ପଦ୍ମ ଜିତିଲେ ୩ ଓଡ଼ିଆ, ଓଡ଼ିଶା ପାଇଲା ଗୋଟେ !

ପଦ୍ମ ଜିତିଲେ ୩ ଓଡ଼ିଆ, ଓଡ଼ିଶା ପାଇଲା ଗୋଟେ !

Share :

୨୦୧୬ ଜାନୁଆରୀ ୨୬ ତାରିଖ ପୂର୍ବ ସନ୍ଧ୍ୟାରେ ପାରମ୍ପାରିକ ରୀତିରେ ଭାରତ ସରକାର ଏ ବର୍ଷର ପଦ୍ମ ପୁରସ୍କାର ଘୋଷଣା କଲେ | ଏହି ତାଲିକାରେ ତିନି ଜଣ ଓଡ଼ିଆଙ୍କ ନାମ ଥିଲା | ଏକଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣା ନଥିଲା | ତେଣୁ ସେ ତାଙ୍କ ଟୁଇଟର ମାଇକ୍ରୋ ବ୍ଲଗ ଜରିଆରେ ଦୁଇ ଜଣ ପଦ୍ମ ବିଜେତା ଓଡ଼ିଆଙ୍କୁ ଅଭିନନ୍ଦନ ଜଣାଇଲେ | ସେହି ଭାଗ୍ୟବାନ ଦୁଇ ଜଣ ଓଡ଼ିଆ ହେଲେ ନୀଳ ମାଧବ ପଣ୍ଡା ଓ ଲୋକ କବି ହଳଧର ନାଗ | ଏବର୍ଷ ଅନ୍ୟ ଜଣେ ଓଡ଼ିଆ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି | ସେ ହେଲେ ଶ୍ରୀଭଷ ଚନ୍ଦ୍ର ସୂପକାର | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହା ଜଣା ନଥିଲା | ତେଣୁ ସେ ତାଙ୍କୁ ଟୁଇଟ୍ ଜରିଆରେ ଅଭିନନ୍ଦନ ଜଣାଇ ନଥିଲେ | ଏ ବର୍ଷର ପଦ୍ମ ତାଲିକାରେ ତିନି ଜଣ ଓଡ଼ିଆଙ୍କ ନାମ ରହିବା ନିଶ୍ଚୟ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ | କିନ୍ତୁ ଏହି ଓଡ଼ିଆଙ୍କ ମଧ୍ୟରୁ ଦୁଇ ଜଣ ଅନ୍ୟ ରାଜ୍ୟର ବାସିନ୍ଦା ଭାବେ ଏହି ପୁରସ୍କାର ଲାଭ କରିବା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚୟ ଚିନ୍ତା କରିବାର ଘଟଣା | ଓଡ଼ିଶା ସରକାର ଯଦି ପଦ୍ମ ପୁରସ୍କାର ଯୋଗ୍ୟ ଓଡ଼ିଆଙ୍କ ନାମ ସୁପାରିଶ କରନ୍ତେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଥିବା ତାଙ୍କର ରାଜନୀତିକ, ଅମଲାତାନ୍ତ୍ରିକ ଓ ଗଣମାଧ୍ୟମ ରାମର୍ଶଦାତାଙ୍କ ଜରିଆରେ ଚାପ ପକାନ୍ତେ ତେବ ନିଶ୍ଚୟ ଅଧିକ ଓଡ଼ିଆ ଏହି ପୁରସ୍କାର ପାଇବା ସମ୍ଭବ ହୁଅନ୍ତା | କିନ୍ତୁ ତାଙ୍କ ସରକାର ଗତ ୧୫ ବର୍ଷ ଧରି ଅଧିକ ଯୋଗ୍ୟ ଓଡ଼ିଆଙ୍କୁ ଜାତୀୟ ସ୍ତରୀୟ ସ୍ବୀକୃତି ଓ ସମ୍ମାନ ହାସଲ କରିବା ଦିଗରେ ସହଯୋଗ ତଥା ଉଦ୍ୟମ କରିବା ଦେଖାଯାଇ ନାହିଁ | ଏ ମହାଶୟଙ୍କର ରାଜନୀତି ଓ ଗାଦୀ ସମ୍ମାଳିବାରେ ଯେତିକି ସମୟ ଯାଉଛି ସେତିକି ସମୟ ଯଦି ସେ ଓଡ଼ିଶା ଓ ଓଡ଼ିଆଙ୍କ ବିକାଶ ଉପରେ ଗୁରୁତ୍ବ ଦେଇଥାନ୍ତେ ତେବେ ଓଡ଼ିଶାର ଅଧିକ ପ୍ରତିଭାଦୀପ୍ତ ବ୍ୟକ୍ତି ଜାତୀୟ ପୁରସ୍କାର ଓ ସମ୍ମାନ ହାସଲ କରିଥାନ୍ତେ | ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଉଥିବା ତିନି ଜଣଙ୍କ ମଧ୍ୟରୁ କେବଳ ଜଣେ ଓଡ଼ିଶାର ଲୋକ ଭାବେ ଓଡ଼ିଶା ସରକାରଙ୍କ ସୁପାରିଶ କ୍ରମେ ଏହି ଗୌରବ ଲାଭ କରିଛନ୍ତି | ସେ ହେଉଛନ୍ତି ଲୋକ କବି ହଳଧର ନାଗ | ଶିକ୍ଷା ଓ ସାହିତ୍ୟ ପ୍ରତି ତାଙ୍କର ଅବଦାନ ପାଇଁ ଲୋକ କବି ନାଗଙ୍କୁ ଏହି ସମ୍ମାନ ମିଳିବ ବୋଲି ଘୋଷଣା କରାଯାଇଛି | ଭାରତ ସରକାରଙ୍କ ତରଫରୁ ପ୍ରକାଶିତ ତାଲିକାରେ ହଳଧର ନାଗଙ୍କ ନାମ ପାଖରେ ଓଡ଼ିଶା ବୋଲି ଲେଖା ଯାଇଛି | ତେଣୁ ସେ ଓଡ଼ିଶାବାସୀ ଭାବେ ଏହି ପୁରସ୍କାର ଲାଭ କରିଛନ୍ତି ବୋଲି ବିଚାର କରିବାକୁ ହେବ | କିନ୍ତୁ ଅନ୍ୟ ଦୁଇ ଜଣ ଓଡ଼ିଆଙ୍କ ପଦ୍ମ ପୁରସ୍କାର ହାସଲ ପଛରେ ଓଡ଼ିଶା ସରକାରଙ୍କର କୌଣସି ଅବଦାନ ନାହିଁ | ଚିତ୍ର ନିର୍ମାତା ଓ ପ୍ରଯୋଜକ ନୀଳ ମାଧବ ପଣ୍ଡା ଦିଲ୍ଲୀ ସରକାରଙ୍କ ସୁପାରିଶ ଓ ସମ୍ବଲପୁରୀ ବୟନ କଳାକାର ତଥା ବୁଣାକାର ଶ୍ରୀଭାଷ ଚନ୍ଦ୍ର ସୂପକାର ଉତ୍ତର ପ୍ରଦେଶର ବାସିନ୍ଦା ଭାବେ ଏହି ପୁରସ୍କାର ଲାଭ କରିଛନ୍ତି | ଶ୍ରୀଭାଷ ହେଉଛନ୍ତି ମୂଳତଃ ଜଣେ ଓଡ଼ିଆ | ତେବେ ସେ ଅନେକ ଦିନ ହେଲା ଓଡ଼ିଶା ଛାଡ଼ି ଉତ୍ତର ପ୍ରଦେଶର ବାରାଣାସୀରେ ଯାଇଁ ସ୍ଥାୟୀ ଭାବେ ବସବାସ କରୁଛନ୍ତି | ତେଣୁ ଉତ୍ତର ପ୍ରଦେଶ ସରକାର ତାଙ୍କ ନାମ ସୁପାରିଶ କରିବା ଆଦୌ ଅସ୍ବାଭାବିକ ନୁହେଁ | ଓଡ଼ିଶା ସରକାର ମଧ୍ୟ ତାଙ୍କ ନାମ ପ୍ରସ୍ତାବ ନକରିବା ପଛରେ ଏହା ଏକ ବଳିଷ୍ଠ ଯୁକ୍ତି | ମାତ୍ର, ନୀଳ ମାଧବ ପଣ୍ଡା|? ତାଙ୍କ ନାମ ତ’ ଓଡ଼ିଶା ସରକାର ସୁପାରିଶ କରିପାରିଥାନ୍ତେ ! ଓଡ଼ିଶା ସରକାରଙ୍କ ସହିତ ପୁଣି ପଣ୍ଡାଙ୍କର ଅତି ନିଘନ ସଂପର୍କ | ଆଇ ଆମ୍ କାଲାମ ପରି ଚଳଚିତ୍ର ନିର୍ମାଣ କରି ଖ୍ୟାତି ଅର୍ଜନ କରିଥିବା ନୀଳମାଧବ ବିଜୁ ଜନତା ଦଳ ଏବଂ ଓଡ଼ିଶା ସରକାରଙ୍କର ଅନେକ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଛନ୍ତି | ଶକ୍ତି ବିଭାଗ ତରଫରୁ ସେ ୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକ ପ୍ରଚାର ଫିଲ୍ମ କରିଥିଲେ | ସେଥିରେ ନାୟିକା ଥିଲେ ଅଭିନେତ୍ରୀ ଅନୁ ଚୌଧୁରୀ | ଏହି ଫିଲ୍ମର କୌଣସି ପ୍ରଭାବ ପଡ଼ିଲା ନାହିଁ | ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ ଥିବାବେଳେ ତାହା ନସଜାଡ଼ି ସଚେତନତା ଆଳରେ ଏଟଙ୍କା ହଡ଼ପ ହେଲା ବୋଲି ସେତେବେଳେ କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା | ତେବେ ସେ ଯାହା ହେଉ ନୀଳମାଧବଙ୍କ ଫିଲ୍ମ ନିର୍ମାଣ ଦକ୍ଷତା ଉପରେ କେହି ସନ୍ଦେହ ପ୍ରକାଶ କରିବା ଉଚିତ ନୁହେଁ | ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବାରୁ ତାଙ୍କୁ ଓଡ଼ିଶା ତରଫରୁ ସୁପାରିଶ କରିଥିଲେ ଓଡ଼ିଶାବାସୀ ଅଧିକ ଗୌରବାନ୍ବିତ ହୋଇଥାନ୍ତେ | ଏବର୍ଷର ପଦ୍ମ ତାଲିକାରେ ଯେଉଁ ତିନିଟି ନାମ ଉଠିଛି ସେମାନେ ସମସ୍ତେ ଓଡ଼ିଶାର ପଶ୍ଚିମାଂଚଳର ମୂଳ ବାସିନ୍ଦା | ନୀଳମାଧବ ପଣ୍ଡା ଅବିଭକ୍ତ ବଲାଙ୍ଗୀର ଓ ହଳଧର ନାଗ ଏବଂ ଶ୍ରୀଭାଷ ସୂପକାର ଅବିଭକ୍ତ ସମ୍ବଲପୁରର ମୂଳ ବାସିନ୍ଦା | ଏହା ଉପକୂଳ ତଥା ଉତ୍ତର ଓଡ଼ିଶାର ବୁଦ୍ଧିଜୀବୀଙ୍କ ମନରେ ସନ୍ଦେହ ସୃଷ୍ଟି କରିବାକୁ ଯଥେଷ୍ଟ | ଏହି ତିନି ଜଣ ପଦ୍ମ ପୁରସ୍କାର ପାଇବାକୁ ଯଥେଷ୍ଟ ଯୋଗ୍ୟ | କିନ୍ତୁ ଉତ୍ତର ଓ ପୂର୍ବ ଓଡ଼ିଶାରେ ମଧ୍ୟ ଆହୁରି ଅନେକ ବିଖ୍ୟାତ ବ୍ୟକ୍ତିତ୍ବ ଅଛନ୍ତି ଯେଉଁମାନେ ଏଯାଏଁ ଏହି ପୁରସ୍କାର ଲାଭ କରିପାରି ନାହାନ୍ତି | ମୁଖ୍ୟତଃ ଓଡ଼ିଶା ସରକାରଙ୍କ ଅବହେଳା କାରଣରୁ ଓଡ଼ିଶା ପ୍ରତିବର୍ଷ ଅଧିକ ସଂଖ୍ୟକ ପଦ୍ମ ପୁରସ୍କାର ପାଇବାରୁ ବଂଚିତ ହେଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି |

Share :