ନୂଆ ସତ୍ୟବାନ ଖୁସି, ପୁରୁଣା ଦୁଃଖୀ!

ନୂଆ ସତ୍ୟବାନ ଖୁସି, ପୁରୁଣା ଦୁଃଖୀ!

Share :

ହେମାଙ୍ଗ ପ୍ରସାଦ ରାଉଳ ଭାରତର ଆଧ୍ୟାତ୍ମିକ ଚେତନା ପୁଷ୍ଟ ଉତ୍ସବ ଆଞ୍ଚଳିକ ଭାଷା ବେଶ-ଭୂଷା ଜୀବନ ଶୈଳୀ ସହ ଜଡ଼ିତ। ଭାରତୀୟ ନାରୀଙ୍କ ସୁଖ-ସମୃଦ୍ଧି ଶ୍ରୀବୃଦ୍ଧି ପାଇଁ ପୌରାଣିକ ସଂଦେଶ ଅନନ୍ୟ। ଆମ ଉତ୍କଳୀୟ ସାଂସ୍କୃତିକ ଚେତନାର ଆଧ୍ୟାତ୍ମିକ ପର୍ବପର୍ବାଣି ମଧ୍ୟରେ ସାବତ୍ରୀ ବ୍ରତର ସ୍ଥାନ ସ୍ୱତନ୍ତ୍ର। ସ୍ତ୍ରୀମାନେ ଘରର ଶିରି। ସ୍ୱାମୀଙ୍କର ସୁଖ-ଆୟୁଷ ଓ ଉତ୍ତମ ସ୍ୱାସ୍ଥ୍ୟ ସଂପଦର ସଂଦେଶ ଦେଉଥିବା ସାବତ୍ରୀ ବ୍ରତ ସାରା ଓଡ଼ିଶାର ରମଣୀମାନେ ପାଳିବେ ଦୁଇଦିନ ପରେ ନବବଧୂର ସୀମାନ୍ତ ସିନ୍ଦୁର ହାତର କଙ୍କଣା ଅମଳିନ ରହିବା ପାଇଁ ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି ସଂକଳ୍ପ କରେଇବେ ନବବଧୂକୁ। ହାତରେ ଜଳପାତ୍ରୀ, କୁଶ, ଗୁଆ ଥୋଇ ମନ୍ତ୍ର ଗାଇବେ ସ୍ୱାମୀଙ୍କର ମଙ୍ଗଳ କାମନା କରି। ଗୃହିଣୀ ରାଣୀ ସୁନ୍ଦର ଲୁଗା ସିନ୍ଦୁର କଳାକାଚ କାଠପାନିଆ କଜ୍ୱଳ କୁଙ୍କୁମ କଳା ମାଳି ଅନୁସନ୍ଧାନର କାହିଁ ଦୁଇ ସପ୍ତାହ ଆଗରୁ ପ୍ରସ୍ତୁତି। ନୂଆ ବାହା ହୋଇଥିବା ସତ୍ୟବାନ୍ଙ୍କ ପାଇଁ ଆଜିର ସାବିତ୍ରୀ ବ୍ରତ ଟିକେ ଟେନସନ କମ୍ ପରି ମନେହୁଏ। ନୂଆ ବୋହୂ ବେଶରେ ନୂଆ ସାବିତ୍ରୀମାନେ ସାବିତ୍ରୀର ମହିମା ଶୁଣିବା ପାଇଁ ଅନେଇ ବସିଛନ୍ତି ୧୫ ତାରିଖ (ମଙ୍ଗଳବାର) ସଂକ୍ରାନ୍ତିକି। ନୂଆ ବୋହୂ ନୂଆ ସାବିତ୍ରୀଙ୍କ ପାଇଁ ଏଥରର ସାବିତ୍ରୀ ବ୍ରତ ଏକ ଚମତ୍କାର ସୁଯୋଗ ଓ ସଂଯୋଗ। ନୂଆ ସାବିତ୍ରୀଙ୍କ ପାଇଁ ନୂଆ ସତ୍ୟବାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼େନା। ବ୍ରତ ପାଇଁ ସବୁ କିଛି ଜିନିଷ ଶ୍ବଶୁରଙ୍କ ଘରୁ ଚାଲିଆସେ। କିନ୍ତୁ ସିନିୟର ସତ୍ୟବାନଙ୍କୁ ଟିକେ ଅଡ଼ୁଆ। ଆଜିକାଲିର ସାବିତ୍ରୀଙ୍କ ରୁଚି ଯେମିତି ଭିନ୍ନ ପ୍ରତିଯୋଗିତାର ରଙ୍ଗ ସେମିତି ଅନନ୍ୟ। ଏମିତିରେ ସିନିୟର ସତ୍ୟବାନଙ୍କ ପକେଟ ଖାଲି ହେବା ନିଶ୍ଚିତ। ସାବିତ୍ରୀମାନେ ସିନିୟର ସ୍ୱାମୀଙ୍କୁ କୌଣସି ସିରିୟଲର ନାୟିକାର ଶାଢ଼ୀ ପରି ଚମକିବାକୁ ଏସି ଶାଢ଼ୀ ଦୋକାନ ଯିବା ପାଇଁ ସମୟ ଓ ଦର ଧାର୍ଯ୍ୟ କରିଥାନ୍ତି। ଦୋକାନୀବାଲା ବିଜ୍ଞାପନ ଖର୍ଚ୍ଚ ସହ ଲାଭ ପାଇଁ ଆତିଥ୍ୟ ନେଇ ଦୁଆର ମୁହଁରେ ଭାରତୀୟ ସଂସ୍କୃତିର ଢ଼ାଞ୍ଚାରେ ଯୋଡ଼ ହସ୍ତରେ ଦଣ୍ଡାୟମାନ। ଶାଢ଼ୀକିଣି ଏସି ରୁମ୍ରୁ ପଲିଥିନ୍ ଜରି ଲୁଗା ଧରି ଗାର୍ଡ଼କୁ ରସିଦ ଦେଇ ଫଳ ଦୋକାନୀ ମୁହଁରେ ସୁନ୍ଦରୀ ଆମ୍ୱର ବ୍ରହ୍ମପୁର ଭାଉ ଦେଖି ସତ୍ୟବାନ୍ଙ୍କ ମୁହଁ ଆମ୍ୱିଳା। ଆମ୍ୱ କିଲୋ ୮୦/-, ପଣସ ଗୋଟା ୩୦୦/-, କାକୁଡ଼ି କିଲୋ ୧୦୦/-, ତାଳ କୋଳ ୧୦/-, ଖଜୁରୀ ପେନ୍ଥା ୨୫/-, ଆଶ୍ଚର୍ଯ୍ୟର ବିଷୟ ପ୍ରଥମଥର ପାଇଁ କଦଳୀ ମଧ୍ୟ କିଲୋ ୧୦୦ ଟଙ୍କାରେ ବିକ୍ରି, ତଳକୁ ତଳ ଅଙ୍ଗୁର, କମଳା, ସେଓ, ନଡ଼ିଆ, ଲିଚି ଚେରି ଏସବୁକୁ ହିସାବ କଲାବେଳକୁ ମୋଦି ଜମାନାର ଗୋଲାପି ୨୦୦୦/- ଟଙ୍କା ନିଅଣ୍ଟ ହେବା ପ୍ରାୟ ସୁନିଶ୍ଚିତ। ଯାହା ହେଉ ସାବିତ୍ରୀ ବ୍ରତ ରେଶମ୍ ନଗରୀରେ ପାଳନ ହେବ ହିଁ ହେବ। ସାବିତ୍ରୀମାନେ ଉଚ୍ଛନ୍ନ ହେବେ। ଶିଳ-ଶିଳୁପା ଦର ଆକାଶରେ ଉଡ଼ିଲେ ମଧ୍ୟ ସାବିତ୍ରୀଙ୍କ ଘରେ ଶିଳ-ଶିଳୁପା ଉପରେ ନୂଆ ବସ୍ତ୍ର, ହଳଦୀ, ଅଳଙ୍କାର ପିନ୍ଧି ସାବିତ୍ରୀମାନେ ନିଜ ନିଜ ସ୍ୱାମୀଙ୍କୁ ସତ୍ୟବାନ୍ଙ୍କ ପରି ଦୀର୍ଘାୟୁ କାମନା କରି ବନ୍ଦନା କରିବେ। ପୂଜା ସରିଲେ ପାଦଛୁଇଁ ମୁଣ୍ଡିଆ ମାରି ମୁଗ ଧୂଆ ସହ ନଡ଼ିଆ କୋର, ତାଳ, ଆମ୍ୱ, ପଣସ ଟିକେ ସତ୍ୟବାନଙ୍କ ତୁଣ୍ଡରେ ଦେଇ ସେବନ କରିବାକୁ ମନ ବଳେଇବେ। ପାଦରେ ଅଳତା ଦେହରେ ହଳଦୀ ସିମନ୍ତରେ ସିନ୍ଦୁୁର, ବେକରେ କଳାମାଳି, ଦେହକୁ ଶାଢ଼ୀରେ ସଜେଇ ଆଧୁନିକ ସୋସିଆଲ୍ ମିଡ଼ିଆରେ ପତିବ୍ରତାର ଅମଳୀନ ସ୍ୱାକ୍ଷର ଦେଇ ସେଲ୍ଫି ଫଟୋ ଉଠେଇ ଦେଶରୁ ଦେଶାନ୍ତର ଯାଏଁ ସତ୍ୟବାନ ବ୍ରତର ସଂଦେଶ ଦେବେ। ଆଧୁନିକ ଆଭିଜାତ୍ୟ ଜୀବନ ଶୈଳୀର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅମଳିନ ରୁଚିପୂର୍ଣ୍ଣ ସଂଦେଶ ସାବିତ୍ରୀବ୍ରତ। ଦାମ୍ପତ୍ୟ ଜୀବନର ସମୃଦ୍ଧମୟ କାହାଣୀ ସାବିତ୍ରୀ ବ୍ରତ ସୂଚାଇ ଦିଏ। ସ୍ୱାମୀ ଭାବରେ ଥାଉ ବା ଅଭାବରେ ସାବିତ୍ରୀର ମନ ରଖିବା ପାଇଁ ନିଜେ ବି ବନ୍ଧା ପଡ଼ିଯିବାକୁ ଏକରକମ ବାଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ୱାମୀ ପ୍ରତି ପତିବ୍ରତା ଧର୍ମର ଏକ ବଳି ଚରିତ୍ର ସାବିତ୍ରୀ। ସାବିତ୍ରୀର ପ୍ରତି ସତ୍ୟବାନଙ୍କ ଉତ୍ତର ଦାୟିତ୍ୱ ରହିବା ସହ ମନ ସହ ମନ ପ୍ରାଣ ସହ ପ୍ରାଣ ହୃଦୟ ସହ ହୃଦୟ ମିଶିଗଲେ ଘର ହେବ ସ୍ୱର୍ଗ ଓ ସାବିତ୍ରୀ ବ୍ରତ ହେବ ସାର୍ଥକ। ଆଜିର ସମୟରେ ସାବିତ୍ରୀ ବ୍ରତ ଆମ ପାଇଁ ଶକ୍ତିର ଆଧାରା ଆମ ସଂସ୍କୃତିରେ ନାରୀଙ୍କ ପତିବ୍ରତ ଧର୍ମ ଯେପରି ଶିକ୍ଷାଦିଏ ସ୍ୱାମୀମାନଙ୍କ ପ୍ରତି ସ୍ତ୍ରୀଙ୍କ ତ୍ୟାଗ, ସମର୍ପଣ, ସହିଷ୍ଣୁତା, ବିଶ୍ୱସନୀୟତାର ପ୍ରତୀକ। ସତ୍ୟବାନଙ୍କୁ ମୃତ୍ୟୁମୁଖରୁ କେବଳ ସାବିତ୍ରୀ ବିଚାର ନଥିଲେ ବରଂ ସତ୍ୟବାନଙ୍କ ପ୍ରତି ଧୈର୍ଯ୍ୟର ସହ ପ୍ରାର୍ଥନା କରି ଆତ୍ମବିଶ୍ୱାସରେ ମରଣ ମୁହଁରୁ ଫେରାଇ ଆଣିଥିଲେ। ଆଜି ଭୋଗବାଦ ସମାଜରେ ଚାକଚକ୍ୟ ବ୍ୟବସ୍ଥା ପୂଜା ଅର୍ଚ୍ଚନା ଠାରୁ ଆନ୍ତରିକ ଦାମ୍ପତ୍ୟ ପ୍ରେମ ବଳି ହେଲେ ଆମ ଭାରତୀୟ ସାଂସ୍କୃତିକ ପ୍ରେକ୍ଷାପଟରେ ସାବିତ୍ରୀ ବ୍ରତର ପ୍ରବାହ ଧାରା ଜାହ୍ନବୀ ସମାନ ହେବ ଏବଂ ସ୍ୱାମୀ ସ୍ତ୍ରୀ ସୁଖରେ ଜଗତ ହସିବେ ସଂଦେହ ନାହିଁ।

Share :