ନବୀନ ଓଡ଼ିଶାରେ ଆତଙ୍କବାଦର ଅଭିବୃଦ୍ଧି!

ନବୀନ ଓଡ଼ିଶାରେ ଆତଙ୍କବାଦର ଅଭିବୃଦ୍ଧି!

Share :

ଓଡ଼ିଶା ସରକାର ଭାବନ୍ତି ବୋଧହୁଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦେଲେ ଓଡ଼ିଶାବାସୀଙ୍କ ଧନଜୀବନ ସୁରକ୍ଷିତ ହୋଇଗଲା | ତେଣୁ ସରକାର ଲୋକଙ୍କ ପ୍ରତି ବିପଦ ପଡ଼ିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି | ୨୦୧୬ ଜାନୁଆରୀ ୨୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ଥିବା ଏକ ହୋଟେଲରୁ ୪ ଜଣ ସନ୍ଦିଗ୍ଧ ବିଦେଶୀ ଆତଙ୍କବାଦୀ ଖସିଯିବାର ତୁରନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି | ଓଡ଼ିଶାର ଗୃହମନ୍ତ୍ରୀ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ରାଜ୍ୟବାସୀଙ୍କ ଧନଜୀବନର ସୁରକ୍ଷା ପାଇଁ ଏକମାତ୍ର ସେ ହିଁ ଉତ୍ତରଦାୟୀ | ଲୋକେ ବି ଏଇ ବିଶ୍ବାସରେ ଥର ଥର କରି ଚାରି ଥର ତାଙ୍କୁ ଭୋଟ ଦେଲେଣି | କିନ୍ତୁ ସେ ଏତେ ଦକ୍ଷତାର ସହିତ ରାଜ୍ୟ ଶାସନ କରୁଛନ୍ତି ଯେ ରାଜ୍ୟରେ ସବୁ ପ୍ରକାର ଉଗ୍ରବାଦ ପାଇଁ ବାଟ ଖୋଲି ଯାଇଛି | ସରକାରଙ୍କ ଉଦାସୀନତା ଓ ଅପାରଗତା ଯୋଗୁଁ ଓଡ଼ିଶାବାସୀଙ୍କ ପ୍ରତି ବାମପନ୍ଥୀ ଉଗ୍ରବାଦ, ଦକ୍ଷିଣପନ୍ଥୀ ହିନ୍ଦୁତ୍ବବାଦ ଓ ଅନ୍ତର୍ଜାତୀୟ ଇସ୍ଲାମୀୟ ଆତଙ୍କବାଦ-ସବୁ ପ୍ରକାର ଉଗ୍ରବାଦର ଆଶଙ୍କା ବୃଦ୍ଧି ପାଇଛି | ଓଡ଼ିଶାରେ ବାମପନ୍ଥୀ ଉଗ୍ରବାଦ ନବୀନଙ୍କ ପୂର୍ବରୁ ଥିଲା | ସେ ଏହାକୁ ଉତ୍ତରାଧିକାର ସୂତ୍ରରେ ପାଇଥିଲେ | ତାଙ୍କ ବାପା ବିଜୁବାବୁ ’ମୁଁ ହେଉଛି ପ୍ରଥମ ନକ୍ସଲ’ ବୋଲି କହିବା ଓ ଆଦିବାସୀ ଅଂଚଳରେ ମଦ ପ୍ରସାରଣ ନିଷିଦ୍ଧ କରିବା ସହିତ ବନବାସୀଙ୍କର ସ୍ଥାୟୀ ଥଇଥାନ ପାଇଁ ବହୁ ପ୍ରକାର ପଦକ୍ଷେପ ନେଇ ନକ୍ସଲ କାର୍ଯ୍ୟକଳାପକୁ ନିୟନ୍ତ୍ରଣକୁ ଆଣିଥିଲେ | କିନ୍ତୁ ତାଙ୍କ ପୂର୍ବରୁ ଓ ପରେ ଏହା ଏକ ବଡ଼ ଧରଣର ବିପଦ ଭାବେ ଦେଖାଦେଇଛି | ତେବେ ତାଙ୍କରି ଶାସନ ସମୟରେ ପ୍ରକାଶ ମିଶ୍ର ପୁଲିସ ଡିଜି ଥିଲାବେଳେ ତାଙ୍କର କୌଶଳ ଓ ଉଦ୍ୟମ ଯୋଗୁଁ ବାମପନ୍ଥୀ ଉଗ୍ରବାଦୀ କାର୍ଯ୍ୟକଳାପ ଅନେକ ମାତ୍ରାରେ ହ୍ରାସ ପାଇଥିଲା | କିନ୍ତୁ ଆକ୍ରୋଶମୂଳକ ଭାବେ ତାଙ୍କୁ ଡିଜି ପଦରୁ ତଡ଼ିବା ପରେ ଦୁଇ ବର୍ଷ ଭିତରେ ଦୁଇ ଜଣଙ୍କୁ ଏହି ପଦ ମିଳିଲାଣି | ଇତିମଧ୍ୟରେ ବାମପନ୍ଥୀ ଉଗ୍ରବାଦ ଓଡ଼ିଶା ପାଇଁ ଏକ ଚାଲେଂଜ ହୋଇଛି ବୋଲି ନିଜେ ମୁଖ୍ୟମନ୍ତ୍ରୀ ସ୍ବୀକାର କରିଛନ୍ତି | ତାଙ୍କ ଶାସନର ପ୍ରଥମ ୧୦ ବର୍ଷ ଭିତରେ ସେ ଯାହାଙ୍କ ପ୍ରଦର୍ଶୀତ ମାର୍ଗରେ ବାଟ ଚାଲୁଥିଲେ ତାଙ୍କର ନକ୍ସଲ ନେତା ସବ୍ୟସାଚୀ ପଣ୍ଡା ଓ ନକ୍ସଲ ସମର୍ଥକ ଦଣ୍ଡପାଣି ମହାନ୍ତିଙ୍କ ସହିତ ଘନିଷ୍ଟ ସଂପର୍କ ଥିଲା | ଏ ବିଷୟ ସେତେବେଳେ ରାଜନୀତି ଓ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ଥିଲା | ଏପରିକି ନିର୍ବାଚନରେ ଜିତିବା ପାଇଁ ବିଜୁ ଜନତା ଦଳ ଏବଂ ସରକାର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ନକ୍ସଲଙ୍କ ସହାୟତା ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା | ସବ୍ୟସାଚୀ ଓ ଦଣ୍ଡପାଣୀଙ୍କ ପ୍ରତି ରାଜ୍ୟ ପୁଲିସ ପ୍ରଶାସନର କୋହଳ ଆଭିମୁଖ୍ୟରୁ ମଧ୍ୟ ଏହି ସଂକେତ ମିଳେ | ଶାସନର ପ୍ରଥମ ୯ ବର୍ଷ ନବୀନ ଦକ୍ଷିଣପନ୍ଥୀ ହିନ୍ଦୁତ୍ବବାଦୀ ରାଜନୀତି କରୁଥିବା ଭାରତୀୟ ଜନତା ପାର୍ଟିକୁ ସାଥୀ କରିଥିଲେ | ବିଜେପିର କେତେକ ନେତାଙ୍କ ଅଭିଯୋଗ ଅନୁଯାୟୀ ବିଜେପିର ଆର୍ଥିକ ସହାୟତାରେ ହିଁ ବିଜୁ ଜନତା ଦଳ ଗଠିତ ହୋଇଥିଲା | ନବୀନ ସରକାରର ଭାଗିଦାର ଥିବା ବିଜେପି ୨୦୦୦-୦୯ ମଧ୍ୟରେ କେତେକ ସମ୍ବେଦନଶୀଳ ଅଂଚଳରେ ସଂଗଠନ ଶାଖା ମେଲିବାକୁ ସୁଯୋଗ ପାଇଥିଲା | ଏହି ସମୟରେ ବିଶେଷକରି ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ରାଜ୍ୟର କେତେକ ଅଂଚଳରେ ଅଧିକ ଶକ୍ତିଶାଳୀ ହୋଇଥିଲା ଓ ଏହାର ନିଦର୍ଶନ ଦେଖିବାକୁ ମିଳିଲା ୨୦୦୮ ମସିହାରେ ପ୍ରାୟୋଜିତ ହୋଇଥିବା କନ୍ଧମାଳ ଦଙ୍ଗାରେ | ଏହି ଦଙ୍ଗାରେ ମୌଳବାଦୀ ହିନ୍ଦୁ ଶକ୍ତିଙ୍କ ଆକ୍ରମଣରେ ଅନେକ ନିରୀହ ଖୀରସ୍ତାନ ଆଦିବାସୀ ନିହତ ହୋଇଥିଲେ | ଏବେ ଓଡ଼ିଶା ପ୍ରତି ମୌଳବାଦୀ ଇସ୍ଲାମୀ ଉଗ୍ରବାଦର ବିପଦ ଆଶଙ୍କା ବୃଦ୍ଧି ପାଇଛି | ଗତ କିଛି ଦିନ ତଳେ କଟକ ଜିଲ୍ଲା ଟାଙ୍ଗି ଅଂଚଳରୁ ଅବ୍ଦୁଲ ରହମାନ ନାମକ ଜଣେ ମୁସଲିମ ଯୁବକଙ୍କୁ ଗିରଫ କରାଯାଇଥିଲା | ଦିଲ୍ଲୀ ପୁଲିସ ଓ ଜାତୀୟ ଗୁଇନ୍ଦା ତଦନ୍ତରୁ ଜଣାପଡ଼ିଲା ଯେ ଦୁର୍ଦ୍ଧଷ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ସହିତ ଅବ୍ଦୁଲ ରହମାନ ଘନିଷ୍ଟ ଭାବେ ଜଡ଼ିତ | ସେ ଏହ ସଂଗଠନ ପାଇଁ ଆତ୍ମଘାତୀ ସଦସ୍ୟ ଯୋଗାଡ଼ କରୁଥିଲା | ଏହି ଉଦ୍ଦେଶ୍ୟରେ ସେ ଟାଙ୍ଗି ଅଂଚଳରେ ଏକ ମଦ୍ରାସା ଚଳାଇଥିଲା | ସେଥିରେ ଝାଡ଼ଖଣ୍ଡର ଅନେକ ଗରିବ ମୁସଲମାନ ପିଲା ପଢ଼ୁଥିଲେ | ସେମାନଙ୍କୁ ମାଗଣାରେ ରହିବାକୁ ଓ ଖାଇବାକୁ ମିଳୁଥିଲା | ରହମାନ ସହିତ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକର କେତେ ଜଣ ଇସ୍ଲାମୀ ଆତଙ୍କବାଦୀଙ୍କ ସଂପର୍କ ଥିଲା | ଏଭଳି ଜଣେ ଆତଙ୍କବାଦୀ ଜାତୀୟ ରାଜପଥ କଡ଼ରେ ଜନାକୀର୍ଣ୍ଣ କଟକ ଜିଲ୍ଲାର ଟାଙ୍ଗି ପରି ଚଳଚଳଂଚଳ ବଜାର ନିକଟରେ ୭-୮ ବର୍ଷ ଧରି ନିରାପଦରେ ନିଜର ନେଟଉଆର୍କ ଚଳାଇବା ନିଶ୍ଚୟ ରାଜ୍ୟ ଶାସନର ସଫଳତା ନୁହେଁ | କେବଳ ଏତିକି ନୁହେଁ, ଏଇ ଦୁଇ ଦିନ ତଳେ ଭୁବନେଶ୍ବର ପାସପୋର୍ଟ ଅଫିସରେ ପାସପୋର୍ଟ ଦରଖାସ୍ତ କରୁଥିବାବେଳେ ବସିର ନାମରେ ଜଣେ ଅବୈଧ ବାଂଲାଦେଶୀ ଯୁବକ ଧରାପଡ଼ିଥିଲା | ପାସପୋର୍ଟ ଅଫିସର କର୍ମଚାରୀମାନେ ତାକୁ ସନ୍ଦେହରେ କାବୁ କରି ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଥିଲେ | ପୁଲିସ ତଦନ୍ତରୁ ଜଣାପଡ଼ିଲାଣି ଯେ ବସିର ମଧ୍ୟ ୬-୭ ବର୍ଷ ହେବ ଓଡ଼ିଶାରେ ଆସି ନିରାପଦରେ ବସବାସ କରୁଛି | ସେ ପୁଣ ଏକା ନୁହେଁ, ତା’ ସହିତ ଆହୁରି ଅନେକ ଅବୈଧ ଅନୁପ୍ରବେଶକାରୀ ବାଂଲାଦେଶୀ ଓଡ଼ିଶାରେ ଅଛନ୍ତି | ସେମାନେ ଓଡ଼ିଶାର ଉପକୂଳିଆ ସନ୍ତସନ୍ତିଆ ଅଂଚଳ ଅକ୍ତିଆର କରିବା ପରେ କଟକ, ଭୁବନେଶ୍ବର ପରି ସହରରେ ମଧ୍ୟ ଆଡ୍ଡା ଜମେଇଲେଣି | ଅବୈଧ ବାଂଲାଦେଶୀଙ୍କୁ ଚିହ୍ନଟ କରି ସ୍ବଦେଶ ପଠାଇବାକୁ କେନ୍ଦ୍ର ସରକାର ପ୍ରାୟ ୧୦ ବର୍ଷ ତଳେ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ | ସେହି ଅନୁସାରେ ରାଜ୍ୟ ସରକାର ମଧ୍ୟ ପ୍ରାୟ ୧.୫ ହଜାର ବାଂଲାଦେଶୀଙ୍କୁ ଚିହ୍ନଟ କରିଥିଲେ | କିନ୍ତୁ ସେତେବେଳେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ସଦସ୍ୟ ଥିବା ବିଜେପି ନେତା ଅରବିନ୍ଦ ଢାଲି ମୁଖ୍ୟମନ୍ତ୍ରୀଙ୍କୁ ବୁଝେଇଶୁଝେଇ ଏହା କରାଇ ଦେଇନଥିଲେ | ପରେ ନିଜେ ନବୀନବାବୁ ଅରବିନ୍ଦ ଢାଲିଙ୍କୁ ବିଜେପିରୁ ଆଣି ବିଜେଡି ଟିକେଟ ଦେଇ ବିଧାୟକ କରାଇଲେ | ଢାଲି ଆସିଥିଲେ ମାଲକାନଗିରିରୁ, ନବୀନ ତାଙ୍କୁ ଭୁବନେଶ୍ବର ନିକଟସ୍ଥ ଜୟଦେବ ନିର୍ବାଚନ ମଣ୍ଡଳୀ ଦାନ କଲେ | ଏହା ପରେ  ଭୁବନେଶ୍ବର ସହରରେ ବାଂଲାଦେଶୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି | ସଦ୍ୟତମ ଉଦାହରଣ ହେଲା ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଥିବା ଏକ ହୋଟେଲରୁ ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଖସି ପଳାଇବା ଘଟଣା | ସେମାନେ ଏକ ଫୋର୍ଡ଼ ଆଇକନୋ ଗାଡ଼ିରେ ଜାଲ ନମ୍ବର ପ୍ଲେଟ ଲଗାଇ ଆର୍ଯ୍ୟ ମହଲ ହୋଟେଲକୁ ଆସି ଦୁଇଟି ରୁମ ମାଗିଥିଲେ | ସେମାନ ଇରାକରୁ ଆସିଛନ୍ତି ବୋଲି କହିଥିଲେ | କିନ୍ତୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ହେବାରୁ ସେମାନ ପରିଚୟପତ୍ର ମାଗିଥିଲେ | ସନ୍ଦିଗ୍ଧ ଯୁବକମାନେ ପରିଚୟପତ୍ର ଦେବ ପରିବର୍ତ୍ତେ ତୁରନ୍ତ ଫେରାର ହୋଇଯାଇଥିଲେ | ରାଜ୍ୟରେ ଯଦି ପୁଲିସ ଶାସନ ଠିକ ଭାବରେ ଅପରାଧ ନିୟନ୍ତ୍ରଣ କରୁଥାନ୍ତା ତେବେ ଓଡ଼ିଶାକୁ ଉଗ୍ରବାଦୀମାନେ ନିରାପଦ ଚରାଭୂଇଁରେ ପରିଣତ କରିପାରିଥାନ୍ତେ କି?

Share :