କର୍ଣ୍ଣାଟକରେ ଆସ୍ଥା ଭୋଟ ଆଜି

କର୍ଣ୍ଣାଟକରେ ଆସ୍ଥା ଭୋଟ ଆଜି

Share :

ଆସନ୍ତାକାଲି ଶନିବାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରାପ୍ପା । ସୁପ୍ରିମ କୋର୍ଟ ଏହି ନିର୍ଦ୍ଦେଶ ଦେବା ପରେ ଭାରତୀୟ ଜନତା ପାର୍ଟି କିଛି ଅଧକ ସମୟ ମାଗିଥିଲେ ବି କୋର୍ଟ ତାହାକୁ ଖାରଜ କରିଦେଇଛନ୍ତି । ସେହିପରି ଆସ୍ଥା ପ୍ରମାଣ ପାଇଁ ଗୁପ୍ତ ଭୋଟ ପଦ୍ଧତି ପ୍ରୟୋଗ କରିବାକୁ ବିଜେପି କରିଥିବା ଆବେଦନକୁ ମଧ୍ୟ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ପୂର୍ବରୁ ଏପରି କେବେ ହୋଇନାହିଁ । ମୁଖ୍ୟମନ୍ତ୍ରୀ ଭାବେ ଆସ୍ଥା ପ୍ରମାଣ ଦେବାକୁ କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଗୋଟିଏ ସପ୍ତାହ ସମୟ ମାଗିଥିଲେ ବିଜେପି ବିଧାୟକ ଦଳ ନେତା ବିଏସ ୟେଦୁରାପ୍ପା । କିନ୍ତୁ ତାଙ୍କୁ ଦୁଇ ସପ୍ତାହ ସମୟ ଦେଇଥିଲେ ରାଜ୍ୟପାଳ ବାଜୁଭାଇ ବାଲା । ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ । କୋର୍ଟ ମେ ୧୬ ତାରିଖ ରାତି ୩ଟା ଯାଏଁ ଶୁଣାଣି କରିଥିଲେ ବି ୟେଦୁରାପ୍ପାଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରି ନଥିଲେ । କିନ୍ତୁ ମେ ୧୮ ତାରିଖ ଶୁଣାଣି ଅବସରରେ ରାଜ୍ୟପାଳଙ୍କ ୧୫ ଦିନର ମହଲତକୁ କୋର୍ଟ ମାତ୍ର ଦୁଇ ଦିନକୁ କମାଇ ଦେଇଥିଲେ । କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଶନିବାର ଅପରାହ୍ନ ୪ ଘଣ୍ଟା ଭିତରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଅ । ଏହା ସହିତ ସୁପ୍ରିମ କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆସ୍ଥା ଭୋଟ ଯାଏଁ ୟେୁଦରାପ୍ପା କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ । ବିଧାନସଭାକୁ ଆଙ୍ଗେ୍ଲା ଭାରତୀୟ ସଂପ୍ରଦାୟରୁ ଜଣଙ୍କୁ ବିଧାୟକ ଭାବେ ମନୋନୀତ କରାଯାଇଥିବା ନିଷ୍ପତ୍ତିକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୟେଦୁରାପ୍ପାଙ୍କ ସୁପାରିଶ କ୍ରମେ ରାଜ୍ୟପାଳ ଏହି ମନୋନୟନ କରିଥିଲେ । ସେହିପରି ସଂଖ୍ୟାଗରିଷ୍ଠତା ନଥିବା ସତ୍ତେ୍ୱ ୟେଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି କରିବା ପାଇଁ ରାଜ୍ୟପାଳ ନେଇଥିବା ନିଷ୍ପତ୍ତି ସଂପର୍କରେ ମଧ୍ୟ କୋର୍ଟ ଶୁଣାଣି କରିବେ ବୋଲି ରାୟ ଦେଇଛନ୍ତି । ଆଉ ୧୦ ସପ୍ତାହ ପରେ ରାଜ୍ୟପାଳଙ୍କ ଭୂମିକା ନେଇ କୋର୍ଟ ବିଚାର କରିବେ । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ୟେଦୁରାପ୍ପା କହିଛନ୍ତି ଯେ ତାଙ୍କ ନିକଟରେ ୧୦୦ ପ୍ରତିଶତ ସଂଖ୍ୟାଗରିଷ୍ଠତା ରହିଛି । ସେ ନିଶ୍ଚୟ ଜିତିବେ । ଆସନ୍ତାକାଲି ଆସ୍ଥା ଭୋଟ ପାଇଁ ଆଜି ସେ ବିଜେପି ବିଧାୟକ ଦଳର ବୈଠକରେ ରଣନୀତି ସ୍ଥିର କରିଛନ୍ତି । ତାଙ୍କ ଦଳ ନିର୍ବାଚନରେ ୧୦୪ ଆସନ ଜିତିଥିଲେ ବି ୨୨୪ ଆସନ ବିଧାନସଭାରେ ସେ କିପରି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସେଥିପାଇଁ ସେ ଘୋଡ଼ାବେପାର କରୁଛନ୍ତି ବୋଲି କଂଗ୍ରେସ ଓ ଜେଡିଏସ ଅଭିଯୋଗ କରିଛନ୍ତି । ଜେଡିଏସ ନେତା କୁମାରସ୍ୱାମୀ କହିଛନ୍ତି ଯେ ତାଙ୍କ ଦଳର ବିଧାୟକଙ୍କୁ କିଣିବା ପାଇଁ ବିଜେପି ଜଣକା ୧୦୦ କୋଟି ଟଙ୍କା ଯାଏଁ ଯାଚିଛି । ବିଜେପିର କିଣାବିକା ରାଜନୀତିକୁ ଭଣ୍ଡୁର କରିବା ପାଇଁ ଗତକାଲି ରାତିରେ କଂଗ୍ରେସ ଓ ଜେଡିଏସର ୧୧୫ ବିଧାୟକ ହାଇଦ୍ରାବାଦର ଏକ ବିଳାସପୂର୍ଣ୍ଣ ହୋଟେଲରେ ଯାଇଁ ରହିଛନ୍ତି । ସେମାନେ ପ୍ରଥମେ ବିମାନରେ ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଥିପାଇଁ ଅନୁମତି ମିଳି ନଥିଲା । ବିମାନ ବାତିଲ କରାଯାଇଥିଲା । ପରେ ସେମାନେ ତିନିଟି ବିଳାସପୂର୍ଣ୍ଣ ବସ୍ରେ ହାଇଦ୍ରାବାଦ ଯାଇ ପାର୍କ ହୟାତ ହୋଟେଲରେ ରହିଥିଲେ । ପରେ ସେଠାରୁ ସହରର ସବୁଠୁ ବଡ଼ ତାଜ କୃଷ୍ଣା ହୋଟେଲକୁ ଯାଇଥିଲେ । ଆଜି ସେଠାରେ ସେମାନଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା । ସେମାନଙ୍କୁ ଭେଟିବା ପରେ ସିଦ୍ଦରାମେୟା କହିଛନ୍ତି ଯେ ବିଧାୟକମାନେ ଆସନ୍ତାକାଲି ବିଧାନସଭାରେ ଉପସ୍ଥିତ ରହିବେ ଓ ୟେଦୁରାପ୍ପାଙ୍କ ବିରୋଧରେ ଭୋଟ ଦେବେ । ଇତିମଧ୍ୟରେ ବିଧାନସଭାର ଆସ୍ଥା ଭୋଟ ଅଧିବେଶନ ନିମନ୍ତେ ବିଜେପି ବିଧାୟକ କେଜି ବୋପାୟାହଙ୍କୁ ପ୍ରୋ-ଟେମ ବା ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ବାଜୁଭାଇ ବାଲା । ସେ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ନିଯୁକ୍ତିକୁ ନେଇ ମଧ୍ୟ ବିବାଦ ଉଠିଛି । କଂଗ୍ରେସ ଓ ଜେଡିଏସ ରାଜ୍ୟପାଳଙ୍କର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିବେ ବୋଲି ଘୋଷଣା କରିଛନ୍ତି । ପ୍ରୋଟେମମ ବାଚସ୍ପତି ପଦ ପାଇଁ କର୍ଣ୍ଣାଟକ ବିଧାନସଭା ସଚିବ ତିନି ଜଣଙ୍କ ନାମ ସୁପାରିଶ କରିଥିଲେ । ସେମାନଙ୍କ ମଧ୍ୟରୁ ରାଜ୍ୟପାଳ କାହାକୁ ନିଯୁକ୍ତ କରିନାହାନ୍ତି । ପରମ୍ପରା ଅନୁସାରେ ଗୃହର ସର୍ବବରିଷ୍ଠ ସଦସ୍ୟଙ୍କୁ ଏହି ପଦ ମିଳିଥାଏ । କର୍ଣ୍ଣାଟକ ବିଧାନସଭାର ସର୍ବବରିଷ୍ଠ ସଦସ୍ୟ ହେଲେ କଂଗ୍ରେସର ଆରଭି ଦେଶପାଣ୍ଡେ । ସେ ଅଷ୍ଟମ ଥର ପାଇଁ ବିଧାୟକ ହୋଇଛନ୍ତି । ସେହିପରୀ ସପ୍ତମ ଥର ପାଇଁ ବିଧାୟକ ହୋଇଥିବା ବିଜେପିର ଉମେଶ ଖଟ୍ଟି ଏବଂ ଷଷ୍ଠ ଥର ପାଇଁ ବିଧାୟକ ହୋଇଥିବା ବିଜେପିରେ ବିଶ୍ୱେଶ୍ୱର କାଗେରିଙ୍କୁ ନାମ ମଦ୍ୟ ସୁପାରିଶ ହୋଇଥିଲା । ପରମ୍ପରା ଅନୁସାରେ ଏମାନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରାଯିବା କଥା । କିନ୍ତୁ ରାଜ୍ୟପାଳ କେଜି ବୋପାୟହଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । ବୋପାୟହ ପୂର୍ବରୁ ୨୦୦୮ ମସିହାରେ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବେ ୟେଦୁରାପ୍ପା ସରକାରଙ୍କୁ ଅସାମ୍ବିଧାନିକ ଉପାୟରେ ସୁରକ୍ଷା ଦେଇଥିଲେ । ସେତେବେଳେ ସେ କୌଣସି ଆଇନକାନୁନ ନମାନି ୟେଦୁରାପ୍ପା ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିବା ୫ ସ୍ୱାଧୀନ ଓ ୧୧ ବିଜେପି ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରିଥିଲେ । ଏନେଇ ସୁପ୍ରିମ କୋର୍ଟରେ ମାମଲା ହେବାରୁ କୋର୍ଟ ସମସ୍ତଙ୍କର ସଭ୍ୟପଦ କାଏମ ରଖିବା ସହିତ ବାଚସ୍ପତିଙ୍କ ଭୂମିକାକୁ ଭର୍ତ୍ସନା କରିଥିଲେ । ସେହି ବୋପାୟହ ଏବେ ସେହି ୟେଦୁରାପ୍ପାଙ୍କ ଆସ୍ଥା ଭୋଟ ପ୍ରକ୍ରିୟାର ତତ୍ତ୍ୱାବଧାନ କରିବେ ।

Share :