ଫୁଟ ଥିବା ବେଳେ ଆଗକୁ ଏହା ୨୭.୪୮ ନିୟୁତ ଏକର ଫୁଟକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଛତିଶଗଡ଼ ଏତେ ବନ୍ଧ ବାନ୍ଧି ଚାଲିଥିବା ବେଳେ ମହାନଦୀରେ ଓଡ଼ିଶା କରିଛି କ'ଣ? ୧୧.୧୨.୨୦୧୭ରେ ବିଧାନସଭାରେ ସରକାର ସ୍ୱୀକାର କରିଛନ୍ତି ଯେ ହୀରାକୁଦର ତଳମୁଣ୍ଡରେ କଟକ ନିକଟବର୍ତ୍ତୀ ମହାନଦୀର ମୁଣ୍ଡଳୀ ଓ ଯୋବ୍ରାଠାରେ ଓଡ଼ିଶାରେ ଦୁଇଟି ମାତ୍ର ବ୍ୟାରେଜ୍ ତିଆରି ହୋଇଛି। ଯୋବ୍ରା ଆନିକଟ ବ୍ରିଟିଶ୍ ସରକାରଙ୍କ ସମୟରେ ୧୮୬୬ ମସିହାରେ ତିଆରି ହୋଇଥିଲା। ଏହା ଦୁର୍ବଳ ହେବାରୁ ପୁରୁଣା ଆନିକଟର ୬୦ ମିଟର ତଳକୁ ୧୯୮୦ରେ ଆଉ ଏକ ଆନିକଟ ହୋଇଛି। ମୁଣ୍ଡଳୀ ବ୍ୟାରେଜ୍ ନିର୍ମାଣ ହୋଇଛି ୧୯୮୫ ମସିହାରେ। ସେହିପରି ହୀରାକୁଦ-ବୁର୍ଲା ଜଳ ବିଦ୍ୟୁତ୍ କେନ୍ଦ୍ରର ନିର୍ମାଣ ସରିଥିଲା ୧୯୫୭ରେ। ଏହାପରେ ଆମେ ଅଧିକ ବ୍ୟାରେଜ୍ କାହଁିକି କଲୁନାହଁୁ? ରାଜ୍ୟର ନଦୀଗୁଡ଼ିକରୁ ବାର୍ଷିକ ପ୍ରାୟ ୫୦,୬୪୬ ନିୟୁତ କ୍ୟୁବିକ୍ ମିଟର ଯାହାକି ମୋଟ୍ ପ୍ରବାହିତ ଜଳରାଶି ପରିମାଣର ୫୩ ପ୍ରତିଶତ ଅବ୍ୟବହୃତ ହୋଇ ସମୁଦ୍ରକୁ ଯାଉଥିବା କଥାବି ସରକାର ସ୍ୱୀକାର କରୁଛନ୍ତି। କେବଳ ମହାନଦୀ ଜଳରାଶିର ୨୫,୭୮୩.୭ ନିୟୁତ କ୍ୟୁବିକ୍ ମିଟର ଅର୍ଥାତ୍ ମୋଟ୍ ପ୍ରବାହିତ ଜଳର ୫୨.୯ ପ୍ରତିଶତ ବ୍ୟବହାର ନ ହୋଇ ସମୁଦ୍ରରେ ମିଶୁଥିବା କଥାବି ସରକାର ମାନୁଛନ୍ତି। ଆଉ ଏକଥା ବି କହୁଛନ୍ତି ଯେ ନଦୀ ଜଳରୁ ୨୮୩.୯୫ ନିୟୁତ କ୍ୟୁବିକ୍ ମିଟର ପାନୀୟ ଜଳ ପାଇଁ ଓ ୨୨୭୫. ୮୫ ନିୟୁତ କ୍ୟୁବିକ୍ ମିଟର ଶିଳ୍ପ ପାଇଁ ବ୍ୟବହୃତ ହେଉଛି। ଶିଳ୍ପାନୁଷ୍ଠାନଗୁଡ଼ିକ ଉପରେ ପ୍ରାୟ ୩ ହଜାର କୋଟି ଟଙ୍କାର ଜଳକର ବାକି ପଡ଼ିଥିବା ବେଳେ ଅନେକ ସଂସ୍ଥା ଅଦାଲତକୁ ଯାଇ ସରକାରଙ୍କୁ ନାଲି ଆଖି ଦେଖାଉଛନ୍ତି। ଆଉ ଏକଥା ବି ୨୩.୦୬.୨୦୧୪ରେ ବିଧାନସଭାରେ କହିଛନ୍ତି ଯେ ହୀରାକୁଦ ଜଳଭଣ୍ଡାରରେ ୨୧୭୪.୭୭ ବିଲିୟନ୍ ଘନମିଟର ପଟୁ ଜମି ଜଳ ଭଣ୍ଡାରର ଜଳଧାରଣ କ୍ଷମତା ହ୍ରାସ ପାଇଛି। ମହାନଦୀ ସମେତ ରାଜ୍ୟର ସମସ୍ତ ନଦୀର ଜଳ ପ୍ରଦୂଷିତ ବୋଲି ସରକାର ବି ବିଧାନସଭାରେ ମାନିଛନ୍ତି। ମହାନଦୀ ସମେତ ରାଜ୍ୟରେ ପ୍ରବାହିତ ଅନ୍ୟ ସମସ୍ତ ନଦୀ ଆମର ମା’, ଜୀବନ। ଏହି ନଦୀଗୁଡ଼ିକ ମରିଗଲେ କିମ୍ୱା ଏହାର ଜଳ ବିଷାକ୍ତ ହୋଇଗଲେ ଜୀବନ ରହିବ ତ? ଆମ ନଦୀ ମାତୃକା ଶନି ଦଶାରେ ସଢ଼ୁଥିବା ବେଳେ ଶନି ମାଝିଙ୍କ ଅସମୟ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି। ମହାନଦୀ ସମେତ ରାଜ୍ୟର ପ୍ରାୟ ସବୁ ନଦୀରେ ଅଣମୌସୁମୀ ଋତୁରେ ଜଳପ୍ରବାହ କମିବା ଏବଂ ମାନବ ଓ ସରକାରୀ କୃତ ପ୍ରଦୂଷଣ ଯୋଗୁ ନଦୀଜଳ ବିଷାକ୍ତ ହୋଇ ଚାଲିବା ପରିପ୍ରେକ୍ଷୀରେ ଜୀବନ ଜିଇବା ପାଇଁ ଏକ ବୃହତ୍ତର ଜନ ଆନ୍ଦୋଳନର ଆବଶ୍ୟକତା ନିଶ୍ଚୟ ରହିଛି। ନଦୀ ଜଳର ଉପଯୁକ୍ତ ସଂରକ୍ଷଣ, ଭୂତଳ ଜଳର ସଂରକ୍ଷଣ ସହିତ କୃଷି ପ୍ରଧାନ ରାଜ୍ୟ ଓଡ଼ିଶାକୁ ସମୃଦ୍ଧ କରିବା ଲାଗି ଏ ଜଳରାଶିର କିପରି ଉପଯୁକ୍ତ ବିନିଯୋଗ ହୋଇପାରିବ ସେ ଦିଗରେ ସାଧାରଣ ଲୋକଙ୍କ ଠାରୁ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱର ସହ ଧ୍ୟାନ ଦେବା ଆବଶ୍ୟକ। ମୋ- ୯୪୩୭୦୧୭୩୯୫

Share :