କ’ଣ ହୋଇପାରେ ବିଜେପିର କର୍ଣ୍ଣାଟକ ଫର୍ମୁଲା?

କ’ଣ ହୋଇପାରେ ବିଜେପିର କର୍ଣ୍ଣାଟକ ଫର୍ମୁଲା?

Share :

ନିର୍ବାଚନ ପରେ କଂଗ୍ରେସ ଓ ଜେଡିଏସ ମଧ୍ୟରେ ହୋଇଥିବା ବୁଝାମଣାକୁ ଗଣତନ୍ତ୍ରର ହତ୍ୟା ଓ ଅନୈତିକ ବୋଲି ସମାଲୋଚନା କରିଥିବା ଭାରତୀୟ ଜନତା ପାର୍ଟି ଏବେ ଠିକ ଏଇ କାମ କରି ୟେଦୁରାପ୍ପାଙ୍କ ସରକାରକୁ ବଂଚାଇବାକୁ ଉଦ୍ୟମ ଚଳାଇଛି । କର୍ଣ୍ଣାଟକ ବିଧାନସଭାରେ ଦଳର ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ ଅନ୍ୟ ଦଳର ବିଧାୟକଙ୍କୁ କୌଣସି ପ୍ରକାରେ ନିଜ ପଟକୁ ଆଣିବା ପାଇଁ ଯୋଜନା ଚାଲିଛି । ବିଧାନସଭାରେ ମୋଟ ୨୨୪ ଆସନ ମଧ୍ୟରୁ ୨ଟି ଆସନ ପାଇଁ ନିର୍ବାଚନ ହୋଇନଥିଲା । ତେଣୁ ଏବେ ବିଧାନସଭାର ସଦସ୍ୟ ସଂଖ୍ୟା ହେଉଛି ୨୨୨ । ଜଣେ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ନିୟମ ଅନୁସାରେ ସେ ଭୋଟ ଦେବେ ନାହିଁ । କେବଳ ଭୋଟ ଫଳାଫଳ ଟାଇ ହେଲେ ସେ ଭୋଟ ଦେବେ । ଏହି ଦୃଷ୍ଟିରୁ ୟେଦୁରାପ୍ପା ଆସ୍ଥା ଭୋଟ ଜିତିବା ପାଇଁ ଅତି କମରେ ୧୧୧ ସଦସ୍ୟଙ୍କ ସମର୍ଥନ ଦରକାର କରନ୍ତି । ଦଳର ସଦସ୍ୟ ସଂଖ୍ୟା ୧୦୪ । ସେଥିରୁ ବୋପାୟହ ଅସ୍ଥାୟୀ ବାଚସ୍ପତି ହୋଇଥିବାରୁ ଦଳର ସଦସ୍ୟ ସଂଖ୍ୟା ୧୦୩କୁ ଖସି ଆସିଛି । ଆସ୍ଥା ପ୍ରମାଣ ପାଇଁ ଆହୁରି ୮ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏହି ୮ ସଦସ୍ୟ କେଉଁ ଦଳରୁ ଆସିବେ? ଏବେ ଚିନ୍ତା ଘାରିଛି ବିଜେପି ନେତାମାନଙ୍କୁ । ସେମାନେ ଉଭୟ କଂଗ୍ରେସ ଓ ଜେଡିଏସ ବିଧାୟକମାନଙ୍କୁ ବିଭିନ୍ନ କୌଶଳରେ ପ୍ରଲୁବ୍ଧ କରୁଛନ୍ତି ବା ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜରିଆରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହେଉଛି । ୟେଦୁରାପ୍ପାଙ୍କୁ ଭୋଟ ଦେବା ପାଇଁ ବିଜେପି ନେତା ତଥା ବେଲାରି ଖଣି ଦୁର୍ନୀତି ଅଭିଯୁକ୍ତ କେ. ଜନାର୍ଦ୍ଦନ ରେଡ୍ଡି ରାଇଚୁର ଗ୍ରାମ୍ୟ ଆସନର କଂଗ୍ରେସ ବିଧାୟକ ବାସନଗୌଡ଼ା ଦଦ୍ଦାଲାଙ୍କୁ ଫୋନ କରି ପ୍ରଲୁବ୍ଧ କରିବାକୁ ଚେଷ୍ଟା କରିଥିବା ନେଇ ଏକ ଅଡିଓ ଟେପ ଜାରି ହୋଇଛି । ଏହି ଟେପ୍ରେ ଜନାର୍ଦ୍ଦନ ରେଡ୍ଡି କହୁଛନ୍ତି ଯେ ସେ ତାଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସହିତ ସିଧାସଳଖ ସାକ୍ଷାତ କରାଇଦେବେ । ସେ ଯାହା ହରାଇବେ ତାହାଠାରୁ ଶହେ ଗୁଣ ଅଧିକ ତାଙ୍କୁ ମିଳିବ । ଏହି ଟେପ୍ ସର୍ବସାଧାରଣରେ ପ୍ରକାଶ କରିଛନ୍ତି କଂଗ୍ରେସ ଏମଏଲସି ଭିଏସ ଉଗ୍ରପ୍ପା । ସେହିପରି ହାଇଦ୍ରାବାଦ ଯାଉଥିବାବେଳେ ବାଟରୁ ନିଖୋଜ ହୋଇଯାଇଛନ୍ତି କଂଗ୍ରେସ ବିଧାୟକ ଆନନ୍ଦ ସିଂହ । ତାଙ୍କୁ ବିଜେପି ଅପହରଣ କରିନେଇଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା । ଏହିପରି କୌଶଳରେ ଯଦି ଆବଶ୍ୟକ ୮ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଜେପି ବିଫଳ ହୁଏ ତେବେ ପ୍ରୋଟେମ ବାଚସ୍ପତିଙ୍କ ଜରିଆରେ ହେଉ ବା ଅନ୍ୟ କୌଶଳରେ ଅତି କମରେ ୧୬ ବିଧାୟକଙ୍କୁ ଆସ୍ଥା ଭୋଟରେ ଭାଗ ନେବାରୁ ଅଟକାଇବାକୁ ଚେଷ୍ଟା ହୋଇପାରେ । ଭୋଟ ଦେବାକୁ ଥିôବା ୨୨୧ ବିଧାୟକଙ୍କ ମଧ୍ୟରୁ ୧୬ ଜଣ ଅନୁପସ୍ଥିତ ରହିଲେ ବା ଅଯୋଗ୍ୟ ଘୋଷିତ ହେଲେ ୨୦୫ ବିଧାୟକଙ୍କ ଭିତରେ ୧୦୩ ବିଧାୟକ ସଂଖ୍ୟାଗରିଷ୍ଠ ଭାବେ ଗଣା ହେବେ । ଏହି ସଂଖ୍ୟା ବିଜେପି ନିକଟରେ ଅଛି । ଯଦି କଂଗ୍ରେସ ଓ ଜେଡିଏସର କେତେକ ବିଧାୟକଙ୍କୁ ବିଜେପି ପଟକୁ ଆଣିବାରେ ସଫଳ ହୁଏ ତେବେ ସେହି ଅନୁସାରେ ଅନୁପସ୍ଥିତ ରହିବା ବିଧାୟକଙ୍କ ସଂଖ୍ୟା କମିଯାଇ ପାରେ । ସେହିପରି କଂଗ୍ରେସ ଓ ଜେଡିଏସର କେତେ ଜଣ ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ମଧ୍ୟ ପ୍ରଲୋଭିତ କରାଯାଉଥିବା ଅଭିଯୋଗ ହେଉଛି । ସେମାନେ ବିଧାୟକ ଭାବେ ୫ ବର୍ଷରେ ଯାହା ଫାଇଦା ପାଇଥାନ୍ତେ ତାହାର କେଇ ଗୁଣ ଅଧିକ ଟଙ୍କା ନେଇ ଇସ୍ତଫା ଦେଲେ ପରେ ସେମାନଙ୍କୁ ବିଜେପି ଟିକେଟରେ ବିଧାନସଭାକୁ ଜିତାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ ବିଧାନସଭାରେ ଏବେ ବିଜେପିର ୧୦୪, କଂଗ୍ରେସର ୭୮, ଜେଡିଏସର ୩୭, ବହୁଜନ ସମାଜ ପାର୍ଟିର ୧ ଏବଂ ଅନ୍ୟାନ୍ୟ ଦଳର ୨ ସଦସ୍ୟ ଅଛନ୍ତି । ସିଦ୍ଦରାମେୟଙ୍କ ଦୃଢ଼ୋକ୍ତି ହେଲା ବିଜେପି ବ୍ୟତିତ ଅନ୍ୟ ୧୧୮ ସଦସ୍ୟ ଗୋଟିଏ ପଟରେ ଅଛନ୍ତି । ସେମାନେ ସମସ୍ତେ ୟେଦୁରାପ୍ପାଙ୍କ ବିରୋଧରେ ଭୋଟ ଦେବେ ।

Share :