ଓଡ଼ିଶାରେ କଂଗ୍ରେସ ବିଜେଡିର ଖ ଦଳ: ବିଜେପି

ଓଡ଼ିଶାରେ କଂଗ୍ରେସ ବିଜେଡିର ଖ ଦଳ: ବିଜେପି

Share :

ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିର ଅଭିବୃଦ୍ଧିକୁ ରୋକିବା ପାଇଁ ବିଜେଡି ସହିତ କଂଗ୍ରେସ ହାତ ମିଳାଇଛି ବୋଲି ଅଭିଯୋଗ କରିଛି ବିଜେପି । ବିଜେପିର ଲୋକସଭା ନିର୍ବାଚନ ଯୋଜନାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । କିନ୍ତୁ ଏହାକୁ ଅଟକାଇବା ନିମନ୍ତେ କଂଗ୍ରେସ ବିଜେଡିର ଖ ଦଳ ଭାବେ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ । ବିଜେପି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଓଡ଼ିଶାର ଶାସକ ବିଜୁ ଜନତା ଦଳ ପ୍ରତି ଶକ୍ତ ଚାଲେଞ୍ଜ ସୃଷ୍ଟି କରିଛି । ଏହି କିଛି ବର୍ଷ ଭିତରେ ଭାରତୀୟ ଜନତା ପାର୍ଟିରେ ଓଡ଼ିଶାରେ ବିଜୁ ଜନତା ଦଳର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି । ଏହି ସ୍ଥିତିରେ ନିରଂଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ହେଲେ ମଧ୍ୟ ଏହା ବିଜେପି ପାଇଁ କୌଣସି ନୂଆ ଚାଲେଞ୍ଜ ସୃଷ୍ଟି କରିବ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସର ଏକମାତ୍ର ଲକ୍ଷ୍ୟ ହେଉଛି ବିଜେପିକୁ ରୋକିବା । ସେଥିପାଇଁ ଏହି ଦଳ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଏକ ଗୁପ୍ତ ବୁଝାମଣା କରିଛି । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ଓଡ଼ିଶାରେ ରୋକିବା ପାଇଁ କଂଗ୍ରେସ ଦଳ ବିଜେଡିର ଖ ଦଳ ଭାବେ କାର୍ଯ୍ୟ କରୁଛି । ତେବେ କଂଗ୍ରେସ ଏଥିରେ ସଫଳ ହେବ ନାହିଁ ବୋଲି ଅରୁଣ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିସ୍ତୃତ ଭାବେ ବୁଝାଇବାକୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସିଂହ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିକୁ ପରାସ୍ତ କରିବା ପାଇଁ ବିଜେପି ଶକ୍ତିଶାଳୀ ଚାଲେଞ୍ଜ ସୃଷ୍ଟି କରିଥିଲା । କିନ୍ତୁ କଂଗ୍ରେସର ଭୋଟ କିଣି ବିଜେଡି ୧.୦୨ ଲକ୍ଷ ଭୋଟ ପାଇ ଜିତିଗଲା । ସେହି ନିର୍ବାଚନରେ ବିଜେପି ୬୦ ହଜାର ଭୋଟ ପାଇଥିଲା ଓ କଂଗ୍ରେସ ସେଠାରେ ଅମାନତ ହରାଇଲା । ସୂଚନାଯୋଗ୍ୟ ଯେ ପୂର୍ବ ନିର୍ବାଚନରେ ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Share :