Breaking News
ସଭ୍ୟତାର ଏନ୍ତୁଡ଼ିଶାଳ ସିନ୍ଧୁ ଉପତ୍ୟକା!

ସଭ୍ୟତାର ଏନ୍ତୁଡ଼ିଶାଳ ସିନ୍ଧୁ ଉପତ୍ୟକା!

ଏହା ଏମିତି ଏକ ପ୍ରମାଣ ଯାହା ଇତିହାସ ବଦଳାଇ ଦେଇ ପାରେ । ଇତିହାସ ବହି ଆଉ ଥରେ ଲେଖାଯିବାର ଅବସର ସୃଷ୍ଟି କରିପାରେ । ସିନ୍ଧୁ ଉପତ୍ୟକା ସଭ୍ୟତା ୫,୫୦୦ ବର୍ଷ ତଳର ନୁହେଁ; ଏହା ପ୍ରାୟ ୮,୦୦୦ ବର୍ଷର ପୁରୁଣା । ଏ ନେଇ ଠୋସ ପ୍ରମାଣ ପାଇଛନ୍ତି ଆଇଆଇଟି ଖଡ଼ଗପୁର ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା । ଖ୍ରୀଷ୍ଟପୂର୍ବ ୭,୦୦୦ରୁ ଖ୍ରୀଷ୍ଟପୂର୍ବ ୩,୦୦୦ ମଧ୍ୟରେ ବିକଶିତ ହୋଇଥିବା ମିଶରୀୟ ସଭ୍ୟତା ଓ ଖ୍ରୀଷ୍ଟପୂର୍ବ ୬,୫୦୦ରୁ ଖ୍ରୀଷ୍ଟପୂର୍ବ ୩,୧୦୦ ମଧ୍ୟରେ ବିକଶିତ ହୋଇଥିବା ମୋସୋପଟାମିଆ ସଭ୍ୟତାଠାରୁ ମଧ୍ୟ ସିନ୍ଧୁ ଉପତ୍ୟକା ସଭ୍ୟତା ପୁରୁଣା । ଆହୁରି ପ୍ରମାଣ ମିଳିଛି ଯେ ହରପ୍ପା ସଭ୍ୟତାର ୧,୦୦୦ ବର୍ଷ ପୂର୍ବରୁ ମଧ୍ୟ ସେଠାରେ ଅନ୍ୟ ଏକ ସଭ୍ୟତା ବିକାଶ ଲାଭ କରିଥିଲା । ସମଗ୍ର ବିଶ୍ୱରେ ଅତ୍ୟନ୍ତ ବିଶ୍ୱସନୀୟ ଓ ସମ୍ମାନଜନକ ସ୍ଥାନ ଅଧିକାର କରିଥିବା ‘ନେଚର’ ପତ୍ରିକାର ୨୦୧୫ ମେ ୨୫ ତାରିଖ ସଂସ୍କରଣରେ ଏ ସଂପର୍କରେ ଏକ ନିବନ୍ଧ ପ୍ରକାଶ ପାଇଥିଲା । ଏହି ଲେଖା ପ୍ରକାଶ ପାଇବା ପରେ ସମଗ୍ର ବିଶ୍ୱରେ ‘ସଭ୍ୟତାର ଅନ୍ତୁଡ଼ିଶାଳ’ ନେଇ ରହିଥିବା ପୂର୍ବ ଇତିହାସର ପୁନର୍ଲିଖନ ନେଇ ଗମ୍ଭୀର ଚିନ୍ତାର ଅବକାଶ ସୃଷ୍ଟି ହୋଇଛି । ବୈଜ୍ଞାନିକମାନେ ଏହା ମଧ୍ୟ ଜାଣି ପାରିଛନ୍ତି ଯେ ପାଗ ପରିବର୍ତ୍ତନ ଜନିତ ଦୁର୍ବଳ ମୌସୁମୀ ପାଇଁ ପ୍ରାୟ ୩,୦୦୦ ବର୍ଷ ତଳେ ଏଇ ସଭ୍ୟତାର ଧ୍ୱଂସ ହେଲା । ଏ ନେଇ ଆଇଆଇଟି ଖଡ଼ଗପୁରର ଭୂତତ୍ତ୍ୱ ଓ ଭୂପଦାର୍ଥ ବିଭାଗର ମୁଖ୍ୟ ଅନିନ୍ଦ୍ୟ ସରକାର କହିଛନ୍ତି, ଆମେ ଏଇ ସଭ୍ୟତାର ସବୁଠୁ ପୁରୁଣା ମାଟିପାତ୍ର ପାଇଛୁ । ଅପ୍ଟିକାଲି ଷ୍ଟିମୁଲେଟେଡ଼ ଲୁମିନିସେନ୍ସ ନାମକ ଏକ ପ୍ରଯୁକ୍ତି ପ୍ରୟୋଗ କରି ଏହି ମାଟିପାତ୍ରଗୁଡ଼ିକର ସମୟ ନିର୍ଣ୍ଣୟ କରାଯାଇଛି । ତାହା ୬୦୦୦ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି । ଏହା ପ୍ରାକ୍‍-ହରପ୍ପା ସଭ୍ୟତାର ପ୍ରମାଣ । ସାଂସ୍କୃତିକ ଦୃଷ୍ଟିକୋଣରୁ ପ୍ରାକ୍‍-ହରପ୍ପା ହାକ୍ରା ପର୍ଯ୍ୟାୟକୁ ୮୦୦୦ ବର୍ଷ ପୁରୁଣା ବୋଲି ନିର୍ଣ୍ଣୟ କରାଯାଇଛି । କାରଣ ମିଳିଥିବା ପାତ୍ରଗୁଡ଼ିକ ବିକଶିତ ହେବା ପୂର୍ବରୁ ନିଶ୍ଚୟ ୨୦୦୦ ବର୍ଷ ବିତି ଯାଇଥିବ । ଏହି ଦୁଇ ସଂସ୍ଥାର ଗବେଷକମାନେ ହରପ୍ପା ଓ ମହେଞ୍ଜୋ ଦାରୋ ବାହାରେ ହରପ୍ପା ସଭ୍ୟତାର ପ୍ରମାଣ ଖୋଜୁ ଖୋଜୁ ଏହି ପ୍ରମାଣ ପାଇଛନ୍ତି । ଏମାନେ ପ୍ରଥମେ ବିଶ୍ୱାସ କରୁଥିଲେ ଯେ ଏବେ ପାକିସ୍ଥାନରେ ଥିବା ହରପ୍ପା ଓ ମହେଞ୍ଜୋ ଦାରୋ ସଭ୍ୟତା ହରିଆନାର ଭିରରାନା ଓ ରାକ୍ଷିଗଡ଼ି ଏବଂ ଲୋଥାଲ, ଧୋଲାବିରା ଓ କାଲିବାଙ୍ଗାନ ଅଂଚଳ ଯାଏଁ ବ୍ୟାପ୍ତିଲାଭ କରିଥିଲା । ଏଇଆ ପ୍ରମାଣ କରିବା ପାଇଁ ସେମାନେ ଅନୁସନ୍ଧାନ ଆରମ୍ଭ କରି ପ୍ରଥମେ ଭିରରାନାରେ ଖୋଳାଖୋଳି କରିଥିଲେ । ସେଠାରୁ ସେମାନେ ଏସବୁ ମାଟିପାତ୍ର ସହିତ ଗାଈ, ଛେଳି, ହରିଣ ଆଦି ପଶୁଙ୍କ ହାଡ଼ ମଧ୍ୟ ପାଇଥିଲେ । ଏହାକୁ କାର୍ବନ ୧୪ ପଦ୍ଧତିରେ ଅନୁଶୀଳନ କରାଯାଇଥିଲା । ଏଥିରେ ସହାୟତା କରିଥିଲେ ପୁନେସ୍ଥିତ ଡେକାନ କଲେଜର ଆରତୀ ଦେଶପାଣ୍ଡେ ମୁଖାର୍ଜୀ । ଅହମ୍ମଦାବାଦର ଫିଜିକାଲ ରିସର୍ଚ୍ଚ ଲାବୋରେଟୋରି ମଧ୍ୟ ଏଥିରେ ସହାୟତା କରିଥିଲେ । ଏହି ଅନୁଶୀଳନରୁ ଏସବୁ ପଶୁମାନେ କେଉଁ ସମୟରେ ଥିଲେ ଏବଂ ସେତେବେଳକାର ପାଗ ପରିବେଶ କ’ଣ ଥିଲା ତାହା ଜଣାପଡ଼ିଛି । ଏହି ଗବେଷକମାନେ ବିଶ୍ୱାସ କରନ୍ତି ଯେ ସିନ୍ଧୁ ଉପତ୍ୟକା ସଭ୍ୟତା ଭାରତର ବ୍ୟାପକ ଅଂଚଳରେ ବିକାଶ ଲାଭ କରିଥିଲା । ଏହା ସିନ୍ଧୁ ଉପତ୍ୟକାରୁ ଅଧୁନା ବିଲୁପ୍ତ ସରସ୍ୱତୀ ବା ଘାଗରା-ହାକ୍ରା ନଦୀ ଉପତ୍ୟକା ଯାଏଁ ବିସ୍ତୃତ ଥିଲା । ଅନିନ୍ଦ୍ୟ ସରକାର କହନ୍ତି, ଏ ନେଇ ପୂର୍ବରୁ ଯାହା ଜଣାପଡ଼ିଛି ତାହା ବ୍ରିଟିଶ ସମୟର ପ୍ରତ୍ନତାତ୍ତ୍ୱିକ ଖନନ ଓ ଗବେଷଣାର ଉପଲବ୍ଧି । ଏହା ପରେ ଅଧିକ ଗବେଷଣା ହୋଇ ନଥିଲା । ଏହି ନୂତନ ଗବେଷଣାରୁ ସିନ୍ଧୁ ଉପତ୍ୟକା ସଭ୍ୟତାର ପ୍ରମୁଖ ତିନି ପର୍ଯ୍ୟାୟର ସାଂସ୍କୃତିକ ପ୍ରମାଣ ମିଳିଛି । ଖ୍ରୀଷ୍ଟପୂର୍ବ ୯,୦୦୦ରୁ ଖ୍ରୀଷ୍ଟପୂର୍ବ ୮,୦୦୦ ମଧ୍ୟରେ ବିକାଶ ଲାଭ କରିଥିବା ପ୍ରାକ୍‍ ସିନ୍ଧୁ ସଭ୍ୟତା, ଖ୍ରୀଷ୍ଟପୂର୍ବ ୮,୦୦୦ରୁ ୭,୦୦୦ ମଧ୍ୟରେ ତିଷ୍ଠିଥିବା ପ୍ରାକ୍‍ ହରପ୍ପା ସଭ୍ୟତା ଏବଂ ପରିପକ୍ୱ ହରପ୍ପା ସଭ୍ୟତାର ସାଂସ୍କୃତିକ ପ୍ରମାଣ ମିଳିଛି ବୋଲି କହିଛନ୍ତି ଅନିନ୍ଦ୍ୟ । ପ୍ରଥମ ପର୍ଯ୍ୟାୟରେ ଲୋକମାନେ ଗାଁରେ ରହୁଥିଲେ, ଚାଷ ଓ ପଶୁପାଳନକୁ ଜୀବୀକା ଭାବେ ଗ୍ରହଣ କରିଥିଲେ । କିନ୍ତୁ ପରିପକ୍ୱ ହରପ୍ପା ସଭ୍ୟତା ବେଳକୁ ସେମାନେ ସଂଗଠିତ ସହରରେ ବସବାସ କରୁଥିଲେ । ସେତେବେଳକୁ ସେମାନେ ଆରବିୟା ଓ ମେସୋପଟାମିଆ ସହିତ ବାଣିଜ୍ୟ କାରବାର ଆରମ୍ଭ କରିଦେଇଥିଲେ । କିନ୍ତୁ ଶେଷ ଆଡ଼କୁ ଏସବୁ ସହର ସବୁ ପରିତ୍ୟକ୍ତ ହୋଇଥିଲା, ଜନସଂଖ୍ୟା କମି ଯାଇଥିଲା, ଜନବସତି ସବୁ ଖାଲି ହୋଇଯାଇଥିଲା, ମୌଳିକ ସୁବିଧାର ଅଭାବ ପରିଲକ୍ଷିତ ହୋଇଥିଲା ଏବଂ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଏପରିକି ଏହି ସମୟରେ ହରପ୍ପା ଲିପି ମଧ୍ୟ ଚିହ୍ନବର୍ଣ୍ଣ ହରାଇଥିଲା । ଗବେଷକମାନେ ସେ ସମୟର ପାଣିପାଗ ବିଷୟରେ ଜାଣିବା ପାଇଁ ମିଳିଥିବା ପଶୁ ହାଡ଼ ଓ ଦାନ୍ତର ଫସଫେଟ୍ସର ଅକ୍ସିଜେନ୍‍ ଆଇସୋଟୋପ ଅନୁଶୀଳନ କରିଥିଲେ । ସେଥିରୁ ଜଣାପଡ଼ିଛି ଯେ ସେତେବେଳେ ମୌସୁମୀ ବୃଷ୍ଟିପାତ ହେଉଥିଲା ଓ କୃଷି ଅନୁୁକୂଳ ପରିବେଶ ଥିଲା । ପ୍ରାକ୍‍ ହରପ୍ପା ମଣିଷମାନେ ଘାଗରା-ହାକ୍ରା ଉପତ୍ୟକା ଯାଏଁ ଜନବସତି ନିର୍ମାଣ କରିଥିଲେ । ଆଜିକୁ ୯୦୦୦-୭୦୦୦ ବର୍ଷ ତଳେ ମୌସୁମୀ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ଏବଂ ପ୍ରବଳ ବୃଷ୍ଟିପାତ ହେଉଥିଲା । ତା’ ଫଳରେ ସିନ୍ଧୁ ଓ ଘାଗରା-ହାକ୍ରା ନଦୀରେ ବିପୁଳ ଜଳପ୍ଳାବନ ରହିଥିଲା । ଏହି ଗବେଷଣାରୁ ଏହା ସାବିତ ହୋଇଯାଇଛି ଯେ ୮୦୦୦ ବର୍ଷ ତଳର ଏହି ସଭ୍ୟତା ହେଉଛି ପୃଥିବୀର ସବୁଠୁ ପୁରୁଣା ସଭ୍ୟତା ଓ ଭାରତୀୟମାନେ ହେଉଛନ୍ତି ଇତିହାସରେ ସଭ୍ୟତାର ପ୍ରଥମ ପ୍ରମାଣ । ଆହୁରି ମଧ୍ୟ ଜଣାପଡ଼ିଛି ଯେ ୭,୦୦୦ ବର୍ଷ ତଳେ ମୌସୁମୀ ଦୁର୍ବଳ ହୋଇଯାଇଥିଲା କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସଭ୍ୟତା ସଂପୂର୍ଣ୍ଣ ଲୋପ ପାଇନଥିଲା । ସିନ୍ଧୁ ଉପତ୍ୟକାର ଲୋକମାନେ ପ୍ରକୃତି ସହିତ ନିଜକୁ ଖାପ ଖୁଆଇଥିଲେ । ଦୁର୍ବଳ ମୌସୁମୀ ଯୋଗୁଁ ସେମାନେ ବୃହଦାକାର ଖାଦ୍ୟଶସ୍ୟ ଗହମ ଓ ବାର୍ଲି ଚାଷରୁ ମରୁଡ଼ି ପ୍ରତିରୋଧୀ ଧାନ ଚାଷକୁ ମୁହାଁଇଥିଲେ ଏବଂ ଅମଳ କମିବାରୁ ଶସ୍ୟ ସଂରକ୍ଷଣ ପାଇଁ ସାମୂହିକ ଓ ବ୍ୟକ୍ତିଗତ ଖମାର ବ୍ୟବସ୍ଥା କରିଥିଲେ । ପରିପକ୍ୱ ହରପ୍ପା ସମୟରେ ଲୋକମାନେ ପୁଣି ଥରେ ସହର ଛାଡ଼ି ବ୍ୟକ୍ତିଗତ ସୁବିଧା ପାଇଁ ଗ୍ରାମାଭିମୁଖୀ ହୋଇଥିଲେ । ଏହି ପ୍ରକ୍ରିୟାରେ ଏହି ସଭ୍ୟତା ସଂପୂର୍ଣ୍ଣ ବିଲୁପ୍ତ ନହୋଇ ବିକ୍ଷିପ୍ତ ଓ ବ୍ୟାପ୍ତ ହୋଇଥିଲା ବୋଲି ଗବେଷକମାନେ ବିଶ୍ୱାସ କରୁଛନ୍ତି ।

Share :