‘ନବୀନ ସରକାର ଓଡ଼ିଶାର ଉଲ୍ଲେଖନୀୟ ଉପଲବ୍ଧି’

‘ନବୀନ ସରକାର ଓଡ଼ିଶାର ଉଲ୍ଲେଖନୀୟ ଉପଲବ୍ଧି’

Share :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସରକାର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରଣ କରିଛି । ଏହା ନିଶ୍ଚିତ ରୂପେ ଓଡ଼ିଶାବାସୀଙ୍କ ପାଇଁ ଏକ ଉଲ୍ଳେଖନୀୟ ଉପଲବ୍ଧି । ଏହା ସମ୍ଭବ ହୋଇଛି, ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଏବଂ ଓଡ଼ିଶାବାସୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା, ବିଜୁ ଜନତା ଦଳ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧି ପ୍ରତି ଅଙ୍ଗୀକାରବଦ୍ଧତା ପାଇଁ । ଏହି ସଫଳତା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ତରଫରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଉଛି । ଏକ ପ୍ରେସ ବିଜ୍ଞପ୍ତିରେ ଏହା କହିଛନ୍ତି ବିଜେଡି ସଂପାଦକ ବିଜୟ ନାୟକ । ସେ କହିଛନ୍ତି ଯେ ନୂତନ ଶତାବ୍ଦୀର ଆରମ୍ଭରୁ ଓଡ଼ିଶାର ଏକ ନୂତନ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ଥିଲା ଓଡ଼ିଶାର ସାମଗ୍ରିକ ବିକାଶ ଏବଂ ତୃଣମୂଳ ସ୍ତରରେ ଲୋକ ସଶକ୍ତିକରଣକୁ ଆଧାର କରି ବିକାଶର ସୁଫଳ ସେମାନଙ୍କ ନିକଟରେ ପହଞ୍ଚାଇବା । ଏହି ବିକାଶର ଯାତ୍ରା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗକୁ ଆଗକୁ ଆହୁରି ଫଳପ୍ରଦ, ସଶକ୍ତ ଓ ଅର୍ଥପୂର୍ଣ୍ଣ ହେବାରେ ଲାଗିଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପକୁ ଆଜି ଦେଶ-ବିଦେଶରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହା ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର କାରଣ ହୋଇଛି । ଆଧୁନିକ ଓଡ଼ିଶାର ଇତିହାସକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ । ୨୦୦୦ ପୂର୍ବର ଓଡ଼ିଶା ଓ ୨୦୦୦ ପରର ଓଡ଼ିଶା । ୧୯୯୯ ମହାବାତ୍ୟା ପରେ ତକ୍ରାଳୀନ ସରକାରଙ୍କ ଉପରେ ଲୋକଙ୍କ ଆଶା ଭରସା ତୁଟିଯାଇଥିଲା । ସେତେବେଳକୁ ଓଡ଼ିଶାର ଅର୍ଥନୀତି ବିପର୍ଯ୍ୟସ୍ତ ଥିଲା । ଶୂନ୍ୟ ରାଜକୋଷରୁ ଓଡ଼ିଶାକୁ ଏକ ପ୍ରଗତିପଥରେ ଆଗେଇ ନେବାରେ ନବୀନ ପଟ୍ଟନାୟକଙ୍କ ସଫଳ ନେତୃତ୍ୱ ସମଗ୍ର ଭାରତବର୍ଷରେ ଉଦାହରଣ ସୃଷ୍ଟି କରିଛି । ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ଉତ୍ତରଦାୟୀ ଓ କ୍ରିୟାଶୀଳ ସରକାର ଭାବରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ସାମାଜିକ କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତିର ବିକାଶ, ମହିଳା ସଶକ୍ତିକରଣ, ଯୁବ-ଛାତ୍ର ବିକାଶ, ବିପର୍ଯ୍ୟୟ ପରିଚାଳନା ଆଦି ବିକାଶର ଯେତେସବୁ ସୂଚକାଙ୍କ ଅଛି, ସବୁଥିରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାରେ ବିଜୁ ଜନତା ଦଳ ସରକାର ଅମଳରେ ସାମାଜିକ ଓ ରାଜନୈତିକ ସ୍ଥିରତା ବଜାୟ ରହିଛି, ଯାହା ଓଡ଼ିଶାର ପ୍ରଗତିକୁ ତ୍ୱରାନ୍ୱିତ କରିପାରିଛି । ବିଜୁ ଜନତା ଦଳ ସରକାର ଚତୁର୍ଥ ପାଳିରେ କ୍ଷମତାସୀନା ହେବା ପରେ ନିର୍ବାଚନ ଇସ୍ତାହାରକୁ ସରକାରଙ୍କ ସଂକଳ୍ପ ଭାବରେ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରିବାରେ ଲାଗିଛି । ଏବଂ ସୁଖର କଥା, ଗତ ୪ବର୍ଷ ମଧ୍ୟରେ ଇସ୍ତାହାରରେ ଥିବା ସମସ୍ତ ପ୍ରତିଶ୍ରୁତିକୁ ପ୍ରାୟ ପୂରଣ କରିପାରିବା ବିଜେଡି ସରକାରଙ୍କ ବଡ଼ ସଫଳତା । ଯେତେବେଳେ ସମଗ୍ର ଭାରତବର୍ଷରେ ଅସହିଷ୍ଣୁତା, ସାମାଜିକ ବିଦ୍ୱେଷ ଓ ସାମ୍ପ୍ରଦାୟିକତା ବିଷମଞ୍ଜି ବୁଣାଚାଲିଛି, ସେତେବେଳେ ଓଡ଼ିଶା ତା’ର କୁପ୍ରଭାବରୁ ମୁକ୍ତ ରହିଛି । ବିଜେଡି ସରକାରଙ୍କ ଅମଳରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ, ପ୍ରସାର ପାଇଁ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ଓଡ଼ିଶାର ଅସ୍ମିତାକୁ ଆହୁରି ପ୍ରତିଷ୍ଠିତ କରିପାରିଛି । ସଂଘୀୟ ଗଣତନ୍ତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଐତିହାସିକ ଅବିଚାର ଓ ଅନ୍ୟାୟ ବିରୋଧରେ ତା’ର ସ୍ୱର ତୀବ୍ର ଓ ଶାଣିତ କରିବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ଯେତେବେଳେ ବି ସୁଯୋଗ ମିଳିଛି, ଓଡ଼ିଶାର ଲୋକମାନେ ବିଜୁ ଜନତା ଦଳ ପ୍ରତି ସେମାନଙ୍କ ସମର୍ଥନ ଓ ସଦିଚ୍ଛା କେବଳ ପ୍ରଦାନ କରିନାହାନ୍ତି, ବରଂ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ବିଜୁ ଜନତା ଦଳ ହେଉଛି, ଓଡ଼ିଶାବାସୀଙ୍କର ଦଳ । ଓଡ଼ିଶାବାସୀଙ୍କର ସମୃଦ୍ଧି ଓ ସ୍ୱାଭିମାନ ପାଇଁ ଏହି ଦଳ ଉତ୍ସର୍ଗୀକୃତ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଦଳ ଆଗାମୀ ସମୟରେ ଲୋକଙ୍କର ସଂପୃକ୍ତି, ସହଯୋଗ ଓ ସଦିଚ୍ଛା ଆଧାରରେ ଓଡ଼ିଶାର ସେବା ଜାରି ରଖିବ ।

Share :