ଦିନରାତି ବସି ହିସାବ କରୁଛି ଖରଚ ସାଙ୍ଗକୁ ଜମା!

ଦିନରାତି ବସି ହିସାବ କରୁଛି ଖରଚ ସାଙ୍ଗକୁ ଜମା!

ରାଧାରାଣୀ ଷଡ଼ଙ୍ଗୀ ଗତବର୍ଷ ଭଳି ଏବର୍ଷ ବି ସେ ଭାଇକି ମନା କରିଦେଲେ ଯେ ତୁ ସାବିତ୍ରୀକୁ ଆଉ ଶାଢ଼ି ପଠାଇବୁ ନାହିଁି କି ସେ ବାବଦରେ ଟଙ୍କା ବି ପଠେଇବୁନି। କିନ୍ତୁ ସେ ନିଜେ ଯାହା କଲେ ମୋତେ ଜମାରୁ ଭଲ ଲାଗିଲାନି। ଆଠ ହଜାର ଟଙ୍କାର ଶାଢ଼ି ! କ’ଣ ଦରକାର ଏତେ ଟଙ୍କାର ଶାଢ଼ି ପିନ୍ଧିବା? ମୋତେ ଦାମିକା ଶାଢ଼ି କି ଗହଣା ପିନ୍ଧି ଦେଖେଇହେବା ଆଦୌ ଭଲ ଲାଗେନା। ତା’ଛଡ଼ା ଏବେ ଏବେ ଝିଅର ଆଡମିଶନରେ ମୁଠାମୁଠା ଟଙ୍କା ଖର୍ଚ୍ଚ ହୋଇଛି। ଏବେ ତ ବୋନସ୍ ମିଳିନି। ସ୍ତ୍ରୀ ପାଇଁ ପ୍ରେମ ଦେଖାଇବାର କ’ଣ ଆଉ କୌଣସି ବାଟ ନାହିଁ? ତଥାପି ମୁଁ ପଚାରିଦେଲି, ତମକୁ ଏରିୟର ମିଳିଲା କିହୋ? ଟ୍ରାଫିକ୍ ନାଲିବତୀରେ ଗାଡ଼ି ଅଟକାଇଥିବାରୁ ତାଙ୍କୁ ମୋ ପ୍ରଶ୍ନର ଉତ୍ତର ଦେବା ପାଇଁ ଅନେକ ସମୟ ଥିଲା। ମାତ୍ର ସେ ମୋତେ ଆହୁରି ଅଧିକ ସମୟ ଅବାକ୍ ଓ ବିସ୍ମିତ ହେବାର ଦେଖିବାକୁ ପସନ୍ଦ କରି ମୋ କଥାର ଉତ୍ତର ଦେଉନଥିଲେ। ମୁଁ ଜାଣିଛି ସେ ମୋତେ ଖୁସି ଦେଖିବାକୁ ଚାହାନ୍ତି। ମୁଁ ପୁଣି ପଚାରିଲି, ଶାଢ଼ି ତ ବଢ଼ିଆ ହେଇଚି ଏତେ ଭଲ ଶାଢ଼ି ମୁଁ ଆଗରୁ କେବେ ପିନ୍ଧି ନଥିଲି। କିନ୍ତୁ ତମକୁ ଏମାସରେ ଯେଉଁ ଏରିଅର ମିଳିବାର ଥିଲା, ମିଳିଗଲା କି? ସେ ପୁଣିଥରେ ତାଙ୍କ ସ୍ବପ୍ନରାଇଜରୁ ଫେରିବାକୁ ନଚାହିଁ ମୋ ପ୍ରଶ୍ନର ଉତ୍ତର ଦେଲେ, ନାହିଁ। ତମକୁ ଏ ଶାଢ଼ି କେତେ ମାନିବ, ତୁମେ ଜାଣିପାରୁଛ? ମଁୁ କହିଲି, ‘ସେଇଟା ତ ସତ। ତମ ଚଏସ୍ କେବେ ଫେଲ୍ ମାରିଛି? କିନ୍ତୁ ମୁଁ ତମକୁ ଏରିଅର କଥା ପଚାରୁଛି ପରା! ଏଥର ସେ ଗ୍ରୀନ୍ ଲାଇଟ୍ ଜଳିବା ପରେ ଗାଡ଼ି ଚଲାଇବାକୁ ଆରମ୍ଭ କରି କହିଲେ ଯେ ‘କାହିଁ, ଆୟ ବଢ଼ାଇବା କଳା କ’ଣ କେବଳ ମୋଦି ଓ ଅରୁଣ ଜେଟଲୀଙ୍କୁ ଜଣାଅଛି? ତମ ହଜବ୍ୟାଣ୍ଡଙ୍କୁ ଜଣାନାହିଁ? ତମେ ସବୁବେଳେ ତୁମ ହଜବ୍ୟାଣ୍ଡର ସାମର୍ଥ୍ୟକୁ ଚିହ୍ନିପାରୁନ।’ ଏଥର ମୁଁ ଭଲରୂପେ ଜାଣିଗଲି ଯେ ସେ ଏବେ ମୋ ପ୍ରଶ୍ନର ଉତ୍ତର ଦେବା ମୁଡରେ ନାହାନ୍ତି। ପରେ ଆଉ କେତେବେଳେ ସୁବିଧା ଓ ମୁଡ୍ ଦେଖି ପଚାରିବି ବୋଲି ସ୍ଥିର କରି ସେ ଉଠାଇଥିବା କଥାକୁ ଫେରିଲି। ପଚାରିଲି, ମୋଦି ଓ ଜେଟଲୀ ମିଶି କ’ଣ ଏମିତି କମାଲ୍ ଦେଖାଇଲେ କି? ସେ କହିଲେ, ‘ତମେ କ’ଣ ଜାଣିନ କି? ତମେ ଏତେ ଖବର ଜାଣୁଛ, ଏ ଖବର ତମକୁ କେମିତି ଜଣାନାହିଁ? କଥାଟା କ’ଣ ଫିଟେଇ କହିଲେ ସିନା ମୁଁ ଜାଣିବି! କଥାଟା ହେଲା ଏଇଆ ଯେ ତମର ବିମୁଦ୍ରାକରଣ ଓ ଜିଏସଟି ପ୍ରକ୍ରିୟାକୁ ତମାମ ବିରୋଧ ଓ ସମାଲୋଚନା ସତ୍ତ୍ବେ ଗତବର୍ଷ ଅପେକ୍ଷା ଏବର୍ଷର ପ୍ରତ୍ୟକ୍ଷ କର ଆଦାୟ 18% ବଢ଼ି 10 ଲକ୍ଷ କୋଟିରେ ପହଞ୍ଚିଯାଇଛି। ତେଣୁ ମୁଁ ସବୁବେଳେ ତୁମକୁ କହିଆସିଛି, ସବୁବେଳେ ଅନ୍ଧଭାବେ ମୋଦିଙ୍କୁ ସମାଲୋଚନା କରିବା ଠିକ୍ ନୁହେଁ। ଆଚ୍ଛା, ଏଇକଥା? ଏତିକି କହି ମୁଁ ଚୁପ୍ ରହିଲି। ଜଣେ ବିଜେଡି ସମର୍ଥକଠାରୁ ମୁଁ ଏହାଠାରୁ ଭିନ୍ନ କିଛି ଆଶା କରୁ ନଥିଲି। ତେଣୁ ଅଯଥା ଯୁକ୍ତି ବଢ଼ାଇବାକୁ ଚାହିଁଲି ନାହିଁ। ସେ କିନ୍ତୁ ଏ ମଉକା ଛାଡ଼ିବାକୁ ଚାହୁଁ ନଥିଲେ। କ’ଣ ଚୁପ୍ ରହିଲ ଯେ? କ’ଣ ଏ କଥାର ଆଉ ଉତ୍ତର ପାଉନାହଁ? କ’ଣ ଆଉ କହିବି? ପତିଦେବଙ୍କ କଥା ମାନିବାକୁ ପଡ଼ିବ। ତମେ ଏବେ କହିଲ ନା ସବୁବେଳେ ମୋଦିଙ୍କୁ ସମାଲୋଚନା କରିବା ଠିକ୍ ନୁହେଁ, ବୁଝିଲ? ତମ ଦଳ ସବୁବେଳେ ମୋଦି ସରକାରକୁ ନେଇ ଏକ କନ୍‌ଫ୍ୟୁଜନ ମଧ୍ୟରେ ରହୁଛି। ସେହି କନ୍‌ଫ୍ୟୁଜନ ଯୋଗୁଁ ହିଁ ତମ ଦଳ ପ୍ରଥମେ ବିମୁଦ୍ରାକରଣକୁ ସମର୍ଥନ କରିଥିଲା। ତମେ ଆମ ପାର୍ଟି କଥା ଆମ ଉପରେ ଛାଡ଼ିଦିଅ। ତମର ଯଦି କୌଣସି କଥାରେ କିଛି କନ୍‌ଫ୍ୟୁଜନ ନାହିଁ, ତେବେ ମୋଦିଙ୍କର ଏହି କମାଲକୁ ମାନିବାକୁ ପ୍ରସ୍ତୁତ ହୁଅ। ମୁଁ ଏବେ ତମ କନ୍‌ଫ୍ୟୁଜନ ଦୂର କରିଦେଉଛି। ଜେଟଲୀ କହିଛନ୍ତି ଯେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଯେଉଁ ଆର୍ଥିକ ବର୍ଷ ସରିଲା, ସେଥିରେ ଟିକସ ଆଦାୟ 18% ବଢ଼ି 10 ଲକ୍ଷ କୋଟିରେ ପହଞ୍ଚିଲା, ଏଇଆ ନା? ହଁ, କୋଇ ସକ୍? ଜରୁର୍ ଡାର୍ଲିଂ। ଯଦି ସରକାରଙ୍କ ଟିକସ ଆଦାୟ ଏତେ ବଢ଼ିଗଲା, ତେବେ ସେମାନେ ବ୍ୟାଙ୍କମାନଙ୍କୁ କାହିଁକି ନୋଟିସ୍ ପଠାଉଛନ୍ତି ଯେ ସେମାନେ କଷ୍ଟମରମାନଙ୍କୁ ଯେଉଁ ଫ୍ରି ସର୍ଭିସ ଦେଉଛନ୍ତି, ତା’ ଉପରେ ବି ଟିକସ ଦିଅ? ଏମିତି ତ ଆଗରୁ କେବେ ହୋଇ ନଥିଲା? ତମେ କ’ଣ କହିବାକୁ ଚାହୁଁଛ, ମୁଁ ବୁଝିପାରୁନି। ଦେଖ, ଆଗରୁ ବ୍ୟାଙ୍କ ଆମକୁ ଯେଉଁ କେତୋଟି ସର୍ଭିସ ଫ୍ରିରେ ଦେଉଥିଲା, ସେଥିପାଇଁ ଆମ ଆକାଉଣ୍ଟରୁ ପଇସା କାଟୁ ନଥିଲା। ଯେମିତି ମାସକୁ 2-3 ଥର ପଇସା ଉଠାଇବା ବେଳେ ଟଙ୍କା କଟୁ ନଥିଲା। ସରକାର ଏବେ ବ୍ୟାଙ୍କମାନଙ୍କୁ କହୁଛି ଯେ ତମେ ତମ କଷ୍ଟମରଙ୍କୁ ସର୍ଭିସ ଫ୍ରିରେ ଦିଅ କି ନଦିଅ, ଆମେ ଜାଣିନୁ। କିନ୍ତୁ ଯେହେତୁ ସେଇଟା ଗୋଟିଏ ସର୍ଭିସ, ତେଣୁ ତା’ ଉପରେ ତମେ ଆମକୁ ଜିଏସଟି ଦେବାକୁ ବାଧ୍ୟ। ତମେ ପଛେ କଷ୍ଟମରକୁ ସର୍ଭିସ ଫ୍ରିରେ ଦିଅ, କିନ୍ତୁ ତା’ଠାରୁ ଆଣି ହେଉ କି ନିଜ ପାଣ୍ଠିରୁ ଦିଅ, ତା’ ଉପରେ ଟିକସ ଆମକୁ ଦେବାକୁ ହେବ। ଯଦି ସରକାରଙ୍କର ଟିକସ ଆଦାୟ ବଢ଼ୁଛି, ସେମାନେ ଏହାପଛରେ କାହିଁକି ପଡ଼ିଛନ୍ତି? ତମେ ଆଉ ଛେନାରୁ ଚୋପା ଛଡ଼ାଅନି। ଏ ଟଙ୍କା ଏମିତି କେତେ ହେବ ଯେ? ଦେଖ ମିଷ୍ଟର, ଏ ଟଙ୍କା ପ୍ରାୟ 40 ହଜାର କୋଟି ଟଙ୍କା ହେବ। ସରକାର ଏହି ଟଙ୍କା 2012 ମସିହାଠାରୁ ଜୋରିମାନା ଓ ସୁଧ ସହ ବ୍ୟାଙ୍କମାନଙ୍କଠାରୁ ଆଦାୟ କରିବାକୁ ବସିଛନ୍ତି। ମିଷ୍ଟର ନିଜେ ବି କିଛି ସମୟ ଆଶ୍ଚର୍ଯ୍ୟ ହୋଇ ଭାବିଲେ ଓ ପୁଣି କହିଲେ, ଆଚ୍ଛା ହଉ ତା’ହେଲେ କିନ୍ତୁ ଗତ ମାର୍ଚ୍ଚ ସୁଦ୍ଧା ସେତକ ଆଦାୟ ହୋଇନି। ତା’ ସତ୍ତ୍ବେ ବି ସରକାରଙ୍କର ଟିକସ ଆଦାୟ ଅଚାନକ କେମିତି ବଢ଼ିଗଲା କୁହ? ମୁଁ କହିଲି, ତମେ ଜାଣିଛ ନା! ବିମୁଦ୍ରାକରଣକୁ ସଠିକ୍ ନିଷ୍ପତ୍ତି ବୋଲି ପ୍ରମାଣ କରିବା ପାଇଁ ସରକାର, କଳାଧନ କେତେ ଧରାପଡ଼ିଲା, କେତେ ଟଙ୍କା ବ୍ୟାଙ୍କକୁ ଫେରିଲା ନାହିଁ, ନକଲି ନୋଟ୍ କେତେ ଜବତ ହେଲା, ଆତଙ୍କବାଦୀ ଘଟଣା କେତେ କମିଲା, ସେସବୁ ବିଷୟରେ ତ ଚୁପ୍ ରହୁଛି। ମାତ୍ର ଏହା ସଠିକ୍ ନିଷ୍ପତ୍ତି ଥିଲା ବୋଲି ପ୍ରମାଣ କରିବା ପାଇଁ ଟିକସ ଆଦାୟ ବଢ଼ିଗଲା ବୋଲି ଦେଖାଇବା ପାଇଁ ଆହୁରି ବହୁତ ଫନ୍ଦିଫିକର କରୁଛି। ଯଥା...? ଯେଉଁମାନେ ଇନକମ୍ ଟ୍ୟାକ୍ସ ଦିଅନ୍ତି, ସେମାନେ ବର୍ଷ ନସରୁଣୁ ନିଜସ୍ବ ଏକ ଅନ୍ଦାଜରେ 3ଟି କିସ୍ତିରେ ତାହା ଦିଅନ୍ତି। ବର୍ଷ ସରିଗଲା ପରେ ଯେତେବେଳେ ପ୍ରକୃତ ପରିମାଣର ଟିକସ ରିଟର୍ଣ୍ଣ ମାଧ୍ୟମରେ ଦିଆଯାଏ, ସେତେବେଳେ ଯଦି କିଏ ଆଗରୁ ଅଗ୍ରୀମ ଆକାରରେ ଅଧିକ ଦେଇଥାଏ, ତାକୁ ସରକାର ଏହି ଅଧିକ ରାଶିଟିକୁ ଫେରସ୍ତ କରନ୍ତି। ସେଇଟା କ’ଣ ମୁଁ ଜାଣିନି? ମୁଁ ନିଜେ ପରା ଟିକସ ଦେଉଛି। ଇନକମ ଟ୍ୟାକ୍ସ ବାଲା ତାଙ୍କ ସ୍ବାଭାବିକ ଗତିରେ ସମସ୍ତଙ୍କୁ ଏହି ରିଫଣ୍ଡ ଫେରାନ୍ତି। କେହି କେବେ ସେଥିରେ ହସ୍ତକ୍ଷେପ କରୁ ନଥିଲେ। କିନ୍ତୁ ଏଥର ଦେଖାଯାଇଛି ଯେ ରିଫଣ୍ଡ ଅନେକ ଧିମେଇ ଯାଇଛି। ତେଣୁ ଟିକସ ଆଦାୟ ଅଧିକ ହୋଇଛି ବୋଲି ଦେଖାଗଲା। ତମେ ଯଦି କେବଳ ନେବ, ଆଉ ଯାହାକୁ ଦେବା କଥା ତାକୁ ଦେବନି, ତେବେ ତମ ଆଦାୟ ବଢ଼ିଗଲା ବୋଲି ଦେଖାଯିବନି କି? ଆଚ୍ଛା! ଏତିକି କଥା ନା ଆଉ କିଛି ଅଛି? ତମ ଆମ୍ ଆଦମୀ ପାର୍ଟି ବାଲାଙ୍କୁ ପାରିହେବନି। ଆହୁରି କାରଣ ଅଛି, ଶୁଣ। ଆଚ୍ଛା, ଆହୁରି ବି ଅଛି? ଶୁଣାଅ ତା’ ହେଲେ। ଶୁଣ ତା’ହେଲେ ମିଷ୍ଟର। ତମ ଦରମାରୁ ତମ କମ୍ପାନୀ ଟିଡିଏସ୍ ଆକାରରେ ନିଶ୍ଚୟ ଟିକସ କାଟି ରଖୁଥିବ। ସେଇଟା ମୁଁ ଜାଣିଛି। ନୂଆ କଥା କଣ ଜାଣିଛ କୁହ। ତମେ କିନ୍ତୁ ଏକଥା ଜାଣିଛ କି? ତମଠାରୁ କଟାଯାଇଥିବା ଟିଡିଏସ୍ କେତେ ତାରିଖ ସୁନ୍ଧା ତମ କମ୍ପାନୀ ସରକାରଙ୍କ ପାଖରେ ଜମା ଦିଏ? ନା, ସେକଥା ମୁଁ ଜାଣିନି। ତମେ କହୁନ! ପ୍ରତ୍ୟେକ ମାସରେ ତମ ଦରମାରୁ କଟୁଥିବା ଟିକସ, ପରମାସ 7 ତାରିଖ ସୁଦ୍ଧା ଜମା ଦିଆଯାଏ। ଏଥର କିନ୍ତୁ ସରକାର ଗୋଟିଏ ବଡ଼ କାରସାଦି କରିଛନ୍ତି। ଗତ ମାର୍ଚ୍ଚ ମାସରେ ଯେଉଁ ଟିଡିଏସ୍ କଟିଲା, ତାହା ଏପ୍ରିଲ 7 ତାରିଖ ସୁଦ୍ଧା ସରକାରଙ୍କ ପାଖରେ ଜମା ହେବା କଥା। ପ୍ରତି ବର୍ଷ ସେଇଆ ହିଁ ହେଉଥିଲା। କିନ୍ତୁ ଏଥର ଆୟକର ବିଭାଗର ନିର୍ଦ୍ଦେଶ ଆସିଲା, ସେହି ଟଙ୍କାକୁ ମାର୍ଚ୍ଚ 31 ତାରିଖ ସୁଦ୍ଧା ହିଁ ଜମା ଦେଇଦିଅ। ତେଣୁ ସରକାରଙ୍କର ଯେଉଁ ଟ୍ୟାକ୍ସ ଇନକମ୍ ପରବର୍ଷ ହିସାବରେ ଯିବାକଥା, ତା’ 2017-18 ବର୍ଷର ହିସାବରେ ନିଆଗଲା। ତେଣୁ ସରକାର କହୁଛନ୍ତି ଯେ ଆମ ଟିକସ ଆଦାୟ ବଢ଼ିଗଲା। ଠିକ୍ ଅଛି। କିନ୍ତୁ ଏ ତ ଗଲା ଇନକମ୍ ଟ୍ୟାକ୍ସ କଥା। ଜିଏସଟି ଆଦାୟ ବଢ଼ିଥିବ ନିଶ୍ଚୟ। ଲେମ୍ବୁ, ଲୁଣ ବଢ଼ିବ? ସରକାର ଲକ୍ଷ୍ୟ ରଖିଥିଲେ ଯେ 2017-18ରେ ଜିଏସଟି ବାବଦରେ 2.21 ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବେ। ମାତ୍ର ହେଲା 1.19 କୋଟି ଟଙ୍କା। ବଢ଼ିଲା କେଉଁଠି? ତା’ ସତ୍ତ୍ବେ ବି ତ ମୋଟ ଉପରେ ଟିକସ ଆଦାୟ ବଢ଼ିଥିବ। ଜେଟଲୀ କ’ଣ ଏତେ ମିଛ କହୁଛନ୍ତି! ଗୋଟିଏ କଥା ମନେରଖ। କେତେ ଟଙ୍କା ଅଧିକ ଆଦାୟ ହେଲା, ସେତିକି ଜାଣିଦେଲେ, କଥାଟା ପରିସ୍କାର ହେବ ନାହିଁ। ପ୍ରତିବର୍ଷ ଅର୍ଥନୀତିର ଆକାର ବଢ଼ୁଛି। ତେଣୁ ଜିଡିପି ତୁଳନାରେ କେତେ ଟିକସ ଆଦାୟ ହୋଇଛି, ତାହା ଜାଣିବା ଜରୁରୀ। ଆଚ୍ଛା, ତା’ହେଲ ସେ ହିସାବ ଏଥର କ’ଣ କହୁଛି? ସେ ହିସାବ ଲେମ୍ବୁ, ଲୁଣ କହୁଛି। ମାନେ? 2017-18ର ହିସାବ କହୁଛି ଯେ ଡିଜିପିର 5.94% ଟିକସ ଆଦାୟ ହୋଇଛି। ସେଇଟା କ’ଣ ଅଧିକ ନୁହେଁ? ପୂର୍ବବର୍ଷ ଜିଡିପିର 5.6% ଟିକସ ଆଦାୟ ହୋଇଥିଲା। ତା’ ମାନେ ଏବର୍ଷ ବଢ଼ିଛି ନିଶ୍ଚୟ। 0.34% ବଢ଼ିବାଟା କ’ଣ କମ୍ ହେଲାଣି? ୟେସ୍ ଡାର୍ଲିଂ। କିନ୍ତୁ 2007-08ରେ ଏହି ଅନୁପାତ କେତେ ଥିଲା ଜାଣିଛ? କେତେ? ସେ ବର୍ଷ ଏହି ଅନୁପାତ 6.3% ଥିଲା। ସେ ବର୍ଷ ତ ବିମୁଦ୍ରାକରଣ ହୋଇ ନଥିଲା! ମାତ୍ର ଟିକସ କାହିଁକି ବଢ଼ିଥିଲା? ସେତେବେଳକୁ ଆମେ ଘରେ ପହଞ୍ଚି ସାରିଥିଲୁ। ଘର ଲାଇଟ୍ ଲଗେଇଲୁ। ମିଷ୍ଟର ଲୁଙ୍ଗି ପିନ୍ଧିସାରିବା ପରେ ଟିଭି ଆଗରେ ରିମୋଟ ଧରି ବସିଗଲେ। କିଛି ସମୟ ପରେ ମୁଁ ଚା’ ନେଇ ଆସି ଦେଖେ ତ ସେ ସେମିତି ରିମୋଟ ଧରି ବନ୍ଦ ଟିଭିର କଳା ସ୍କ୍ରିନକୁ ଅନାଇ ବସିଛନ୍ତି। ମୁଁ କହିଲି, ଟିଭି ଯଦି ଦେଖିବାର ଅଛି, ରିମୋଟ୍ ଟିପୁନ। ଖାଲିଟାରେ କାହିଁକି ବସିଛ? ମିଷ୍ଟର ରିମୋଟଟିକୁ ଟେବୁଲ ଉପରେ ଥୋଇଦେଇ ଦୀର୍ଘ ନିଃଶ୍ବାସ ମାରି କହିଲେ, ଏଇ ମୋଦିଜୀ, କେତେଥର ଆମକୁ ଏମିତି ମାମୁଁ ବଂଚେଇବେ? ମୁଁ କହିଲି, ଆଉଥରେ ଖୁବ ଶୀଘ୍ର ମାମୁଁ ବନିବାକୁ ପ୍ରସ୍ତୁତ ହେଇଯାଅ। ବହୁତ ଦିନ ହେଲା ପେଟ୍ରୋଲ ଦର ବଢ଼ିନି ନା? ଖାଲି କର୍ଣ୍ଣାଟକ ନିର୍ବାଚନଟା ସରିଯାଉ ଦେଖିବ। ଏକଥା ଶୁଣି ମିଷ୍ଟର ଜୋରରେ ହସି ମୋ ନାକଟିକୁ ଚିପିଦେଇ ଅକ୍ଷୟ ମହାନ୍ତିଙ୍କ ସେଇ ପୁରୁଣା ଗୀତଟିକୁ ଗାଇଲେ, ସନ୍ଦେହୀ ପ୍ରିୟତମା, ଦିନରାତି ବସି ହିସାବ କରୁଛି, ଖରଚ ସାଙ୍ଗକୁ ଜମା। ତାଳଚେର

Share :